Unknown

 

 

 

 

 

 

 

 

 

 

ପକ୍ଷୀ ମିଥୁନ

 

ଅନୁବାଦକ

ନବଘନ ପଣ୍ଡା

 

ଭୂମିକା

 

ଶ୍ରୀ ଯୋଗେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କ ଜୀବନ କଥା ଦୁଇଟି ପକ୍ଷୀଙ୍କର ମୌଖିକ ବର୍ଣ୍ଣନାରେ ଏହି ଗଳ୍ପରେ ଆଂଶିକ ଭାବରେ ବିବୃତ ହେଲା । ପକ୍ଷୀ ଦୁଇଟି କିଏ ? ପକ୍ଷୀ ଦୁଇଟି ଯୋଗେନ୍ଦ୍ରନାଥଙ୍କର ଅନ୍ତର୍ନିବାସୀ ସତ୍ତାର କେତୋଟି ଅଂଶ । ମୁଣ୍ଡକ ଉପନିଷଦରେ ଅଛି—

 

ଦ୍ଵା ସୁପର୍ଣ୍ଣା ସଯୁଜା ଶାଖାୟାଂ ସମାନଂ ବୃକ୍ଷଂ ପରିଷସ୍ଵ ଜାତେ ତୟୋରନ୍ୟଃ ପିପ୍‌ପଳଂ ସଦ୍‌ବତ୍ୟ ନଶ୍ଚନ୍ନନ୍ୟୋ ଅଭିଚାକ ଶୀତି ।

 

ଯର୍ଥାତର ଭାବାର୍ଥ ନିମ୍ନରୂପ—

 

ପୂର୍ଣ୍ଣ ଦୁଇଟି ପକ୍ଷୀ ସଖ୍ୟଭାବେ ସମ୍ମିଳିତ ରହିଛନ୍ତି ଏକ ବୃକ୍ଷ ପରେ ପକ୍ଷୀ ସ୍ଵାଦୁ ଫଳ କରଇ ଭକ୍ଷଣ ଦ୍ଵିତୀୟଟି ନ ଖାଇଣ ନିରୀକ୍ଷଣ କରେ ।

Image

 

ପ୍ରଥମ ପକ୍ଷୀର କଥା

 

ଗଳ୍ପର ପ୍ଳଟ ପାଇଁ କଳ୍ପନା–ମନ୍ଦିରରେ ଧାରଣା ଦେଇ ବସିଥିଲି, । ଆଖିରେ ପଡ଼ିଲା ରାସ୍ତାରେ ଡଷ୍ଟବିନ୍ ପାଖରେ ଗୋଟିଏ ଲୋମଶୂନ୍ୟ କୁକୁର ମଧ୍ୟ ମୋ’ ଗେଟ ସାମନାରେ ଧାରଣା ଦେଇ ବସିଅଛି । ଦୁର୍ଗନ୍ଧ ଡଷ୍ଟବିନ୍, ତେଣିକି କିନ୍ତୁ ତା’ର ଭ୍ରୂକ୍ଷେପ ନାହିଁ । ସନ୍ଦେହ ହେଲା, କୁକୁରଟା ଲେଖକ ବୋଲି—ନ ହେଲେ ମୋ’ ଗେଟ ଆଗରେ ଧାରଣା ଦେଇଛି କାହିଁକି ? ମୋ’ ଘର ତ କଳ୍ପନା-ମନ୍ଦିର ନୁହେଁ । କଳ୍ପନା ଦେବୀ ବାସକରନ୍ତି କେଉଁ ଅଲକ୍ଷଲୋକରେ । ଅବଶ୍ୟ ମୋ’ର ଏହି କୁଟୀରରେ ତାଙ୍କର କୃପାକଣା ସମୟେ ସମୟେ ବର୍ଷିତ ହୁଏ; କିନ୍ତୁ ସେ ତ ଏଠାରେ ରହନ୍ତି ନାହିଁ । କଳ୍ପନା ଦେବୀ କେଉଁଠି ରହନ୍ତି ତାହା ମୁଁ ଜାଣେ ନାହିଁ.... । ହଠାତ୍ ବୁଝିପାରିଲି କାହିଁକି ଏ କୁକୁରଟି ଅହୋରାତ୍ର ମାଟି କାମୁଡ଼ି ଏଠାରେ ପଡ଼ିଛି । ତା’ର ଆରାଧ୍ୟା କଳ୍ପନା ଦେବୀ ନୁହନ୍ତି, ତା’ର ଲକ୍ଷ୍ୟ ଶ୍ରୀମତୀ ‘ଜିମି—’ମୋ’ର ସୌଖୀନ ଟେରିୟର କୁକ୍‌କୁରୀ । ଜିମି ବାରଣ୍ଡାରେ ଶୃଙ୍ଖଳାବଦ୍ଧା । ତାକୁ ବାଜେ କୁକୁର ସହିତ ମିଶିବାକୁ ଦିଏ ନାହିଁ । ସହସା ମନେହେଲା, ମୁଁ କୁକୁର ପାଇଁ ଏତେ ସାବଧାନତା ଅବଲମ୍ବନ କରୁଛି; କିନ୍ତୁ ନିଜର ପୁଅ ପାଇଁ ସାବଧାନ ହୋଇ ନାହିଁ । ସେ ଗୋଟିଏ ଚମାରଝିଅକୁ ବାହା ହୋଇ ମୋତେ ଛାଡ଼ି ଚାଲିଯାଇଛି । ମୋ’ର ଯୁବତୀ କନିଷ୍ଠା କନ୍ୟାଟି ସେହିପରି ସଜ୍ଜିତା ହୋଇ ଶାଢ଼ି ରଙ୍ଗ ସହିତ ସ୍ୟାଣ୍ଡାଲ ଓ ଦୁଲର ରଙ୍ଗ ଯେପରି ମେଳାଇ ଏ ନାଚ ଆସରରୁ ସେ ନାଚ ଆସର, ଏ ପାର୍ଟିରୁ ସେ ପାର୍ଟି ଘୂରି ବୁଲୁଛି, ସେ କେଉଁଦିନ କ’ଣ କରି ବସିବ କିଏ ଜାଣେ ! ମୁଁ ମୋ’ କୁକୁର ବିଷୟରେ ଏତେ ସଚେତନ ଅଥଚ—, ନା, ମୋତେ ଦୋଷ ଦେବେନି । ମୁଁ ପୁଅ ଝିଅଙ୍କ ସମ୍ବନ୍ଧରେ ମଧ୍ୟ ସଚେତନ; କିନ୍ତୁ ନିରୁପାୟ । କୁକୁରକୁ ଶୃଙ୍ଖଳ ସାହାଯ୍ୟରେ ବାନ୍ଧି ରଖା ଯାଇପାରେ, କିନ୍ତୁ ପୁଅ ଝିଅଙ୍କୁ ରଖାଯାଇ ପାରେ ନାହିଁ ।

 

ଏହିପରି ଆଳିମାଳିକା ଚିନ୍ତାରେ ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲି, ଏହି ସମୟରେ ଯାହା ଘଟିଲା ତାହା ଅପ୍ରତ୍ୟାଶିତ ଏବଂ ବିସ୍ମୟକର । କଳ୍ପନା ଦେବୀଙ୍କ କୃପାରୁ ପ୍ରାୟ ମୁଁ ଦିବ୍ୟ କର୍ଣ୍ଣ ଲାଭ କଲି । ଶୁଣିଲି, ସେହି ଲୋମହୀନ କୁକୁରଟି ବେଶ୍ ସୁନ୍ଦର ଭାଷାରେ କଥା କହୁଛି । ତା’ର କଥା ଶୁଣି ଆହୁରି ଅବାକ୍ ହେଲି, ଯେତେବେଳେ ବୁଝିଲି ସେ ମୋତେ ଲକ୍ଷ୍ୟ କରି କହୁଛି । ଖାଲି ତାହା ନୁହେଁ, ସେ ମୋ’ ମନ କଥା କେଉଁ ନିଗୂଢ଼ ଉପାୟରେ ଟେର ପାଇଯାଇଛି । ସତରେ ଭାରି ଆଶ୍ଚର୍ଯ୍ୟ ହୋଇଗଲି ।

 

ଲୋମଶୂନ୍ୟ କୁକୁରଟି ମୋତେ ଲକ୍ଷ୍ୟ କରି କହିଲା, “ହେ ଭଦ୍ରପୁଙ୍ଗବ ! ତୁମ ମନ କଥା ମୁଁ ଜାଣେ, ଜାଣି କୌତୁକ ଅନୁଭବ କରୁଛି । ତୁମେ ଠିକ୍ ଅନୁମାନ କରିଛ ଯେ ମୁଁ ଶ୍ରୀମତୀ ଜିମିର ପ୍ରଣୟାସକ୍ତ । ଜିମି ଖାଲି କୁକୁରୀ– ନୁହେଁ—କୁକ୍‌କୁରୀ ଶ୍ରେଷ୍ଠା । ତାକୁ ପାଇଲେ ଜୀବନ ମୋହର ଧନ୍ୟ ହେବ । କିନ୍ତୁ ତୁମେ ଭାବୁଛ–ଏ ଲୋମଶୂନ୍ୟ କୁକୁରଟାର ସ୍ପର୍ଦ୍ଧା ତ କମ୍ ନୁହେଁ । ଏହି ନୀଚବଂଶୀୟ ବାମନର ଜିମି ରୂପକ ଚନ୍ଦ୍ରକୁ ସ୍ପର୍ଶ କରିବାର ଆକାଙ୍‌କ୍ଷା କାହିଁକି ? ତୁମର ମତିଭ୍ରମ ଦେଖି ସତରେ ବଡ଼ କୌତୁକ ଅନୁଭବ କରୁଛି । ତୁମେ ତୁମ ବଡ଼ ଝିଅ ପାଇଁ ଯାହା କରିଥିଲ ତା’ କ’ଣ ଭୁଲିଯାଇଛ ? ସେହି ନିର୍ବୋଧ କନ୍ୟାଟିକୁ ବି.ଏ. ପାଶ କରାଇବା ପାଇଁ ତୁମେ କ’ଣ ନ କରିଛ—ପରୀକ୍ଷକମାନଙ୍କୁ ଘୁଷ ପର୍ଯ୍ୟନ୍ତ ଦେଇଛ । ବିବାହ-ବଜାରରେ ଯେଉଁଠି ଲକ୍ଷ ଟଙ୍କା-କୋଟି ଟଙ୍କାର ଛାପାମରା ହାଙ୍ଗର କୁମ୍ଭୀରମାନେ ଘୂରି ବୁଲନ୍ତି, ସେଠାରେ ଡିଗ୍ରୀଟା ବଡ଼ ଥୋପ । ଯଥାସର୍ବସ୍ଵ ବନ୍ଧା ରଖି ତୁମେ ପଣ ଯୋଗାଡ଼ କରିଥିଲ । ତା’ପରେ ଆବଶ୍ୟକ ରୂପ ଆଉ ବଂଶ । ବିଉଟି ପାର୍ଲର ଏବଂ ପ୍ରସାଧନ କଲ୍ୟାଣରୁ ତୁମ କନ୍ୟାର ଶ୍ୟାମଳିମା ଲୁଚି ଯାଇଥିଲା ଓ ତୁମର ମିଥ୍ୟା ଭାଷଣ ଦୃଢ଼ତାରେ ଛପି ଯାଇଥିଲା ବଂଶ ପରିଚୟଟି । ତୁମ ବଂଶରେ ଯେ ଦୁଇ ଜଣ ପାଗଳ, ଦୁଇ ଜଣ ଧଇଁକାଶଗ୍ରସ୍ତ ଓ ଜଣେ ଯକ୍ଷ୍ମାରୋଗୀ ଥିଲେ ତାହା ତୁମେ ଚାପି ଦେଇଥିଲ । ଯେଉଁ ବଂଶରେ ଯେଉଁ ପିଲା ସହ ତୁମ ଝିଅର ବିବାହ ଦେଇଛ ତାକୁ ଯଦି ଚନ୍ଦ୍ର କୁହାଯାଏ, ତା’ହେଲେ ତୁମେ ବାନର ଠାରୁ ହିଁ ଛୋଟ । ତୁମେ ଯେତେବେଳେ ବାମନ ହୋଇ ଚନ୍ଦ୍ରରେ ହାତ ଦେଇପାରିଛ ସେତେବେଳେ ମୁଁ ବା ନ ପାରିବି କାହିଁକି ? ବର୍ତ୍ତମାନ ଯୁଗରେ ଏହା ତ ନିୟମ—ସମସ୍ତେ ବାମନ, କିନ୍ତୁ ଚନ୍ଦ୍ରଲୋଲୁପ । ଖାଲି ମୋତେ ଦୋଷ ଦିଅ ନାହିଁ ।”

 

କୁକୁର ମୁହଁରୁ ଏ କଥା ଶୁଣି ମୋ’ର ବିସ୍ମୟ ସୀମା ଅତିକ୍ରମ କଲା । ଜାଣିଲି, କୁକୁର ଖାଲି ଭଲ ବକ୍ତା ନୁହେଁ, ଭଲ ଜ୍ୟୋତିଷୀ ମଧ୍ୟ । ନ ହେଲେ ମୋ’ର ଏତେ କଥା ସେ ଜାଣିଲା କିପରି ? ଦେଖିଲି, କୁକୁର ମୁହଁରୁ ଯେପରି ଗୋଟିଏ ବ୍ୟଙ୍ଗ ହସ ବିଚ୍ଛୁରିତ ହେଉଛି । ମନେ ହେଲା, କଳ୍ପନା ଦେବୀ ସମ୍ଭବତଃ ମୋ ଆରାଧନାରେ ତୁଷ୍ଟ ହୋଇଛନ୍ତି । ଏହି କୁକୁର ହିଁ ଗୋଟିଏ ମୂର୍ତ୍ତିମାନ୍ ପ୍ଳଟ ରୂପରେ ଆବିର୍ଭୂତ ହୋଇଅଛି ।

 

କୁକୁର ପୁଣି କଥା କହିଲା ।

 

“ମୋତେ ତୁମେ ଯେତେ ନୀଚବଂଶଜ ବୋଲି ମନେକରୁଛ ମୁଁ କିନ୍ତୁ ତାହା ନୁହେଁ । ମୁଁ ଆଶାକରେ ତୁମେ ମୂର୍ଖ ନୁହଁ । ଋଗ୍‌ବେଦ ପଢ଼ିଛ କି ? ମହାଭାରତ ? ଅଗ୍ନି ପୁରାଣ ? ଏ ସମସ୍ତ ପଢ଼ିଥିଲେ ତୁମର ବୁଝିବାକୁ ଅସୁବିଧା ହେବ ନାହିଁ ଯେ ମୁଁ ମହତ୍ ବଂଶଜାତ । ଦେବକୁକ୍‌କୁରୀ ଦେବଶୂନୀ ସରମା ଆମ ବଂଶର ଥିଲେ ପ୍ରତିଷ୍ଠାତ୍ରୀ । ସେ ସାମାନ୍ୟ କୁକ୍‌କୁରୀ ନ ଥିଲେ । ସେ ଥିଲେ ଦକ୍ଷକନ୍ୟା ଏବଂ କଶ୍ୟପପତ୍ନୀ । ଇନ୍ଦ୍ର ଏହାଙ୍କର କ୍ଷମତାକୁ ବିଶ୍ଵାସ କରନ୍ତି । ଅସୁରଗଣ ଯେତେବେଳେ ବୃହସ୍ପତିଙ୍କ ଗାଭୀ ଚୋରି କରି ଲୁଚାଇ ରଖିଥିଲେ, ସେତେବେଳେ ଏହି ସରମାକୁ ହିଁ ଇନ୍ଦ୍ର ପ୍ରେରଣ କରିଥିଲେ ଉଦ୍ଧାର କରିବା ନିମିତ୍ତ । ସେହି ଉତ୍ତରାଧିକାର ଆମେ ବର୍ତ୍ତମାନ ସୁଦ୍ଧା ସଗର୍ବେ ଧାରଣ କରିଛୁଁ । ବର୍ତ୍ତମାନ ତୁମ୍ଭେମାନେ, ତଥାକଥିତ ଏହି ସଭ୍ୟମାନବଗଣ ଆମ୍ଭମାନଙ୍କ ସହାୟତାରେ ଚୋର ଡକାୟତମାନଙ୍କ କବଳରୁ ନିଜକୁ ରକ୍ଷା କରିଥାଅ, ଆମରି ସାହାଯ୍ୟରେ ପଳାତକ ଚୋର, ଡକାୟତ ବା ଖୁନୀକୁ ଗ୍ରେପ୍ତାର କର । ତୁମ୍ଭମାନଙ୍କୁ ତଥାକଥିତ ସଭ୍ୟ କହିଲି, ତା’ର କାରଣ ତୁମ୍ଭେମାନେ ପ୍ରକୃତ ସଭ୍ୟ ନୁହଁ, ମାତ୍ର ସଭ୍ୟତାର ମୁଖା ପିନ୍ଧିଥାଅ । ଆମେ ଆମ ପୂର୍ବପୁରୁଷଙ୍କର ଆଦର୍ଶ ଅଭ୍ରାନ୍ତ ଭାବେ ଅନୁସରଣ କରିଥାଉଁ । ସେହି ଆଦର୍ଶ ଆମର ମଜ୍ଜାଗତ ହୋଇଯାଇଛି । ତୁମର କ’ଣ ହୋଇଛି କି ? ଶୁଣିଛି ତୁମ ଭିତରୁ କିଏ ଭରଦ୍ଵାଜ, କିଏ କଶ୍ୟପ, କିଏ ବଶିଷ୍ଠ, କିଏ ବା ଅନ୍ୟ କେଉଁ ମହାତପା ଋଷିଙ୍କ ବଂଶଧର । ତୁମେ କ’ଣ ତାଙ୍କର ଆଦର୍ଶ ଅନୁସରଣ କରିଥାଅ ? ମୁଁ ଜାଣେ କର ନାହିଁ, କିନ୍ତୁ ତୁମକୁ ଦେଖିଲେ ତୁମେ ଋଷିବଂଶଧର ବୋଲି ମନେହୁଏ ନାହିଁ ! ମନେହୁଏ ତୁମର ପୂର୍ବ ପୁରୁଷ କେଉ ଚୋର ଦୁଷ୍ଟ ବା ଦଗାବାଜ ଥିଲେ । ତୁମ ମୁହଁରେ କୌଣସି ଦେବ ବା ଋଷି ଭାବ ନାହିଁ । କୌଣସି ଉଚ୍ଚ ଭାବ ମଧ୍ୟ ନାହିଁ । ତୁମେ ଯେ କାହିଁକି ଲେଖକ ହୋଇଛ ତାହା ମୁଁ ଜାଣି ପାରୁ ନାହିଁ । କ’ଣ ଲେଖିବ ତୁମେ ? ତୁମ ସ୍ଵାର୍ଥ ଆଉ କର୍ମର କାହାଣୀ ? ସେଇଆକୁ ରାଜନୀତି ଆଉ ପ୍ରେମକଥା ବୋଲି ଚଳେଇବ ? ଏହା ଛଡ଼ା ଆଉ କିଛି କରିବାର କ୍ଷମତା ତୁମର ଅଛି ବୋଲି ତ ମନେହୁଏ ନାହିଁ । ତୁମକୁ ଏପରି କଟୁ କଥାସବୁ କହିବାର ଇଚ୍ଛା ମୋ’ର ନ ଥିଲା; କିନ୍ତୁ ମୋତେ ଦେଖି ତୁମ ଆଖିରେ ଯେଉଁ ଘୃଣାଭାବ ଫୁଟି ଉଠିଛି, ତାହା ମୁଁ ବରଦାସ୍ତ କରିପାରିଲି ନାହିଁ । ମୋତେ ଘୃଣା କର ନାହିଁ । ମୋ’ର ଜୀବନ–କାହାଣୀ ଯଦି ମନଦେଇ ଶୁଣିବ ତା’ହେଲେ ତୁମ ଲେଖା ନିମନ୍ତେ କିଛି ଉପାଦାନ ହୁଏତ ତୁମେ ପାଇବ ଏବଂ ହୁଏତ ଏ କଥା ବି ତୁମର ମନେ ହେବ ଯେ ମୁଁ ତୁମ ଜିମିର ଅଯୋଗ୍ୟ ପ୍ରଣୟୀ ନୁହେଁ—”

 

ବିଚାରା କିନ୍ତୁ କଥା ଶେଷ କରିପାରିଲା ନାହିଁ । ଗୋଟିଏ ବଳିଷ୍ଠ କୁକୁର ଆସି ତଡ଼ିନେବାରୁ ଦୁଇ ଗୋଡ଼ ସନ୍ଧିରେ ଲାଞ୍ଜ ଜାକି ପଳାଇଗଲା । ବଳିଷ୍ଠ କୁକୁରଟା ଏଇ ସାଇର କୁକୁର । ଖାଣ୍ଟି ଦେଶୀ, ଠିଆ କାନ, କଳା ରଙ୍ଗ, ଆଖି ଉପରେ ବୃତ୍ତାକାର ଦୁଇଟି ହଳଦିଆ ଦାଗ, ଜିଲପି ପରି ମୋଡ଼ା ଲାଞ୍ଜ । କାହାରି କଥା ଶୁଣେ ନାହିଁ କି କାହାରି ବାଧ୍ୟ ନୁହେଁ ! ଯଥେଚ୍ଛାଚାରୀ ଖାଣ୍ଟି ଦେଶୀ ପ୍ରାଣୀ । ଏ ଘରୁ ସେ ଘରୁ ଖାଇ ବୁଲେ, କାହାରି ଘରର ନୁହେଁ । ସେ ସମସ୍ତଙ୍କର ଅଥଚ କାହାରି ବଶ୍ୟତା ସ୍ଵୀକାର କରେ ନାହିଁ । ତୁ’ ବୋଲି ଡାକିଲେ ଠିଆ ହୋଇ ଲାଞ୍ଜ ହଲାଏ, ବୁଝିବାକୁ ଚେଷ୍ଟାକରେ ସେ ଡାକ ସାର୍ଥକ କି ନିରର୍ଥକ । ଯଦି ଖାଦ୍ୟ ଦିଆଯାଏ ତେବେ ମାଡ଼ି ବସି ଗାଉଁ ଗାଉଁ କରି ଖାଇବ, ବାସ୍ ସେଇଠି ସମ୍ପର୍କ ଶେଷ । ଏହି ସାଇର ଅନ୍ୟ କେତେଟା କୁକୁରଙ୍କୁ ମେଳାଇ ସେ ଦଳ ବାନ୍ଧିଛି । ସମ୍ଭବତଃ ସେ ସେହି ଦଳର ଦଳପତି । ଦଳର ପ୍ରଧାନ କାର୍ଯ୍ୟ ପରସ୍ପର ଝଗଡ଼ା, ଆଉ ଅନ୍ୟ ସାଇର କେଉଁ କୁକୁର ଏ ସାଇକୁ ଆସିଲେ ତାହାକୁ ଖେଦିନେବା ଅନ୍ୟ ସାଇର କୁକୁର ସମ୍ବନ୍ଧରେ ଅସହିଷ୍ଣୁତା ସେମାନଙ୍କର ଉତ୍ତରାଧିକାର । ସବୁ କୁକୁର ଏହା କରିଥାନ୍ତି । ଆମର ପ୍ରାଦେଶିକ ଆଇନମାନ ବୋଧହୁଏ କୁକୁରଙ୍କ ଏହି ନୀତିର ଅନୁକରଣ । ସେହି ଲୋମଶୂନ୍ୟ କୁକୁରଟା ଏ ସାଇର ନୁହେଁ, ତେଣୁ ତାକୁ ତଡ଼ା ଖାଇ ପଳାଇବାକୁ ହେଲା । ଆହୁରି ଗୋଟିଏ କାରଣ ମଧ୍ୟ ଥିଲା । ସେଇଟା ବୋଧହୁଏ ପ୍ରଧାନ କାରଣ । ସେହି ବଳିଷ୍ଠ କୁକୁରଟା ମଧ୍ୟ ଆମ ଜିମିର ପ୍ରଣୟୀ । ଖାଲି ସେ କାହିଁକି, ଏ ସାଇର ସମସ୍ତ ପୁଂ–କୁକୁରଙ୍କର ଜିମି ଉପରେ ଲୋଲୁପ ଦୃଷ୍ଟି । ସେମାନେ ଲୋମଶୂନ୍ୟ କୁକୁରଙ୍କୁ ବରଦାସ୍ତ କରିବେ କାହିଁକି ? ମଣିଷର ଆଇନ ଅନୁସାରେ ସେ ଟ୍ରେସପାସର (Trespasser); ସୁତରାଂ ସେ ଯେ ଗେଟ ବାହାରେ ଥାଇ ଦୂରରୁ ପ୍ରିୟା ମୁଖ ନିରୀକ୍ଷଣ କରିବ, ସେ ସୁବିଧା ଟିକକ ଏମାନେ ଦେବେ ନାହିଁ । କିନ୍ତୁ ସେହି ଲୋମହୀନ କୁକୁରଟା ମୋତେ ଭାରି ଭଲ ଲାଗିଥିଲା । ଯଦିଓ ସେ ମୋତେ ଗାଳି ଗୁଲଜ ଦେଇଛି, ବ୍ୟଙ୍ଗ କରିଛି, ତେବେ ବି ତା’ର କଥାବାର୍ତ୍ତା ଖୁବ୍ ଭଲ ଲାଗିଥିଲା । ମନେ ହୋଇଥିଲା, ସେ ଯେପରି କଳ୍ପନା ଦେବୀଙ୍କର କୌଣସି ଦୂତ । କୁକୁର ନୁହେଁ ରୂପକ । କେତେଗୁଡ଼ିଏ ଆଜେ ବାଜେ କୁକୁରଙ୍କଦ୍ଵାରା ତଡ଼ା ଖାଇ ଏ ସାଇ ଛାଡ଼ି ଚାଲିଯିବ, ଏହା ମୁଁ ସହ୍ୟ କରିପାରିଲି ନାହିଁ । ମୋତେ ଯେତେବେଳେ ସେ ଭଲ ଲାଗିଛି ସେତେବେଳେ ମୋ’ ଗେଟ ପାଖରୁ ତାକୁ କିଏ ତଡ଼ିବ-? ତାହା କେବେ ହେଲେ କରିବାକୁ ଦେବି ନାହିଁ । ଦେଖିଲି, ବଳିଷ୍ଠ କୁକୁରଟା ଗେଟ ପାଖରେ ବସି ଜିମିକୁ ନିର୍ନିମେଷ ଦୃଷ୍ଟିରେ ଚାହିଁଛି ।

 

ମୋ’ର ଚାକର ଭିଖନକୁ ଡାକିଲି, “ଭିଖନ ! ଏ କୁକୁରଟାକୁ ଏଠାରୁ ମାରି ତଡ଼ିଦେ । ଅନ୍ୟ କେଉଁ ବାଜେ କୁକୁରକୁ ଏଠାକୁ ଆସିବାକୁ ଦେ’ ନାହିଁ । ସେହି ଲୋମଶୂନ୍ୟ କୁକୁରଟା ଯଦି ଆସେ କେବଳ ତାକୁ କିଛି କହିବୁ ନାହିଁ । ସେ ବିଚାରା ଯଦି ଗେଟ ସାମନାରେ ବସିବାକୁ ଚାହେଁ, ବସିବାକୁ ଦେବୁ । ଖାଇବାକୁ କିଛି ମଧ୍ୟ ଦେଇଦେବୁ ।”

 

ଭିଖନ ତିର୍ଯ୍ୟକ୍ ଦୃଷ୍ଟିରେ ମୋ’ ଆଡ଼କୁ ଅନାଇଁ ରହିଲା । ବୁଝିଲି, ମୋ’ ଆଦେଶର ମର୍ମ ସେ ଠିକ୍ ଗ୍ରହଣ କରିପାରିଲା ନାହିଁ । ମୁଁ ସଲୋମ ବଳିଷ୍ଠ କୁକୁରଟାକୁ ତଡ଼ିଦେଇ ଗୋଟାଏ ଲୋମହୀନ ଖେଙ୍କି କୁକୁରକୁ କାହିଁକି ସମାଦର କରୁଛି ତାହା ତା’ର ବୁଦ୍ଧିକୁ ପାଇଲା ନାହିଁ । କିନ୍ତୁ ସେ ଏହାର ପ୍ରତିବାଦ ବି କଲା ନାହିଁ । ଭୋଜପୁର ନିବାସୀ ବଳିଷ୍ଠ ଭିଖନ କମ୍ କଥାବାର୍ତ୍ତା କରେ । ପ୍ରଭୁଙ୍କ ଆଦେଶ ପାଳନ କରିବା ତା’ର ଅଭ୍ୟସ୍ତ ସ୍ଵଧର୍ମ । ସେ ନିଜର ତେଲପଚା ବାଉଁଶ ଠେଙ୍ଗାଟି ବାହାର କରି ଆସ୍ଫାଳନ ସହକାରେ ବଳିଷ୍ଠ କୁକୁରଟାକୁ ତଡ଼ିବାକୁ ଲାଗିଲା ।

 

ଭିଖନ ଗେଟ ଖୋଲି ବାହାରକୁ ଯାଇଁ ଦେଖିଲା, ଆଖପାଖରେ କୌଣସି କୁକୁର ଅଛନ୍ତି କି ନାହିଁ । ସମ୍ଭବତଃ ଥିଲେ, କାରଣ ସେ ଖଣ୍ଡିଏ ଢେଲା ଉଠାଇ ଫୋପାଡ଼ିଲା । ଲୋମହୀନ କୁକୁରଟା ଆଉ ଆସିଲା ନାହିଁ । ଏଇ ମଧ୍ୟରେ ମୋ’ ଜୀବନ-କାହାଣୀଟି ଶୁଣନ୍ତୁ । ମୋ’ ଜୀବନ-କାହାଣୀରେ ବୈଶିଷ୍ଟ୍ୟ ବା ବିଶେଷତ୍ଵ ନାହିଁ । ମୁଁ ପ୍ରଥମ ଜୀବନରେ ନିମ୍ନ ମଧ୍ୟବିତ୍ତ ଥିଲି । ଆପଣଙ୍କର ଜୀବନ ଯେପରି ମୋ’ର ସେହିପରି । ନାଡ଼ି ଖଡ଼ା–ବଡ଼ିର ମାତ୍ର ସମନ୍ଵୟ । କେତେବେଳେ ବା ନାଡ଼ି ପରିବର୍ତ୍ତେ ସାରୁ ବା କଲରା, ଖଡ଼ା ପରିବର୍ତ୍ତେ କେତେବେଳେ ପୋଇ ଶାଗ ବା କଞ୍ଚା କଦଳୀ ଆବିର୍ଭୂତ ହୁଏ । ବ୍ୟାପାର କିନ୍ତୁ ମୋଟାମୋଟି ଏକ ପ୍ରକାରର ଥିଲା । ମୁଁ ଆପଣଙ୍କ ପରି ପ୍ରଥମ ଯୌବନରେ ବିବାହ କରି ସଂସାରୀ ହୋଇଥିଲି । ଯଦିଓ ପିତାମାତାଙ୍କ ନିର୍ଦ୍ଦେଶରେ ତାଙ୍କରି ନିର୍ବାଚିତ ପାତ୍ରୀକୁ ବିବାହ କରିଥିଲି, କିନ୍ତୁ ଜାଣେନି କାହିଁକି ବିବାହ ପରଠାରୁ ପିତାମାତାଙ୍କର ସ୍ନେହ–ତରଙ୍ଗିଣୀରେ ଭଟ୍ଟାର ପ୍ରକୋପ ଦେଖା ଦେଇଥିଲା । ନାନା ଆଳରେ ମୋ’ ମା’ ମୋ’ ସ୍ତ୍ରୀକୁ ତିରସ୍କାର କରିବାକୁ ଲାଗିଲେ । ଏହି ତିରସ୍କାର କଳହକୁ କେନ୍ଦ୍ର କରି ଘରେ ଗୋଟିଏ ତିକ୍ତ ବାତାବରଣ ପ୍ରାୟ ଘନେଇ ଉଠିଲା । କ୍ରମେ ଆହୁରି ଗୋଟିଏ ଜିନିଷ ବୁଝାଗଲା, ମୋ’ର ଭାଇ ନିଜ ଦୋଷରୁ ଆଜି ବିପନ୍ନ । ଛାତ୍ରଜୀବନରୁ ଭଲ ପଢ଼ାଶୁଣା କରି ନାହିଁ । ମନୁଷ୍ୟତ୍ଵ ମର୍ଯ୍ୟାଦା ବିସର୍ଜନ ଦେଇ ଅନେକଙ୍କୁ ଖୋସାମଦ କରି ତାକୁ ଗୋଟିଏ ଚାକିରି ଜୁଟାଇ ଦେଇଥିଲି; କିନ୍ତୁ ସେ ତାହା ରଖିପାରିଲା ନାହିଁ । ଚୋରି ଓ ମିଥ୍ୟା ଭାଷଣ ଅପରାଧରୁ କର୍ତ୍ତୃପକ୍ଷ ତାହାକୁ ତଡ଼ି ଦେଇଥିଲେ । ମୁଁ ଜାଣେ, କର୍ତ୍ତୃପକ୍ଷ ଯାହା କହୁଥାନ୍ତି ତାହା ସତ୍ୟ । ମୋ’ର ବାପା ମା’ ତାହା ଜାଣିଥାନ୍ତି । ମୋ’ର ସାନଭାଇ ସତରେ ଚୋର ଏବଂ ମିଥ୍ୟାବାଦୀ । ସେ ମୋ’ ଘଡ଼ିଟି ଚୋରି କରିଥିଲା । ମୁଁ ତା’ର ପ୍ରମାଣ ପାଇଥିଲି; କିନ୍ତୁ ବାପ, ମା’ଙ୍କ ମନରେ କଷ୍ଟ ହେବ ବୋଲି ସେକଥା କହିପାରିଲି ନାହିଁ । ମୋ’ ବାପାଙ୍କର ମୁଦି ମଧ୍ୟ କିଛି ଦିନ ପରେ ଚୋରି ଗଲା । ବାପା ମା’ ଦୁଇ ଜଣଯାକ ଆମର ପୁରାତନ ଭୃତ୍ୟ ଗଣେଶକୁ ସନ୍ଦେହ କରିବାକୁ ଲାଗିଲେ । ମୁଁ ଜାଣେ, ଗଣେଶ ନିରୀହ । ଅନେକ ଭଦ୍ରଲୋକଙ୍କ ଅପେକ୍ଷା ତାର ଚରିତ୍ର ବେଶୀ ଭଦ୍ରତାପୂର୍ଣ୍ଣ । ସେହି ମୁଦି ମୋ ଭାଇ ଚୋରି କରିଥିଲା; କିନ୍ତୁ ସେକଥା ପ୍ରକାଶ୍ୟରେ କୁହାଗଲା ନାହିଁ । ଚୋରି ଅପବାଦ ନେଇ ଭଦ୍ରଲୋକ ଗଣେଶକୁ ବିଦାୟ ନେବାକୁ ହେଲା । ମା ବାପା ମଧ୍ୟ ଭାଇକୁ ବିବାହ କରାଇଥିଲେ । ସେମାନେ ଯେଉଁ ବୋହୂକୁ ନିର୍ବାଚନ କରିଥିଲେ, ସେ ଥିଲା ଅଶିକ୍ଷିତା । ଖାଲି ନିରକ୍ଷରା ନୁହେଁ– ଅନେକ ନିରକ୍ଷରା ନାରୀଙ୍କର ସ୍ଵଭାବ ଭଦ୍ରତା ଓ ମନୁଷ୍ୟତାର ମାଧୁର୍ଯ୍ୟରେ ପରିପୂର୍ଣ୍ଣ ଥାଏ ତାହା ଜଣା କଥା—ତାର ସ୍ଵଭାବ କିନ୍ତୁ ଅତ୍ୟନ୍ତ ଅମାର୍ଜିତ ଥିଲା । କଦର୍ଯ୍ୟ ଭାଷାରେ, କର୍କଶ କଣ୍ଠରେ ଅଭବ୍ୟ କଥାବାର୍ତ୍ତା କରେ, ଭଦ୍ରତା ଜ୍ଞାନ ମୋଟେ ନ ଥାଏ । ମୋ ସ୍ତ୍ରୀକୁ ଗୋଟିଏ ଭଲ ଗହଣା ବା ଶାଢ଼ି ପିନ୍ଧିଥିବାର ଦେଖିଲେ ହିଂସାରେ ତାର ଛାତି ଫାଟିଯାଏ । ମୋ ସ୍ତ୍ରୀକୁ ପ୍ରକାଶ୍ୟ ଭାବରେ ଭଲ ଗହଣା ବା ଶାଢ଼ି କିଣିଦେବାର ସାହସ ମୋର ନ ଥିଲା । ସାମର୍ଥ୍ୟ ମଧ୍ୟ ନ ଥିଲା । ଯେବେ କେବେ କେମିତି ସାମର୍ଥ୍ୟ କୁଳାଏ ସେତେବେଳେ ବେନାମୀ ଭାବରେ ମୋ ସ୍ତ୍ରୀକୁ କିଛି କିଣି ଦିଏ । କହେ, ମୋର ଅମୁକ ବନ୍ଧୁ ମୋ ସ୍ତ୍ରୀକୁ ଉପହାର ଦେଇଛି । ଏହା ବ୍ୟତୀତ ଅନ୍ୟ ଉପାୟ ନ ଥିଲା । ମୁଁ ମୋର ସ୍ଵୋପାର୍ଜିତ ଅର୍ଥରେ ମୋ ସ୍ତ୍ରୀକୁ କିଛି କିଣି ଦେଇଛି, ଏକଥା ଜାଣିପାରିଲେ ମୋର ବାପା, ମା’ ଦୁଇ ଜଣଙ୍କର ମୁହଁ ଭାରୀ ହୋଇଯାଏ । ମୋ ଶ୍ଵଶୁର ବଡ଼ଲୋକ ଥିଲେ । ସେ ମଝିରେ ମଝିରେ ମୋ ସ୍ତ୍ରୀ ପାଇଁ ଦାମୀ ଶାଢ଼ି ପଠାନ୍ତି ! ମୋ ବାପା ଥରେ କହିଲେ, ‘ଘରେ ଆଉ ଜଣେ ବୋହୂ ଅଛି, ତୁମ ବାପାଙ୍କର ଉଚିତ ଥିଲା, ତା ପାଇଁ ସେହି ପ୍ରକାରର ଖଣ୍ଡେ ଶାଢ଼ି ପଠାଇବା । ସେ ଯେତେବେଳେ ପଠାଇ ନାହାନ୍ତି, ତୁମେ କିଣିଦିଅ ।’ ମୋ ହାତରେ ସେତେବେଳେ ପଇସା ନ ଥିଲା, କିଣି ଦେଇ ପାରିଲି ନାହିଁ । ଫଳରେ ବାପା ଓ ମା’ ଦୁହେଁଯାକ ଅସନ୍ତୁଷ୍ଟ ହେଲେ । ମା ବି ତାଙ୍କର ଇଚ୍ଛା ପ୍ରକାଶ କଲେ ଯେ—“ସେ ଶାଢ଼ିଖଣ୍ଡକ ସାନ ବୋହୂ ପିନ୍ଧୁ, ବଡ଼ ବୋହୂର ତ ଅନେକ ଶାଢ଼ି ଅଛି ।” ମୋ ସ୍ତ୍ରୀ ଶାଢ଼ି ଖଣ୍ଡକ ସାନ ବୋହୂକୁ ଦେଇଦେଲେ । ମା’ଙ୍କ କଥା ମାନିବାକୁ ପଡ଼ିଲା । ପରେ ଶୁଣିଲି, ସାନ ବୋହୂ ତାର ବନ୍ଧୁ ବାନ୍ଧବ ମହଲରେ ସେହି ଶାଢ଼ି ଖଣ୍ଡିକୁ ଦେଖାଇ କାଳେ କହିଲେ ଯେ ତାଙ୍କ ବାପା ତାଙ୍କ ପାଇଁ ଶାଢ଼ିଟି ପଠାଇଛନ୍ତି । ମୋ ଭାଇକୁ ଆଉ ଚାକିରି ଜୁଟିଲା ନାହିଁ । ଶୁଣିଲି, ବିଜିନେସ୍ କରୁଛି । ଦିନେ ବାପାଙ୍କ ହାତରେ ନଗଦ ଶହେ ଟଙ୍କା ଆଣି ଦେଲା । ତା ସଂସାରର ବୋଝ ବୋହି ମୋତେ ଋଣଗ୍ରସ୍ତ ହେବାକୁ ପଡ଼ିଥିଲା ସିନା, ସେ ଟଙ୍କାଟା କିନ୍ତୁ ମୋର କୌଣସି ସାହାଯ୍ୟରେ ଲାଗିଲା ନାହିଁ । ବାପା–ମା ସେଥିରେ କାଟିଆ, କମ୍ବଳ ପ୍ରଭୃତି କିଣିଲେ ଏବଂ ଗଦ୍‌ଗଦ୍‌ ସ୍ଵରରେ କହିଲେ “ନାଦୁ ଆମର ବୁଦ୍ଧିଆ ପୁଅ । ସେ ଯେପରି ସଦ୍‌ବିବେଚକ ଓ ଚାଲାକ ଦେଖୁ ଦେଖୁ ସେ ଜୀବନରେ ଉନ୍ନତି କରିବ । ଉନ୍ନତି ବି କରିବାକୁ ଲାଗିଲା । ତାର ଝଲମଲ ସୁଟ ବୁଟ, ତାର ଦଶ’ଣାଛ’ଣା ଟେରୀ, ମୁହଁର ଲମ୍ବା ଚଉଡ଼ା କଥା ଶୁଣିଲେ ସତରେ ମନେହେବ ଯେପରି ସେ ବହୁତ ଟଙ୍କା ରୋଜଗାର କରୁଛି । ମୁହଁରେ ହଜାର, ଲକ୍ଷ ବ୍ୟତୀତ କିଛି ନ ଥାଏ । ଫ୍ରେଣ୍ଡ୍‌ ବୋଲି ଯେଉଁମାନଙ୍କର ନାମୋଚ୍ଚାରଣ କରେ, ସେମାନେ ସମସ୍ତେ ଧନୀ । ନାଦୁ ଦିନେ ବାପାଙ୍କୁ କହିଲା, ‘ତୁମେ ଯେପରି ଗୋଟିଏ ନ୍ୟାଷ୍ଟି ଘରେ ରହିଛ, ମୋ’ ବନ୍ଧୁ ବାନ୍ଧବମାନଙ୍କୁ ଏଠାକୁ ଡାକି ଆଣିବା ପାଇଁ ଲଜ୍ଜା ହୁଏ । ଭାଇଙ୍କର ଗୋଟିଏ ଡିସେଣ୍ଟ ଘର ଭଡ଼ା ନେବା ଉଚିତ ।’ ମୁଁ ସେତେବେଳେ ସ୍କୁଲରେ ମାଷ୍ଟରୀ ଓ ଅବସର ସମୟରେ ସାହିତ୍ୟ ଚର୍ଚ୍ଚା କରି ଯାହା ଉପାର୍ଜନ କରେ ସେଥିରେ ଡାହାଣ ହାତରେ ଆଣିଲେ ବାଁ ହାତକୁ କୁଳାଏ ନାହିଁ । ମୁଁ ସେତେବେଳେ ଯେଉଁ ବସାରେ ଥିଲି ତା’ର ଭଡ଼ା ମାସିକ ତିରିଶ ଟଙ୍କା । ତିନିଟା ମାତ୍ର ଘର, ଫାଳେ ବାରଣ୍ଡା ରାନ୍ଧଣାଘର ଓ ଭଣ୍ଡାର ଘର । ଭାଗ୍ୟବଶତଃ ଘର ଆଗରେ ଅଗଣା ପରି ଖଣ୍ଡିଏ ଥିଲା ।

 

ସେଇଠି ଥିଲା ଗୋଟିଏ କଦମ୍ବ ଗଛ । ସକାଳେ ଛାଇ ପଡ଼େ । ମୁଁ ଖୁବ୍ ଭୋରରୁ ଉଠି ସେହି ଗଛମୂଳେ ବସି ଲେଖାପଢ଼ା କରେ । ଘର ଭିତରେ ବସିବାର ଉପାୟ ନ ଥିଲା । ମୋ’ ମା, ମୋ’ ସ୍ତ୍ରୀ, ନାଦୁର ସ୍ତ୍ରୀ ଏଇ ତିନି ଜଣଙ୍କ ଭିତରେ ଚଢ଼ା ସ୍ଵରର ବାଦାନୁବାଦ ଏତେ ଉଚ୍ଚଗ୍ରାମ୍‌କୁ ଉଠେ ଯେ ପାଖ ଆଖରେ କୁଆ, ଚିଲ ମଧ୍ୟ ବସିପାରିବେ ନାହିଁ । ଏହି ଶାନ୍ତ ନୀଡ଼ରେ ଉଭୟଙ୍କର ଶିଶୁ ସନ୍ତାନଗଣ କ୍ରମଶଃ ଭୂମିଷ୍ଠ ହୋଇ ସେମାନଙ୍କ ଐକ୍ୟତାନରେ କଣ୍ଠ ମିଳାଇଲେ । ମୁଁ ଅତିଷ୍ଠ ହୋଇପଡ଼ିଲି । କିନ୍ତୁ ମୁହଁରେ କିଛି କହିବାର ଉପାୟ ନ ଥାଏ । ଦିନେ ଶୁଣିଲି ମୋ’ର ଭାଇ ମହାଶୟ ମଦ ଖାଇ ରାତି ଅଧରେ ଘରକୁ ଫେରିଲେ । ବାପାଙ୍କୁ ସେକଥା କହିଲି । ମା ସେତେବେଳେ ପାଖରେ ବସିଥାନ୍ତି । ଦେଖିଲି, ସେ ମଧ୍ୟ କଥାଟା ଜାଣନ୍ତି । ବାପା କହିଲେ, ‘ତାକୁ ଆଜିକାଲି ନାନା ପ୍ରକାର ପାର୍ଟିରେ ଯୋଗ ଦେବାକୁ ପଡ଼େ ନା ସେଠାରେ ମଦ ଫଦ ଖାଇବା ପ୍ରଥା-। ନାଦୁ ଭଲ ପିଲା ବୋଲି ଯେତେ ପାରେ ନିଜକୁ ସମ୍ଭାଳି ନିଏ । ସେ କିଛି ନୁହେଁ । ତୁ ସେ ବିଷୟରେ ମୁଣ୍ଡ ଖେଳା ନାହିଁ । ଭଲ ରୋଜଗାର କରୁଛି, ସେ ଠିକ ଉନ୍ନତି କରିବ ।’ ନାଦୁ ଯେ ଭଲ ରୋଜଗାର କରୁଛି, ଏ ଖବର ତ ପ୍ରାୟ ଶୁଣିଥାଏଁ; କିନ୍ତୁ ତା’ର ପ୍ରମାଣ କୌଣସି ଦିନ ପାଇ ନାହିଁ । ତା’ ପରିବାରର ଯାବତୀୟ ଖର୍ଚ୍ଚ ମୁଁ ବହନ କରିଥାଏଁ । ମୋତେ ଦିନେ ହେଲେ ପଇସାଟିଏ ଦେଇ ନାହିଁ । ମୋ’ର ଭଉଣୀମାନେ ପୁଣି ମୋ’ର ଆତଙ୍କର କାରଣ ଥିଲେ । ମୋ’ର ଚାରି ଭଉଣୀ । ସେମାନଙ୍କୁ ବାପା ବିବାହ ଦେଇ ସାରିଥିଲେ । କିନ୍ତୁ ବିବାହୋତ୍ତର ଝାମେଲାସବୁ ମୋତେ ମେଣ୍ଟାଇବାକୁ ପଡ଼ିଥିଲା । ଅନ୍ୟ ସମୟରେ ମୁଁ ସେମାନଙ୍କ ମନରେ ପଡ଼େ ନାହିଁ, କେବଳ ମନେ ପଡ଼େ ପୂଜା ପାର୍ବଣରେ । ଦୁର୍ଗା ପୂଜା, ଜ୍ଵାଇଁ ଷଷ୍ଠୀ ପୂର୍ବରୁ ସେମାନେ ଚିଠି ଲେଖନ୍ତି-। ସେଥିରେ ପ୍ରତ୍ୟେକ ଥର ଲେଖାଥାଏ ବେଭାର ଆଚାର ଯେପରି ଭଲ ରୂପେ କରାଯାଏ । ତା’ ନ ହେଲେ ଶାଶୁଘରେ ସେମାନଙ୍କର ମାନରକ୍ଷା ହେବ ନାହିଁ । ପ୍ରତି ଥର ଧାର କରଜ କରି ସେମାନଙ୍କ ମାନରକ୍ଷା କରିବା ପାଇଁ ମୋତେ ଟଙ୍କା ପଠାଇବାକୁ ପଡ଼େ । ଆମ ସମାଜରେ ଆହୁରି ମଧ୍ୟ ଅଦ୍ଭୁତ ନିୟମସବୁ ଅଛି ଯେ ଝିଅମାନଙ୍କ ଶାଶୁଘରେ କେହି ମଲେ ତା’ର ଶୁଦ୍ଧି ପାଇଁ ବାପଘରୁ ଲୁଗା ଯାଏ । ଅନେକ ଥର ଶୁଦ୍ଧି ପାଇଁ ଲୁଗାର ମୂଲ୍ୟ ପଠାଇଛି । ଦାମ୍ ମନୋମତ ନ ହେବାରୁ ରୂଢ଼ ଭାଷାରେ ସେମାନେ ବହୁ ଥର ଚିଠିଲେଖି ସମାଲୋଚନା କରିଛନ୍ତି । ମଧ୍ୟବିତ୍ତ ସମାଜର ଦୈନନ୍ଦିନ ଜୀବନପଥରେ ଯେଉଁ ଅସଂଖ୍ୟ ନିଷ୍ଠୁର କୁଶାଙ୍କୁର ସମସ୍ତଙ୍କର ପାଦକୁ କ୍ଷତ ବିକ୍ଷତ କରି ଜୀବନ ଦୁର୍ବହ କରିଥାଏ, ମୁଁ ସେଥିରୁ ଛାଡ଼ ପାଇ ନାହିଁ । ଗୋଟିଏ ମାତ୍ର ଉଦାହରଣ ଦେଲି । ଏହିପରି ଉଦାହରଣ ବହୁତ ଅଛି । ଉଦାହରଣର ଫର୍ଦ୍ଦ ଦୀର୍ଘ କରି ଲାଭ ନାହିଁ-। ଏତକ ଖାଲି ଜାଣି ରଖନ୍ତୁ, ଅଧିକାଂଶ ଚକ୍ଷୁଲଜ୍ଜାସମ୍ପନ୍ନ ଭଦ୍ର ମଧ୍ୟବିତ୍ତ ସନ୍ତାନ ପରି ମୁଁ ମଧ୍ୟ ରକ୍ତାକ୍ତ ଚରଣର ବ୍ୟଥା ଗୋପନ ରଖି ଦୀର୍ଘ ପଥ ଅତିକ୍ରମ କରିଅଛି । ମୁଁ ଅନ୍ୟାୟକୁ ଅନ୍ୟାୟ ବୋଲି କହିପାରୁ ନାହିଁ । ଅସତ୍ୟ, ଅଶିବ, ଅସୁନ୍ଦର ବିରୁଦ୍ଧରେ ଯୁଦ୍ଧ କରିବାର ସାହସ ମୋର ନ ଥିଲା-। କାରଣ ଯେଉଁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥାନ୍ତି ସେମାନେ ନିହାତି ଆପଣାର ଲୋକ-। ସେମାନଙ୍କ ବିରୁଦ୍ଧରେ ପ୍ରକାଶ୍ୟ ଯୁଦ୍ଧ କରି ସତ୍ୟ–ଶିବ–ସୁନ୍ଦରର ପତାକା ଆସ୍ଫାଳନ କରିବା ସାହସ ମୋ’ର ନ ଥିଲା । ଯେଉଁମାନଙ୍କୁ ଆମେ ଛୋଟ ଲୋକ କହୁ ସେମାନଙ୍କର ସେ ସାହସ ଅଛି । ସେମାନେ ବିଚ୍ ରାସ୍ତାରେ ଠିଆ ହୋଇ ପ୍ରକାଶ୍ୟ କୋଳାହଳ କରି ଝଗଡ଼ା କରନ୍ତି-। ଅନୁସନ୍ଧାନ କଲେ ଦେଖାଯାଏ, ସେମାନଙ୍କ ମଧ୍ୟରୁ କେହି କେହି ଅନ୍ୟାୟ ବିରୁଦ୍ଧରେ କଣ୍ଠ ଫଟାଇ ପ୍ରତିବାଦ ଜଣାଉଛନ୍ତି । ସେମାନଙ୍କ କଣ୍ଠସ୍ଵର ହୁଏତ କର୍କଶ, କହିବା ଭଙ୍ଗୀ ହୁଏତ ସୁନ୍ଦର ନୁହେଁ; କିନ୍ତୁ ସେମାନଙ୍କ ବକ୍ତବ୍ୟରେ ଅସାରତା ନାହିଁ । ମୁଁ କିନ୍ତୁ ଭଦ୍ରଲୋକ, ଛାତି ଫାଟିଗଲେ ବି ମୁହଁ ଖୋଲିପାରିବି ନାହିଁ । ସହ୍ୟ କରିଛି । ସହ୍ୟର ସୀମା ବାରମ୍ବାର ଅତିକ୍ରାନ୍ତ ହୋଇଛି, ତେବେ ବି ସହ୍ୟ କରିଛି । ପ୍ରଥମ ଜୀବନ ବିଶେଷ କଷ୍ଟରେ କଟାଇଥିଲି । ସ୍କୁଲ ମାଷ୍ଟର, ସାମାନ୍ୟ ବେତନ ପାଏ । ଲେଖାଲେଖିରୁ କୌଣସି ଟଙ୍କା ସେତେବେଳେ ପାଇ ନାହିଁ । ଲେଖା ଛାପାହେଲେ ଆକାଶର ଚାନ୍ଦ ହାତରେ ପାଇଲା ପରି ଲାଗେ । ବାପା ମଝିରେ ମଝିରେ କହନ୍ତି, ‘ସେସବୁ ବାଜେ ଲେଖା ନ ଲେଖି ପ୍ରାଇଭେଟ ଟିଉସନ କର । ତାହା କଲେ ଦୁଇଟା କଞ୍ଚାପଇସାର ମୁହଁ ଦେଖିବୁ-।’ ଉପଦେଶ ଦେଇ କିନ୍ତୁ ନିଶା ଛଡ଼ାଇ ହୁଏ ନାହିଁ । ସାହିତ୍ୟଚର୍ଚ୍ଚା କରିବା ମୋ’ର ନିଶା । ସେହି ମୋ ଜୀବନର ଏକମାତ୍ର ଆକାଶ, ଯେଉଁଠି ମୁଁ ମନଇଚ୍ଛା ଡେଣାମେଲି ଉଡ଼ିପାରେଁ ।

 

ମୁଁ ଗଭର୍ଣ୍ଣମେଣ୍ଟ ଚାକିରି କରେ । କିଛି ଦିନ ପରେ ଭଗବାନ ମୋ’ ଉପରେ ଦୟା କଲେ । ମୁଁ ଚାକିରିରେ ଉନ୍ନତି କରି ଅନ୍ୟ ଆଡ଼େ ବଦଳି ହୋଇଗଲି ।

 

ବାପାଙ୍କୁ କହିଲି, ‘ନାଦୁ ତ ଏଇଠି ବିଜିନେସ୍ କରୁଛି, ସେ ଏଇ ବସାରେ ରହୁ । ମୁଁ ଯେଉଁଠାକୁ ଯାଉଛି ସେଠାରେ ଫ୍ରିକ୍ଵାଟର୍ସ ପାଇଛି ।

 

“ଏଠାକାର ପରିବାର ଖର୍ଚ୍ଚ ଚଳାଇବ କିଏ ?”

 

“ନାଦୁ ଯେତେବେଳେ ରୋଜଗାର କରୁଛି ସେ ଚଳାଇବ ।”

 

“ଆଉ ଆମେ ?”

 

“ତୁମର ଯାହା ଖୁସି ତାହା କରିବ । ଏଠାରେ ରହିବାକୁ ଇଚ୍ଛା ତ ରୁହ, ନ ହେଲେ ମୋ ସାଙ୍ଗରେ ଯିବ ତ ଚାଲ ।”

 

ମୁଁ ଯେଉଁଠାକୁ ବଦଳି ହୋଇଥିଲି ତାହା ଗଙ୍ଗାଠାରୁ ବହୁତ ଦୂର, ତିନି ଦିନର ବାଟ ।

 

ମା’ କହିଲେ, “ମୁଁ ଗଙ୍ଗାହୀନ ସ୍ଥାନକୁ ଯିବି ନାହିଁ ।”

 

ଆମ ବସାଟି ଥିଲା ଗଙ୍ଗାକୂଳରେ । ମା’ ତାକୁ ଛାଡ଼ି ଯିବାକୁ ଚାହିଁଲେ ନାହିଁ । ମୁଁ ମୋ’ର ପରିବାର ଧରି ନୂତନ ସ୍ଥାନକୁ ଯାତ୍ରା କଲି । ଜୀବନରେ ସେହି ପ୍ରଥମ ନିଜ ପରିବାର (ଅର୍ଥାତ୍ ମୋ’ ସ୍ତ୍ରୀ ଓ ପାଞ୍ଚଟି ସନ୍ତାନ) ନେଇ ଦୂର ବିଦେଶରେ ଅଲଗା ସଂସାର ଆରମ୍ଭ ହେଲା । ଭାବିଥିଲି, ସୁଖୀ ହେବି; କିନ୍ତୁ ସୁଖୀ ହୋଇ ନାହିଁ । ଆର୍ଥିକ ଅସ୍ଵାଚ୍ଛନ୍ଦ୍ୟ ତ ଥିଲା, ତାହା ହିଁ ଅସଲ କାରଣ ।

 

ମୁଁ ଆସୁ ନ ଆସୁଣୁ ବାପାଙ୍କର ଗୋଟିଏ ପତ୍ର ମୋ’ ପଛେ ପଛେ ଆସି ପହଞ୍ଚିଲା । ସେଥିରେ ଯଦିଓ ସେ ସ୍ପଷ୍ଟଭାବରେ କିଛି ଲେଖି ନ ଥିଲେ ତେବେ ଚିଠିର ଭାବରୁ ଜାଣିଲି, ପ୍ରତି ମାସ ଯଦି ତାଙ୍କର ଓ ମା’ଙ୍କର ହାତଖର୍ଚ୍ଚ ପାଇଁ ମୁଁ କିଛି କିଛି ପଠାଏଁ ସେମାନେ ସୁଖୀ ହେବେ । ପିତା ମାତାଙ୍କୁ ସୁଖୀ କରିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ । ମୁଁ ପ୍ରତି ମାସ ସେମାନଙ୍କ ପାଖକୁ କିଛି ଟଙ୍କା ପଠାଇଦିଏ । ସେମାନେ ମୋ ବିଷୟରେ କିଛି ଚିନ୍ତା କରୁ ନ ଥିବା ଦେଖି ଭାରି ଦୁଃଖ ହୁଏ । କାରଣ ଭଉଣୀମାନଙ୍କୁ ବେଭାର ଆଚାର ଦିଆ ନିଆ ଇତ୍ୟାଦିର ଭାର ମୁଁ ସେମାନଙ୍କ (ବାପା–ମା) ନିର୍ଦ୍ଦେଶରେ ବହନ କରିଥିଲି । ବାପା ଲେଖିଥିଲେ, ନାଦୁ ଯାହା ରୋଜଗାର କରେ ସେଥିରେ ସଂସାର ଭଲ ଭାବେ ଚଳେ ନାହିଁ । ସେ ଖୁବ୍ ସଦ୍ ବିବେଚକ ଓ ଦୂରଦର୍ଶୀ ହୋଇଥିବା ହେତୁ ରୋଜଗାରର ଅଧିକାଂଶ ଟଙ୍କା ବ୍ୟବସାୟରେ ନିୟୋଗ କରିଛି । ଅନେକ ଦିନ ପରେ ଅବଶ୍ୟ ଜାଣିଲି ‘ଫପର ଦଲାଲୀ’ ତାର ପ୍ରଧାନ ବିଜିନେସ୍ ଥିଲା । ଜଣେ ଧନୀ ମାରୁୱାଡ଼ି କଣ୍ଟ୍ରାକ୍ଟରର ସେ ମୋ–ସାହେବ ହୋଇଥିଲା । ସେ ମଝିରେ ମଝିରେ ନାଦୁକୁ ଟଙ୍କା ବକ୍‌ସିସ୍‌ ଦିଏ । ସେହି ତାର ରୋଜଗାର । ଶେଷରେ ଦିନେ ସେ ନିରୁଦ୍ଦିଷ୍ଟ ହୋଇଗଲା । ସେତେବେଳକୁ ତା ସ୍ତ୍ରୀର ରୂପ ଯୌବନ କମ୍ ନ ଥିଲା । ସେ ଦିନେ ମଧ୍ୟ ତା ଛୁଆପିଲାଙ୍କୁ ଛାଡ଼ି ଗୋଟିଏ ମୁସଲମାନ ସାଙ୍ଗରେ ଗୃହତ୍ୟାଗ କରି ପଳାଇଗଲା । ଏ ଆଘାତ ମା’ ସହ୍ୟ କରିପାରିଲେ ନାହିଁ । ଅଳ୍ପ ଦିନ ପରେ ସେ ମା’ ଗଙ୍ଗାଙ୍କର ଶୀତଳ ଜଳରେ ତାଙ୍କର ସମସ୍ତ ଜ୍ଵାଳା ନିର୍ବାଣ କଲେ । ବାପା ସମସ୍ତ ପରିତ୍ୟାଗପୂର୍ବକ କାଶୀକୁ ପଳାଇଗଲେ । ଶେଷ ଜୀବନରେ ସେ ପ୍ରାୟ ନିର୍ବାକ୍ ହୋଇଯାଇଥିଲେ-। ବିଶ୍ଵେଶ୍ଵରଙ୍କ ମନ୍ଦିର ନିକଟରେ ଖଣ୍ଡିଏ ଛୋଟ ଘର ଭଡ଼ା ନେଇ ରହିଥାନ୍ତି । ବିଭିନ୍ନ ମନ୍ଦିରର ପ୍ରସାଦ ତାଙ୍କର କ୍ଷୁନ୍ନିବୃତ୍ତି କରୁଥିଲା । ସେ ମୋ’ ପାଖରୁ ଆଉ ଅର୍ଥ ଆବଶ୍ୟକ କରନ୍ତି ନାହିଁ । ତଥାପି ମୁଁ ତାଙ୍କ ପାଇଁ ତିରିଶ ଟଙ୍କା ପଠାଇଥିଲି । ମନିଅର୍ଡ଼ର ଫେରିଆସିଲା । କିଛି ଦିନ ପରେ ବାପାଙ୍କଠାରୁ ଖଣ୍ଡିଏ ଚିଠି ପାଇଲି । ଲେଖିଥିଲେ, ମୋର ଆଉ ଟଙ୍କା ଦରକାର ନାହିଁ । ମୁଁ ଯେଉଁ ପେନ୍‌ସନ୍ ପାଉଛି ତାହା କୁଳାଇବ । ତୋ ଭଉଣୀମାନଙ୍କ ପାଇଁ ଯେଉଁସବୁ ଖର୍ଚ୍ଚ କରୁ ତାହା ତତେ ଆଉ କରିବାକୁ ପଡ଼ିବ ନାହିଁ । ମୁଁ ସେମାନଙ୍କୁ ଲେଖିଦେଇଛି ଯେ ମୁଁ ଅସମର୍ଥ ହେଲି, ଆଉ ତୁମ ପାଖକୁ କିଛି ପଠାଇ ପାରିବି ନାହିଁ । ଯେତେଦିନ ତୁମର ମା ବଞ୍ଚିଥିଲେ ମୁଁ ସେତେଦିନ ପଠାଇଛି । ନ ପଠାଇଲେ ସେ ମନ କଷ୍ଟ କରନ୍ତେ । ତେବେ ତୁମକୁ ଗୋଟିଏ ଅନୁରୋଧ କରୁଛି, ଯଦି ପାରିବ ମଝିରେ ମଝିରେ ସୁଶୀଳା ପାଇଁ କିଛି କିଛି ଟଙ୍କା ପଠାଇବ । ସେ ସମ୍ପ୍ରତି ଓ ବିଧବା ହୋଇଛି । ତାର ଅନେକଗୁଡ଼ିଏ ଛୁଆପିଲା । ଶଶୁରର ଅବସ୍ଥା ମଧ୍ୟ ସ୍ଵଚ୍ଛଳ ନୁହେଁ । ରୋଜଗାରିଆ ସ୍ଵାମୀ ମରିଗଲା । ବୈଧବ୍ୟ ଯନ୍ତ୍ରଣା ସହିତ ଦାରିଦ୍ର୍ୟ ତାକୁ ପେଷି ଦେଉଛି । ବାବା, ତାକୁ ମଝିରେ ମଝିରେ କିଛି ସାହାଯ୍ୟ କର । ବିଶ୍ଵେଶ୍ଵର ତୁମର ମଙ୍ଗଳ କରିବେ ।’ ବାପାଙ୍କର ଆଦେଶ ମୁଁ ଯଥାସାଧ୍ୟ ପାଳନ କରିଅଛି । ବାପାଙ୍କୁ ମୋ ପାଖକୁ ଆଣିବା ପାଇଁ ବହୁତ ପ୍ରକାର ଚେଷ୍ଟା କରିଅଛି; କିନ୍ତୁ ସେ ଆଉ ଆସିଲେ ନାହିଁ । କାଶୀରେ ତାଙ୍କର ମୃତ୍ୟୁ ହୋଇଥିଲା । କି ଶୋଚନୀୟ ସେ ମୃତ୍ୟୁ ! କେତେବେଳେ କିପରି ତାଙ୍କର ମୃତ୍ୟୁ ହେଲା କେହି ଜାଣି ପାରିଲେ ନାହିଁ । ଆମେ ସଭ୍ୟ ମଣିଷ ସମାଜ ଗଢ଼ି ବାସ କରୁ ସିନା, କିନ୍ତୁ ପ୍ରତିବେଶୀର ଖବର ନେବା ପ୍ରୟୋଜନ ମନେ କରୁ ନାହିଁ । ମୋ ବାପାଙ୍କର ମୃତ ଦେହ ଘରେ ତିନି ଦିନ ପଡ଼ିରହିଲା । ଯେତେବେଳେ ପଚି ଦୁର୍ଗନ୍ଧ ବାହାରିଲା ସେତେବେଳେ ତାଙ୍କ ପ୍ରତିବେଶୀର ଧ୍ୟାନ ଭାଙ୍ଗିଲା । ସେ ବାବାଙ୍କ ଘରର କବାଟ ଭାଙ୍ଗି ଶବ ଦେହ ଆବିଷ୍କାର କରି କ’ଣ କଲେ ଜାଣନ୍ତି ? ସତ୍‌କାରର ବ୍ୟବସ୍ଥା କଲେ ନାହିଁ-। ନିଜକୁ ବଞ୍ଚାଇବା ପାଇଁ ପୋଲିସରେ ଖବର ଦେଲେ ! ଆଇନତଃ ସେ ଠିକ୍ କରିଥିଲେ, ସରକାରୀ ଆଇନ୍ ବ୍ୟତୀତ ଅନ୍ୟ କିଛି ଆଇନ କ’ଣ ସେ ଜାଣି ନ ଥିଲେ ? ମୋ ଠିକଣା ଥିବା ଚିଠି ବାପାଙ୍କ ଘରେ ଥିଲା । ସେ ଇଚ୍ଛା କରିଥିଲେ କ’ଣ ମୋ ପାଖକୁ ଟେଲିଗ୍ରାମ କରିପାରି ନ ଥାନ୍ତେ ? ସେ ଶିକ୍ଷିତ ବ୍ରାହ୍ମଣ, ଏଇ ସାମାନ୍ୟ ସୌଜନ୍ୟ ଟିକକ କ’ଣ ତାଙ୍କ ପାଖରୁ ପ୍ରତ୍ୟାଶା କରାଯିବ ନାହିଁ ? ନା, ସେ ସୌଜନ୍ୟ ସେ ପ୍ରକାଶ କଲେ ନାହିଁ । କାଳେ ପଛରେ ସେ ବିପଦରେ ପଡ଼ିବେ, ଏଇ ଭୟରେ କେବଳ ପୋଲିସରେ ସେ ଖବର ଦେଇଥିଲେ । ପୋଲିସ ମଧ୍ୟ କର୍ତ୍ତବ୍ୟରେ ହେଳା କରି ନାହାନ୍ତି । ବାପାଙ୍କର ଦେହଟାକୁ ଛିନ୍ନ ଭିନ୍ନ କରି ଅବଶେଷରେ ହାଡ଼ି ହାତରେ ସେତକ ସମର୍ପଣ କରି ଆଇନର ମର୍ଯ୍ୟାଦା ରକ୍ଷା କରିଥିଲେ । ମୁଁ ବାପାଙ୍କୁ ବାରମ୍ବାର ଚିଠି ଲେଖି ଏବଂ ଟେଲିଗ୍ରାମ କରି ଯେତେବେଳେ କୌଣସି ଉତ୍ତର ନ ପାଇଲି, ନିଜେ ଗଲି । ଗଲି ଯେ ମୃତ୍ୟୁର ମାସକ ପରେ । ସେଠାରେ ଯାଇଁ ନିଦାରୁଣ ସମ୍ବାଦ ପାଇଲି । ସେତେବେଳକୁ ସବୁ ଶେଷ ହୋଇଯାଇଛି । ପ୍ରତିବେଶୀ ଭଦ୍ରଲୋକ ଜଣକ କିନ୍ତୁ ଗୋଟିଏ ସତ୍‌କାର୍ଯ୍ୟ କରିଥିଲେ । ବାପାଙ୍କର ଟ୍ରଙ୍କଟାକୁ ନେଇ ନିଜ ଘରେ ରଖିଥିଲେ । ବାପା କେବେ ଟ୍ରଙ୍କରେ ଚାବି ଦିଅନ୍ତି ନାହିଁ । ମୁଁ ମଧ୍ୟ ଯାଇଁ ଖୋଲା ଟ୍ରଙ୍କଟା ପାଇଲି । ଟ୍ରଙ୍କରେ ଖଣ୍ଡିଏ ଜାମା ବା ଲୁଗା ନ ଥିଲା । କିନ୍ତୁ ପୁରୁଣା ଚିଠିପତ୍ର ଥିଲା ଏବଂ ମା’ଙ୍କର ଖଣ୍ଡିଏ ବିବର୍ଣ୍ଣ ଫଟୋ—ମା’ଙ୍କର ବଧୂ ବେଶ । ମା’ଙ୍କର ଏ ଛବି ପୂର୍ବରୁ ମୁଁ କେବେ ଦେଖି ନାହିଁ । ନିର୍ନିମେଷ ନୟନରେ ଚାହିଁ ରହିଲି—ଗୋଟିଏ କମ୍‌ବୟସୀ ଝିଅ ହସହସ ମୁହଁରେ ମୋତେ ଚାହିଁ ରହିଛି । ଅଙ୍ଗରେ ବଧୂ ବେଶ, ନୟନରେ ଅନନ୍ତ ଆଶା । ଏଇ ସୁନ୍ଦରୀ ବାଳିକା ଯେ ମୋ’ର ମା’ ତାହା ମୁଁ ବୁଝିପାରିଲି ନାହିଁ । କିନ୍ତୁ ବାପା ଫଟୋ ପଛରେ ମା’ଙ୍କର ନାମ ଓ ଫଟୋ ଉଠାଇବାର ତାରିଖଟି ଲେଖି ରଖିଥିଲେ । ଆହୁରି ମଧ୍ୟ ଲେଖିଥିଲେ, ‘ବିବାହର ଠିକ ପରଦିନ ଏ ଫଟୋ ଉଠା ଯାଇଥିଲା ।’ ଏ ଫଟୋ ମୁଁ କେବେ ଦେଖି ନାହିଁ । ମା’ଙ୍କର କୌଣସି ଫଟୋ ମଧ୍ୟ ଆମ ଘରେ ନ ଥିଲା । ସେ ସମୟରେ ଫଟୋ ଉଠାଇବା ଏକ ଲଜ୍ଜାକର ବ୍ୟାପାର । ସନ୍ଦେହ ହେଲା, ବାପା ସମ୍ଭବତଃ ବିବାହ ପରଦିନ ଗୋପନରେ ଏ ଫଟୋ ଉଠାଇଥିଲେ । ଏକ ଅଦ୍ଭୁତ ମାଧୁର୍ଯ୍ୟରେ ମୋ’ର ସମସ୍ତ ଅନ୍ତଃକରଣ ପ୍ଳାବିତ ହୋଇଗଲା । ଫଟୋକୁ ବହୁ ସମୟ ଏକାଗ୍ର ଦୃଷ୍ଟିରେ ଚାହିଁ ରହିଲି ।

 

‘ଫଟୋଟି କାହାର ?’

 

ଚମକି ଚାହିଁଲି, ସେହି ପ୍ରତିବେଶୀ ଭଦ୍ରଲୋକ ମୋତେ ସ୍ମିତ ମୁଖରେ ନିରୀକ୍ଷଣ କରୁଛି-

 

‘ମୋ’ ମା’ଙ୍କର ।’

 

‘ଓ, ବାକ୍‌ସ ଭିତରେ ଥିଲା ବୋଧହୁଏ ।’

 

ମୋର ନଜର ପଡ଼ିବା ମାତ୍ରେ ଜାଣିଲି, ଭଦ୍ରଲୋକ ମୋ’ ବାବାଙ୍କର କୋର୍ଟଟି ପିନ୍ଧିଛି । କଳା ଖଦଡ଼ କୋଟ । ମୁଁ ବାବାଙ୍କୁ କରାଇ ଦେଇଥିଲି । ନିର୍ବାକ୍ ହୋଇଗଲି । ସହସା ବ୍ୟାପାରଟା ମୋ’ ନିକଟରେ ସ୍ପଷ୍ଟ ହୋଇଗଲା ।

 

‘ନମସ୍କାର, ଯାଉଛି ।’

 

ବାକ୍‌ସଟା ନେଇ ଚାଲି ଆସିଲି ।

 

‘ମା’ର ମଧ୍ୟ ଏହି ପ୍ରକାର ଘଟଣା ଘଟିଥିଲା । ମୋ’ ବାପାଙ୍କର ଖବର ଅବଶ୍ୟ ମୁଁ ଜାଣି ନ ଥିଲି । ବର୍ତ୍ତମାନ ମଧ୍ୟ ଜାଣି ନାହିଁ । ମା’ଙ୍କୁ ଚିହ୍ନେ । ଶୈଶବରୁ ମା’ ମୋ’ର ସର୍ବସ୍ଵ ଥିଲେ ।’

 

ଦେଖିଲି, ସେହି ଲୋମହୀନ କୁକୁରଟା ପୁଣି ଗେଟ୍ ସାମନାରେ ଆସି ବସିଛି ।

 

ଚାକରଟି ମୋ’ ଆଡ଼େ ସୋତ୍ସୁକ ଦୃଷ୍ଟିରେ ଚାହିଁଲା । ଭାବ ହେଉଛି, ଏଟାକୁ ସତରେ ଏଠାରେ ବସିବାକୁ ଦେବି କି ନାହିଁ ? ତା’ ନୀରବ ଦୃଷ୍ଟିର ଅର୍ଥ ବୁଝିଲି ।

 

‘ତାକୁ ତଡ଼ି ଦେବୁ ନାହିଁ । ସେ ସେଇଠି ଥାଉ । ଦେଖ୍, ଅନ୍ୟ କୁକୁର ଯେପରି ନ ଆସେ । ଆଉ ଦେଖ୍, ଭିତରୁ କିଛି ଖାଦ୍ୟ ଆଣି ତା’କୁ ଭିତରକୁ ଡାକି ଆଣିବୁ ତ ବରଂ ଭଲ ।’

 

ଭିଖନ ଉତ୍ତରୋତ୍ତର ବିସ୍ମିତ ହୋଇଥିଲା । ତା’ର ଆଖି ଆଉ ମୁହଁରେ ହସର ଏକ କ୍ଷୀଣ ରେଖା ଫୁଟି ଉଠିଥିବାର ଦେଖିଲି । କିନ୍ତୁ ସେ ପ୍ରଭୁଭକ୍ତ ଭୃତ୍ୟ । ପଦିଏ କଥା ବି କହିଲା ନାହିଁ । ଘରୁ ଦି’ଖଣ୍ଡ ରୁଟି ଆଣି ଗେଟ୍ ଖୋଲି କୁକୁରଟାକୁ ପ୍ରଲୁବ୍‌ଧ କରିବାକୁ ଲାଗିଲା । ଆଶ୍ଚର୍ଯ୍ୟର କଥା, କୁକୁରଟା ଆସିଲା ନାହିଁ ।

 

ମୋ’ ଆଡ଼େ ଚାହିଁ କହିଲା, ‘ମୁଁ ରାସ୍ତାର ଖିଙ୍କାରୀ ‘କୁକୁର, ମୁଁ ରାସ୍ତାରେ ହିଁ ରହିବି । ଗେଟ ଦେଇ ତୁମ ଖୁଆଡ଼ ଭିତରେ ପଶିବା ପାଇଁ ମୋ’ର ଆଦୌ ଇଚ୍ଛା ନାହିଁ । ମୁଁ ତୁମ ଜିମିର ପ୍ରଣୟୀ ସିନା, ସତରେ ଅହରହ ମୁଁ ତାକୁ ପ୍ରେମ ନିବେଦନ କରୁଛି; କିନ୍ତୁ ମୁଁ ମୋ’ର ପ୍ରେମାର୍ଘ୍ୟ ନିବେଦନ ପାଇଁ ତୁମର ସେହି ପ୍ରାସାଦରୂପୀ ଜେଲଖାନାରେ ପଶିବାକୁ ରାଜି ନୁହେଁ । ମୋ’ର ପ୍ରେମ ଯଦି ସତ୍ୟ ହୁଏ, ତେବେ ସେହି ଜିମି ନିଶ୍ଚୟ ମୋ’ ପାଇଁ ରାସ୍ତାର ଧୂଳିକୁ ଓହ୍ଲାଇ ଆସିବ । ତୁମ୍ଭମାନଙ୍କର ଆଧୁନିକ ଉପନ୍ୟାସରେ ଏ କାଣ୍ଡ ହରଦମ ଘଟୁଛି । ସେସବୁକୁ ସିନେମାରେ ଦେଖି ତୁମେସବୁ ବାହାବା କରୁଛ । ଆମ ବେଳକୁ ତା’ର ବ୍ୟତିକ୍ରମ ହେବ କାହିଁକି ? ତୁମର ସେ ଖାଦ୍ୟ ମୁଁ ଗେଟ ପାରହୋଇ ଭିତରେ ରହି ଖାଇବି ନାହିଁ । ସହରରେ ଥିବା ଡଷ୍ଟବିନ୍‌ମାନଙ୍କରୁ ମୁଁ ମୋ’ ଖାଦ୍ୟ ସଂଗ୍ରହ କରିପାରିବି । ଅବଶ୍ୟ ବର୍ତ୍ତମାନ ଭୋକରେ ପେଟ ଜଳୁଛି । ତୁମର ସେହି ରୁଟି ଦୁଇଟା ପାଇଲେ ଭଲ ହୁଅନ୍ତା । ମୁଁ କିନ୍ତୁ ତୁମ ହତାରେ ପଶିବି ନାହିଁ । ଯଦି ସତରେ ଦବାକୁ ଚାହଁ ମୋ’ ପାଖକୁ ଫୋପାଡ଼ି ଦିଅ ।—”

 

ମୁଁ ଭିଖନ ମୁହଁକୁ ଚାହିଁ ବୁଝିଲି, ସେ କୁକୁର ଗୋଟିଏ ମାତ୍ର କଥା ବୁଝି ପାରି ନାହିଁ । କଳ୍ପନା ଦେବୀଙ୍କ କୃପା ବଳରୁ ମୁଁ କେବଳ ସେ ଶକ୍ତି ଲାଭ କରିଛି ।

 

‘ରୋଟି ଦି’ଖଣ୍ଡ ତା’ ପାଖକୁ ଛାଟି ଦେ’, ସେ ଭିତରକୁ ଆସିବ ନାହିଁ ।’

 

ରୋଟି ଦୁଇଖଣ୍ଡି ଫୋପାଡ଼ିଦେବା ମାତ୍ରେଇ ସେ ଗାଉଁ ଗାଉଁ କରି ଖାଇବାକୁ ଲାଗିଲା । ସେହି ଷଣ୍ଢା କୁକୁରଟା ପ୍ରାୟ ପାଖଆଖରେ ଥିଲା । ରୋଟି ଫୋପାଡ଼ିବା ମାତ୍ରେଇ ସେ ଛୁଟି ଆସି ସର୍ବକ୍ରମେ ଖିଙ୍କାରି ତାକୁ ଗୋଡ଼ାଇଗଲା । ଭିଖନ ଥିବାରୁ କିଛି ବିଶେଷ ସୁବିଧା କରିପାରିଲା ନାହିଁ-। ଭିଖନ ଖଣ୍ଡିଏ ଇଟା ଉଠାଇ ଫୋପାଡ଼ି ତାକୁ ପାଖକୁ ଆସିବାକୁ ଦେଲା ନାହିଁ ।

 

‘ସେଟାକୁ ଏଠୁ ତଡ଼ି ଦେ’—ଭିଖନ ଠେଙ୍ଗା ଉଞ୍ଚାଇ କୁକୁରଟାକୁ ସାଇରୁ ତଡ଼ିଦେଲା । ଠେଙ୍ଗା ଦେଖି ଲୋମହୀନ କୁକୁରଟା କିନ୍ତୁ ଚଙ୍କିଲା ନାହିଁ । ସେ ଭଲ ଭାବରେ ବୁଝିଥିଲା ଯେ ମୁଁ ତା’ର ରକ୍ଷକ ।

 

ରୋଟି ଦି’ ଖଣ୍ଡ ଖାଇସାରି ମୋ’ ଆଡ଼କୁ କିଛି ସମୟ ଅନାଇ ରହିଲା । ମନେ ହେଲା, ତା’ ଦୃଷ୍ଟିରେ ଶାଣିତ ବ୍ୟଙ୍ଗ ଚକ୍‌ମକ୍‌ କରୁଛି ।

 

‘ମୋତେ ଦୁଇ ଖଣ୍ଡ ରୋଟି ଦେଇଛ ବୋଲି ଭାବ ନାହିଁ ଯେ ମୁଁ ତୁମ ମନରଖା କଥା କହିବି । ମୁଁ ଜୀବନର ଶେଷ ସୀମାରେ ଆସି ପହଞ୍ଚିଛି । ଏହା ପରେ ଆଉ ସୀମା ନାହିଁ । ତା’ପରେ ମୃତ୍ୟୁ । ସୁତରାଂ କାହାରି ମନ ରଖି ଚଳିବାରେ ମୋ’ର ଆବଶ୍ୟକତା ନାହିଁ । ଚରମ ଦୁଃଖ ବରଣ କରି ମୁଁ ରାସ୍ତାର ଧୂଳି–ସିଂହାସନରେ ବସିଛି । ଏଇଠି ମୁଁ ରାଜା, ସୁତରାଂ ରାଜା ପରି ସ୍ପର୍ଦ୍ଧିତ ସ୍ଵରରେ କଥା କହିବି । ଅଳ୍ପ ଆଗରୁ ତୁମେ ତୁମ ବାପାଙ୍କର ଶୋଚନୀୟ ମୃତ୍ୟୁ କଥା ଭାବୁଥିଲ, ସେକଥା ମୁଁ ଜାଣିପାରିଛି । କିପରି ଜାଣିଲି ତା’ର ବିବରଣ ଦେବାକୁ ମୁଁ ଅକ୍ଷମ । ତୁମେ ରେଡ଼ିଓ ଖୋଲି ଅନେକ ଦୂରରୁ ଖବର ଶୁଣିଥାଅ । ଆମର ପ୍ରତ୍ୟେକଙ୍କ ମନରେ ମଧ୍ୟ ରେଡ଼ିଓ ଅଛି । ତା’ରି ସାହାଯ୍ୟରେ ଆମେ ଅନେକଙ୍କର ମନକଥା ଜାଣିପାରୁ । ଯେ ଯେତେ ଦରିଦ୍ର ତା’ ମନର ରେଡ଼ିଓ ସେତେ ଭଲ । ମୁଁ ଦରିଦ୍ରତମ, ତେଣୁ ମୋ’ ମନ ରେଡ଼ିଓ ନିଖୁଣ । ତୁମ ମନକଥା ମୁଁ ସବୁ ଜାଣିପାରିଛି । ତୁମ ବାପାଙ୍କ କଥା ଜାଣି ମୋ’ର ମା’ଙ୍କ କଥା ମନେ ପଡ଼ିଲା । ମୋ’ ବାପାଙ୍କ ଖବର ମୁଁ ଜାଣେ ନାହିଁ । କାରଣ ମୋ’ ବାପା କିଏ ତାହା ମୋତେ ଅଜଣା । ସେଥିପାଇଁ ମୁଁ ମଧ୍ୟ ଲଜ୍ଜିତ ନୁହେଁ । ତୁମ ସମାଜରେ ଅନେକ ବଡ଼ ଲୋକଙ୍କର ଅଜ୍ଞାତ । ତୁମେ ସେଥିପାଇଁ ଲଜ୍ଜିତ ନୁହଁ-। ଅନେକ ସମୟରେ ସେହି ମହିମାରେ ତୁମ୍ଭେମାନେ ଗୌରବାନ୍ୱିତ । ଖାଲି ଅତୀତର ନୁହେଁ, ବର୍ତ୍ତମାନ ମଧ୍ୟ ତୁମ ସମାଜରେ ଅନେକ ଆଲୋକପ୍ରାପ୍ତା ନାରୀ ଜାରଜ ସନ୍ତାନ ପ୍ରସବ କରନ୍ତି-। ସେହିସବୁ ସନ୍ତାନଙ୍କୁ ମୃତ ଅବସ୍ଥାରେ ଅନେକ ସମୟରେ ରାସ୍ତାରେ ପଡ଼ିଥିବାର ଦେଖିଛି-। ଗୋଟିଏ ଦୁଇଟି ମଧ୍ୟ ଖାଇଛି । ଏହି ଧରଣର ଅନେକ ଜାରଜ ସନ୍ତାନ ଅନାଥାଶ୍ରମରେ ମଣିଷ ହେଉଛନ୍ତି । ଆଉ ଏକପ୍ରକାର ଜାରଜ ସନ୍ତାନ ଅଛନ୍ତି, ଯେଉଁମାନେ ଅସଲରେ ଜାରଜ ସନ୍ତାନ ହେଲେ ମଧ୍ୟ ସେମାନଙ୍କର ପିତୃପରିଚୟ ଅଛି । ତୁମ ସମାଜରେ ନପୁଂସକ ଗର୍ଦ୍ଦଭର ଅଭାବ ନାହିଁ-। ସେମାନେ ନିଜ ସ୍ତ୍ରୀକୁ ବିକ୍ରୀ କରି ପଇସା ରୋଜଗାର କରନ୍ତି ଆଉ ସ୍ତ୍ରୀ ଗର୍ଭଜାତ ଜାରଜ ସନ୍ତାନଙ୍କର ପିତା ବୋଲି ସମାଜରେ ପରିଚିତ ହୁଅନ୍ତି । ଆମ ସମାଜରେ ଏସବୁ ଭଣ୍ଡାମୀ ନାହିଁ-। ବିବାହ–ନଳ ସାହାଯ୍ୟରେ ଆମ ପ୍ରେମ–ତମାଖୁ ଖାଉ ନାହିଁ । ଆମେ ଯାହା କରୁ ଖୋଲାଖୋଲି କରୁ । ସବୁ କୁକ୍‌କୁରୀ ସ୍ଵୟଂବରା । ଶୁଣିଛି କୌଣସି କୌଣସି ସ୍ଥାନରେ ମାନବ ସମାଜରେ ଆମରି ନୀତି ବର୍ତ୍ତମାନ ମଧ୍ୟ ଚଳୁଛି । ତୁମ୍ଭମାନଙ୍କର ବଡ଼ ବଡ଼ କବି—ଯେପରି ଶେଲି, ବାଇରନ ପ୍ରଭୃତି ଆମରି ଦଳର ଲୋକ । ସେମାନେ ଅବଶ୍ୟ ପ୍ରେମ ସମ୍ବନ୍ଧରେ ଅନେକ ଭଲ ଭଲ କବିତା ଲେଖିଛନ୍ତି ଶୁଣିଛି, କିନ୍ତୁ ସେସବୁ କବିତା ଆମେ ବୁଝୁ ନାହିଁ । କାର୍ଯ୍ୟତଃ ସେମାନେ ଯାହା କରିଛନ୍ତି ତା’ ସହିତ ମୋଟା ମୋଟି ଆମ୍ଭମାନଙ୍କର ମେଳ ଅଛି । ଏହା ଭାବି ଆମେ ପୁଲକିତ-। ତୁମେ ହୁଏତ ଭାବିବ, ଏଇଟା ଗୋଟାଏ ଖିଙ୍କାରୀ କୁକୁର ହୋଇ ଏତେ କଥା ଜାଣିଲା କିପରି-? ଜାଣିବି ନାହିଁ ? ତୁମ ସାଥିରେ ଆମେ ବହୁଦିନ ହେଲା ଯେ ଅଛୁଁ । ତୁମର ନାଡ଼ି ନକ୍ଷତ୍ର ସବୁ ଜାଣୁଁ-। ସମ୍ରାଟ ଯୁଧିଷ୍ଠିର କୁକୁରକୁ ଛାଡ଼ି ସ୍ଵର୍ଗକୁ ମଧ୍ୟ ଯିବାକୁ ରାଜି ହେଲେ ନାହିଁ । ସେ କ’ଣ ଏହିପରି-? କୁକୁର ଯେ କିପରି ମହତ୍ ସେ ତାହା ଚିହ୍ନିଥିଲେ । ହଁ, କଥା ନହସରେ ମୁଁ କେଉଁଠୁ ଯାଇଁ କେଉଁଠି ପହଞ୍ଚିଲାଣି । ମୋ’ ମା’ କଥା କହୁଥିଲି । ଗୋଟିଏ ସାଇର ଜଣେ ମୋଚିର ଘର ପଛରେ ଗୋଟିଏ ପରିତ୍ୟକ୍ତ ଚାଳିଆରେ ଆମକୁ ମା’ ଜନ୍ମ ଦେଇଥିଲା । ଆମେ ତିନି ଭାଇ ଦୁଇ ଭଉଣୀ ହୋଇଥିଲୁ-। ଯେତେଦିନ ଆମର ଆଖି ଫିଟି ନ ଥିଲା ଆମେ ବେଶ୍ ସୁଖରେ ଥିଲୁ । ମା’ କୋଳ ନିକଟରେ ଜାକିଜୁକି ହୋଇ କୁଣ୍ଡଳୀ କରି ଶୋଇଥାଉଁ । ମା’ ସମୟେ ସମୟେ ଆମକୁ ଛାଡ଼ି ଉଠିଯାଏ, ବୋଧହୁଏ ଖାଦ୍ୟ ସନ୍ଧାନରେ । ବେଳେ ବେଳେ ବାହାରୁ ମା’ର ଆର୍ତ୍ତ ଚିତ୍କାର ଶୁଣିବାକୁ ପାଉଁ-। ସଭ୍ୟ ମଣିଷ ଅଚିହ୍ନା କୁକୁରକୁ ଘରେ ପଶିବାକୁ ଦିଏ ନାହିଁ । ପଶିଲେ ତାକୁ ମାଡ଼ ଦେଇ ତଡ଼ିଦିଏ-। ଏହା ହେଉଛି ତୁମ ସମାଜର ଚିରାଚରିତ ପ୍ରଥା । ଯିଏ ପାଞ୍ଚ ପାଞ୍ଚଟା ଶାବକକୁ ଦୁଧ ଦେଇ ପାଳେ, ତାର କ୍ଷୁଧା କେତେ ସର୍ବଗ୍ରାସୀ ତାହା ବିଚାର କରି ଦୟାଳୁ ହେବାର ପ୍ରବୃତ୍ତି ତୁମର ନାହିଁ । ସ୍ୱାର୍ଥକୁ ଛାଡ଼ି ତୁମେ କିଛି ଜିନିଷ ଦେଖିବାକୁ ପାଅ କି ? ଅଥଚ ଶୁଣିଛି ତୁମର ବେଦାନ୍ତରେ ଅଛି–ସର୍ବ ଜୀବରେ ବ୍ରହ୍ମ ବିଦ୍ୟମାନ । ଏକଥା କ’ଣ ତୁମେ ମାନିଥାଅ ? ଏହି ନୀତି ଅନୁସାରେ ତୁମେ କ’ଣ ତୁମର ଜୀବନଯାତ୍ରା ନିୟନ୍ତ୍ରଣ କର ? ମୁଁ ଜାଣେ ତାହା କର ନାହିଁ । ଆମରି ପରି ତୁମେ ଖିଆପିଆକୁ ଭଲ ପାଅ । ସ୍ଵାର୍ଥ ଓ ହିଂସାର ତାଡ଼ନାରେ ତୁମ୍ଭେମାନେ ଗାନ୍ଧିଜୀ, ରବୀନ୍ଦ୍ରନାଥ, ସୁଭାଷଚନ୍ଦ୍ର, ବିବେକାନନ୍ଦ, ଦୟାନନ୍ଦ, ବିଦ୍ୟାସାଗର, ଶ୍ରୀରାମକୃଷ୍ଣଙ୍କ ପରି ଲୋକଙ୍କୁ ଲାଞ୍ଛିତ କରିବାକୁ ଛାଡ଼ି ନ ଥାଅ । ହଁ–ହଁ, ମୁଁ ସବୁ ଜାଣେ । ଲୋମହୀନ କୁକୁର ହେଲେ ମଧ୍ୟ ମୁଁ ଏସବୁ ଖବର ରଖେ । ପର ହାଣ୍ଡିର ଖବର ରଖିବା ଓ ପର ଚର୍ଚ୍ଚା କରିବା ଯଦି ସଭ୍ୟତା ହୁଏ, ତେବେ ମୁଁ ତୁମ୍ଭମାନଙ୍କଠାରୁ କମ୍ ନୁହେଁ । ହଁ, ଆହୁରି ଗୋଟିଏ କଥା । ବର୍ତ୍ତମାନ ମୋତେ ଦେଖୁଛ ଲୋମଶୂନ୍ୟ, କିନ୍ତୁ ସବୁଦିନେ ମୁଁ ଲୋମଶୂନ୍ୟ ନ ଥିଲି । ମୋ’ ବାପା ବୋଧହୁଏ ସ୍ପ୍ୟାନିଏଲ ବଂଶଜାତ କୌଣସି ଭଦ୍ରଲୋକ ଥିଲେ । ତାଙ୍କ ଆଭଜାତ୍ୟର ‘କିଛି ଚିହ୍ନ ମୋ’ ଅଙ୍ଗରେ ସଞ୍ଚାରିତ ହୋଇଥିଲା । ଅର୍ଥାତ୍ ମୋ’ ଦେହର ଲୋମ ଟିକିଏ ବଡ଼ ବଡ଼ ଏବଂ ଈଷତ୍ କୁଞ୍ଚିତ । କାନ ଟିକିଏ ଝୁଲି ପଡ଼ିଥିଲା । ଲାଞ୍ଜ ଅଗ ଝାଲର ପରି ସୁନ୍ଦର ଥିଲା । ଦେଖିବାକୁ ଖୁବ୍ ଖରାପ ନ ଥିଲି-। ମୁଁ ଯେତେବେଳେ ଯୁବକ ଥିଲି ସେତେବେଳେ ବହୁତ ସୁନ୍ଦରୀ କୁକୁରୀଙ୍କର ମୁଣ୍ଡ ଘୂରାଇ ଦେଇଛି । ଖାଲି କୁକୁରୀ ନୁହନ୍ତି, ମଣିଷମାନେ ଦେଖି ମୁଗ୍‌ଧ ହୋଇଛନ୍ତି-। ତାହା ପୁଣି ଏକ ମଜାଦାର ଇତିହାସ । ଇରେ ବାବାଃ ଏ କ’ଣ–

 

କୁକୁରଟା ଧାଇଁ ପଳାଇଗଲା । ଦେଖିଲି, କେତେ ଜଣ ଛୁଆ ବାଟୁଳି ଧରି କୁକୁର ପଛେ ପଛେ ଧାଇଁଛନ୍ତି । ଭିଖନ ମଧ୍ୟ ଠେଙ୍ଗା ଉଞ୍ଚାଇ ଧାଇଁଗଲା ।

 

“ଏଇ ଲୋଣ୍ଡାସବ୍, ବାବୁକା କୁତ୍ତା ହୈ, ନହିଁ ମାରୋ” । (ପିଲାମାନେ, ବାବୁଙ୍କ କୁକୁର, ମାର ନାହିଁ ।)

 

ଟୋକାଟିଏ ଆଗେଇ ଆସି କହିଲା, “ମାରିବୁ ନାହିଁ ? ନିଶ୍ଚୟ ମାରିବୁ । ଏଇ ବଦମାସ କୁକୁରଟା କାଲି ରାତିରେ ଆମ ହାଣ୍ଡି ମାରିଛି । ମାଂସ ତରକାରୀ ଥିଲା, ସବୁ ଚାଟି ଚୁଟି ସଫା କରିଦେଇଛି । ପଳାଇବାରେ ସେ ଓସ୍ତାତ । ବାଏଁ ବାଏଁ କରି ଧାଇଁ ପଳାଇଗଲା—”

 

ପିଲାଟାକୁ ଡାକି ପଚାରିଲି, “କେତେ ମାଂସ କିଣିଥିଲ ତୁମର ?”

 

“ଅଧସେର କିଣିଥିଲୁ, ତିନି ଜଣ ଖାଇଛୁ । ଆଉ କିଛି ଥିଲା ଆଜି ସକାଳେ ଖାଇବା ପାଇଁ, କିନ୍ତୁ ଏଇ ଶାଲା କୁକୁର ଖାଇଦେଲା ।”

 

ହାଫ୍ ପ୍ୟାଣ୍ଟ ଓ ଚିରା ଗେଞ୍ଜି ପିନ୍ଧୁଥିବା ପିଲାଟାକୁ ମୁଁ ଚିହ୍ନେ । ଆମରି ସାଇର ମୋ’ ପରିଚିତ ଜଣେ ଭଦ୍ରଲୋକର ପୁଅ ସେ । ତା’ ମୁହଁରୁ ଶାଲା ଆଉ ଦନ୍ତ୍ୟସର ଉଚ୍ଚାରଣ ଶୁଣି ଟିକିଏ ଥମିଗଲି । କିନ୍ତୁ ସେ ଭାବଟାକୁ ଗୋପନ କରିବାକୁ ହେଲା । ବିସ୍ମୟ ପ୍ରକାଶ କରି କହିଲି, “ତାହା ସତ, କୁକୁରଟା ସତେ ଭାରି ପାଜି । ଯା’ ହେଉ, କୁକୁରଟାକୁ ମାର ନାହିଁ । ତା’ର ବିଭିନ୍ନ ପୋଜର ଫଟୋ ମୁଁ ଉଠାଉଛି । ତାକୁ ମୋ ଗେଟ ସାମନାରେ ବସାଇ ରଖିବା ଖୁବ୍ ଦରକାର ।”

 

“ଏଇ ଲୋମହୀନ କୁକୁରଟାର ଫଟୋ କାହିଁକି ଉଠାଉଛ ?”

 

“ପତ୍ରିକାକୁ ପଠାଇବି ।”

 

“ତା’ର ଫଟୋ ପତ୍ରିକାରେ ଛପାଇବେ ?”

 

“ଛାପିବେ ।”

 

“ତା’ ଫଟୋ ଛପାଇ ଲାଭ କ’ଣ ? ସେ ନେତା ନୁହେଁ କି ଫିଲ୍ମ ଷ୍ଟାର୍ ନୁହେଁ, ସ୍ପୋର୍ଟ୍‌ସମ୍ୟାନ ବା ଲେଖକ ନୁହେଁ । ଏହି ଦୁର୍ଗନ୍ଧ ଖିଙ୍କାରୀ କୁକୁର ଫଟୋ ଛପାଇ କ’ଣ ହେବ ?”

 

“ମୋ’ର କିଛି ପଇସା ହେବ ।”

 

“କିନ୍ତୁ ସେ ଯେ ଆମର ମୁହଁର ଗ୍ରାସତକ ଚୋରିକରି ଖାଇଦେଲା, ତା’ର କ’ଣ—”

 

“ତୁମେ ଯଦି କିଛି ମନେ ନ କରିବ, ତା’ ହେଲେ ତୁମ ଖାଇବା ପାଇଁ ସେରେ ମାଂସର ଦାମ୍ ଦେଉଛି ।”

 

“ପେଟୁ ରକମ ଲୋଲୁପ ହୋଇଉଠିଲା ପିଲାଟା ।”

 

“ଆପଣ ଦେବେ ? ସତ କହୁଛନ୍ତି ?”

 

“ଦେବି ।”

 

“ଭଲ ମାଂସ ସେର ଆଜିକାଲି ଚାରି ଟଙ୍କା ।”

 

“ସେୟା ଦେବି ।”

 

“ଆହୁରି ଟଙ୍କାଏ ଦେବାକୁ ହେବ । ଘିଅ ମସଲା ଫସଲା ଲାଗିବ ତ । ଗୋଟିଏ ଟଙ୍କାରେ ହେବ କି ନା ସନ୍ଦେହ ।”

 

“ବେଶ୍, ଆଉ ଦୁଇ ଟଙ୍କା ଦେବି । ଏଇ ନିଅ—”

 

ପକେଟରୁ ଛ’ ଟଙ୍କା ବାହାର କରି ଦେଲି ।

 

“ସେ କୁକୁରଟାକୁ ତୁମେ ମାରନା । ତାକୁ ମୋ ଗେଟ୍ ପାଖରେ ବସିବାକୁ ଦିଅ । ଆହୁରି ଗୋଟିଏ କାମ ଯଦି କରିପାର ତେବେ ଭଲ ହେବ ।”

 

“କ’ଣ କୁହନ୍ତୁ ।”

 

“ଏ ସାଇର କୁକୁରଗୁଡ଼ାକ ତାକୁ ଖେଦୁଛନ୍ତି । ତୁମ ହାତରେ ବାଟୁଳି ଅଛି । ତାଙ୍କୁ ଯଦି ଏ ସାଇରୁ ବାହାର କରି ଦେଇପାର—”

 

“ନିଶ୍ଚୟ ପାରିବୁ । ଶାଲା କୁକୁରଗୁଡ଼ାଙ୍କୁ ଏଇକ୍ଷଣି ତଡ଼ି ଦେଉଛୁଁ । ଏ ଘୋଁତା, ତୋ ମଇଁଷିକୁ ବାନ୍ଧି ରଖିଲୁ ।”

 

“କୁକୁର ନାମ କ’ଣ ମଇଁଷି ?”

 

ଘୋଁତା କହିଲା, “ହଁ, ମଇଁଷି ପରି ଶୁଏ ବୋଲି ଖୁଡ଼ୀ ତା’ର ନାଁ ଦେଇଛନ୍ତି ମଇଁଷି । ଭାରି ତେଜୀ କୁକୁର । ଏ ସାଇର ଅନ୍ୟ କୁକୁରଙ୍କୁ ପଶିବାକୁ ଦିଏ ନାହିଁ । ତେଣୁ ମୁଁ ତା’ ନାଁ ଦେଇଥିଲି ଶେର୍ । କିନ୍ତୁ କାକା ଭୀଷଣ ପାଟି କଲେ । କହିଲେ, ସେ ମୁସଲମାନୀ ନାଁସବୁ ଚଳିବ ନାହିଁ । ମୁଁ ନାଁ ଦେଇଥାନ୍ତି ବାଘା । ଆମ ପାଖ ଘରେ ଯେଉଁ କୁକୁର ଅଛି ତା’ ନାଁ ବାଘା । ଖୁଡ଼ୀ କହିଲେ, ତା ନାଁ ମଇଁଷି ଥାଉ । ବାନ୍ଧି ଦେବାକୁ କହୁଛି । ବାନ୍ଧିଲେ ଭୋ’ ଭୋ’ ହୋଇ ରଖି ଥୋଇ ଦେବ ନାହିଁ । ଆମର ପୁଣି ଚେନ୍ ନାହିଁ । ଦଉଡ଼ିରେ ବାନ୍ଧିଲେ ଛିଡ଼ାଇଦେବ । ଆଚ୍ଛା, ଗୋଟିଏ କାମ କଲେ ହେବ । ପାଖ ଘରୁ ଭଡ଼ାଟିଆ ପଳାଇଛନ୍ତି । ତାକୁ ଘରଭିତରେ ଭରି ଦେଇ ବାହାରୁ ଝିଞ୍ଜିରି ଦେଇଦେଲେ ଚଳିବ । ମତେ ମାଂସରୁ ଭାଗ ଦେବାକୁ ପଡ଼ିବ କିନ୍ତୁ ।”

 

“ନିଶ୍ଚୟ ।”

 

ଅପ୍ରତ୍ୟାଶିତ ଭାବରେ ପିଲାମାନେ ହାତରେ ଛ’ଟଙ୍କା ପାଇ ଉଚ୍ଛ୍ଵସିତ ଭାବରେ ଚାଲିଗଲେ । ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ, ମୁଁ ଏପରି ଭାବରେ ହଠାତ୍ ଛ’ ଟଙ୍କା ଖର୍ଚ୍ଚ କରି ପକାଇଲି କିପରି ? ଶୁଣି ରଖନ୍ତୁ, ମୁଁ ବର୍ତ୍ତମାନ ବଡ଼ଲୋକ ହୋଇଛି । ଟଙ୍କା ନେଇ ଛିନିମିନି ଖେଳିପାରେ । ପ୍ରଥମ ଜୀବନ ଖୁବ କଷ୍ଟରେ କଟାଇଥିଲି ସିନା, ବର୍ତ୍ତମାନ ମୋ’ର ବେଶ୍ କିଛି ପଇସା ହୋଇଛି । କିପରି ହେଲା ତାହା ପରେ କହୁଛି । ସେହି ଲୋମହୀନ କୁକୁରଟା ମୋତେ ମନ୍ତ୍ରମୁଗ୍‌ଧ କରିଛି । ତା’ର ସମସ୍ତ କଥା ମୋତେ ଶୁଣିବାକୁ ହେବ । ସେଥିପାଇଁ ଯଦି ମୋତେ ପଇସା ଖର୍ଚ୍ଚ କରିବାକୁ ପଡ଼େ କରିବି । ମୋ’ର ପଇସା ହେବା କଥା ଶୁଣି ହୁଏ ତ ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି । ଗୋଟିଏ ଦିଗରୁ ଆଶ୍ଚର୍ଯ୍ୟ ହେବାର କଥା, ମୋ’ ପରି ସ୍କୁଲ ମାଷ୍ଟର ଆଙ୍ଗୁଳି ଫୁଲି ଯେ କଦଳୀ ଗଛ ହେବ ଏହା ଯେ ବିସ୍ମୟକର ବ୍ୟାପାର, ଏଥିରେ ସନ୍ଦେହ ନାହିଁ; କିନ୍ତୁ ଆପଣ ଯେଉଁ ଯୁଗର ମାନଦଣ୍ଡ ନେଇ ହିସାବ କରୁଛନ୍ତି ସେ ଯୁଗ ଆଉ ନାହିଁ । ସେ ମାନଦଣ୍ଡ ବଦଳି ଯାଇଛି । ସେହି ମାନଦଣ୍ଡକୁ ଆଶ୍ରୟ କରିଥିଲେ ମୁଁ ବିଲୁପ୍ତ ହୋଇଯାଇଥାନ୍ତି । ମୁଁ ସାଧୁ, ମୁଁ ଚରିତ୍ରବାନ୍, ମୁଁ ସନାତନ ଭାରତବର୍ଷର ଶୁଭ୍ର ଆଦର୍ଶକୁ କୁଣ୍ଢାଇ ଧରି ଶତ ଶତ ଦୁଃଖ-ଦୁର୍ବିପାକ ସହ୍ୟ କରି ଅନାହାରରେ ପ୍ରାଣ ବିସର୍ଜନ ଦେଇଛି, ଏହି ସତ୍ୟ କଥାଟାକୁ ଲୋକେ ମନେ ରଖି ନ ଥାନ୍ତେ । ଲୋକଙ୍କର ଉପହାସ ସଂଗ୍ରହ କରି, ମୁଣ୍ଡରେ ଗ୍ଳାନିର ବୋଝ ବୋହି ମୁଁ ହୁଏତ ନିଶ୍ଚିତ ହୋଇ ଯାଇଥାନ୍ତି ! ଅନେକ ହୁଏତ ଏହାକୁ ବରଣୀୟ ମନେ କରିବେ, କିନ୍ତୁ ମୁଁ ପାଇଲି ନାହିଁ । ଯେଉଁଦିନ ଚିକିତ୍ସାର ବିଭ୍ରାଟରୁ ମୋ’ର ସାନ ଝିଅଟି ଚାଲିଗଲା, ସେଦିନ ଯାଇଁ ଜାଣିଲି ମୁଁ କେଉଁ ଯୁଗରେ ବାସ କରୁଛି । ଦରିଦ୍ର ସ୍କୁଲ ମାଷ୍ଟର ପକ୍ଷରେ ଆଧୁନିକ ଏଲୋପାଥିକ ଚିକିତ୍ସା କରିବା ଅସମ୍ଭବ । ଡାକ୍ତର ବାବୁ ଅବଶ୍ୟ ଫିସ୍ ନେଇନାହାନ୍ତି । କିନ୍ତୁ ଯେଉଁ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଲେ ତା’ର ଦାମ ପ୍ରତି ପ୍ରେସ୍‌କ୍ରିପ୍‌ସନ୍‌ ପିଛା ପ୍ରାୟ ଆଠ ଦଶ ଟଙ୍କା । ମାସାଧିକ କାଳ ଋଣଭାରରେ ଜର୍ଜରିତ ହୋଇ ମଧ୍ୟ ଚିକିତ୍ସା ଚଳାଇଥିଲି । ଦିନେ ଗୋଟିଏ ଇଞ୍ଜେକ୍‌ସନ ଦେବା ପରେ ମୋ’ଝିଅଟି ମାରା ପଡ଼ିଲା-। ଡାକ୍ତର ବାବୁ କହିଲେ, ଏ ଇଞ୍ଜେକ୍‌ସନ ଦେଲେ ମାରା ଯିବାର କଥା ନୁହେଁ । ହୁଏତ ଏଥିରେ ଭେଜାଲ ଅଛି । ଡାକ୍ତର ବାବୁ ମୋରି ଦ୍ଵାରା ଆଉ ଗୋଟିଏ ଇଞ୍ଜେକ୍‌ସନ କିଣାଇ ତାହା ସରକାରୀ କେମିକାଲ ଏନାଲିସିସ ଲାବୋରେଟେରୀକୁ ପଠାଇଲେ । କିଛି ହେଲା ନାହିଁ । ରିପୋର୍ଟ ଆସିଲା, ଠିକ୍ ଅଛି । ଶୁଣିଲି, ଔଷଧବିକ୍ରେତା ଖୁବ୍ ଧନୀ । କେତେ ଖଣ୍ଡି ମୋଟର ଓ କେତେଗୁଡ଼ିଏ କୋଠା ମଧ୍ୟ ତାଙ୍କର ଅଛି । ଦେଶର ମାନ୍ୟଗଣ୍ୟ ପ୍ରଭାବସଂପନ୍ନ ବ୍ୟକ୍ତିଙ୍କ ସହିତ ଆତ୍ମୀୟତା ଅଛି-। ସୁତରାଂ ସେ ରାତିକୁ ଦିନ ଅଥବା ଦିନକୁ ରାତି କରିପାରନ୍ତି । ଟଙ୍କା ମୁଦ୍‌ଗର ସାହାଯ୍ୟରେ ସତ୍ୟ–ଶିବ–ସୁନ୍ଦରକୁ ଆହତ କରି ଅବାଧରେ ସ୍ୱେଚ୍ଛାଚାର ଚଳାଇବାର କ୍ଷମତା ସେ ଅର୍ଥ ବଳରେ ଅର୍ଜନ କରିଛନ୍ତି । ଆମ ଗରିବମାନେ ତାଙ୍କୁ ଦୂରରୁ ସଲାମ କରି ଧନ୍ୟ ହୋଇପାରୁ; କିନ୍ତୁ ଅନ୍ୟ କିଛି କରିବାର କ୍ଷମତା ଆମର ନାହିଁ । କାରଣ ଯେଉଁ ସମାଜରେ ବାସ କରିଛୁ ସେ ସମାଜରେ ଟଙ୍କା ହିଁ କ୍ଷମତା ଟଙ୍କା ହିଁ ମାନ, ଟଙ୍କା ହିଁ ପ୍ରତିଭାର ନିଦର୍ଶନ ।

 

ଦିନ କେଇଟା ପରେ ଗୋଟିଏ ସୁଯୋଗ ଜୁଟିଲା । ଆମ ସ୍କୁଲରେ ଗୋଟିଏ ବଡ଼ ଲୋକର ପୁଅ ମୋ’ର ଛାତ୍ର ଥିଲା । ଏମିତି ଗଧା ଏବଂ ସବୁ ବିଷୟରେ ବୋକା ପିଲା ସାଧାରଣତଃ ଦେଖାଯାଏ ନାହିଁ । ତା’ ବାପା ଦିନେ ଆସି ମୋତେ କହିଲେ, “ଆପଣ ପିଲାଟିର ଟିଉସନ ଭାର ନିଅନ୍ତୁ, ଯାହା ଫିସ ଚାହିଁବେ ଦେବି । ଆଉ ପିଲାଟାକୁ ଯଦି ଫାଷ୍ଟ ଡିଭିଜନରେ ପାଶ କରାଇ ଦିଅନ୍ତି, ତା’ହେଲେ ଆପଣଙ୍କୁ ନଗଦ ପାଞ୍ଚ ହଜାର ଟଙ୍କା ଦେବି ।”

 

ଅବାକ୍ ହେଲି ।

 

“ଆପଣ ସେ ପିଲାକୁ ଫାଷ୍ଟ ଡିଭିଜନରେ ମ୍ୟାଟ୍ରିକ୍ ପାଶ କରାଇବାକୁ ଚାହୁଛନ୍ତି କାହିଁକି-? ତା’ର ଲେଖାପଢ଼ାରେ ଲାଭ ବା କ’ଣ ? ଆପଣଙ୍କର ଏତେ ବଡ଼ ବ୍ୟବସାୟ । ସେଥିରେ ଢୁକାଇ ଦିଅନ୍ତୁ ନା—”

 

“ହଁ, ଢୁକାଇ ତ ଦେବି । ଲେଖାପଢ଼ାର ଦରକାର ନାହିଁ, ଦରକାର ଡିଗ୍ରୀର । ଅସଲ କଥା ତେବେ ଖୋଲି କହୁଛି । ଜଣେ କୋଟିପତିର ଏକମାତ୍ର କନ୍ୟା ସହିତ ସମ୍ବନ୍ଧ ସ୍ଥିର କରିଛି । ଝିଅର ବାପ କହୁଛି, ମୋ’ର ଜୋଇଁ ଅନ୍ତତଃ ବି. ଏ. ପାଶ କରିବା ଦରକାର । ଆପଣ ମେଟ୍ରିକ ବାଡ଼ଟା ପାର କରି ଦିଅନ୍ତୁ ନା, ତା’ପରେ ବାକି କାମଟା ମୁଁ ଠିକ୍ କରିନେବି । ଆପଣ ଯଦି ସେ ଭାର ନେବେ ସେଥିରେ ମୋ’ର ଆପତ୍ତି ନାହିଁ । କେତେ ଟଙ୍କା ନେବେ ଫଇସଲା କରିନିଅନ୍ତୁ । ମୁଁ ଏପରି ଲୋକ ଯେ ମୋ’ର ସବୁ ବେଳେ ଗୋଟିଏ ଜବାବ । ହିମାଳୟ ଟଳିପାରେ, କିନ୍ତୁ ମୋ’ କଥା ଟଳିବ ନାହିଁ । କଥା ଟଳି ଯାଉଥିଲେ ଏତେ ଟଙ୍କାର କାରବାର ଚାଲୁ ରଖି ପାରନ୍ତି ନାହିଁ ।”

 

କହିଲି, “ଝିଅର ବାପ କ’ଣ ଏତେ ଦିନ ଅପେକ୍ଷା କରିବେ ? ବି.ଏ. ପାଶ କରିବାକୁ ଅନ୍ତତଃ ଆହୁରି ପାଞ୍ଚ ବର୍ଷ ଦରକାର । ଅବଶ୍ୟ ପ୍ରତି ବର୍ଷ ପାଶ୍ କଲେ ।”

“ବର୍ତ୍ତମାନ ଝିଅର ଦଶ ବର୍ଷ ବୟସ । ମାତୃହୀନା କନ୍ୟା । ବାପର ଏକମାତ୍ର ସନ୍ତାନ । ବାପ ଆଉ ବିଭା ହୋଇ ନାହିଁ । ତା’ର ଇଚ୍ଛା, ଝିଅଟିକୁ ଗୋଟିଏ ଶିକ୍ଷିତ ପିଲା ହାତରେ ଦେଲେ ସେ ଉତ୍ତରାଧିକାରୀ ହୋଇ ସମସ୍ତ ବିଷୟ ସମ୍ପତ୍ତି ବୁଝାସୁଝା କରିବ । ମୋ’ ପୁଅର ଚେହେରା ତ ଦେଖିଛନ୍ତି—କନ୍ଦର୍ପ କାନ୍ତ ରାଜପୁତ୍ର । ଝିଅବାପର ଭାରି ପସନ୍ଦ ହୋଇଛି । ମୋତେ କହିଛି, ସେ ଯଦି ଲେଖାପଢ଼ାରେ ଭଲ ହୁଏ–ଅନ୍ତତଃ ବି.ଏ. ଟା ପାଶ କରେ ତା ହେଲେ ତାହାରି ସହିତ ଆମ ରୂପୁର ବିବାହ ଦେବି । ମୁଁ ପାଞ୍ଚ ଛଅ ବର୍ଷ ଅପେକ୍ଷା କରିବା ପାଇଁ ରାଜି ଅଛି । ସବୁ କଥା ମୁଁ ଆପଣଙ୍କୁ ଖୋଲି କହିଲି, ବର୍ତ୍ତମାନ ଯଦି ତା’ର ବି.ଏ. ପାଶର ଗ୍ୟାରେଣ୍ଟି ଦେବେ ମୁଁ ନିଶ୍ଚିନ୍ତ ହେବି-। କେତେ ଟଙ୍କା ଦରକାର କହନ୍ତୁ—”

ପ୍ରଥମେ ଅଧଃପତନର (ଆଧୁନିକ ବିଚାରରେ ଉନ୍ନତି ବୋଲି କହିପାରନ୍ତି) ପ୍ରଥମ ପାବଚ୍ଛରେ ପାଦ ଦେଲି । ସାଧାରଣ ବାଘ ମଣିଷଖିଆ ବାଘରେ ରୂପାନ୍ତରିତ ହେଲା । ଯେତେ ଧରଣର ଏବଂ ଯେତେ ପ୍ରକାରର ଜୁଆଚୋରି କରାଯାଇପାରେ କରିବାକୁ ଲାଗିଲି । ପ୍ରଶ୍ନ କହିଦେଲି, ଖାତା ବଦଳାଇ ଦେଲି, ପରୀକ୍ଷକ ବନ୍ଧୁମାନଙ୍କୁ କହି ନମ୍ବର ବଢ଼ାଇଦେଲି ।

ମୋ ଦଳରେ କେତେ ଜଣ ଶିକ୍ଷକ ଓ ପରୀକ୍ଷକ ମଧ୍ୟ ଜୁଟିଗଲେ । ଯୌଥ ସୂତ୍ରରେ ଆମ କାମ ଚାଲିଲା । ଖାଲି ଗୋଟିଏ ଛାତ୍ରକୁ ନୁହେଁ, ଅନେକ ଛାତ୍ରଙ୍କୁ ଆମେ ଏହିପରି ଡିଗ୍ରୀ ଭୂଷଣରେ ମଣ୍ଡିତ କରାଇଲୁ । ସେମାନଙ୍କ ଭିତରୁ ଅନେକ ବର୍ତ୍ତମାନ ଉପରିସ୍ଥ ରାଜକର୍ମଚାରୀ, ବଡ଼ ବ୍ୟବସାୟୀ, ସ୍କୁଲ କଲେଜର ଶିକ୍ଷକ । ସମସ୍ତେ ମୋ’ ପାଖରେ କୃତଜ୍ଞ । ସେମାନେ ସମସ୍ତେ ମୋତେ କିଛି ସାହାଯ୍ୟ କରିପାରିଲେ ନିଜକୁ କୃତାର୍ଥ ମନେକରନ୍ତି । ସେମାନଙ୍କ ସାହାଯ୍ୟରେ ମୋ ଜୀବନପଥର ସମସ୍ତ ବାଧା ଅପସାରିତ ହୋଇଛି ଏବଂ ଆଶ୍ଚର୍ଯ୍ୟର ବିଷୟ ଯେ ମୋ’ର ନ୍ୟାୟାନ୍ୟାୟ ବୋଧ ଆଶ୍ଚର୍ଯ୍ୟ ଭାବରେ ବଦଳି ଯାଇଛି । ବର୍ତ୍ତମାନ ଅନ୍ୟାୟକୁ ନ୍ୟାୟ ଜ୍ଞାନ କରେ, ନ୍ୟାୟବାନକୁ ମୂର୍ଖ ନିର୍ବୋଧ ବୋଲି ମନେହୁଏ ।

ପାଞ୍ଚ ବର୍ଷ ଭିତରେ କଲିକତାର ଅଭିଜାତ ଅଞ୍ଚଳରେ ଗୋଟିଏ କୋଠା କରିପାରିଛି । ଶିକ୍ଷକ ହିସାବରେ ମୋ’ର ସୁନାମ ବିଘୋଷିତ ହୋଇଥିଲା । ସୁତରାଂ ରିଟାୟାର ପରେ ଛାତ୍ରର ମଧ୍ୟ ଅଭାବ ହେଲା ନାହିଁ । ଘରେ ବସି ମାସକ ଭିତରେ ଅନାୟାସରେ ଚାରି ପାଞ୍ଚ ଶହ ଟଙ୍କା ରୋଜଗାର କରିପାରୁଛି ।

ମୋ’ର ସାହିତ୍ୟଚର୍ଚ୍ଚା ମଧ୍ୟ ଛାଡ଼ି ନାହିଁ । ସାହିତ୍ୟ ଚର୍ଚ୍ଚା କରି କିଛି କିଛି ରୋଜଗାର କରୁଛି । କିନ୍ତୁ ସେ ରୋଜଗାର ଯତ୍‌ସାମାନ୍ୟ ।

ଆଖିରେ ପଡ଼ିଲା ସେହି ଲୋମହୀନ କୁକୁରଟା ଆସି ପୁନର୍ବାର ମୋ' ଗେଟ୍ ସାମନାରେ ବସିଛି । ଆଉ ମୋ’ ଆଡ଼େ ଯେଉଁ ଦୃଷ୍ଟିରେ ଚାହିଁଛି, ତାହା ଅବର୍ଣ୍ଣନୀୟ । ସେଥିରେ ସ୍ପର୍ଦ୍ଧା, ବ୍ୟଙ୍ଗ, କ୍ଷୋଭ, ଧିକ୍‌କାର ସବୁ ଯେପରି ମିଶି ରହିଛି । ମନେ ହେଲା, ଯେପରି ଟିକିଏ ଅନୁକମ୍ପା ମଧ୍ୟ ଅଛି ।

ମୋ’ର ରକ୍ଷଣାବେକ୍ଷଣ କରିବାର ଯେଉଁ ବ୍ୟବସ୍ଥା ଅବଲମ୍ବନ କରିଛ, ସେଥପାଇଁ ତୁମରି ଶାସ୍ତ୍ର ଅନୁସାରେ ତୁମକୁ ଧନ୍ୟବାଦ ଦେବା ଉଚିତ । କିନ୍ତୁ ମୋ’ ମନରେ ଠିକ୍ ତା’ର ଓଲଟା ଭାବ ଜନ୍ମୁଛି । ମନେ ହେଉଛି, ମୁଁ ଧନ୍ୟବାଦାର୍ହ; କାରଣ ମୁଁ ତୁମରି ଗେଟ୍ ସାମନାରେ ବସି ତୁମକୁ ତୁମର ଲେଖା ପାଇଁ ଖୋରାକ ଯୋଗାଉଅଛି । ଏଠାରେ ବସିବାରେ ମୋ’ର ଗରଜ ଅଛି । ମୁଁ ଆଶା କରିଛି, ଅଦମ୍ୟ ଅଧ୍ୟବସାୟ ବଳରେ ମୁଁ ହୁଏତ ତୁମ ଜିମିର ହୃଦୟ ହରଣ କରିପାରିବି; କିନ୍ତୁ ସେ ଗରଜଟା ଗୌଣ, କାରଣ ମୁଁ ତୁମ୍ଭମାନଙ୍କର କାବ୍ୟବର୍ଣ୍ଣିତ ରୋମିଓ, ଜଗତ୍‌ସିଂହ ବା ଉସମାନ ପରି ଏକନିଷ୍ଠ ପ୍ରଣୟୀ ନୁହେଁ । ବର୍ତ୍ତମାନ ମୋ' ପ୍ରେମ–ଜଗତରେ ଜିମି ଏକମାତ୍ର ଅଧିଷ୍ଠାତ୍ରୀ ଦେବୀ ନୁହେଁ—ହାଲଦାର ସାଇର ଟୁନି ଅଛି, ତୁମ ଗଳିର ସେ ପାଖରେ ବୁଲି ଅଛି, ସାହେବ ପଡ଼ାର (ମାନେ ଆଂଲୋଇଣ୍ଡିୟାନ୍ ସାଇ) ଖାଣ୍ଟି ଆଇରିଶ ଟେରିଅର କ୍ଲିଓ ପେଟ୍ରା ଅଛି । ତା’ ଛଡ଼ା ରାସ୍ତାଘାଟରେ ନାମହୀନ ଦଳ ଏତେ ଅଛନ୍ତି ଯେ ତୁମ୍ଭ ବଡ଼ ଲୋକମାନଙ୍କ ପରି ମୋର ଯଦି କ୍ଷମତା ଥା’ନ୍ତା, ତା’ହେଲେ ମୁଁ ଗୋଟିଏ ବଡ଼ ହାରେମ ତିଆରି କରିପାରନ୍ତି । କିନ୍ତୁ ତା’ କରି ନାହିଁ; କାରଣ ଖାଲି ଯେ ମୋ’ର କ୍ଷମତା ନାହିଁ ତା’ ନୁହେଁ, ସେସବୁର ପ୍ରବୃତ୍ତି ମଧ୍ୟ ନାହିଁ । ହାରେମ ତିଆରି କଲେ କ’ଣ ହେବ ? ସେପରି ଗୋଟିଏ ଅଯଥା ଝଞ୍ଜାଟା ମୁଣ୍ଡରେ ବୋହି ବୁଲିବାରେ କି ଲାଭ ? ତେବେ ତୁମ ପାଖରେ କଥାଟା ସ୍ୱୀକାର ନ କଲେ ଅନ୍ୟାୟ ହେବ । ତୁମର ଜିମିକୁ ମୁଁ ସବୁଠାରୁ ବେଶି ଭଲ ପାଇଛି । ତାକୁ ପାଇଲେ ନିଜକୁ ସବୁଠାରୁ ବେଶି ଧନ୍ୟ ମନେ କରିବି । ହଁ, ଯେଉଁ କଥାଟା କହୁଥିଲି କଥାରେ କଥାରେ ପ୍ରସଙ୍ଗାନ୍ତରକୁ ଆସିଗଲି । ମୋ’ ମା’ର କାହାଣୀ ଶୁଣ-। ତୁମରି ଭାଷାରେ କହିବାକୁ ଗଲେ ହେବ Very Interesting । ମୁଁ ମୋ’ ମା’ଙ୍କ ପାଖରେ ବେଶି ଦିନ ରହି ନାହିଁ । ଟିକିଏ ବଡ଼ ହେବାରୁ ମୋତେ ମୋ’ ମା’ ଛାଡ଼ି ଛାଡ଼ି ପଳାଏ । ମୁଁ ବ୍ୟାକୁଳ ଭାବରେ ତା’ ପଛେ ପଛେ ଧାଏଁ । ହସୁଛ ? ତୁମମାନଙ୍କ ସମାଜରେ କ’ଣ ଏ ରୀତି ପ୍ରବର୍ତ୍ତନ ହୋଇ ନାହିଁ ଆଜିକାଲି ? ଛୁଆପିଲାଙ୍କୁ ଛାଡ଼ିଦେଇ ବିଚିତ୍ର ବର୍ଣ୍ଣସମ୍ଭାରରେ ସଜ୍ଜିତ ହୋଇ ପ୍ରଜାପତି ପରି ଫୁଲରୁ ଫୁଲକୁ ଉଡ଼ି ବୁଲୁ ନାହାନ୍ତି ? ତୁମ୍ଭେମାନେ କୁହ, ତୁମ୍ଭେ ଏହା ସାହେବମାନଙ୍କଠାରୁ ଶିଖିଛ; କିନ୍ତୁ ଆମ ସମାଜରେ ଏ ରୀତି ଅନାଦି କାଳରୁ ପ୍ରଚଳିତ । ସାହେବମାନଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ଆମ ସଂସ୍ପର୍ଶରେ ଆସିଛ । କିଏ ଜାଣେ ତୁମେ ଯେ ଆମକୁ ନକଲ ନ କରୁଛ-। ଆହୁରି ଗୋଟିଏ ପ୍ରଥା ତୁମ ସମାଜରେ ପ୍ରଚଳିତ ହେଉଛି । ସୁଖରେ ବିଘ୍ନ ବୋଲି ବହୁ ଜନନୀ ଆଜି ଛୁଆପିଲାଙ୍କୁ ମାରି ଦେଉଛନ୍ତି । ତୁମ୍ଭମାନଙ୍କ ଖବର କାଗଜରେ ଏହା ବାହାରୁଛି-। ଆଶ୍ଚର୍ଯ୍ୟ କଥା, ତୁମରି ଖବର କାଗଜଗୁଡ଼ାକ ତୁମରି ମହତ୍ତ୍ଵ, ବୀରତ୍ଵ, ମହାନୁଭବତାର ଖବର କମ୍ ଛାପନ୍ତି, ବେଶି ଛାପନ୍ତି ଦୁର୍ନାମ ଓ କଳଙ୍କର ଖବରଗୁଡ଼ାକୁ । ହିନୁବାବୁଙ୍କ ଦୋକାନ ଆଗରେ କାଲି ଠୁଙ୍ଗା ଚାଟୁ ଚାଟୁ ମୁଁ ଖବର କାଗଜର ଆଲୋଚନା ଶୁଣିଲି । ତାଙ୍କ ଦୋକାନରେ ବହୁ ବେକାର ଯୁବକ ଆସି ଜମନ୍ତି ବିନା ପଇସାରେ ଖବର କାଗଜ ପଢ଼ିବେ ବୋଲି । ଦେଖିଲି, ସେମାନେ ତମରି ସମାଜର ନାନା ପ୍ରକାର ଦୁର୍ନାମ ଆଲୋଚନା କରି ବେଶ୍ ଉପଭୋଗ କରୁଛନ୍ତି । ସେଇଠି ଶୁଣିଲି, ଗୋଟିଏ ସ୍ତ୍ରୀଲୋକ ସୁଖର ସନ୍ଧାନ ପାଇଁ ଛୁଆ ପିଲା, ସ୍ଵାମୀ ସମସ୍ତଙ୍କୁ ହାଣି ଦେଇ ସ୍ଵାଧୀନ, ମୁକ୍ତ ଆକାଶରେ ଡେଣା ମେଲିଛି । ଖୁବ ଆଡ଼ମ୍ବରରେ ଛପା ଯାଇଛି ଖବରଟା ଆମ ସମାଜରେ ମଧ୍ୟ ଏପରି ଘଟେ । ଆମେ ଯେତେବେଳେ ମା’ ପଛରେ ନସର ପସର ହୋଇ ଛୁଟିଥାଉଁ, ବେଳେବେଳେ ମା’ ର ଫେରି ପଡ଼ି ଆମକୁ ଖେଁ ଖେଁ କରି କାମୁଡ଼ିଦିଏ । ପାଞ୍ଚ ପାଞ୍ଚଟା ଛୁଆ ଅହରହ ଟାଣି ଟାଣି ଦୁଧ ଖାନ୍ତି । ଏଥିରେ ମିଜାଜ କ’ଣ କାହାରି ଠିକ୍ ରହିବ ? ଛୁଆଙ୍କୁ ଖାଇଦେବା କଥା ମଧ୍ୟ ଶୁଣାଯାଇଛି । ଏମିତିକା ଗୋଟିଏ କୁକ୍‌କୁରୀ ସହ ମୋ’ର ଆଳାପ ଓ ପ୍ରେମ ହୋଇଥିଲା । ସେ ମୋତେ କହୁଥିଲା ଛୁଆ ନ ଖାଇ କ’ଣ କରିବୁ ? ସେତେବେଳେ ଯାହା ଘରେ ଥିଲି ସେ ଅତ୍ୟନ୍ତ ଶୁଚିବାୟୁଗ୍ରସ୍ତ ଲୋକ । କାଳେ ମୋ’ ଛୁଆଗୁଡ଼ାକ ବାହାରି ଚାରିଆଡ଼େ ଅଳିଆ ଅସନା କରିବେ ଏଇ ଭୟରେ ମୋତେ ଏବଂ ମୋ’ ଛୁଆକୁ ସେ ଗୋଟିଏ ଘରେ ବନ୍ଦ କରି ରଖିଥିଲେ । ବାହାରେ ଝିଞ୍ଜିର ଦେଇଥାନ୍ତି । ମୋତେ ଖାଇବାକୁ ଦେବା କିନ୍ତୁ ପ୍ରୟୋଜନ ବୋଲି ମନେ କରି ନାହାନ୍ତି । ସମ୍ଭବତଃ ମୋ’ର ଅସତୀତ୍ଵରେ ଅସନ୍ତୁଷ୍ଟ ହୋଇଥିଲେ । ମୋତେ ଘରେ ପହରା ଦେବା ପାଇଁ ପୋଷିଥିଲେ । ଧର୍ମାତ୍ମା ଲୋକ କି ନା ! ମୁଁ ବାହାରକୁ ବାହାରି ଟିକିଏ ଆମୋଦ ପ୍ରମୋଦ କରିବି ଏଇଟା ସେ ପସନ୍ଦ କରନ୍ତି ନାହିଁ । କିନ୍ତୁ ତାଙ୍କ ଆଖିକୁ ଫାଙ୍କିଦେଇ ଦିନେ ରାସ୍ତାକୁ ବାହାରି ଯାଇଥିଲି । କିଛିଦିନ ପରେ ତିନୋଟି ଛୁଆ ତାଙ୍କୁ ଉପହାର ଦେଇଥିଲି-। ସମ୍ଭବତଃ ସେ ସେଇଥିପାଇଁ ମୋତେ ଶାସ୍ତି ଦେଇଥିଲେ । କ୍ଷୁଧାର ଦୁର୍ବାର ତାଡ଼ନାରେ ପାଗଳ ହୋଇ ଶେଷରେ ମୋ’ ଛୁଆଗୁଡ଼ିକୁ ଖାଇ ଦେଇଥିଲି । କ’ଣ କରିବି, ଅନାହାରରେ ତ ଆଉ ମରିପାରିବି ନାହିଁ । ଏହି କଥା କଥାକେ ଅବାନ୍ତର କଥାରେ ମଜ୍ଜି ଯାଉଛି । ମୋ’ ମା’ କଥା କହୁଥିଲି ନା ! ମୋ’ ମା’ର କଥା ଅବଶ୍ୟ ମୁଁ ବେଶୀ କିଛି ଜାଣି ନାହିଁ । କାରଣ ପିଲାବେଳୁ ମା’ ସାଙ୍ଗ ଛାଡ଼ିଥିଲି । ଆମ ସମାଜରେ ଖୁବ ପିଲାବେଳୁ ସ୍ଵାବଲମ୍ଵୀ ହେବାକୁ ପଡ଼େ । ମା’ ଯେତେଦିନ ଦୁଧ ଦେଇପାରେ ସେତେଦିନ ତା’ ସହିତ ଆମର ବନ୍ଧନ । ଦୁଧ ବନ୍ଦ ହେଲେ ଆମେ ବନ୍ଧନହୀନ-। ମା’ ମଧ୍ୟ ସ୍ଵାଧୀନ । ସେ ସ୍ଵାଧୀନତା ଏତେ ଉଦାର ଯେ ସେଥିରେ କିଛି ଆବରଣ ନାହିଁ, ଦିଗନ୍ତ ବି ନାହିଁ, ‘ଯାହା ଖୁସି ତାହା କରିପାର’ ମାର୍କା ସ୍ଵାଧୀନତା । ତୁମରି ଶୁଦ୍ଧ ଭାଷାରେ କହିପାର ଅବାଧ-। ଏତେ ଅବାଧ ଯେ ସେ ସ୍ଵାଧୀନତାରେ ମା’ ସହିତ ପ୍ରେମ କରିବାରେ କୌଣସି ପ୍ରତିବନ୍ଧକ ନାହିଁ-। ଏପରି କି ଯୌନ ସମ୍ପର୍କ ମଧ୍ୟ ଚଳିପାରେ । ମା’ ସହିତ ପୁଅର, ଝିଅ ସହିତ ବାପର ସମ୍ପର୍କ ଆମ ସମାଜରେ ଏକମୁଖୀ ନୁହେଁ, ବହୁମୁଖୀ । ମିଥ୍ୟା ବିଧି–ନିଷେଧର ବାଡ଼ ଦେଇ ତାକୁ ଆମେ ସୀମାବଦ୍ଧ କରି ନାହୁଁ । ତୁମ୍ଭେମାନେ ଯେତେବେଳେ ସଭ୍ୟ ଥିଲ, ଅର୍ଥାତ୍ ଭଣ୍ଡାମୀର ଆବରଣ ଯେତେବେଳେ ତୁମ୍ଭମାନଙ୍କୁ କୁତ୍ସିତ, କଦର୍ଯ୍ୟ, ଅସ୍ଵାଭାବିକ କରିପାରି ନ ଥିଲା, ଅର୍ଥାତ୍ ତୁମ୍ଭମାନଙ୍କର ସେହି ଆଦିମ ଅକୃତ୍ରିମ ବଣ୍ୟ ସଭ୍ୟତାରେ, ଯା’ର ନାମକରଣ ତୁମ୍ଭମାନଙ୍କ ବୈଜ୍ଞାନିକ ମହାପଣ୍ଡିତମାନେ ସ୍ଵର୍ଣ୍ଣ ଯୁଗ ନ କରି ପ୍ରସ୍ତର ଯୁଗ ବୋଲି ଅଭିହିତ କରିଛନ୍ତି, ସେହି ଯୁଗରେ ତୁମ୍ଭମାନଙ୍କର ମତିଗତି ଆମରି ପରି ଥିଲା । ତୁମ ଆଖିରେ ଯେପରି ଟିକିଏ ଘୃଣାର ଆଭାସ ମିଳୁଛି, ତୁମେ ଯେପରି ମନେ ମନେ କହୁଛି କି ଜଘନ୍ୟ, କି କୁତ୍ସିତ, ଅକଥ୍ୟ, ଅଶ୍ରାବ୍ୟ କଥା ନ କହୁଛି କୁକୁରଟା ! ତା’ହେଲେ, ଆଉ ଗୋଟିଏ କଥା କହୁଛି ଶୁଣ-। ତୁମ୍ଭର ଆଦିମ ପ୍ରବୃତ୍ତି ବର୍ତ୍ତମାନ ମଧ୍ୟ ସଂପୂର୍ଣ୍ଣ ରୂପେ ମରିଯାଇନି । ତୁମ୍ଭମାନଙ୍କର ବିଜ୍ଞାନୀ ଏକଥା ପ୍ରମାଣ କରୁଛି-। ‘ଇଡ଼ିପାସ’ ଗଳ୍ପ ତୁମ୍ଭମାନଙ୍କ ସମାଜରେ ଉଚ୍ଚାଙ୍ଗ କାବ୍ୟ ରୂପେ ଗଣ୍ୟ, ଆଉ ଇଡ଼ିପାସ କମ୍‌ପ୍ଲେକ୍‌ସର ବୈଜ୍ଞାନିକ ତଥ୍ୟ ବାହାର କରି ତୁମ୍ଭମାନଙ୍କର ବୈଜ୍ଞାନିକଗଣ ଧନ୍ୟ-। ତୁମ୍ଭମାନଙ୍କର ଅନେକ ନାମଜାଦା ଲେଖକ ଏହି ବିଷୟରେ ଗପ ଲେଖି ନିଜର ଅନନ୍ୟତା ସାବ୍ୟସ୍ତ କରୁଛନ୍ତି, ଆଉ ତୁମ୍ଭେମାନେ ତାଙ୍କୁ ଘେରିଯାଇ ବାହାବା’ ବାହାବା’ କରୁଛ । ତୁମ୍ଭେମାନେ ଭୁଲିଯାଇଛ ଯେ ତୁମର ସେହି ଅନନ୍ୟତା ପ୍ରକୃତ ଅନନ୍ୟତା ନୁହେଁ । ଅସଲରେ ତାହା ହେଉଛି ଆମ୍ଭମାନଙ୍କର ନକଲ । ଆମ୍ଭମାନଙ୍କର ଅର୍ଥାତ୍ ଯାହାକୁ ଦେଖି ତୁମ୍ଭେମାନେ ପଶୁ ବୋଲି କହି ନାକ ଟେକିଥାଅ ସେହିମାନଙ୍କୁ ନକଲ କରି ତୁମ୍ଭମାନଙ୍କର ଏତେ ବାହାଦୁରି । ଟିକିଏ ଆଇଁଷିଆ ଗନ୍ଧ ନ ଥିଲେ ତୁମର କାହାଣୀ ଜମି ଉଠେ ନାହିଁ । ତୁମ୍ଭମାନଙ୍କର ରାମାୟଣ–ମହାଭାରତରେ–ପୁରାଣରେ ଏହି ଆଇଁଷିଆ ଗନ୍ଧ ଅଛି, ସୁତରାଂ ତୁମର ସେଇ ଘୃଣାବ୍ୟଞ୍ଜକ ଦୃଷ୍ଟି ମୋ’ ନିକଟରେ ହାସ୍ୟକର । ତୁମେ ମୋ’ ଅପେକ୍ଷା ଖରାପ । ଗୋଟିଏ କଥା ବିଶ୍ଵାସ କରିବ କି ନାହିଁ ଜାଣେନା-। ମୋ’ ମା’ ସହିତ ସେ ପ୍ରକାର ସମ୍ପର୍କ କେବେହେଲେ ହୋଇ ନାହିଁ । ସେଥିପାଇଁ ମୁଁ ପ୍ରଶଂସା ଦାବୀ କରୁ ନାହିଁ । ହୋଇ ନାହିଁ ତାର କାରଣ ମୁଁ ସେପରି ସୁବିଧା ପାଇ ନାହିଁ । ମୋ’ର ଖୁବ ଶୈଶବ ସମୟରୁ ମୋ’ ଦେହର ଟାଉଁସିଆ ଲୋମ ଏବଂ ଲାଞ୍ଜ ହେତୁ ମୋତେ ମା ପାଖରୁ ଦୂରେଇ ଯିବାକୁ ହୋଇଥିଲା । ପ୍ରଥମେ ସାଇର ଗୋଟିଏ ପିଲା ମୋତେ ରାସ୍ତାରୁ ଟେକି ନେଇ ଘରେ ଖଣ୍ଡିଏ ଦଉଡ଼ିରେ ବାନ୍ଧି ପକାଇଥିଲା । ଦୁଇ ଦିନରୁ ଅବଶ୍ୟ ବେଶି ସେଠାରେ ରହି ନାହିଁ । ନିଜର ଶକ୍ତି ବଳରେ ସେଠାରୁ ଉଦ୍ଧାର ପାଇଥିଲି । ତୁମେ ହୁଏତ ଭାବିପାର, ଗୋଟିଏ ଛୋଟ କୁକୁରଛୁଆର ପୁଣି ଶକ୍ତି କେତେ ଥାଇପାରେ ? ଥିଲା ଭୁକିବାର ଶକ୍ତି । ସେହି ଦୁଇ ଦିନ ମୁଁ ଏପରି ତାର ସ୍ଵରରେ ବିଚିତ୍ର କଦର୍ଯ୍ୟ ଚିତ୍କାର କରିଥିଲି ଯେ ଘରମାଲିକର ଯେପରି ମୁଣ୍ଡ ଖରାପ ହୋଇ ପକ୍ଷାଘାତର ଉପକ୍ରମ ହେଲା । ତା’ର ବ୍ଲଡ଼ପ୍ରେସର ଥିଲା, ଡାକ୍ତର ଆସି କହିଲା, ମୋ’ର ଚିତ୍କାର ଏହାର କାରଣ । ସାଙ୍ଗେ ସାଙ୍ଗେ ଗୋଇଠା ମାରି ମୋତେ ତଡ଼ିଦେଲା ସେହି ଲୋକର ବଡ଼ପୁଅ । ରାସ୍ତାର କୁକୁର ପୁଣି ଯାଇଁ ଠିଆ ହେଲା ରାସ୍ତାରେ । ମା’ କଥା ମନେ ପଡ଼ୁଥିଲା ସିନା, କିନ୍ତୁ ମା’ ପାଖକୁ ଯିବାର ସୁଯୋଗ ଆଉ ପାଇ ନାହିଁ । ଟିକିଏ ପରେ ପୁଣି ଆଉ ଜଣକ ପାଲରେ ପଡ଼ିଲି-। ଜଣେ ନକନକିଆ କଳା ଟୋକା ଆଗେଇ ଆସିଲା ମୋ’ ଆଡ଼କୁ । ଆ...ଆ...ଚୁ...ଚୁ କହି ଚଟ କରି ଧରି ଟେକି ନେଇ ପଳାଇଲା । ଏଣିକି ତେଣିକି ଚାହୁଁ ଥାଏ ସନ୍ତର୍ପଣରେ । ଏ ରାସ୍ତା ସେ ରାସ୍ତା, ଏ ଗଳି ସେ ଗଳି ପାର ହୋଇ ଅବଶେଷରେ ପହଞ୍ଚିଲା ସହରର ଶେଷ ପ୍ରାନ୍ତରେ ଗୋଟିଏ ଭଙ୍ଗା ଆଉ ପୋଡ଼ା ଘରେ ।

“କିଏ ରେ–ଭୂତ, ଆସିଲୁ—”

ନାରୀ କଣ୍ଠରେ କିଏ ଭିତରୁ ଥାଇ ପଚାରିଲା ।

“ହଁ ମା’ ! ଦେଖିଲ କ’ଣ ଆଣିଛି, ଅସଲି ସ୍ପାନିଆଲର ଛୁଆ । ବିକିଲେ ବେଶି ଦାମ ହେବ । ସେ କୁକୁରଟା କାହିଁ ?” “ସେଇଟାକୁ ହରିବାବୁଙ୍କ ପୁଅକୁ ଦେଇଦେଇଛି, ଭାରି ଜିଗର କଲା, ଯେତେ ହେଉ ତାଙ୍କ ଘରେ ଚାକିରି କରିଛି ଯେତେବେଳେ ମନା କରି ପାରିଲି ନାହିଁ ।”

ଭୂତୋର ଚେହେରା କ୍ଷଣକରେ ବଦଳିଗଲା । ମତେ ଅଗଣାରେ କଚାଡ଼ି ଦେଇ ଧାଇଁଗଲା ମା’ ପାଖକୁ । ଧାଇଁ ଯାଇ ତା’ ଚୁଟିକୁ ଧଇଲା ।

“ହାରମଜାଦୀ ! ପର ଧନରେ ସଂକୀର୍ତ୍ତନ କରିବାକୁ ତତେ କିଏ କହିଥିଲା ? ସେଇଟା କି କୁକୁର ଜାଣିଛୁ ? ଅସଲ ଗ୍ରେ ହାଉଣ୍ଡର ଛୁଆ । ଛୁଞ୍ଚିଆ ମୁହଁ, ସରୁ ଲାଞ୍ଜ । ସାହେବ ପଡ଼ାରୁ ଘେନି ଆସିଥିଲି । ତୁ ଏମିତି ଦାନଛତ୍ର ଖୋଲିଦେଲୁ ?”

“ଛାଡ଼ି ଦେ’, ଛାଡ଼ି ଦେ’, ଦଶ ଟଙ୍କା ଦେବାକୁ କହିଛନ୍ତି—”

“ମାତ୍ର ଦଶ ଟଙ୍କା ? ଅନ୍ତତଃପକ୍ଷେ ପଚିଶ ଟଙ୍କାର ମାଲ । ପେଡ଼ିଗ୍ରି ଯୋଗାଡ଼ କରି ପାରିଥିଲେ ଅଢ଼ାଇଶହ ବା ତିନି ଶହ ଟଙ୍କା ମିଳିଥାନ୍ତା । ତାକୁ ଦଶ ଟଙ୍କାରେ ପୁଣି କାଳିରେ ଦେଲୁ–”

ପୁଣି ଥରେ ଟାଣିଦେଲା ଚୁଟି ଧରି । ଭୂତନାଥ ଶେଷରେ କ’ଣ କରିଥାନ୍ତା ତା’ ଜାଣେନା, କିନ୍ତୁ ସେ ସୁଯୋଗ ସେ ପାଇଲା ନାହିଁ ।

“ହେଇ ଭୁତ୍‌ଥୋ ଘରମେ ହୟ—ବାହାର ନିକଲୋ—”

ଭୂତୋ ମା’କୁ ଛାଡ଼ି ଚଟ କରି ଦିଆଲ ଡେଇଁ କରି ବାହାରିଗଲା ।

କନଷ୍ଟେବ୍‌ଲ୍ ଅଗଣାରେ ଆସି ପହଞ୍ଚିଲା ।

“ଭୁତ୍‌ଥ କାହାଁ—”

“ସେ ତ ପହରିଦିନ ମାମୁଁଘରକୁ ଯାଇଛି ।”

“ଠିକାନା ବୋଲୋ ।”

“କାହିଁକି—”

 

“ଆବ ଶଶୁରାଲ ଯାବେ—”

 

ତା’ପରେ କନ୍‌ଷ୍ଟେବଲ କହିଲା ଯେ କ୍ୟାନିଂ ଷ୍ଟ୍ରିଟରେ ଜଣେ ବଡ଼ ଲୋକର ପକେଟମାର ହୋଇଛି, ଲ୍ୟାଂଡ଼ା ବୋଲି ଗୋଟିଏ ପକେଟମାରୁ ଧରା ପଡ଼ିଛି । ସେ କହୁଛି ତା’ ସାଙ୍ଗରେ ଭୁତ୍‌ଥୋ ଥିଲା । ମନିବ୍ୟାଗଟା ଭୁତ୍‌ଥୋ ନେଇଛି । ତା’ପରେ କ’ଣ ହେଲା ମୁଁ ଜାଣେ ନାହିଁ । କାରଣ ଦରଜା ଖୋଲାପାଇ ପୁନର୍ବାର ମୁଁ ରାସ୍ତାକୁ ବାହାରି ପଡ଼ିଲି । ଭାବିଲି, ଏଥର ସ୍ଵାଧୀନତା ଫେରି ପାଇଲି । କିନ୍ତୁ ଭୁଲ ଭାଙ୍ଗିବାକୁ ଡେରି ହେଲା ନାହିଁ ତୁମ୍ଭମାନଙ୍କ ସମାଜରେ ବେୱାରସ ସୁନ୍ଦର ଜିନିଷ ବେଶୀ ସମୟ ରାସ୍ତାରେ ପଡ଼ିରହେ ନାହିଁ । ହୁଏତ କୁକୁର ହେଉ ବା ସ୍ତ୍ରୀଲୋକ, ଘଡ଼ି, ମୁଦି, ଖେଳନା ସେ ଯାହା ହେଉ, ତୁମ୍ଭମାନଙ୍କ ସ୍କୁଲରେ ତୁମେ ପଢ଼–‘ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍’, କିନ୍ତୁ ସ୍କୁଲରୁ ବାହାରି ପର ଦ୍ରବ୍ୟକୁ ହସ୍ତଗତ କରିବା ପାଇଁ ଦୁଇ ହାତ ମେଲାଇ ବାହାରି ପଡ଼ିଥାଅ । କେହି ଲଫଙ୍ଗା ବା ଚୋର ହୋଇ, କେହି ବା ଆଖି ଲାଲ୍ କରି-। ତୁମ୍ଭମାନଙ୍କ ଗୁଣର ଶେଷ ନାହିଁ । କିଛି ଦୂର ଯାଉ ନ ଯାଉଣୁ ଆଉ ଜଣକର ପାଲରେ ପଡ଼ିଲି-। ଆ–ଚୁ–ଚୁ–ଚୁ–କହି ଗୋଟିଏ ସାନ ପିଲା ଆଗେଇ ଆସିଲା । ଖୁବ୍ ସାନ, ଛ’ ସାତ ବର୍ଷରୁ ଅଧିକ ହେବ ନାହିଁ । ପିଲାଟି ମୋତେ ଭାରି ଭଲ ଲାଗିଲା । ମନେ ହେଲା ଯେପରି ମୋ’ ସମବୟସୀ-। ମୁଁ ଲାଞ୍ଜ ହଲାଇ ହଲାଇ ଗଲି । ଭୂତୋ ପରି ସେ ମୋତେ ଚଟ୍ କରି ନ ଧରି ତା’ର ଛୋଟ ହାତଟି ହଲାଇ ହଲାଇ ଡାକିବାକୁ ଲାଗିଲା–“ଆ–ଚୁ–ଚୁ–ଚୁ । ମୁଁ ବି ତା’ ପଛେ ପଛେ ଗଲି-। କିଛି ଦୂର ଗଲା ପରେ ଛୁଆଟା ଟିକିଏ ଧାଇଁଗଲା । ପୁଣି ଫେରିଆସି ପୂର୍ବପରି ଡାକିଲା-। ମୁଁ ଯିବାକୁ ଲାଗିଲି ତା’ ପଛରେ । ମୋତେ ଭୟ ହେଉଥିଲା, କାଳେ ଭୂତୋ ଆସି ପୁଣି ନେଇଯିବ-। କିନ୍ତୁ ଭୂତୋ ଆଉ ଆସି ନାହିଁ, ସେ ଆତ୍ମରକ୍ଷା କରିବାରେ ବ୍ୟସ୍ତ ଥିଲା ବୋଧହୁଏ-। ଛୁଆଟାର ପଛେ ପଛେ ବହୁ ଦୂର ଗଲି । ଶେଷରେ ଗୋଟିଏ ଛୋଟିଆ ଘରେ ପହଞ୍ଚିଲି ।

 

“ମା’, ମା’, ଦେଖ; କେଡ଼େ ସୁନ୍ଦର କୁକୁର ଛୁଆଟିଏ ରାସ୍ତାରୁ ପାଇଲି । ବାଃ ବାଃ କେଡ଼େ ସୁନ୍ଦର !”

 

ଜଣେ ସୁନ୍ଦରୀ ବିଧବା ବାହାରି ଆସିଲେ । ଏପରି ମାତୃମୂର୍ତ୍ତି ଦେଖି ନ ଥିଲି ଜୀବନରେ-। ତୁମେ ବିଶ୍ଵାସ କରିବ କି ନା କେଜାଣି, କିନ୍ତୁ ମୁଁ ଲକ୍ଷ୍ୟ କରିଛି ଯେ ସର୍ବ ଜୀବେ ମାତୃମୂର୍ତ୍ତିର ପ୍ରକାଶ ଏକ ପ୍ରକାର ଓ ସୁନ୍ଦର । ମୋ’ ମା’ ଦୁଃଖ, କଷ୍ଟ, କ୍ଷୁଧାଜ୍ଵାଳାରୁ ମଝିରେ ମଝିରେ ମତେ ସିନା କାମୁଡ଼ିଦିଏ, କିନ୍ତୁ ତା’ ମୁହଁରେ ମାତୃମୂର୍ତ୍ତିର ଯେଉଁ ଅପରୂପ ଛବି ଆଭାସିତ ହୁଏ, ତାହା ପୂର୍ଣ୍ଣ ରୂପେ ଦେଖିଲି ସେଦିନ ସେହି ବିଧବାଙ୍କ ମୁହଁରେ । ମନେ ହେଲା ସେ ଯେପରି ମୋ’ରି ମା’-। ସେ ମୋ’ ଆଡ଼କୁ ଅନାଇ ରହିଲେ । ତାଙ୍କ ଆଖି ଆଉ ମୁହଁରୁ ଯାହା ବିଚ୍ଛୁରିତ ହେବାକୁ ଲାଗିଲା, ମୋ’ର ମନେ ହେଲା ତାହା ଅନବଦ୍ୟ ସ୍ନେହର ପରମ ପ୍ରକାଶ । ମୁଁ ଧାଇଁଯାଇ ତାଙ୍କ ଗୋଡ଼ ପାଖରେ ଲୋଟିପଡ଼ିଲି ।

 

“ଛୁଇଁଦେଲା ରେ ଛୁଇଁଦେଲା, ପୁଣି ଗାଧୋଇବାକୁ ହେବ ଦେଖୁଛି । ଦେଖି ମୁହଁଟି କିପରି—”

 

ମୋତେ କୋଳକୁ ଟେକି ନେଇ ମୁହଁ ପାଖରେ ମୋ’ ମୁହଁକୁ ନିରୀକ୍ଷଣ କଲେ ଭୂରୁ କୁଞ୍ଚିତ କରି । ମୁହଁରୁ ଝରି ପଡ଼ୁଥାଏ ହସର ଢେଉ ।

 

“ଖୁବ ଦୁଷ୍ଟ ବୋଲି ତ ଚେହେରାରୁ ଜଣାପଡ଼ୁଛି । ବାବାରେ, ନିଶ ପାଚିଗଲାଣି ୟା ଭିତରେ—”

 

ଛୁଆଟି କହିଲା, ‘‘ପାଚି ନାହିଁ, ନିଶର ରଙ୍ଗ ସେହିପରି, କଳା ଧଳା କାଞ୍ଚିଆ ରଙ୍ଗ । ତେଣୁ ତା’ର କେତେକ ରୁମ କାଳିଆ, କେତେକ ଧଳା, ସେ ତ ଛୁଆ, ନିଶ ପାଚିବ କିପରି ?

 

ଖିଲି ଖିଲି ହସି ଲୋଟିଗଲା ଛୁଆଟି । ତାହା ମୋତେ ଭାରି ଭଲ ଲାଗିଲା । ସେମାନଙ୍କ କଥା ଏତେ ବଢ଼େଇ କହୁଛି; କାରଣ ସେପରି ଭଲ ଲୋକ ଆଉ ଅଧିକ ଦେଖି ନାହିଁ । ଦୁଇ ଚାରି ଜଣ ବଡ଼ ଲୋକଙ୍କ ସମ୍ପର୍କରେ ଆସିଛି । ସେମାନେ ଧନୀ, ସତରେ ବଡ଼ ଲୋକ ନୁହନ୍ତି-। ତୁମ୍ଭେମାନେ ଧନୀ ଲୋକଙ୍କୁ ବଡ଼ ଲୋକ ଯେ କାହିଁକି କୁହ ମୁଁ ଆଜି ପର୍ଯ୍ୟନ୍ତ ଭାବି ସ୍ଥିର କରିପାରୁ ନାହିଁ । ସତରେ ସେମାନଙ୍କ ହୃଦୟ କ’ଣ ବଡ଼ ? ସତରେ କ’ଣ ସେମାନଙ୍କ ପ୍ରାଣ ବଡ଼-? ନା ନା, ଭୁଲ କହୁଛି । ହଁ, ଜଣେ ଧନୀ ଲୋକ ଦେଖିଥିଲି, ସେ ଠିକ୍ ତୁମ୍ଭମାନଙ୍କର ରାଜା ଜନକଙ୍କ ପରି । ଅନାବୃତ ଦେହ, ଅନାବୃତ ପାଦ । ଶୁଣିଛି ସେ ଲକ୍ଷପତି, ତାଙ୍କର ଦାନ ଅନେକ, ତାଙ୍କ ପୁଅ ଠିକ୍ ବାପର ଓଲଟା, ସେପରି ମୂର୍ତ୍ତିମାନ୍ ସୈତାନ ଖୁବ ବେଶୀ ଦେଖି ନାହିଁ, ମାତାଲ ଓ ଚରିତ୍ରହୀନ, ମଦ ଖାଇଲେ ଆଉ ଗୋଟିଏ ଭୟଙ୍କର ପ୍ରବୃତ୍ତି ଜାଗିଉଠେ ତା’ର ମନରେ । ଜୀବନ୍ତ ପ୍ରାଣୀକୁ ଯନ୍ତ୍ରଣା ଦେଇ ଆନନ୍ଦ ପାଏ । ଶୁଣିଛି ତା’ର ରକ୍ଷିତାମାନଙ୍କୁ ଶାଙ୍କୁଚ ମାଛର ଲାଞ୍ଜରେ ପ୍ରହାର କରେ । ମୁଁ ଯେତେବେଳେ ତା’ ଆଗର ପଡ଼ିଯାଏ ମୋତେ ଭୀଷଣ ନିର୍ଯ୍ୟାତନା ଦିଏ-। ବାନ୍ଧି ପକାଇ ବହୁତ ଥର ବେଦମ ପ୍ରହାର ମଧ୍ୟ ଦେଇଛି । ଭାଗ୍ୟବଶତଃ ତା’ ଚାକରଟା ଚୋର, ତେଣୁ ତା’ ହାତରୁ ରକ୍ଷା ପାଇଲି । ସେ ଚୋରି କରି ମୋତେ ଅନ୍ୟ ଜାଗାରେ ବିକ୍ରି କରିଦେଇଥିଲା-। ମୋ’ର ତାହା ଭାଗ୍ୟ । ନ ହେଲେ ମୁଁ ମରି ଯାଇଥାନ୍ତି । ପୁଣି ସେହି କଥାରେ କଥାରେ ଅନ୍ୟ ପ୍ରସଙ୍ଗରେ ଆସି ପହଞ୍ଚିଗଲି ! ଏଇଟା ମୋ’ର ଗୋଟିଏ ଖରାପ ସ୍ଵଭାବ । ସେହି ବିଧବାଙ୍କ କଥା କହୁଥିଲି । ସେ ମୋତେ ଛୁଇଁଲେ ସ୍ନାନ କରୁଥିଲେ ସିନା, କିନ୍ତୁ ଖୁବ୍ ଭଲ ପାଉଥିଲେ । ଗୋଟିଏ ଅଦୃଶ୍ୟ ଆଶୀର୍ବାଦ ପରି ତାହା ମୋ’ର ସମୁଦାୟ ମନକୁ ମୁଗ୍‌ଧ କରି ରଖିଥିଲା । ଗୋଟିଏ ଆଶ୍ଚର୍ଯ୍ୟ କଥା ଶୁଣିବେ ? ତାଙ୍କ ଘରେ ତ ମାଛ ମାଂସ ନିଷେଧ, ମୋତେ ମଧ୍ୟ ନିରାମିଷ ଖାଦ୍ୟ ଖାଇବାକୁ ଦିଅନ୍ତି । ମୋତେ ଦୁଧ, କଦଳୀ ଗୋଳାଇ ଭାତ ଦିଅନ୍ତି । ତାଙ୍କରି ପାଖରୁ ମୁଁ ସବୁ ପ୍ରକାର ଫଳମୂଳ ଖାଇବା ଶିଖିଥିଲି । ଏପରି କି ଭେଦା ସୋଲା ଓ ଗୁଡ଼ ମଧ୍ୟ ଖାଏ । ଖାଇବାକୁ ଭଲ ଲାଗେ, ଅକୃତ୍ରିମ ଭଲ ପାଇବା ପରିବେଶରେ ସବୁ ଭଲ ଲାଗେ; କିନ୍ତୁ ଏତେ ସୁଖ ମୋ’ କପାଳରେ ନଥିଲା । ଗୋଟିଏ ରାତିରେ ଏପରି ଅପ୍ରତ୍ୟାଶିତ କାଣ୍ଡ ଘଟିଲା, ଯାହା ମଣିଷସମାଜରେ ହିଁ ଘଟିବା ସମ୍ଭବ । ଯାହା ମଣିଷସମାଜରେ ସଦାସର୍ବଦା ଘଟିଥାଏ, ଯେଉଁ ଖବର ତୁମେ ଖବର କାଗଜରୁ ପଢ଼ି ନକଲି ଉତ୍କଣ୍ଠା ସହକାରେ ସମବେଦନା ପ୍ରକାଶ କରିଥାଅ, ଯାହା ତୁମର ବାରେହି ନ୍ୟାୟ କରିବା ପାଇଁ ଉପାଦାନ ସରବରାହ କରେ; କିନ୍ତୁ ତାହା ତୁମ୍ଭମାନଙ୍କୁ କେବେ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରେ ନାହିଁ । ରାତିରେ ବାରଣ୍ଡା କୋଣରେ କୁଙ୍କୁରି କାଙ୍କିରି ହୋଇ ଶୋଇଥିଲି । ଆଖି ବୁଜିଥିଲି ମାତ୍ର ଉତ୍କର୍ଣ୍ଣ ହୋଇଥିଲି ପାଖ ଘରୁ ଘଡ଼ିର ଶବ୍ଦ ଶୁଣିବା ପାଇଁ-। ପାଖ ଘରେ ଗୋଟିଏ ଘଡ଼ି ଥିଲା । ସେଥିରେ ନାନାପ୍ରକାର ବାଜଣା ବାଜେ, ମୋତେ ତାହା ଶୁଣିବା ପାଇଁ ଭଲ ଲାଗେ । ମନେହୁଏ ସେହି ଶବ୍ଦ ଯେପରି ଅଜଣା ରାଇଜରୁ ମୋତେ ଡାକୁଛି-। ସେହି ଜଳତରଙ୍ଗ ବାଦ୍ୟ ଶୁଣିଲେ ମୋ’ର ମନ ଆକୁଳ ହୋଇଉଠେ । ସେଦିନ ସେହି ବାଦ୍ୟ ପ୍ରତ୍ୟାଖ୍ୟା କରିଥିଲି, କିନ୍ତୁ ବାଦ୍ୟ ପରିବର୍ତ୍ତେ ଆସିଲା ବଜ୍ର । ଗୋଟିଏ ମୋଟରକାର ରହିବାର ଶବ୍ଦ ହେଲା । ତା’ପରେ କିଏ ଯେପରି ଦୁଆରେ କଡ଼ା ଖଡ଼ ଖଡ଼ କଲା । ଅନେକ ରାତି ସେତେବେଳେ-। ପାଖ ଘର ଘଡ଼ିରେ ଦୁଇଟା ବାଜିଲା । କଡ଼ା ଖଡ଼ ଖଡ଼ ଶବ୍ଦରେ ବିଧବାର ନିଦ ଭାଙ୍ଗିଗଲା, ମୁଁ ମଧ୍ୟ ଭୋ ଭୋ କରି ଭୁକି ଉଠିଲି ।

 

“କିଏ

 

“ତାର ହେୟ—”

 

କିଏ ଜଣେ ପୁରୁଷ କଣ୍ଠରେ କହିଲା ବାହାରୁ । କବାଟ ଖୋଲି ଦେବାରୁ ଟେଲିଗ୍ରାଫ ପିଅନ କିନ୍ତୁ ପଶିଲା ନାହିଁ । ବଦଳରେ ଗୁଣ୍ଡାଦଳ । ସେମାନେ ଆସି ମୁହଁରେ ଲୁଗା ବିଣ୍ଡା ଦେଇ ଟାଣି ଟାଣି ନେଇଗଲେ ଘର ଭିତରକୁ । ତାହାପରେ ଯାହା ଘଟିଲା ତାହା ଭଦ୍ରଭାଷାରେ ବର୍ଣ୍ଣନା କରା ଯାଇ ପାରିବ ନାହିଁ । ତା’ର ଛୁଆଟା ଚିତ୍କାର କରି ଉଠିଲା, କିନ୍ତୁ ତାହା ଥରେ ମାତ୍ର । ଶାଣିତ ଛୁରିକାଘାତରେ ତା’ର ପର ମୁହୂର୍ତ୍ତରେ ସ୍ତବ୍‌ଧ ହୋଇଗଲା ବିଚରା, ସମ୍ଭବତଃ ଚିରଦିନ ଲାଗି । କିଛି ସମୟ ପରେ ବିଧବାର ଅର୍ଦ୍ଧନଗ୍ନ ଦେହ ଟାଣି ଟାଣି ବାହାରକୁ ନେଇଗଲେ । ମୁଁ ମଧ୍ୟ ପଛେ ପଛେ ଗଲି । ଦେଖିଲି, ବାହାରେ ଗୋଟିଏ ବଡ଼ ମୋଟର ଥୁଆ ହୋଇଛି । ସେଥିରେ ତାକୁ ଉଠାଇନେଲେ । ମୋଟର ଚାଲିଗଲା, ମୁଁ କିଛି ସମୟ ଅବାକ୍ ହୋଇ ଚାହିଁରହିଲି । ଆମ୍ଭମାନଙ୍କୁ ତୁମ୍ଭେମାନେ ପଶୁ କୁହ । ଆମକୁ ଦେଖି ତୁମେ ଘୃଣା ବା ଅନୁକମ୍ପା ପ୍ରକାଶ କରିବାରେ ଅଭ୍ୟସ୍ତ; କିନ୍ତୁ ଏପରି ବୀଭତ୍ସ କାଣ୍ଡ ଆମ ସମାଜରେ ହୁଏ ନାହିଁ, ହୁଏ ତୁମରି ସଭ୍ୟ ସମାଜରେ ।

 

ମୋ’ର ଇଚ୍ଛା ହେଉଥିଲା ଘର ଭିତରକୁ ଯାଇଁ ଛୁଆଟି କିପରି ଅଛି ଥରେ ଦେଖି ଆସିବି ! କିନ୍ତୁ ସେହି ଶୋଚନୀୟ ଦୃଶ୍ୟ ଦେଖିବା ପାଇଁ ପ୍ରବୃତ୍ତି ହେଲା ନାହିଁ । ମୁଁ ଜାଣିଥିଲି ସେ ଆଉ ବଞ୍ଚି ନାହିଁ । ତା’ର ଜୀବନ୍ତ ସ୍ମୃତି ମୋ’ ଆଖିରେ ନାଚୁ ଥିଲା । ସେହି ସ୍ମୃତିକୁ ସମ୍ବଳ କରି ମୁଁ ସେଠାରୁ ପଳାଇଗଲି । ମୋ’ର ଜୀବନୀ ବିପୁଳ ଓ ଘୃଣ୍ୟ । ତାହାସବୁ କହିବସିଲେ ଆଉ ଗୋଟିଏ ମହାଭାରତ ହୋଇଯିବ । ଆଉ ସେ କାହାଣୀସବୁ ଏକାପରି କୁକୁର ଉପରେ ମଣିଷର ଅବିଚାର–ଅତ୍ୟାଚାରର କଥା ମଝିରେ ମଝିରେ ଟିକିଏ ଅଧେ ପାର୍ଥକ୍ୟ ଓ ବିଶେଷତ୍ଵ ଅବଶ୍ୟ ଅଛି ସିନା, କିନ୍ତୁ ସାଧାରଣ କଥାଟା ଏହିପରି । ଅବଶ୍ୟ ମୋ’ର ସବୁ କଥାକୁ ଯଦି ଟିପି ନେଇପାରନ୍ତି, ତାହାହେଲେ ତୁମର ସୁବିଧା ହୁଅନ୍ତା । ବଡ଼ ଆକାର ବହି ବଜାରକୁ ବାହାର କରିପାରିଲେ ତୁମର ବେଶି ନାମ ହୁଏ । ଟଙ୍କା ହୁଏ ନା କ’ଣ । ଅଳାଇଚ, ଅଙ୍ଗୁର, ଆପେଲ ଛାଡ଼ି ତୁମର ପାଠକ–ପାଠିକା ଲାଉ, କଖାରୁର ବୃହଦାକୃତି ଦେଖି ବେଶୀ ମୁଗ୍‌ଧ ହୁଅନ୍ତି ବୋଧହୁଏ । ତେବେ ବି ମୁଁ ମୋ’ର ସମସ୍ତ କଥା ତୁମକୁ କହିବି ନାହିଁ । ତୁମେ ସ୍ୱୀକାର କରିବ କି ନାହିଁ କେଜାଣି, ମୁଁ ଜଣେ ଶିଳ୍ପୀ ବୋଲି । ମୁଁ ମୋ’ର ଶିଳ୍ପ କର୍ମକୁ ବଜାରରେ ପଣ୍ୟ କରି ନାହିଁ, ତେଣୁ ତୁମଠାରୁ ମୁଁ ବଡ଼ ଶିଳ୍ପୀ-। ହୁଏତ ତୁମେ କହିପାରୁ ମୋ’ର ଶିଳ୍ପ କର୍ମକୁ ପଣ୍ୟ କରିବାର ଶକ୍ତି ମୋର ନାହିଁ, ମୁଁ ଲେଖିପାରେ ନାହିଁ, କିନ୍ତୁ ତୁମ୍ଭମାନଙ୍କ ଭିତରେ ଥିବା ସବୁ ଶିଳ୍ପୀ କ’ଣ ଲେଖିପାରନ୍ତି ? ଅନେକ ବଡ଼ ବଡ଼ ଲେଖକଙ୍କ ଲେଖା ନକଲ କରନ୍ତି । ତୁମେ ଯେପରି ବର୍ତ୍ତମାନ ମୋ’ କଥା ଅନୁସରଣ କରୁଛ, କିନ୍ତୁ ମୋ’ର ସେ ପ୍ରବୃତ୍ତି ନାହିଁ । ରସିକର ଦେଖା ପାଇ ନାହିଁ । ସମସ୍ତେ ସବ୍‌ଜାନତା କବନ୍ଧ (ମୁଣ୍ଡହୀନ ଶରୀର), କ’ଣ ମିଳିବ ତାଙ୍କ ପାଖରେ ରସ ପରିବେଷଣ କରି ? ଦେଖ, ଯେଉଁ କଥା କହିବାକୁ ଯାଉଥିଲି ତାହା ଭୁଲିଗଲିଣି । ବାରମ୍ବାର ଅନ୍ୟ କଥାକୁ ଚାଲିଯାଉଛି । ମୋ’ ମା’ଙ୍କ କଥା ଆଗେ କହେଁ । ମୁଁ ସେତେବେଳେ ରାଖାଲ କଂସେଇର ଦୋକାନ ଆଗରେ ଧାରଣା ଦେଇ ବସିଥିଲି ଖଣ୍ଡେ ଅଧେ ହାଡ଼ କାଳେ ମିଳିଯିବ । ପାଖରେ ହାଡ଼କଟା ଗଳି, ସେଇଠି ଥିଲା ‘ମରବିଛୁଁଡ଼ି’-। ତା’ର ପ୍ରକୃତ ନାଁ କ’ଣ ମୁଁ ଜାଣେ ନାହିଁ । ସମସ୍ତେ ତାକୁ ଏହି ନାଁରେ ଡାକୁଥିଲେ । ଦୁଇ ତିନି ଘଣ୍ଟା ଅନ୍ତରରେ ତା’ ପାଖକୁ ଲୋକ ଆସନ୍ତି, ତୁମରି ସଭ୍ୟ ସମାଜର ଲୋକସବୁ । ମୁଁ ରାତିରେ ମରିବିଛୁଁଡ଼ି ଘରକୁ ଶୋଇବାକୁ ଯାଉଥିଲି । ସେଠାରେ କାମୁକ ମାତାଲ ବାବୁମାନଙ୍କ କୃପାରୁ ଖଣ୍ଡେ ଅଧେ ମାଂସ ବା ମାଂସଲଗା ହାଡ଼ ଫାଡ଼ ଜୁଟିଯାଏ ମୋ କପାଳକୁ । ରାଖାଲ କଂସେଇ ମଧ୍ୟ ମରବିଛୁଁଡ଼ିର ବାବୁ ଥିଲା । କେହି କେହି କହନ୍ତି ତା’ ବ୍ୟବସାୟର ଅଂଶୀଦାର ଥିଲା-। ମୋଟ କଥା, ସେ ପ୍ରତିଦିନ ତା’ ପାଖକୁ ଯାଏ । ତୁମ ଭୁରୁ କୁଞ୍ଚିତ ହେଲା କାହିଁକି ? ରାଖାଲ ନାଁ ଶୁଣି ? ହଁ ହେ, ସେ ହିନ୍ଦୁ ଥିଲା, ଖାଲି ହିନ୍ଦୁ ନୁହେଁ, ହିନ୍ଦୁ ବ୍ରାହ୍ମଣ, ଚକ୍ରବର୍ତ୍ତୀ ଉପାଧି । ଏତିକିବେଳ ହେବ, ଦିନେ ରାସ୍ତାକୁ ବାହାରୁଛି—ଟମ ମୋଟର ଚାପା ପଡ଼ୁ ପଡ଼ୁ କୌଣସି ମତେ ବଞ୍ଚିଯାଇ ଧାଇଁ ଆସିଲା ମୋ’ ପାଖକୁ । ଟମଥିଲା ମୋ’ର ବାଲ୍ୟବନ୍ଧୁ । ତା' ମା’ ମୋ’ ମା’ ଦୁଇ ସହୋଦରା ଭଉଣୀ, ଦେଖା ହେଲେ ଦି’ଜଣ ଝଗଡ଼ା, କାମୁଡ଼ା କାମୁଡ଼ି ଆରମ୍ଭ କରିଦିଅନ୍ତି । ବୋଧହୁଏ ମା’ର ତା’ଠାରୁ ବଡ଼ ଶତ୍ରୁ କେହି ନାହିଁ, କିନ୍ତୁ ତା’ରି ଛୁଆ ଟମ ସହିତ ମୋ’ର ଭାରି ଭାବ ହୋଇଥିଲା-। ଟମ ଥିଲା ବିଶେଷ ବିନୟୀ । ମୋ’ପାଖକୁ ଆସିଲା ମାତ୍ରେ ବେକ ନଇଁ ଦେଇ ଲାଞ୍ଜଟା ଦୁଇ ଗୋଡ଼ ସନ୍ଧିରେ ଭରି ଏପରି ଗୋଟିଏ ଭଙ୍ଗୀ କରିବ ଯେ ଭଲ ନ ପାଇବାର ଉପାୟ ନ ଥିବ-। ତୁମେ ହୁଏତ କହିବ ବିନୟୀ ନୁହେଁ ଡରୁଆ, କିନ୍ତୁ ତା’ର ସେହି ଡରୁଆ ଡରୁଆ ସ୍ଵଭାବ ମତେ ଭଲ ଲାଗେ । ତୁମ୍ଭମାନଙ୍କର ଅଫିସ୍‌ର ବଡ଼ବାବୁମାନେ ଯେପରି ହାତ ଯୋଡ଼ିଥିବା ହେଁ ହେଁ କରୁଥିବା ଖୋସାମତିଆ କିରାଣୀଙ୍କୁ ଦେଖି ଗଦ୍ ଗଦ୍ ହୁଅନ୍ତି, ମୁଁ ଟମକୁ ଦେଖି ସେହିପରି ହୁଏ-। କିରାଣୀମାନଙ୍କଠାରୁ ଟମର ଗୋଟିଏ ପାର୍ଥକ୍ୟ ଥିଲା, କିରାଣୀମାନେ ପଛ ଆଡ଼େ ବଡ଼ବାବୁମାନଙ୍କୁ ଗାଳି ଦିଅନ୍ତି, କିନ୍ତୁ ଟମ କେବେ ଯେ ପଛ ଆଡ଼େ ଗାଳି ଦେଇଛି ବା ମୋ’ର କେରିକେଚର କରି ହସାହସି କରିଛି, ଏ କଥା ମୁଁ କଳ୍ପନାଇ କରିପାରିବି ନାହିଁ । ଭଣ୍ଡାମୀ ହେଉଛି ମଣିଷର ଏକଚାଟିଆ-। ଟମ ସାଥିରେ ଅନେକ ଦିନ ପରେ ଦେଖା ହେଲା । କୁକୁର ଭାଷାରେ ସେ ଆସି କହିଲା, ତୋ’ ମା’ ଟିକିଏ ଆଗରୁ ବାଓ ବଜାରରେ ମୋଟର ଚାପା ପଡ଼ି ମରିଯାଇଛି । ଯଦି ଶେଷ ଦେଖା କରିବାକୁ ଚାହୁଁ, ବର୍ତ୍ତମାନ ଗୋଡ଼େ ଗୋଡ଼େ ଚାଲିଯା ! ସମ୍ବାଦଟି ଶୁଣି ସ୍ତମ୍ଭିତ ହୋଇଗଲି-। କିଛି ସମୟ ଖୁବ୍ ଶୋକବିହ୍ଵଳ ଯେ ହୋଇପଡ଼ିଲି ତାହା କହିପାରିବି ନାହିଁ ଅବଶ୍ୟ-। ତେବେ କିଛି ସମୟ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଲି । ମା’ର ବହୁଦିନୁ ଦେଖା ମୁହଁ ମନେ ପଡ଼ିଲା-। କ୍ଷୁଧାଜ୍ଵାଳାରେ ନାନା ଦୁଃଖ କଷ୍ଟରେ ସେ ମୁହଁ ମଝିରେ ମଝିରେ ସତରେ ବୀଭତ୍ସ ହୋଇଯାଏ-। ତେବେ ବି ତାହା ମା’ର ମୁହଁ । ଏଇ ମୁହଁର ପ୍ରତିଚ୍ଛବି ଦେଖିଥିଲି ସେହି ବିଧବାଙ୍କର ମୁହଁରେ । ସେ ମୁହଁ ମଧ୍ୟ ଦେଖି ପାରିବି ନାହିଁ । ତୁମର ଏହି ଭେଜାଲସର୍ବସ୍ଵ ସଭ୍ୟତାରେ କୌଣସି ବିଶୁଦ୍ଧ ଜିନିଷ ବେଶି ସମୟ ଟେକିପାରେ ନାହିଁ । ହୁଏତ ସେଥିରେ ତୁମ୍ଭେମାନେ ଭେଜାଲ ମିଶାଇ ଖରାପ କରିଦିଅ, ନ ହେଲେ ନଷ୍ଟକରି ଦେଇଥାଅ । ମୋ’ ଦୁର୍ଭାଗ୍ୟ ଯେ ଏହିପରି ମାନବସମାଜରେ ମୋତେ ବାସ କରିବାକୁ ହୁଏ । ଆହୁରି ଆଶ୍ଚର୍ଯ୍ୟ ଯେ, ଏହି ମାନବସମାଜରେ ବାସକରେ କେଉଁଟା ଭଲ, କେଉଁଟା ମନ୍ଦ, କେଉଁଟା ଆଲୋକ, କେଉଁଟା ଅନ୍ଧକାର ତାହା ଚିହ୍ନିବାକୁ ମଧ୍ୟ ଶିଖିଛି-। ଏହିସବୁ କଥା ହୁଏତ ମନେ ପଡ଼ିଥିଲା ସେତେବେଳେ; ଠିକ ମନେ ନାହିଁ-। କିଛି କ୍ଷଣ ଚୁପଚାପ ଠିଆ ହୋଇ ଅବଶେଷରେ ବହୁବଜାର ଆଡ଼େ ଚାଲିଲି । ବହୁବଜାର ବହୁତ ରାସ୍ତା, ବହୁ ଲୋକଭିଡ଼ । ସମସ୍ତେ ନିଜ କାମରେ, ନିଜ ଧନ୍ଦାରେ ଛୁଟି ଚାଲିଛନ୍ତି । ମୋଟର ମଧ୍ୟ ଅନେକ-। ଏହାରି ଭିତରେ ମୋ’ ମା’ର ମୃତ ଦେହଟା କେଉଁଠି ପଡ଼ିଛି, କିପରି ମୁଁ ତାହା ଜାଣିବି, ଏହା ଭାବି ମୁଁ ଟିକିଏ ବିଭ୍ରାନ୍ତ ହୋଇଗଲି । କିନ୍ତୁ ଅଟକି ନାହିଁ, ଚାଲିବାକୁ ଲାଗିଥାଏ । ରାସ୍ତା ଶେଷ ହେଲା ତଥାପି, ଦେଖିବାକୁ ପାଇଲି ନାହିଁ । ପୁଣି ଫେରିଲି, କିଛି ବାଟ ଗଲା ପରେ ତୁମର ସେହି ସର୍କୁଲାର ରୋଡ଼ ପାଖରେ ଆସି ଦେଖିବାକୁ ପାଇଲି, ଫୁଟପାଥ ପାଖରେ ଗୋଟିଏ କୁକୁର ପଡ଼ିଛି-। ପାଖକୁ ଗଲି, ଚିହ୍ନି ପାରିଲି ମା’କୁ । ମା ସେତେବେଳକୁ ମରି ନାହିଁ । କଙ୍କାଳ ଉପରେ ଗାଡ଼ିଚକଟା ଚଢ଼ିଯାଇଥିଲା, କମର ଭଙ୍ଗି ଯାଇଥାଏ । ରାସ୍ତାର ମଇଳା ଉପରେ ରକ୍ତାକ୍ତ ଦେହରେ ଶୋଇ ମା’ ଏଣିକି ତେଣିକି ଟାଣି ଘୋଷାରି ହେଉଛି । ମୋତେ ଦେଖି କାନ୍ଦି ଉଠିଲା ଥରେ-। ମୁଁ ବର୍ତ୍ତମାନ ସୁଦ୍ଧା ମନ ମଧ୍ୟରେ ଗୋଟିଏ କ୍ଷୀଣ ଅହଙ୍କାର ପୋଷଣ କରିଛି ଯେ ମା’ର ଶେଷ ସମୟରେ ମଧ୍ୟ ପୁଅକୁ ଦେଖି ହୁଏତ ଖୁସି ହୋଇଥିଲା । କିନ୍ତୁ ଆଖି ବା ଚାହାଁଣୀରେ ସେ ଖୁସିର ଆଭାସ ମୁଁ ପାଇ ନାହିଁ । ମା’ ଯେ ମୋତେ ଚିହ୍ନି ପାରିଥିଲା ମୁଁ ଏହା ତା ଚାହାଁଣୀରୁ ବି ବୁଝି ପାରି ନାହିଁ । ମା’ର ଯନ୍ତ୍ରଣାକାତର ଦୃଷ୍ଟି ଅନିବାର୍ଯ୍ୟ ମରଣକୁ ଆଖି ଆଗରେ ଦେଖୁଥିଲା, ମୋତେ ନୁହେଁ-। ଯୁକ୍ତି ସାହାଯ୍ୟରେ ଚିନ୍ତାକଲେ ଏଇ କଥା ମନେହୁଏ । ମୁଁ କିନ୍ତୁ ଯୁକ୍ତିବାଦିତାକୁ ପ୍ରଶୟ ଦିଏ ନାହିଁ-। ତେଣୁ କଳ୍ପନା କରୁଛି, ମା’ ମୋତେ ଦେଖି ଖୁସି ହୋଇଥିଲା । ତୁମେ ତୁମ ବାପାଙ୍କୁ ଶେଷ ଦେଖା କରିପାରି ନାହିଁ ବୋଲି ଦୁଃଖ କରୁଥିଲ, କିନ୍ତୁ ମୋ’ର ମନେହୁଏ ଯଦି ମା’ର ଶେଷ ସମୟରେ ମୁଁ ଉପସ୍ଥିତ ନ ହୋଇଥାନ୍ତି ତେବେ ଭଲ ହୋଇଥାନ୍ତା । ଦେଖିଲି, କେବଳ ମା’ର ଚଳଚ୍ଛକ୍ତିହୀନ ଅସହାୟ ଅବସ୍ଥା ଏବଂ ଚାରିଆଡ଼େ ଉଦାସୀନ ଜନସ୍ରୋତ । କେବଳ ଗୋଟିଏ ହାଫଫ୍ୟାଣ୍ଟ ପିନ୍ଧା ପିଲା ମା’ ପାଖରେ ଠିଆ ହୋଇ ଦେଖୁଥିଲା । ବୋଧହୁଏ ମଜା ଦେଖୁଥିଲା; କାରଣ ତା’ଚାହାଁଣୀରୁ ଯାହା ଉପୁଚି ପଡ଼ୁଥିଲା ତାହା କରୁଣା ବା ଅନୁକମ୍ପା ନୁହେଁ, ତାହା ହେଉଛି କୌତୁକ-। ଆଉ ଜଣେ ଅପେକ୍ଷାକୃତ ବଡ଼ ପିଲା ଆସି ଠିଆ ହେଲା, ଛୋଟ ପିଲାଟା ପଚାରିଲା, “ହାବୁଭାଇ, କୁକୁରଟା ମୋଟର ଚାପାପଡ଼ିଛି ଦେଖିଛ ? କିଭଳି ଆଶ୍ଚର୍ଯ୍ୟ ଭାବରେ ଆଗ ଗୋଡ଼ ଦୁଇଟି ଟେକି ଉଠିବ ବୋଲି ଚେଷ୍ଟା କରୁଛି ଦେଖ । ସର୍କସକୁ ଗଲେ ଏ କୁକୁର ନାଁ କରନ୍ତା-। ଦେଖ ଦେଖ, କିପରି ଗଣ୍ଡିଟାକୁ ବଙ୍କାଉଛି—”

 

ହାବୁ ଭାଇ ସାବଧାନୀ ଲୋକ । କହିଲା, “ପାଖକୁ ଯା’ନାରେ, କାମୁଡ଼ି ଦେବ । ଏଇ କୁକୁରଗୁଡ଼ାକ ଏକ ପ୍ରକାର ନୁଇସେନ୍‌ସ ହେଲେଣି । ମୁଁ କର୍ପୋରେସନକୁ ଫୋନ କରୁଛି । ଏଟାକୁ ଉଠେଇ ନିଅନ୍ତୁ । କର୍ପୋରେସନ ଆଜିକାଲ ୱାର୍ଥଲେସ୍ ହୋଇଗଲାଣି.....” ।

 

କିନ୍ତୁ ଦେଖାଗଲା, ହାବୁ ଭାଇ କର୍ପୋରେସନକୁ ଯେତେ ୱାର୍ଥଲେସ୍ ବୋଲି ମନେ କରିଥିଲା ତାହା ତେତେ ନୁହେଁ । ପ୍ରାୟ ସଙ୍ଗେ ସଙ୍ଗେ ଆସି ଦୁଇ ଜଣ ଯମ ଦୂତାକୃତି ହାଡ଼ି ପହଞ୍ଚିଗଲେ । ତାଙ୍କ ହାତରେ ମୋଟା ମୋଟା ବାଉଁଶ ।

 

“ଆରେ, ଏଟାତ ଏତେବେଳ ଯାକେ ମରି ନାହିଁ, ଏକୁତ ଓହଳେଇ ନେଇ ହେବ ନାହିଁ-।”

 

“ସାବାଡ଼ କରିଦେ’ ମ ।”

 

ଢୋ’ କରି ଗୋଟିଏ ବାଉଁଶ ଠେଙ୍ଗା ପଡ଼ିଲା ମା’ ମୁଣ୍ଡରେ । ମା’ ଆର୍ତ୍ତନାଦ କରିଉଠିଲା-। ତା’ପରେ ଆଉ ଗୋଟିଏ ପାହାର, ମୁଣ୍ଡ ଫାଟିଗଲା, ଗୋଟିଏ ଆଖି ଛିଟିକ ବାହାରି ପଡ଼ିଲା-। ମା’କୁ ବୋହିନେବାରେ ଆଉ ଅସୁବିଧା ରହିଲା ନାହିଁ । ମୁଁ ଭାବିଥିଲି, ମା’ର ଗୋଡ଼ଗୁଡ଼ିକ ବାନ୍ଧି ବାଉଁଶ ଗଳାଇ କାନ୍ଧେଇ ନେବେ, ଗୋଟିଏ ମଲା ଗୋରୁକୁ ସେପରି ନେଉଥିବାର ଦେଖିଥିଲି-। କିନ୍ତୁ ଦେଖିଲି, ସେମାନେ ଏତେ ପରିଶ୍ରମ କରିବାକୁ ରାଜି ନୁହନ୍ତି; ସେମାନେ ମା’ର ଗୋଡ଼ ଧରି ଘୋଷାରି ଘୋଷାରି ନେଲେ । ମୋ’ର ଆତ୍ମସମ୍ମାନରେ ହଠାତ୍ ବାଧା ଲାଗିଲା । ତୁମେ ହସୁଛ ପ୍ରାୟ, ଭାବୁଛ ରାସ୍ତାର ଗୋଟାଏ ଖେଙ୍କୀ କୁକୁରର ପୁଣି ଆତ୍ମସମ୍ମାନ ଥାଏ ! ତୁମେ ହଜାରେ ବର୍ଷ ଧରି ବିଭିନ୍ନ ବୈଦେଶିକଙ୍କର, ଶାସ୍ତ୍ରର, ଅଦ୍ଭୁତ ବିଚିତ୍ର ସମାଜର ମୁଥି ଖାଇ ଖାଇ ଯଦି ଆତ୍ମସମ୍ମାନର ବଡ଼େଇ କରିପାର, ତା’ହେଲେ ମୁଁ ପାରିବି ନାହିଁ କାହିଁକି ? ଆମ୍ଭମାନଙ୍କର ଆତ୍ମସମ୍ମାନ ତୁମ୍ଭମାନଙ୍କଠାରୁ ତୀକ୍ଷ୍‌ଣ, ଯଦିଓ ତୁମ୍ଭମାନଙ୍କ ପରି ସରବ ନୁହେଁ । ବିଶ୍ଵାସ କର, ମୁଁ ଭୋ-ଭୋ-କରି ହାଡ଼ିମାନଙ୍କ ଆଡ଼କୁ ଖେଦିଗଲି । ମୋ’ ହାତରେ ଅବଶ୍ୟ ପିସ୍ତଲ ଥିଲା ନାହିଁ, ତୁମ୍ଭମାନଙ୍କର ଶହୀଦ ପରି ମୁଁ ମଧ୍ୟ ଶହୀଦ ହୋଇଥାନ୍ତି, ଦେଶମାତୃକା ଅପମାନରେ କ୍ଷୁବ୍‌ଧ ହୋଇ ସେମାନଙ୍କର ମନୋଭାବ ଯାହା ହେଉଥିଲା, ମୋ’ ମା’ର ଅପମାନ ଦେଖି ତା’ଠାରୁ କମ୍‌ ହୋଇ ନ ଥିଲା । ମୁଁ ଭୋ-ଭୋ-କରି ଖେଦିଯିବାରୁ ଜଣେ ହାଡ଼ି କହିଲା, “ଆ–ଏଟାକୁ ବି ଶେଷ କରିଦେବା” କହି ସେ ବାଉଁଶ ନେଇ ଧାଇଁ ଆସିଲା ମୋ’ ଆଡ଼େ, ତୁମ୍ଭମାନଙ୍କର ଶହୀଦ ଯାହା କରିଥିଲେ ମୁଁ ମଧ୍ୟ ସେଇଆ କଲି ଗୋଟିଏ ଗଳି ଭିତରେ ପଶିଯାଇ, ଆତ୍ମରକ୍ଷା ଶ୍ରେଷ୍ଠ ଧର୍ମ । ତୁମ ଶାସ୍ତ୍ର କହୁଛି, ଏଗଳି ସେଗଳି ଦେଇ ଆସି ଶେଷରେ ଗୋଟିଏ ବୁଢ଼ୀର ଆଶ୍ରୟରେ ପହଞ୍ଚିଲି । ସେ ପ୍ରଥମେ ଆଶ୍ରୟ ଦେଉ ନ ଥିଲା, ଗୋଟିଏ ଝଟା ନେଇ ପ୍ରଥମେ ଦୂର୍ ଦୂର୍ କରି ତଡ଼ୁଥିଲା, କିନ୍ତୁ ମୁଁ ଗୋଡ଼ତଳେ ଆତ୍ମ ସମର୍ପଣ କରି ଶୋଇଗଲି-। ଦୁଇ ତିନି ପାହାର ଖାଇ ମଧ୍ୟ ପଡ଼ିରହିଲି । ବୁଢ଼ୀ ସେଇଠୁ କହିଲା—“ଲୋ ସାବୀ, ପୋଡ଼ାମୁହାଁ କୁକୁରକୁ ଦେଖିବୁ ଆ, ପାହାର ଖାଇକରି ବି ଉଠୁ ନାହିଁ, କ’ଣ କରିବି କହ ତ, ତୁ ବାହାରି ଆସିଲୁ-। ଏତେବେଳୁ କି ଭାବନା କରୁଛୁ ଲୋ; ନଗେନ୍ ତ ସଞ୍ଜବେଳକୁ ଆସିବ–—

 

“ଆହା ମୁଁ ଭାବୁଥିବି ତ ! ମୁଣ୍ଡ କୁଣ୍ଡାଉଛି ପରା, ସେଇଥିପାଇଁ ।” ବାଁ ହାତରେ ଗୋଟିଏ ଛୋଟ ଆଇନା ଧରି ଡାହାଣ ହାତରେ ଘନକୁଞ୍ଚିତ କେଶରେ ପାନିଆ ଚଳାଉ ଚଳାଉ ଘରଭିତରୁ ବାହାରିଆସିଲା ସାବୀ, ଆଖି ଆଉ ମୁହଁରେ ଚାପା ହସର ଅପରୂପ ଶୋଭା । ପିନ୍ଧିଛି କମଳା ରଙ୍ଗର ଗୋଟିଏ ଶସ୍ତା ଶାଢ଼ି । ବୁଢ଼ୀର ଯୁବତୀ ନାତୁଣୀ ସାବୀ ପ୍ରକୃତରେ ସୁନ୍ଦରୀ । ରଙ୍ଗ ବିଶେଷ ସଫା ନୁହେଁ । ଟିକିନିଖି ଧରି ଦେଖିଲେ ନାକ, ମୁହଁ, ଆଖି ନିଖୁଣ ନୁହେଁ, ତେବେ ବି ସୁନ୍ଦରୀ, ନଗେନ ମଧ୍ୟ ତା’ର ସ୍ଵାମୀ ବା ପ୍ରଣୟୀ ଯାହା ହେଉ—ନିଶ୍ଚୟ ଭାଗ୍ୟବାନ୍ । ସାବୀ ବାହାରି ଆସି ମୋତେ ଦେଖି କହିଲା, “ବାଃ ବଢ଼ିଆ କୁକୁର, ତା’କୁ ମାରୁଛ କାହିଁକି ବୁଢ଼ୀମା’–’’

 

ଯୌବନ ସମୟରେ ପୁରୁଷ–ସ୍ତ୍ରୀମାନେ ଉଦାର ହୋଇଥାନ୍ତି, ସେମାନଙ୍କ ମନରେ ସେତେବେଳେ ଏପରି ଜଣେ ସମ୍ରାଟ ବା ସାମ୍ରାଜ୍ଞୀର ଆବିର୍ଭାବ ହୁଏ ଯେ ଅନାୟାସରେ ଦୈନନ୍ଦିନ ତୁଚ୍ଛ ଲାଭକ୍ଷତି, ସୁବିଧା ଅସୁବିଧାକୁ ଗୋଡ଼େଇ ଦେଇ ସୁନ୍ଦରକୁ ଜୀବନର ସିଂହାସନରେ ପ୍ରତିଷ୍ଠା କରିପାରନ୍ତି । କିନ୍ତୁ ହାୟ, ତୁମ୍ଭମାନଙ୍କ ଜୀବନରେ ସେହି ଉଦାର ସମ୍ରାଟ ସାମ୍ରାଜ୍ଞୀଙ୍କର ରାଜତ୍ଵକାଳ କ୍ଷଣସ୍ଥାୟୀ, ତାଙ୍କୁ ସିଂହାସନଚ୍ୟୁତ କରି ଗାଦୀ ଦଖଲ କରନ୍ତି ବଦମାସ ମତଲବବାଜ ସ୍ଵାର୍ଥପର ସୈତାନଗଣ, ସେହିମାନେ ହିଁ ତୁମ ସମାଜଶାସନ କରନ୍ତି । ସେହିମାନେ ହିଁ ହର୍ତ୍ତା–କର୍ତ୍ତା–ବିଧାତା-

 

ବୁଢ଼ୀ ଖିଙ୍କାରି ଉଠିଲା ।

 

“ସୁନ୍ଦର ସୁନ୍ଦର ସୁନ୍ଦର, ସୁନ୍ଦର ଦେଖିଲେ ଆଉ ଜ୍ଞାନ ରହେ ନାହିଁ । ଗୋଟିଏ ବୋଲି ଘରଂ ! ଗୋଟିଏ ସୁନ୍ଦର ତ ଜୁଟିଛି, ମୋତେ ବାରଣ୍ଡାରେ ଶୋଇବାକୁ ପଡ଼େ । ଆହୁରି ସୁନ୍ଦର ସୁନ୍ଦର କହି ଆବୁଡ଼ି ପଡ଼ୁଛି । ରାସ୍ତାର ବୁଲା କୁତ୍ତା, ସେ ପୁଣି ସୁନ୍ଦର । ଭାକ୍, ଯା’ ପୋଡ଼ାମୁହୀଁ—”

 

ବୁଢ଼ୀ ପୁଣି ଝଟା ଟେକିଲା ।

 

“ନା’ ନା’, ତାକୁ ମାରନା ବୁଢ଼ୀମା’ ! ଆହା ଆମର ଯଦି ଆଉ ଟିକିଏ ଜାଗା ଥାନ୍ତା, ମୁଁ ଏଇଟିକୁ ନିଶ୍ଚୟ ପାଳନ୍ତି । ସତରେ ଦେଖିବାକୁ କେଡ଼େ ଡଉଲ । ରୁହ, ମୁଁ ତାକୁ ଗୋଟିଏ କେକ୍ ଖାଇବାକୁ ଦିଏଁ—”

 

“ତାକୁ ତ କେକ୍‌ଟା ଖାଇବାକୁ ଦେବୁ, ନଗେନ ଖାଇବ କ’ଣ ?

 

“ସିଏ ତ ପ୍ରତିଦିନ ଖାଉଛନ୍ତି । ଆଜି ନ ହେଲା ନ ଖାଇବେ ।”

 

“କାଣ୍ଡ ଦେଖ ଟୋକୀର !”

 

ଗୋଟିଏ ଛୋଟ ତିନି କୋଣିଆ କେକ୍ ବାହାର କରି ନିଜେ ସାବୀ ମୋ’ ମୁହଁ ପାଖରେ ଧରିଲା, ଟକ୍ କରି ସେଇଟାକୁ ଖାଇଦେଲି ଆଉ କୃତଜ୍ଞତାର ଆତିଶଯ୍ୟରେ ଲାଞ୍ଜ ହଲାଇବାକୁ ଲାଗିଲି, ଟିକିଏ ଆଗରୁ ମା’ର ଯେଉଁ ଶୋଚନୀୟ ମରଣ ଦେଖି ଆସିଥିଲି ତାହା ମୋ’ ଲୋଭକୁ ବନ୍ଦ କରିପାରିଲା ନାହିଁ । ଯେତେବେଳେ କେକ୍ ଖାଉଥିଲି, ତାହା ସେତେବେଳେ ମନେ ନ ଥିଲା । ତୁମେ ହସୁଛ ନା କ’ଣ ! ତୁମ୍ଭମାନଙ୍କର କୀର୍ତ୍ତି କଥା କ’ଣ ତୁମେ ଜାଣି ନାହଁ ? କାଳେ ଟେରି ନଷ୍ଟ ହୋଇଯିବ ଏଣୁ ଆଜିକାଲି ବାପ ମା’ଙ୍କ ମୃତ୍ୟୁରେ କେତେକ ମୁଣ୍ଡିତ ହୁଅନ୍ତି ନାହିଁ । ଅନେକ ସ୍ୱାହା ସ୍ଵାହା କରି ଶ୍ରାଦ୍ଧ ଶେଷ କରିଥାଅ । ଅନେକ ମଧ୍ୟ ତାହା ନ କରି ବଡ଼ଭାଇ ଥିଲେ ତା ଉପରେ ବା ସାନଭାଇ ଥିଲେ ତା’ ଉପରେ ଶ୍ରାଦ୍ଧର ଦାୟିତ୍ଵ ଦେଇ ନିଶ୍ଚିତ ହୁଅ । ସେଠାରେ ମଧ୍ୟ ତୁମ ବୁଦ୍ଧିପାଟବ ଦେଖି ଅବାକ୍ ହେବାକୁ ହୁଏ । ଯେଉଁ ପୁରୋହିତ ତୁମ୍ଭମାନଙ୍କର ମୃତ ପିତାମାତାଙ୍କ ଆତ୍ମାର ତୃପ୍ତି ନିମିତ୍ତ ଦିନ ସାରା ଉପବାସୀ ରହି ଗଳଦ୍‌ଘର୍ମ ହୋଇ ମନ୍ତ୍ର ପାଠ କରେ ତୁମ୍ଭମାନଙ୍କର ସାଧାରଣତଃ ଚେଷ୍ଟା ଥାଏ କିପରି ତା’ର ନ୍ୟାଯ୍ୟ ପାଉଣାରୁ ବଞ୍ଚିତ କରାଯାଇପାରିବ, ତିନି ତାଲା ପକ୍‌କା କୋଠା, ପ୍ରକାଣ୍ଡ ମୋଟର, ନିଶରେ ଅତର ଏହିପରି ଲୋକଙ୍କର ମାତୃଶ୍ରାଦ୍ଧ ଦିନ ଯେଉଁ ଦାନର ଖେଳ ମୁଁ ଦେଖିଛି ସେଥିପାଇଁ ତୁମ୍ଭମାନଙ୍କ ଉପରେ ମୋ’ ଘୃଣା ବଦ୍ଧମୂଳ ହୋଇଛି । ସତରେ ତୁମର ଯଦି ଦାନ ପାଇଁ ଇଚ୍ଛା ନ ଥାଏ ତେବେ ଅଯଥାଟାରେ କାହିଁକି ଶ୍ରାଦ୍ଧର ମିଥ୍ୟାଡ଼ମ୍ବର କରିବାକୁ ଯାଅ ତାହା ବୁଝି ହୁଏ ନାହିଁ । ମୋ’ର ମନେହୁଏ ଭୂତ ଭୟରେ କରିଥାଅ । ତୁମର ଭୟ ହୁଏ କାଳେ ଭୂତ ଆସି ମାଡ଼ି ବସିବ ବା ଅନ୍ୟ କିଛି ଅନିଷ୍ଟ କରିବ । ଅସଲ କଥା, ତୁମ୍ଭେମାନେ ଅତି କାପୁରୁଷ ଓ ଭୟାଳୁ । ଆହୁରି ଦଳେ ଅଛନ୍ତି, ଯେଉଁମାନେ ଶ୍ରାଦ୍ଧକୁ ଉପଲକ୍ଷ୍ୟ କରି ନିଜ ଐଶ୍ଵର୍ଯ୍ୟର ଗରିମା ପ୍ରତିଷ୍ଠା ପାଇଁ ତତ୍ପର । ଏପରି ଦେଖାଯାଇଛି, ଏଣେ ମା’ ମରିଛି, ଅଥଚ ତେଣେ ବେଶ୍ୟା ବାଡ଼ିରେ ମଦ ଖାଇ ପୁଅ ମାତାଲ ହୋଇପଡ଼ିଛି; କିନ୍ତୁ ସେହି ମାତୃଶ୍ରାଦ୍ଧର କି ଧୁମ୍ ! ସତରେ ତୁମ୍ଭମାନଙ୍କ ପ୍ରତି ମୋର ଅନିର୍ବାର୍ଯ୍ୟ ଘୃଣା ଆସିଯାଇଛି । ଏ କ’ଣ, ଜିମିକୁ ସେଠାରୁ ନେଇଗଲ କାହିଁକି ? ତାକୁ ଦେଖିବି ବୋଲି ମୁଁ ତୁମ ଗେଟ ଆଗରେ କଷ୍ଟ କରି ବସିଛି ଯେ, ତୁମକୁ ଗଳ୍ପ ଶୁଣାଇବାକୁ ନୁହେଁ । ମୁଁ ଚାଲିଯାଉଛି, ସେ ଯେତେବେଳେ ବାହାରକୁ ଆସିବ ମୁଁ ସେତେବେଳେ ଆସିବି । ସେ ଝିଅଟି କିଏ ? ତୁମ ନିଜ ଲୋକ ବୋଧହୁଏ । ତା’ ଚେହେରା, ଚାଲିଚଳନ ତ ଭଲ ନୁହେଁ । ପେଟକଟା ଜାମା, ଆଉ ଫିନ୍ ଫିନ୍ ଶାଢ଼ି ତଳେ ଗୋଲାପୀ ରଙ୍ଗର ସାୟା ସାଧାରଣତଃ ଯେଉଁ ଜାତୀୟ ଲଳନାମାନଙ୍କର ଶ୍ରୀବୃଦ୍ଧି କରିଥାଏ, ସେମାନଙ୍କୁ କି ଆଖିରେ ତୁମ୍ଭେମାନେ ଦେଖ ? ତୁମ୍ଭମାନଙ୍କର ରୁଚି ତ ଆଜିକାଲି ଘଣ୍ଟାକୁ ଘଣ୍ଟା ବଦଳୁଛି । ଆଚ୍ଛା ଯାଉଛି, ପରେ ଆସିବି—”

 

କୁକୁରଟା ପଳାଇଲା । ଦେଖିଲି, ମୋ’ର ଝିଆରୀ ସୁଲୀନା ଜିମିକୁ ନେଇ ଭିତରକୁ ଯାଉଛି । ବର୍ତ୍ତମାନ ଜିମିର ଗାଧୋଇବା ବେଳ । ସୁଲୀନା ନିଜେ ତାକୁ ଗାଧୋଇଦିଏ । ଜିମି ସୁଲୀନାର କୁକୁର । ଅଢ଼େଇ ଶହ ଟଙ୍କା ଦେଇ କିଣିଛି । ନିଜେ ତା’ର ପରିଚର୍ଯ୍ୟା କରେ । ମୋ’ ଭାଇ ନାଦୁ କଥା ଆଗରୁ କହିଛି । ସୁଲୀନା ତା’ର ଝିଅ । ମୋ ପାଖରେ ରହି ମଣିଷ ହୋଇଛି । ତା’ର ମା’ ସୁନ୍ଦରୀ ଥିଲେ । ରୂପସୀ ବୋଲି ଏହାର ଖ୍ୟାତି ବଢ଼ିଅଛି । ବହୁ ସିନେମା କମ୍ପାନୀ ଏହାକୁ ଅଭିନେତ୍ରୀ ରୂପେ ପାଇବା ପାଇଁ ବ୍ୟସ୍ତ । ଏହାର ବଜାର ଦର ଗଗନଚୁମ୍ଵୀ । ମୁଁ ବର୍ତ୍ତମାନ ତା’ର ଅଭିଭାବକ; ସୁତରାଂ ମୋର ମଧ୍ୟ ଭାଉ ଆକାଶସ୍ପର୍ଶୀ । ସିନେମାରେ ଅବତୀର୍ଣ୍ଣ ହେବା ପୂର୍ବରୁ ତା’ର ଡାକ ନାମ ଥିଲା ‘ଟେଁପୀ’, ଭଲ ନାମ ଥିଲା ଶଙ୍କରୀ । ଏହିସବୁ ଅସିଆ କାଳର ମସିଆ ନାମ ଆଜିକାଲି ସିନେମାରେ ଚଳେ ନାହିଁ; ତେଣୁ ନାଁ ବଦଳାଇ ଦେବାକୁ ହେଲା । ତା’ ଠାକୁମା’ର ଦିଆନାମ ଆଜି ଅବଲୁପ୍ତ ହୋଇଅଛି ସତ୍ୟ (ଠାକୁମା’ କ’ଣ ନିଜେ ଅବଲୁପ୍ତ ହୋଇ ନାହାନ୍ତି ?) କିନ୍ତୁ ସୁଲୀନା ନାଁଟି ଆଜି ଭାରତବିଖ୍ୟାତ । ସୁଲୀନାର ଦୌଲତରେ ମୁଁ ଆଜି ପାଦପ୍ରଦୀପର ସମ୍ମୁଖରେ ଆସି ଠିଆ ହୋଇପାରିଛି । ସମସ୍ତେ କହନ୍ତି, ସିନେମା–ସାହିତ୍ୟ ଜଗତରେ ମୁଁ ଏକାଧାରରେ ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ରନାଥ । ସମସ୍ତେ ହୁଏତ ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ରନାଥଙ୍କର ସମସ୍ତ ଲେଖା ପଢ଼ି ନ ଥିବେ; କିନ୍ତୁ ମୋ’ ଲେଖା ପଢ଼ି ନ ଥିବା ପାଠକପାଠିକା ବିରଳ । ମୋତେ ପ୍ରଣାମ ଜଣାଇ, ଆଶୀର୍ବାଦ ଜଣାଇ, ପ୍ରେମ ନିବେଦନ କରି ଏତେ ଚିଠି ପ୍ରତିଦିନ ଆସେ ଯେ ସେସବୁର ଉତ୍ତର ଦେବା ପାଇଁ ଜଣେ ପ୍ରାଇଭେଟ ସେକ୍ରେଟେରୀ ରଖିବାକୁ ହୋଇଛି-। ପ୍ରଥମେ ଜଣେ ଏମ.ଏ. ପାଶ କରିଥିବା ପିଲାକୁ ରଖିଥିଲି । କିଛିଦିନ ପରେ ତାକୁ ତଡ଼ିଦେବାକୁ ହେଲା । କାରଣ ଦେଖିଲି, ମୋ’ର ଐଶ୍ୱର୍ଯ୍ୟ ଓ ଖ୍ୟାତି ତା’ ପକ୍ଷରେ ଅସହ୍ୟ, ଅତ୍ୟନ୍ତ ପରଶ୍ରୀକାତର । ସବୁବେଳେ ମୁହଁ ଶୁଖାଇଥାଏ । ଦିନେ ଖବର ପାଇଲି, ମୋ’ ସମ୍ବନ୍ଧରେ ସତ୍ୟମିଥ୍ୟା ଗୁଜବ ସେ ରଟାଇ ଦେଇଛି । ମୋ’ ଅନ୍ନରେ ପ୍ରତିପାଳିତ ହେଲେ ମଧ୍ୟ ସେ ଚେଷ୍ଟା କରୁଥିଲା କିପରି ମୋତେ ଲୋକଚକ୍ଷୁରେ ହେୟ ପ୍ରତିପନ୍ନ କରିବ । ଶେଷରେ ତାକୁ ବିଦାୟ କରିଦେଲି । ବର୍ତ୍ତମାନ ଜଣେ ତରୁଣୀଙ୍କୁ ତା’ ସ୍ଥାନରେ ରଖିଛି । ମହିଳା ଜଣକ ଶିକ୍ଷୟିତ୍ରୀ-। ସ୍କୁଲ କାମ ଶେଷ କରି ମୋ ଘରକୁ ଆସେ । ମୋ’ ଚିଠିପତ୍ରର ଉତ୍ତର ଲେଖେ ଏବଂ ରାତ୍ରୀ ନ’ଟା ପରେ ମୋ’ ନୂଆ ଲେଖା ଉତାରେ । ମୁଁ ଆଜିକାଲି ଲେଖୁ ନାହିଁ, ସୁବିଧା ହେଲେ ତିନି ମାସ ଅନ୍ତରରେ ଅନ୍ତତଃ ଖଣ୍ଡିଏ ବଡ଼ ନଭେଲ ଲେଖାଯାଇ ପାରେନା । ମୁଁ ଆଜିକାଲି ଯାହା ଲେଖେ ତାହା ହୁଏତ ବିଦଗ୍‌ଧ ରସିକ ପାଠକ–ପାଠିକାଙ୍କ ମନରେ ଘୃଣା ସଞ୍ଚାର କରିବ । କିନ୍ତୁ ବହୁକାଳ ସତ୍ ସାହିତ୍ୟ ରଚନା କରି ଏହା ହୃଦୟଙ୍ଗମ କରିଛି ଯେ ସତ୍ ସାହିତ୍ୟ ଏ ଦେଶରେ ବିଶେଷ ବିକ୍ରି ହୁଏ ନାହିଁ-। ଯେଉଁ ମୁଷ୍ଟିମେୟ ଦୁଇ ଚାରି ଜଣ ବିଦଗ୍‌ଦ ପାଠକ ଅଛନ୍ତି ସେମାନେ ସମାଲୋଚନାରେ ପଞ୍ଚମୁଖ-। ବହି କିଣିବା ସମୟରେ ମୁକ୍ତହସ୍ତ ନୁହନ୍ତି । ମୁଁ ପ୍ରଥମ ଯୌବନ ସମୟରେ ଯେଉଁ ଭଲ ବହି ଲେଖିଥିଲି, ଯାହା କି ବହୁ ସାହିତ୍ୟକଙ୍କଦ୍ଵାରା ଉଚ୍ଚପ୍ରଶଂସା ପାଇଛି, ସେ ବହି କିନ୍ତୁ ବିକ୍ରୟ ହୋଇ ନାହିଁ । ସମ୍ଭବତଃ ସେଗୁଡ଼ିକ ବର୍ତ୍ତମାନ ମଧ୍ୟ ପ୍ରକାଶକଙ୍କ ଦୋକାନରେ ବା ଦପ୍ତରୀ ଘରେ କୀଟଭୋଗ୍ୟ ହୋଇ ଜୀର୍ଣ୍ଣ ଜୀବନ ଯାପନ କରୁଛନ୍ତି । ଭଲ ବହିର ଚାହିଦା ବଜାରରେ ନାହିଁ-। ଅନେକ ଧନୀ ଅବଶ୍ୟ ରବୀନ୍ଦ୍ରରଚନାବଳୀ, ବଙ୍କିମ ଗ୍ରନ୍ଥାବଳୀ ଏବଂ ଅନ୍ୟାନ୍ୟ ବିଖ୍ୟାତ ଗ୍ରନ୍ଥକାରଙ୍କ ପୁସ୍ତକ ପୁସ୍ତକ ସଂଗ୍ରହ ଆଲମାରିରେ ସଜାଇ ରଖିବା ପାଇଁ କିଣନ୍ତି । କିନ୍ତୁ ପଢ଼ନ୍ତି କି ନାହିଁ ସନ୍ଦେହ । ଏହି ବହି କିଣି ସଜାଇ ରଖିବା ଆଜିକାଲି ସୁବ୍ୟବସ୍ଥିତ ଫେସନେବଲ୍ ସମାଜର ରୀତି । ଅଧିକାଂଶ କ୍ଷେତ୍ରରେ ତାହା ସାହିତ୍ୟପ୍ରୀତିର ପରିଚାୟକ ନୁହେଁ । ସେହି ଗ୍ରନ୍ଥକାରଙ୍କର ଜୀବନୀ ପଢ଼ି ଦେଖିଛି, ଜୀବଦ୍ଦଶାରେ ସେମାନଙ୍କ ବହି ଆଦୌ ଭଲ ବିକ୍ରି ହୋଇ ନାହିଁ-। ସେମାନଙ୍କ ସମୟରେ ସିନେମା–ସାହିତ୍ୟର ପ୍ରଲୋଭନ ଥିଲା ନାହିଁ, ନ ହେଲେ ହୁଏତ ଅନେକ ଏହି ଫାନ୍ଦରେ ଗୋଡ଼ ଦେଇଥାନ୍ତେ । ମୁଁ ମଧ୍ୟ ସେହି ଫାଶରେ ଗୋଡ଼ ଦେଇ ନ ଥିଲି-। କଳ୍ପନା ମଧ୍ୟ କରି ନ ଥିଲି ଦେବା ପାଇଁ; କିନ୍ତୁ ଦିନେ ଘଟନାଚକ୍ରରେ ବ୍ୟାପାରଟା ଘଟିଗଲା-। ଦିନେ ଗୋଟିଏ ଜେନେରାଲ ସିନେମା ଡିରେକ୍‌ଟର ମୋ’ର ଅତି ସାଧାରଣ ଗୋଟିଏ ଛୋଟ ଗଳ୍ପ ନିମିତ୍ତ ମୋ ଦ୍ଵାରରେ ଉପସ୍ଥିତ ହୋଇଥିଲେ । ସମୁପସ୍ଥିତ ହେଲେ ବୋଲି କହିଲେ ଅବଶ୍ୟ ଭଲ ହେବ-। କହିଲେ, “ମୁଁ ପାଞ୍ଚ ହଜାର ଟଙ୍କା ଦେଇ ଆପଣଙ୍କର ଏ ଗଳ୍ପଟି କିଣିବାକୁ ଚାହେଁ । ଗଳ୍ପଟିରେ ଗୋଟିଏ ସୁନ୍ଦର ଛବି ହୋଇପାରିବ ।” ମୁଁ ସେତେବେଳେ ଟିକିଏ ଟାଣି ଓଟାରି ହେଉଥିଲି-। ଅଭାବିତ ରୂପେ ସହସା ହାତରେ ସ୍ଵର୍ଗର ଅମୂଲ୍ୟ ନିଧି ପାଇ କିପରି ଇତସ୍ତତଃ ହୋଇଗଲି-। ଠିକ୍ ସେହି ସମୟରେ ଟେଁପୀ ମୋତେ କପେ ଚା’ ଦେଇଗଲା । ଟେଁପୀ ସେତେବେଳକୁ ସୁଲୀନା ହୋଇ ନାହିଁ । ଟେଁପୀକୁ କହିଲି, “ତାକୁ କପେ ଆଣି ଦେଲୁ ମା’ !” ଟେଁପୀ ଭିତରକୁ ଚାଲିଯିବା ପରେ ଡିରେକ୍‌ଟର ମହାଶୟ ଈଷତ୍ କାଶି ଆଉ ଗୋଟିଏ ପ୍ରସ୍ତାବ ଉଠାଇଲେ । ସେଥିରେ ମୋ’ର ପ୍ଳୀହା ପ୍ରାପ୍ତ ସ୍ଥାନଚ୍ୟୁତ ହେବାର ଉପକ୍ରମ ହେଲା । ପଚାରିଲେ, “ଝିଅଟି ଆପଣଙ୍କର କ’ଣ ହୁଏ-?”

 

“ଝିଆରୀ ।”

 

“ମୋ’ର ଆଉ ଗୋଟିଏ ପ୍ରସ୍ତାବ ଅଛି । ଆପଣ କିଛି ମନେ କରିବେ ନାହିଁ ତ ? ଆପଣଙ୍କ ଗଳ୍ପର ନାୟିକା ପାର୍ଟ ଆପଣଙ୍କ ଝିଆରୀଙ୍କୁ ଚମତ୍କାର ମାନିବ । ଆପଣ ଯଦି ଅନୁମତି ଦେବେ, ତେବେ ମୁଁ ତାଙ୍କୁ ସେଥିରେ ଅଭିନୟର ସୁଯୋଗ ଦେବି । ଦେଖିବେ, କେତେ ନାମ ସେ ସେଥିପାଇଁ ଅର୍ଜନ କରିବେ । ପୁରୁଣା ମୁହଁ ଦେଖି ଦେଖି ଦର୍ଶକମାନେ କ୍ଲାନ୍ତ ହୋଇ ପଡ଼ିଛନ୍ତି ।”

 

ମୁଁ ମୋ’ର କାନକୁ ବିଶ୍ୱାସ କରିପାରୁ ନ ଥିଲି ।

 

“ସେ ପିଲାଲୋକ । ସେ କ’ଣ ଅଭିନୟ କରିପାରିବ ?”

 

“ଅଭିନୟ ଶିଖିନେବ । ଚେହେରାଟା ହେଉଛି ଅସଲ । ନିଉ ଫାଇଣ୍ଡ ପାଇଁ ଆମର ପ୍ରଡ୍ୟୁସର ଦଶ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ରାଜି ଅଛନ୍ତି । ଆପଣଙ୍କର ଯଦି ଆପତ୍ତି ନ ଥାଏ, ସେ ଟଙ୍କା ମୁଁ ଆପଣଙ୍କୁ ଦିଆଇ ଦେଇପାରେ ।”

 

ଦଶ ହଜାର ଟଙ୍କା ! କିପରି ଯେପରି ବିହ୍ଵଳ ହୋଇପଡ଼ିଲି । ଯେଉଁ ଟେଁପୀ ମୋ’ଘରେ ଚାକରାଣୀ ପରି ଖଟୁଛି, ଘର ଖରକିବା, ବାସନ ମାଜିବା, ଟହଲ ଟାକର କରିବା ଯାହାର ପ୍ରତିଦିନର କାମ, ମୋ’ ଝିଅମାନଙ୍କର ଛୋଟ ଜାମା ଓ ପୁରୁଣା ଲୁଗା ଯାହାର ଅଙ୍ଗଭୂଷଣ, ସେହି ଟେଁପୀ ପାଇଁ ଏହି ଡିରେକ୍‌ଟର ଏକାଥରକେ ଦଶ ହଜାର ଟଙ୍କା ଦେବା ପାଇଁ ପ୍ରସ୍ତୁତ ? ଟେଁପୀର ବାପ–ମା’ ବହୁ ଦିନ ପୂର୍ବରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ । ସମ୍ପ୍ରତି ଖବର ପାଇଛି, ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଜଣକର ହସପିଟାଲରେ, ଆଉ ଜଣକର ଉଦ୍‌ବନ୍ଧନରେ (ରଶି ଦେଇ) । ସୁତରାଂ ମୁଁ ହେଉଛି ଟେଁପୀର ଅଭିଭାବକ । ଟେଁପୀର ସେତେବେଳକୁ ବୟସ ମାତ୍ର ଷୋଳ ବର୍ଷ, ଅର୍ଥାତ୍ ସେତେବେଳକୁ ସେ ସାବାଳିକା ହୋଇ ନାହିଁ । ମୁଁ ମନା କରିଥିଲେ ସେ ସିନେମା–ଜଗତରେ ଅବତୀର୍ଣ୍ଣ ହୋଇପାରି ନ ଥାନ୍ତା; କିନ୍ତୁ ମୁଁ ଆପତ୍ତି କରିପାରିଲି ନାହିଁ । ମୁଁ ଜାଣେ ଯେ ସିନେମାର ପଥ ପିଚ୍ଛିଳ । ଯେ କୌଣସି ମୁହୂର୍ତ୍ତରେ ପଦ ସ୍ଖଳିତ ହୋଇପାରେ । ମୁଁ ଜାଣେ ଯେ ଭଦ୍ରଘରର ଝିଅମାନେ ସିନେମାରେ ଯୋଗ ଦିଅନ୍ତି ନାହିଁ ଯେଉଁମାନେ ସିନେମା–ଜଗତରେ ଅବତୀର୍ଣ୍ଣ ହୁଅନ୍ତି, ସେମାନେ ସମାଜରେ ହୁଅନ୍ତି ଆପଙକ୍ତେୟ । ସେତେବେଳେ ଏହା ହିଁ ହେଉଥିଲା । କିନ୍ତୁ ସିନେମା ପରିଚାଳକଙ୍କର ସେ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିପାରି ନାହିଁ । କହିପାରି ନାହିଁ । ତୁମର ସ୍ପର୍ଦ୍ଧା ତ କମ୍ ନୁହେଁ । ଆମ ପରି ଉଚ୍ଚ ବଂଶର କନ୍ୟାକୁ ତୁମେ ଅଭିନେତ୍ରୀ କରିବାକୁ ଚାହଁ ! ନା, ଏ କଥା କହିପାରି ନାହିଁ । ବରଂ ସତ କହିବାକୁ ଗଲେ କହିପାରେ ଯେ ପ୍ରସ୍ତାବ ଶୁଣି କୃତାର୍ଥ ହୋଇ ଯାଇଥିଲି । ସେହି ସାମାନ୍ୟ ଟେଁପୀ ପାଇଁ ଦଶ ହଜାର ଟଙ୍କା ! ସତରେ ମୁଣ୍ଡ ଘୂରି ଯାଇଥିଲା ସେଦିନ । ଆଜିକାଲି ଆଉ ସେ ଅବସ୍ଥା ନାହିଁ । ବର୍ତ୍ତମାନ ସେପରି ପ୍ରସ୍ତାବ ଆସିଲେ ଆଉ ମୁଣ୍ଡ ଘୂରିବ ନାହିଁ । ବର୍ତ୍ତମାନ ଜଣେ ପ୍ରତିଭାମୟୀ ସୁନ୍ଦରୀର ପାରିଶ୍ରମିକ ଖୁବ୍ କମ୍‌ରେ କୋଡ଼ିଏ ହଜାର ଟଙ୍କା । ବହୁ ସମ୍ଭ୍ରାନ୍ତ ଘରର କନ୍ୟା ସିନେମାରେ ଅଭିନୟ କରି ନିଜ ବଂଶକୁ ପବିତ୍ର କରୁଛନ୍ତି । ସୁତରାଂ ବର୍ତ୍ତମାନ ମୋ’ର କୌଣସି ଲଜ୍ଜା ବା ସଙ୍କୋଚ କରିବାର କାରଣ ନାହିଁ । ସେତେବେଳେ କିନ୍ତୁ ହୋଇଥିଲା । ସେତେବେଳେ କେବଳ ଟଙ୍କା ଲୋଭରେ ରାଜି ହୋଇଥିଲି । ବର୍ତ୍ତମାନ ସୁଲୀନାର ଜୟ ଜୟକାରରେ ଦିଗନ୍ତ ମୁଖରିତ । ନିଜର ବିବେକକୁ ଆଉ ଦାୟୀ କରୁ ନାହିଁ; କାରଣ ଏହା ପରେ ଜାଣିଲି, ଟେଁପୀ ପୂର୍ବରୁ ସେହି ପରିଚାଳକଙ୍କ ସହିତ ପତ୍ରାଳାପ କରି ଯୋଗାଯୋଗ ସ୍ଥାପନ କରିଥିଲା । ଏହା ମଧ୍ୟ ବର୍ତ୍ତମାନ ମୋତେ ଅବିଦିତ ନାହିଁ ଯେ ସେଦିନ ଟେଁପୀ ଥିଲା ଅସଲ ଲକ୍ଷ୍ୟ ଓ ମୋ’ର ଗଳ୍ପ ଉପଲକ୍ଷ୍ୟ ମାତ୍ର । ଟେଁପୀ ମଧ୍ୟ ମୋ’ର ଗଳ୍ପଟି ପଠାଇ ଲେଖିଥିଲା, ଯଦି ସେହି ଗଳ୍ପଟି କିଣି ନିଆଯାଏ, ତା’ର ସିନେମାରେ ଅବତରଣ ପଥରେ କିଛି ବାଧା–ପ୍ରତିବନ୍ଧକ ରହିବ ନାହିଁ । ଏ ଖବର ଜାଣିବା ପରେ ମୁଁ ଅନୁଭବ କଲି ଯଦିଓ ଟେଁପୀର ବୟସ ସେତେବେଳେ ମାତ୍ର ଷୋଳ ବର୍ଷ, ତଥାପି ତା’ର ଅନ୍ତର୍ଦୃଷ୍ଟି ମନସ୍ତାତ୍ତ୍ୱିକ ପରି ଥିଲା ତୀକ୍ଷ୍‌ଣ । ଏଇ ବୟସରୁ ସେ ମୋ’ ମନର ଠିକ୍ ମାପ ଧରି ନେଇଥିଲା । ମୁଁ ଜଣେ ସୁବିଧାବାଦୀ । ଟଙ୍କାର ଥୋପ ପକାଇ ମୋତେ ଯେ ଅନାୟାସରେ ଧରାଯାଇପାରେ, ଏକଥା ସେ ଏହି ବୟସରୁ ବୁଝି ପାରିଥିଲା । ମୁଁ ଆଗରୁ କହିଛି, ମୁଁ ସୁବିଧାବାଦୀ । ଏ ଯୁଗରେ ସୁବିଧାବାଦୀ ନ ହେଲେ ଚଳିବ ନାହିଁ । ଆଗରୁ କହିଛି, ସତ୍‌ପଥରେ ଚାଲିଲେ ବଞ୍ଚି ହେବ ନାହିଁ । ହୁଏତ କୌଣସି କୃମିକୀଟ ପରି ବଞ୍ଚି ହୋବ ନାହିଁ ।ହୁଏତ କୌଣସି କୃମିକୀଟ ପରି ବଞ୍ଚି ହୋଇପାରେ; କିନ୍ତୁ ଭଦ୍ର ମଣିଷ ପରି ଉନ୍ନତ ମସ୍ତକରେ ବଞ୍ଚି ହେବ ନାହିଁ । ଯାହାର ଐଶ୍ଵର୍ଯ୍ୟ ନାହିଁ, ଯଶ ନାହିଁ, ପ୍ରତିପତ୍ତି ନାହିଁ, ଆମେ ତାକୁ ଫେରି ଅନାଉ ନାହିଁ । ଆମେ ସବୁବେଳେ ଚାହୁଁ ଯେ ଲୋକେ ଆମକୁ ଚାହାନ୍ତୁ, ଆମ ସହିତ ହୃଦୟ–ବନ୍ଧନରେ ଆବଦ୍ଧ ହୁଅନ୍ତୁ ।ଏ ଯୁଗରେ ଟଙ୍କା ନ ଥିଲେ କାହାରି ଦୃଷ୍ଟି କାହାରି ଉପରେ ପଡ଼େ ନାହିଁ । ତେଣୁ ମୁଁ ଟଙ୍କା ରୋଜଗାର ଦିଗରେ ମନ ଦେଇଛି । ସୁଲୀନା ବର୍ତ୍ତମାନ ମୋତେ ହଜାର ହଜାର ଟଙ୍କା ଆଣି ଦେଉଛି । କେବଳ ସେତିକି ନୁହେଁ, ସିନେମା ବଜାରରେ–ସମ୍ଭବତଃ ସୁଲୀନା ଦୌଲତରେ ମୋ’ର ଗଳ୍ପ ବି ଖୁବ ଚାଲୁ ହୋଇଛି । ମୁଁ ବର୍ତ୍ତମାନ ନିମ୍ନୋକ୍ତ ଛାଞ୍ଚରେ ଗଳ୍ପ ଲେଖି ଖୁବ୍ କୃତକାର୍ଯ୍ୟ ହୋଇଅଛି । ଖାଲି ସିନେମାରେ ନୁହେଁ, ବଜାରରେ ମଧ୍ୟ ବହିର କାଟତି ଖୁବ୍ ବେଶୀ ହୋଇଛି । ସାଧାରଣତଃ ତ୍ରିଭୁଜୋପମ ପ୍ରେମଗଳ୍ପ ଖୁବ ଜନପ୍ରିୟ ହୁଏ । ଗଳ୍ପରେ ପ୍ରେମ ଥିବା ଦରକାର, ସେ ପ୍ରେମରେ ବାଧା ପ୍ରତିବନ୍ଧକ ଥିବା ଆବଶ୍ୟକ । ପ୍ରେମ ସମାଜବିରୋଧୀ ହେଲେ ଖୁବ ଭଲ ହୋଇଥାଏ । ଧନୀ ସନ୍ତାନ ସହ ଦରିଦ୍ର କନ୍ୟାର ପ୍ରେମ, ଅଥବା ତା’ର ବିପରୀତ, ଅର୍ଥାତ୍ ଗରିବ ସନ୍ତାନ ସହ ଧନିକ କନ୍ୟାର ପ୍ରେମ ବେଶ୍ ଜମେ, ଯଦି ମଝିରେ ଜଣେ କେହି ଅନମନୀୟ ପିତା ଅଥବା ଦୁର୍ଦ୍ଧର୍ଷ ଅସଭ୍ୟ ପ୍ରକୃତିର ଦ୍ଵିତୀୟ ପ୍ରେମିକ ଥାଏ । ଏହି ଦ୍ଵିତୀୟ ପ୍ରେମିକକୁ ଠିକ ପ୍ରେମିକ କଲେ ଚଳିବ ନାହିଁ । ତାକୁ ଲମ୍ପଟ କାମୁକ କରିବାକୁ ହେବ, ତା’ପରେ ନାନାପ୍ରକାର ଚଟାପଟ କାମ, ମାଡ଼ପିଟ କରି ଘୋଡା ଯୋଗେ, ମୋଟର ଯୋଗେ ବା ଧାଇଁ ଧାଇଁ ଗିରି ଦରୀ, ବଣ ପାହାଡ଼ ପ୍ରାନ୍ତର ଅତିକ୍ରମ କରି, ଛୁରୀ, ତୀର, ଗୁଳି, ବନ୍ଧୁକ ଚଳାଇ, ଯେଉଁଠି ସେଇଠି ସଙ୍ଗୀତ ସମନ୍ୱିତ ଅଶ୍ରୁବର୍ଷଣ କରି ପ୍ରେମର ପରିଣତି ଏପରି ସ୍ଥାନରେ ଆଣିବ ଯେଉଁଠି ପ୍ରେମିକ–ପ୍ରେମିକାର ମିଳନ ଅନିବାର୍ଯ୍ୟ ହୋଇପଡ଼ିବ । ଆମ ଦେଶରେ ପ୍ରେମିକ–ପ୍ରେମିକାଙ୍କର ମିଳନ ସମ୍ପାଦନ ନ କଲେ ବହି ଚଳେ ନାହିଁ । ଆମ ଦେଶରେ ଯୁବତୀ ଓ କିଶୋରୀଗଣ ଏହା ଦରକାର କରନ୍ତି । ଯୁବତୀମାନଙ୍କ କଲ୍ୟାଣରୁ ଆମର ସାହିତ୍ୟ ଏବଂ ସିନେମା ଟେକିଛି । ଏଣୁ ସେମାନଙ୍କୁ ଖୁସି କରିବାକୁ ହେବ । ଯେଉଁଥିରେ ସ୍ତ୍ରୀଲୋକମାନଙ୍କର ଆତ୍ମସମ୍ମାନରେ ଆଘାତ ଲାଗିବ ସେପରି ଲେଖା ଲେଖିଲେ ଚଳିବ ନାହିଁ । ସେମାନେ ପ୍ରେମ କରନ୍ତୁ କ୍ଷତି ନାହିଁ, ଯଥେଚ୍ଛା ପ୍ରେମ କରନ୍ତୁ; କିନ୍ତୁ ସେ ପ୍ରେମକୁ ଏପରି ଭାବରେ ଚିତ୍ରଣ କରିବାକୁ ହେବ ଯେ ମନେ ହେବ ସୁନ୍ଦରୀ ନାୟିକାଟି ଯଦି ନାୟକ ସହିତ ଦିଆଲ ଭାଙ୍ଗି ଗୋପନରେ ପଳାୟନ ନ କରେ ତେବେ ମନୁଷ୍ୟତ୍ଵର ଶାଶ୍ଵତ ଆଦର୍ଶ ଭାଙ୍ଗି ଚୂରମାର ହୋଇଗଲା । ଏଇଠି ରହିଲା ଲେଖିବା ଭଙ୍ଗୀର କଞ୍ଚି । ନାୟିକା ଯାହା କରୁନା କାହିଁକି ତାହା ହିଁ ପବିତ୍ର, ମହତ୍ ଏବଂ ଆଦର୍ଶମୂଳକ ମନେ ହେବା ଉଚିତ । ଏଇ ଟେକନିକ୍ ଆଧାରରେ ମୁଁ ବହି ଲେଖି ଯଥେଷ୍ଟ ଅର୍ଥ ଉପାର୍ଜନ କରିଅଛି । ତାହା ମନ୍ଦ ନୁହେଁ । ଅବଶ୍ୟ ଗଳ୍ପଟା ଯେତେଦୂର ସମ୍ଭବ ଅଶୀଳ କରି ଶେଷରେ ନାୟକ ବା ନାୟିକା ମୁହଁରେ ଓ ହୃଦୟରେ ଭଗବତ୍ ପ୍ରେମର ଡୁହା ସଜାଇଦେବା, କାରଣ ଆଧୁନିକ ସଭ୍ୟ ମଣିଷ ଅଶ୍ଲୀଳତା ଚାହେଁ ଆଉ ସତ୍ୟ ଶିବ–ସୁନ୍ଦରକୁ ମଧ୍ୟ ଚାହେଁ । ଏହି ଦୁଇ ବସ୍ତୁସଜ୍ଜିତ ପରିବେଶ ସୃଷ୍ଟି କଲେ ଚମତ୍କାର ରସ ଉଦ୍ରିକ୍ତ ହୁଏ । ଏହି ଟେକ୍‌ନିକ୍‌ ଭିତ୍ତିରେ ମୋ’ର କେତେଗୋଟି ବହି ବଜାରରେ ବେଶ ନାମ କମାଇଛି । ସେଦିନ ଜଣେ ପାଠକ କହୁଥିଲେ, ଆପଣ ହିଁ ଏ ଯୁଗରେ ସାହିତ୍ୟ–ପ୍ରଧାନମନ୍ତ୍ରୀ । ସମ୍ରାଟ କହନ୍ତି, ସମ୍ରାଟର ଯୁଗ ତ ଚାଲିଯାଇଛି । ଏହି ଧରଣର ଆହୁରି କେତେ କଥା ମଧ୍ୟ କହୁଥିଲେ । ଏପରି କି ମୋ’ ବହି ଅନୁବାଦ କରି ନୋବେଲ ପ୍ରାଇଜ ପ୍ରତିଷ୍ଠାନକୁ ପଠାଇବା ଉଚିତ ବୋଲି କହିବାକୁ ମଧ୍ୟ ଭୁଲି ନ ଥିଲେ । ତାଙ୍କର ବିଶ୍ଵାସ, ନୋବେଲ ପ୍ରାଇଜ ମୋତେ ବରଣ କରି ଧନ୍ୟ ହେବ । ଦାଢ଼ିରେ ହାତ ବୁଲାଉ ବୁଲାଉ ତା’ର ଚାଟୁ ବାକ୍ୟଗୁଡ଼ିକ ସ୍ମିତ ମୁଖରେ ଉପଭୋଗ କରୁଥିଲି; କିନ୍ତୁ ଶେଷରେ ସେ ଯାହା କହିଲେ ସେଥିରେ ସବୁ କିପରି ବେସୁରା ହୋଇଗଲା । କହିଲେ, “ଆପଣଙ୍କର ଗୋଟିଏ ସେଟ ବହି ଯଦି ଅଟୋଗ୍ରାଫ କରି ମୋତେ ଦିଅନ୍ତି, ତା’ହେଲେ–”ତାଙ୍କର ଅନୁରୋଧ ଉପେକ୍ଷା କରି ନାହିଁ । କିନ୍ତୁ ସବୁ ବେସୁରା ହୋଇଗଲା । ବର୍ତ୍ତମାନ ମୋ ଜୀବନରେ ତାହା ହିଁ ଟ୍ରାଜେଡ଼ି । ସମସ୍ତେ ମୋ’ ପାଖକୁ ଆସନ୍ତି ସ୍ଵାର୍ଥ ପାଇଁ, ଯେଉଁମାନେ ମୋ’ର ପ୍ରଶଂସା କରନ୍ତି, ସେମାନଙ୍କର ଏହି ଗୋଟିଏ ମାତ୍ର ଉଦ୍ଦେଶ୍ୟ–ମୋ’ ନିକଟରୁ କିଛି ମାରିନେବା । ଯେଉଁମାନେ ଠକି ନେଇ ପାରନ୍ତି ନାହିଁ ସେମାନେ ନିନ୍ଦାରେ ଫାଟି ପଡ଼ନ୍ତି । ମୋ’ର ଚତୁର୍ଦ୍ଦିଗରେ ଯେଉଁ ସ୍ତୁତି ନିନ୍ଦା ଆବର୍ତ୍ତିତ ହୁଏ ତାହାର ଗୋଟିଏ କେନ୍ଦ୍ର, ହେଉଛିସ୍ଵାର୍ଥ । ନିନ୍ଦାର ଅନ୍ୟ ଏକ କେନ୍ଦ୍ର ଅଛି, ତାହା ହେଉଛି ଈର୍ଷା । ଅହେତୁକୀ ଈର୍ଷା, ଅହେତୁକୀ ପ୍ରେମ କଥା ବହିରେ ପଡ଼ିଛି, କିନ୍ତୁ ଜୀବନରେ ତାହା କେବେ ଅନୁଭବ କରି ନାହିଁ-। ଅହେତୁକୀ ଈର୍ଷାର ଦୃଷ୍ଟାନ୍ତ ପ୍ରତିଦିନ ଦେଖୁଛି । ଆଜିକାଲି ମୁଁ ଅନେକ ଟଙ୍କା ରୋଜଗାର କରୁଛି ସତ୍ୟ, କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମୋ’ ଟଙ୍କାକୁ ଦୁଇ ହାତରେ ଖର୍ଚ୍ଚ କରିବା ଲୋକର ମଧ୍ୟ ଅଭାବ ନାହିଁ । ମୋ’ର ନିକଟ ଓ ଦୂର ସମ୍ପର୍କୀୟ ଆତ୍ମୀୟସ୍ଵଜନରେ ମୋ’ ଘର ପୂର୍ଣ୍ଣ । ମୋ’ ପୁଅ ଜଣେ ଚମାର ଝିଅକୁ ବିବାହ କରି ମୋତେ ଛାଡ଼ି ଚାଲିଯାଇଛି ସତ୍ୟ, କିନ୍ତୁ ତା’ ପାଇଁ ମାସକୁ ମାସ ମୋଟା ଟଙ୍କା ପଠାଇବାକୁ ହୁଏ । ସେ ଏବଂ ତା’ର ସ୍ତ୍ରୀ ଉଭୟେ ରୋଜଗାର କରନ୍ତି– ଆଜିକାଲି କହୁଛନ୍ତି ସ୍ତ୍ରୀଲୋକମାନେ ରୋଜଗାର ନ କଲେ ଚଳିବ ନାହିଁ । କିନ୍ତୁ ମୁଁ ଦେଖୁଛି, ରୋଜଗାର ସତ୍ତ୍ୱେ ଓ ଚଳିପାରୁ ନାହାନ୍ତି । ମୁଁ ସେମାନଙ୍କ ପାଖକୁ ମାସିକ ଦୁଇଶ’ ଟଙ୍କା ପଠାଇଦିଏ । ମୋ’ ସ୍ତ୍ରୀର ମନ କଷ୍ଟ ନିବାରଣ ପାଇଁ ଟଙ୍କା ଅବଶ୍ୟ ଦେବାକୁ ହୁଏ; କିନ୍ତୁ ଶୁଣିବାକୁ ପାଏ ଯେ ଏହାଦ୍ଵାରା ସେମାନଙ୍କର ଟଣାଟଣି ଘୁଞ୍ଚୁ ନାହିଁ । ସେମାନଙ୍କୁ ଆହୁରି ଟଙ୍କା ଦେବାକୁ ପଡ଼ିବ । ଆହୁରି–ଆହୁରି–ଆହୁରି । ଏହାର ଆଉ ଶେଷ ନାହିଁ । ସେମାନେ ଆସି ଆମ ଘରେ ରହନ୍ତୁ ବୋଲି କହିଥିଲି-। ଚମାର ଝିଅକୁ ଘରକୁ ନେବା ପାଇଁ ପ୍ରଥମେ ପ୍ରଥମେ ଗୃହିଣୀଙ୍କର ସଙ୍କୋଚ ଥିଲା, କିନ୍ତୁ ପୁତ୍ରବତ୍ସଳତାର ପ୍ରାବଲ୍ୟରେ ସଂକୋଚ ମଧ୍ୟ ଭାସିଯାଇଛି । ବର୍ତ୍ତମାନ ତାକୁ ଘରକୁ ଆଣିବା ପାଇଁ ଏମାନେ ରାଜି ହୋଇଛନ୍ତି । ବୋହୂ, କିନ୍ତୁ ରାଜି ନୁହେଁ । ସେ କାଳେ କହୁଛି, ଚମାରର ଆଭିଜାତ୍ୟ ଅଛି । ସେହି ଆଭିଜାତ୍ୟ କୃପା ଓ ଅନୁକମ୍ପାମୟ ପରିବେଶରେ କ୍ଷୁର୍ଣ୍ଣ ହେବ; ସୁତରାଂ ସେ ଆମ୍ଭମାନଙ୍କ ପାଖକୁ ଆସିବ ନାହିଁ । ଅନାହାର ବା ଅର୍ଦ୍ଧାହାରରେ ମରିବ ବରଂ, ଆସିବ ନାହିଁ-। କୌଣସି ଭଦ୍ରଲୋକ କ’ଣ ଚାହିଁବ ତାର ପୁତ୍ରବଧୂ ଅନାହାର ବା ଅର୍ଦ୍ଧାହାରରେ ମରନ୍ତୁ ? ସୁତରାଂ ଟଙ୍କା ପଠାଇବାକୁ ହୁଏ । ଆଶ୍ଚର୍ଯ୍ୟର କଥା, ମନିଅର୍ଡର ବା ଚେକ କୌଣସି ଦିନ ଫେରସ୍ତ ଆସେ ନାହିଁ, ଟଙ୍କା ନେଲେ ଚମାରର ଆଭିଜାତ୍ୟ ନଷ୍ଟ ହୁଏ ନାହିଁ । ବଡ଼ ଝିଅଟି ମଧ୍ୟ ମୋ’ର ଗଳଗ୍ରହ-। ବିବାହର କିଛି ଦିନ ପରେ ସେ ପାଗଳ ହୋଇଯାଇଛି । ଜୋଇଁ ଅନ୍ୟ ବିବାହ କରିଛି-। ଝିଅକୁ ପାଗଳାଖାନାରେ ରଖିଛି । ତା’ର ବ୍ୟୟଭାର ମୋତେ ବହନ କରିବାକୁ ହୁଏ । ମୋ’ର ଦ୍ଵିତୀୟା କନ୍ୟାଟିକୁ ବଡ଼ଲୋକ ଘରେ ବିବାହ ଦେଇ ପାରି ନାହିଁ । ଆମ ସମାଜରେ ଟଙ୍କା ନ ଥିଲେ ବିବାହ ଭଲ ହୁଏ ନାହିଁ । ମୋ’ର ସେତେବେଳେ ଟଙ୍କା ନ ଥିଲା, ରତ୍ନାକୁ ଗୋଟିଏ ସାଧାରଣ କିରାଣୀ ହାତରେ ଦେଇଥିଲି । ତା’ର ବହୁତ ଗୁଡ଼ିଏ ଛୁଆ ପିଲା ହୋଇଛନ୍ତି । ପ୍ରତିବର୍ଷ ଗୋଟିଏ କରି ଜନ୍ମ ହୁଅନ୍ତି, ମଝିରେ ଦୁଇ ଥର ଜାଆଁଳା ଛୁଆ ଜନ୍ମ ହୋଇଥିଲେ । ମୋ’ର ଜୋଇଁଟି ଭାରି ବିନୟୀ, ଭଦ୍ରଲୋକ, ମୁହଁରୁ କଥା ଫିଟେ ନାହିଁ, ପାଖରେ ଯେତେ ସମୟ ଥାଏ ମୃଦୁ ହାସ୍ୟ ତା’ର ମୁହଁକୁ ସୁନ୍ଦର ଦେଖାଯାଏ, ଚୁପ କରି ରହିଥାଏ, ଯାହା ମଝିରେ ମଝିରେ ହାତ ମଳେ, ତାକୁ ମଧ୍ୟ ପ୍ରତି ମାସ ସାହାଯ୍ୟ କରିବାକୁ ହୁଏ । ଝିଅ ନାଁରେ ପ୍ରତି ମାସ କିଛି ପଠାଇ ଦିଏଁ, ସାନ ଝିଅର ବର୍ତ୍ତମାନ ସୁଦ୍ଧା ବିବାହ ହୋଇ ନାହିଁ । ସେ ସୋସାଇଟି ଗାର୍ଲ ସୁଲୀନାର ଓ ମୋର ଖ୍ୟାତି ହାୱାରେ ପ୍ରଜାପତି ପରି ଉଡ଼ି ବୁଲୁଛି । ସେ ବର୍ତ୍ତମାନ ସୁଦ୍ଧା ବିବାହ କରି ନାହିଁ । ସେ ଯେ କାହାକୁ ବିବାହ କରିବ ମୁଁ ତାହା ଜାଣି ନାହିଁ, ସେ ନିଜେ ବୋଧହୁଏ ଜାଣି ନାହିଁ । ପଲେ ନାନା ପ୍ରକାରର ଯୁବକ ତା’ ପଛେ ପଛେ ଗୋଡ଼ାଇଛନ୍ତି ନିରୁପାୟ ହୋଇ । ମୁଁ ସେ ଦୃଶ୍ୟଟି କେବଳ ଦେଖୁଛି । ତା’ର ହୋଟେଲ ଖର୍ଚ୍ଚ, ପିକନିକର ବ୍ୟୟଭାର ଓ ନାନା ପ୍ରକାରର ଶାଢ଼ି ପୋଷାକର ଖର୍ଚ୍ଚ ମୋତେ ବହନ କରିବାକୁ ପଡ଼େ । ନ ହେଲେ ଉପାୟ ନାହିଁ । ଯେଉଁ ସମାଜସ୍ରୋତରେ ମୁଁ ମୋ’ ଶରୀର ମେଲିଛି ସେ ସମାଜରେ କେହି କାହାରି ମୁହଁରେ ଲଗାମ ଲଗାଇ ପାରିବେ ନାହିଁ । ସ୍ଵେଚ୍ଛାଚାରୀ ହେବା ସେ ସମାଜର ନିୟମ । ମାଳିକା (ମୋ’ ସାନଝିଅ) ସମ୍ବନ୍ଧରେ ମୁଁ ଟିକିଏ ଲଗାମ କଷି ଧରୁଥିଲି; ମାତ୍ର ଗୃହିଣୀ ସେଥିରେ ବାଧା ଦେଲେ । କହିଲେ, “ତୁମ ବଡ଼ ପୁଅ ଯେଉଁ ଦିନ କୁଳରେ କାଳି ଲଗାଇ ଚମାର ଝିଅକୁ ବିବାହ କରି ଆସିଲା, ସେହି ଦିନ ବୁଝିଛି, ଆମ ଦେଶର ଭଦ୍ର ପରିବାର ସହ ଆମର ସମ୍ପର୍କ ଶେଷ ହେଲା । ସେମାନେ କେହି ଜାତି ନଷ୍ଟ କରି ଆମ ସାଙ୍ଗରେ ଆତ୍ମୀୟତା କରିବେ ନାହିଁ । ନ କରନ୍ତୁ, ଜାତିଆ ଭଦ୍ରଲୋକଙ୍କ ଘରର ଯେପରି ଅବସ୍ଥା, ସେଠି ପାଇଁ କ’ଣ ତମ ଝିଅ ଟେକିପାରିବେ ? ଏଇ ତ ରତିର (ରତ୍ନାମୋ’ ମଝିଆଁ ଝିଅ) ବିବାହ ଦେଇଥିଲ ଜାତିଆ ଭଦ୍ରଘରେ । ହାଡ଼ି ପରି ଦୁର୍ଗତି ହୋଇଛି ତା’ର । ରିକ୍‌ସା ଚଢ଼ିବା ପାଇଁ ମଧ୍ୟ ପଇସା ନାହିଁ, ମନୁର (ମନୋରମା–ମୋ’ ବଡ଼ ଝିଅ) ବିବାହ ବିରାଟ ପରିବାରରେ ଦେଇଥିଲି, ବିବାହ ବେଳେ ଲକ୍ଷପତି, କୋଟିପତି ବୋଲି ଅନେକ କଥା ଶୁଣିଥିଲି–ବର୍ତ୍ତମାନ ପାଗଳାଖାନାର ସମସ୍ତ ଖର୍ଚ୍ଚ ଆମକୁ ଦେବାକୁ ପଡୁଛି । ମାଳୀ ନିଜେ ପସନ୍ଦ କରି ବିବାହ କରୁ । ତାକୁ ତୁମେ କିଛି କୁହନି । ଯାହା ଦେଖୁଛି ସମାଜରେ ସମସ୍ତେ ଡମ, ମୋଚି, ଚମାର । ଖାଲି କାନ୍ଧରେ ପଇତା ଥିଲେ କ’ଣ ବ୍ରାହ୍ମଣ ହୁଅନ୍ତି ? ସମସ୍ତଙ୍କ ପ୍ରତି ଘୃଣା ହେଲାଣି ମୋର । ସେମାନେ (ଝିଅମାନେ) ନିଜ ଚରଖାରେ ନିଜେ ତେଲ ଦେଇ ପାରିବେ, ଆମ ଅପେକ୍ଷା ଖୁବ ଭଲ ଭାବରେ ପାରିବେ । ତୁମେ ତାକୁ କିଛି କୁହ ନାହିଁ ।”

 

ପ୍ରବଳ ବନ୍ୟାରେ ଭାସିଯାଇ ଶ୍ମଶାନରେ ବି ଆଶ୍ରୟ ପାଇଲା ମାତ୍ରେ ଲୋକେ ନିଜକୁ ସେ ସ୍ଥାନରେ ଖାପ ଖୁଆଇ ନେବାକୁ ଚେଷ୍ଟା କରେ । ମୋ’ ଗୃହିଣୀଙ୍କର ସେହି ଅବସ୍ଥା । କିନ୍ତୁ ମୁଁ ଜାଣେ, ଗୃହିଣୀ ଯଦିଓ ଏସବୁ କଥା କହିଲେ, ସେସବୁ ମୁହଁର କଥା ମାତ୍ର । ତଥାକଥିତ ସଭ୍ୟତାସ୍ରୋତରେ ଆମେ ଯେଉଁଠିକୁ ଭାସି ଆସିଛୁ, ସେ ସ୍ଥାନଟି ଶ୍ମଶାନ; କିନ୍ତୁ ସେ କଥା କହିଲେ ମୁଣ୍ଡ କଟିଯାଏ । ଆତ୍ମସମ୍ମାନରେ ଆଞ୍ଚ ଆସେ, ତେଣୁ ସେ ବାରମ୍ବାର ଚିତ୍କାର କରି କହେ–ଏହା ଭଲ, ଏହା ଭଲ । ମଝିରେ ମଝିରେ ମନେହୁଏ ମୋ’ ଗୃହିଣୀର ମୃତ୍ୟୁ ହୋଇଅଛି । ଯେଉଁ ଗୃହିଣୀକୁ ଲୁଚାଇ ଲୁଚାଇ ଲୁଗା ଗହଣା କିଣି ଦେଇ ଆତ୍ମପ୍ରସାଦ ଲାଭ କରିଥିଲି, ସେହି ଗୃହିଣୀ ମୁଁ ସ୍କୁଲକୁ ଯିବା ପାଇଁ ଭାତ ରାନ୍ଧି ଦେବାକୁ ଖୁବ୍ ଭୋରରୁ ଉଠି ମୋତେ ପଞ୍ଚ ବ୍ୟଞ୍ଜନ ରାନ୍ଧି ଦେଇ ମୋ’ ଆଗରେ ବିଚଣା ଧରି ବସିଥାଏ, ଯେଉଁ ଗୃହିଣୀକୁ ନିର୍ଜନ ଘରେ ପାଇବା ପାଇଁ ମୁଁ ଅଧୀର ଆଗ୍ରହରେ ଅନେକ ପର୍ଯ୍ୟନ୍ତ ପ୍ରତୀକ୍ଷା କରିଥାଏଁ, ଯା’ର ସାମାନ୍ୟ ସୁଖରେ ମୋ’ ଆନନ୍ଦର ସୀମା ନ ଥାଏ, ଯାହାର ସାମାନ୍ୟ ଅସୁସ୍ଥତାରେ ମୁଁ ଉଦ୍‌ବିଗ୍ନ ହୋଇପଡ଼େଁ– ମୋ’ର ସେ ଗୃହିଣୀ ମରିଯାଇଛି । ବର୍ତ୍ତମାନ ତା’ ସ୍ଥାନରେ ଯେଉଁ ମେଦବହୁଳା ବିଭୀଷିକା ମୋ’ ଘରେ ରାଜତ୍ଵ କରୁଛି, ସେ ଅନ୍ୟ ଲୋକ । ସେ ମୋ’ ଐଶ୍ଵର୍ଯ୍ୟର ପହରାଦାର, ମୋ ଖ୍ୟାତିର ଅଂଶୀଦାର ଏବଂ ମୋ’ ଚରିତ୍ରର ସଦା ସନ୍ଦିହାନ ଅଭିଭାବକ । ମୋ’ ପାଖକୁ ବହୁ ଯୁବତୀ ଆସନ୍ତି, ଅନେକ ଯୁବତୀ ଚିଠି ଲେଖନ୍ତି, ଅନେକଙ୍କ ସହିତ ଭଦ୍ରତା ଖାତିରରେ ହସି ହସି ଶିଷ୍ଟାଳାପ କରିବାକୁ ହୁଏ । ମୋ’ର ଗୃହିଣୀ ଏସବୁକୁ ମୋଟେ ପସନ୍ଦ କରନ୍ତି ନାହିଁ । ମୋ’ ସ୍ତ୍ରୀକୁ ଛାଡ଼ି ଆଉ ଜଣେ ଅଭିଭାବକ ଯୁଟିଛନ୍ତି, ସେ ହେଉଛନ୍ତି ମୋ’ର ମାମୁଁ । ବିଶେଷ ଦୂରବସ୍ଥାରେ ପଡ଼ି କଷ୍ଟ ପାଉଥିଲେ ବୋଲି ପାଖକୁ ଆଣି ରଖିଅଛି । ସେ ଆସିଲାମାତ୍ରେ ମୋ’ ଅଭିଭାବକ ଆସନରେ ଆସୀନ ଏବଂ ମୋ’ ସଂସାରରେ ପ୍ରତିଟି ବିଷୟରେ ମୁଣ୍ଡ ଘୂରାଉଛନ୍ତି । ବୟସ ଅଶୀ ପାରି ହୋଇଯାଇଛି । କିନ୍ତୁ ଦୃଷ୍ଟିଶକ୍ତି ତୀକ୍ଷ୍‌ଣ, ଦାନ୍ତ ପଡ଼ି ନାହିଁ, ଦାନ୍ତ ଘୋରିଗଲାଣି, କିନ୍ତୁ ଅତୁଟ ଅଛି । କେଶ ଏପରି କି ଭ୍ରୂଲତାର କେଶ ପାଚିଯାଇଛି, କିନ୍ତୁ ମୁହଁରେ ଜରା ପ୍ରକଟିତ ହୋଇ ନାହିଁ, ଚକ୍ଷୁକୋଣରେ କେବଳ ସାମାନ୍ୟ କୁଞ୍ଚନ ଦେଖାଯାଉଛି । ପ୍ରତିଦିନ ନିଶ, ଦାଢ଼ି ଖିଅର ହୁଅନ୍ତି, ମୁହଁ ସରୁ–ଲମ୍ଵା, ଯାହାକୁ କହନ୍ତି ଛୁଞ୍ଚିଆ ମୁହଁ, ଆଖିର ତାରା ଟିକିଏ ଚିଲା (ପିଙ୍ଗଳବର୍ଣ୍ଣ), ନାକ ଶୁକ ଚଞ୍ଚୁ ପରି; ତାଙ୍କୁ ଦେଖିଲେ ସେ ବୃଦ୍ଧ ବୋଲି ମନେ ହୁଅନ୍ତି ନାହିଁ, ମନେହୁଏ ଯେପରି କୌଣସି ଧୂର୍ତ୍ତ ପୌଢ ମୁଣ୍ଡରେ କେଶୀ ପିନ୍ଧି ଛଦ୍ମ ବେଶରେ ପୃଥିବୀର ହାଲଚାଲ ନିରୀକ୍ଷଣ କରୁଛନ୍ତି । ଖୁବ କମ୍ କଥା କହନ୍ତି । କିନ୍ତୁ ଯାହା କହନ୍ତି ତାହା ସେଥିରେ ଲୁକ୍‌କାୟିତ ଥାଏ କୌଣସି ମତଲବ । ପ୍ରଥମେ ଆସି ଗୋଟିଏ ପ୍ରବନ୍ଧ ପ୍ରତି ମୋ’ର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରବନ୍ଧଟି ଗୋଟିଏ ଖବର କାଗଜରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ଜଣେ ଚୈନିକ ଭଦ୍ରଲୋକଙ୍କ ବିଷୟରେ ଲିଖିତ । ସେକାଳେ ବିଂଶୋତ୍ତର ଶତବର୍ଷୋବଧି ବଞ୍ଚିଛନ୍ତି । ବର୍ତ୍ତମାନ କାଳେ ତାଙ୍କର ସ୍ୱାସ୍ଥ୍ୟ ଅତୁଟ ଅଛି । ମନେହୁଏ ଆହୁରି କିଛିଦିନ ବଞ୍ଚିବେ । ଜନୈକ ଖବରକାଗଜ ରିପୋର୍ଟର ତାଙ୍କୁ ସାକ୍ଷାତ କରି ଜାଣିବାକୁ ଚାହିଁଥିଲେ ସେ କ’ଣ ଖାଇ ଏପରି ଦୀର୍ଘଜୀବନ ଲାଭ କରିଛନ୍ତି । ସେ ଉତ୍ତରରେ କହିଥିଲେ, ପ୍ରଥମ ଜୀବନରେ ସେ ଯାହା ପାଇଥିଲେ ଖାଇଥିଲେ, ପଚାଶ ବର୍ଷ ପରେ ଦଶ ବର୍ଷ ନିରାମିଷାଶୀ ଥିଲେ; କିନ୍ତୁ ଟିକିଏ ଦୁର୍ବଳତା ବୋଧ କରିବାରୁ ପୁଣି ଆମିଷ ଧରିଲେ ଏବଂ ତାହା ଆଉ ଛାଡ଼ି ନାହାନ୍ତି । ମାଂସ ଖାଇ ତାଙ୍କର ସ୍ଵାସ୍ଥ୍ୟୋନ୍ନତି ହୋଇଅଛି । ଦେଖିଲି ଏହି ଅଂଶ ମାମୁ ଲାଲ କାଳିରେ ଦାଗ ଦେଇଛନ୍ତି । ମୁଁ ତାଙ୍କୁ ଖବର କାଗଜ ପ୍ରତ୍ୟର୍ପଣ କରିବାରୁ ସେ କହିଲେ, “ଦେଖିଲୁ ତ ! ତୋ’ ଘରେ ପ୍ରତିଦିନ ମାଂସ ହୁଏ; କିନ୍ତୁ ବହୂଙ୍କର କ’ଣ ଗୋଟିଏ ଭୁଲ ଧାରଣା ହୋଇଛି ଯେ ବୁଢ଼ା ମଣିଷର ମାଂସ ଖାଇବା ଅନୁଚିତ । ତେଣୁ ସେ ନିଜେ ଖା’ନ୍ତି ନାହିଁ କି ମୋତେ ଦିଅନ୍ତି ନାହିଁ । ସେ ନିଜେ ତ ହବିଷ୍ୟାନ୍ନ ଖା’ନ୍ତି; କିନ୍ତୁ ମା’ ସଧବାର ନିୟମ ରକ୍ଷା କରିବା ପାଇଁ ଖଣ୍ଡେ ଖଣ୍ଡେ ମାତ୍ର ମାଛ ମୁହଁରେ ଦିଅନ୍ତି । କିନ୍ତୁ ଏପରି ଭାବରେ ମାଛ, ମାଂସଠାରୁ ଦୂରେଇ ରହିବାଟା କ’ଣ ଠିକ ? ଏହି ଚୀନା ଭଦ୍ରଲୋକ ଯାହା କହିଛନ୍ତି ତାହା ତ ନିଜ ଆଖିରେ ଦେଖିଲୁ । ବହୂଙ୍କର ଚେହେରାଟା ଟିକିଏ ଦେଖିବାକୁ ମୋଟା; କିନ୍ତୁ ସେ ସ୍ଵାସ୍ଥ୍ୟ ପୁଷ୍ଟ ନୁହେଁ, ଅଦୃଢ । ସୁନୀଲା ଚେହେରାଟା ବେଶ୍ ଟାଇଟା ହେବ ନାହିଁ ? ପ୍ରତିଦିନ ମାଂସ କେତେ ଖାଏ ?”

 

ମାମୁଁ ସୁଲୀନାକୁ ସୁନୀଲା କହନ୍ତି ।

 

“ବାବା, ତୁ ଟିକିଏ ତୋ’ ସ୍ତ୍ରୀର ସ୍ଵାସ୍ଥ୍ୟ ପ୍ରତି ଦୃଷ୍ଟି ଦେ, ସେତିକି ତୋ’ର କର୍ତ୍ତବ୍ୟ–”

 

“ଆପଣଙ୍କ ବୋହୂ, ମୋ’ କଥା ଶୁଣିବ ନାହିଁ, ତେବେ ଆପଣ ଯେପରି ରୋଜ ମାଂସ ପାଇପାରିବେ ତା’ର ବ୍ୟବସ୍ଥା ମୁଁ କରିଦେଉଛି ।”

 

ମାମୁଁଙ୍କର ମୁହଁ ହାସ୍ୟୋଭାସିତ ହୋଇଗଲା ଏବଂ କଣ୍ଠରୁ ଖିଞ୍ଚ–ଖିଞ୍ଚ ଶବ୍ଦ ହେବାକୁ ଲାଗିଲା । ମାମୁଁ ଯେତେବେଳେ ହସନ୍ତି ସେତେବେଳେ ତୈଳବିହୀନ ଚଳମାନ ସାଇକେଲ ଚକାନିଃସୃତ ଶବ୍ଦ ପରି ଗୋଟିଏ ଶବ୍ଦ କଣ୍ଠରୁ ବାହାର କରିଥାନ୍ତି । ଶବ୍ଦଟା ପ୍ରାୟ ଶୁଣାଯାଏ ନାହିଁ । ଯେତେବେଳେ ଅତି ଆହ୍ଳାଦିତ ହୋଇଯାନ୍ତି ସେତେବେଳେ ଏ ଶବ୍ଦ ଶୁଭିଥାଏ । ମାମୁଁଙ୍କର ଅନ୍ୟ ଗୋଟିଏ କଥା ମନେ ପଡ଼ିଲା । ଦିନେ ମାମୁଁ ମୋତେ ଡାକି କହିଲେ, “ଯୋଗେନ, ତୁ କ’ଣ କରୁଛୁ ଜାଣୁ ?”

 

ପ୍ରଶ୍ନର ତାତ୍ପର୍ଯ୍ୟ ପ୍ରଥମେ ବୁଝିପାରିଲି ନାହିଁ । କହିଲି, “କ’ଣ ?”

 

“ତୁ ଫଟା କଳସୀରେ ହାଇଁ ପାଇଁ ହୋଇ ପାଣି ଭରୁଛୁ । ତୋ’ କଳସୀ ଶତଛିଦ୍ର । ଯେତେ ପାଣି ଭର ନା କାହିଁକି ବିନ୍ଦୁଏ ପାଣି ସଞ୍ଚି ପାରିବୁ ନାହିଁ ।”

 

ଏହି ରୂପକ ପୂର୍ଣ୍ଣ କଥା ଶୁଣି ତାଙ୍କ ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁଲି । ବୁଝିପାରିଲି ନାହିଁ, ସେ ଠିକ୍ କ’ଣ କହିବାକୁ ଚାହୁଁଛନ୍ତି । ପର ମୁହୂର୍ତ୍ତରେ ସେ କଥାଟି ଖୋଲି କରି କହିଲେ, “ତୋ’ର ଭଉଣୀମାନଙ୍କୁ ଏଠାରେ ଆଣି ଜୁଟାଇଛୁ କାହିଁକି ? ସୁଶୀଳାର ନ ହେଲା ଅବସ୍ଥା ଖରାପ, ତା’ର ଛୁଆ ପିଲାଙ୍କୁ ପଢ଼ାଉଛୁ ଅବଶ୍ୟ ଭଲ କଥା, କିନ୍ତୁ କାତ୍ୟାୟନୀ ଆଉ ଦୁର୍ଗାର ଦଳ ଏଠାରେ ଆସି ଯେଉଁ ଆସର ଜମାଇଛନ୍ତି ତା’ର କ’ଣ ମାନେ ଅଛି ? ସେମାନଙ୍କୁ ପ୍ରଶ୍ରୟ ଦେଇଛୁ କାହିଁକି ? ଭାତ ବିଞ୍ଛୁଡ଼ିଲେ କୁଆର ଅଭାବ ହୁଏ ନାହିଁ, କିନ୍ତୁ ଖାଲି ଖାଲି ଭାତ ବିଞ୍ଛୁଡ଼ିବୁ କାହିଁକି ?”

 

ମୁଁ ଯେଉଁ ଉତ୍ତର ସମସ୍ତଙ୍କୁ ଦିଏ ସେହି ଉତ୍ତର ମାମୁଁଙ୍କୁ ଦେଇଥିଲି ।

 

କହିଲି, “ମାମୁଁ ! ମୋ’ର ଆବାହନ ନାହିଁକି ବିସର୍ଜନ ମଧ୍ୟ ନାହିଁ । ମୁଁ କାହାରିକୁ ଆମନ୍ତ୍ରଣ କରି ଆଣି ନାହିଁ କି ତଡ଼ି ଦେଇ ପାରିବି ନାହିଁ । ସେମାନଙ୍କ ଭାଗ୍ୟାନୁସାରେ ଖାଉଛନ୍ତି, ପିନ୍ଧୁଛନ୍ତି; ମୁଁ ନିମିତ୍ତ ମାତ୍ର ।”

 

ମାମୁଁ ତାଙ୍କର ସେହି ହସ ହସି କହିଲେ, “ଖୁବ୍ ଉଚ୍ଚାଙ୍ଗ ଦାର୍ଶନିକ କଥା କହିଲୁ ସିନା, କିନ୍ତୁ ମୁଁ ଜାଣେ, ଏହା ତୋ’ର ମନର କଥା ନୁହେଁ । ଦର୍ପଣ ଆଗରେ ଠିଆ ହୋଇ କେବେ ତୋ’ ନିଜ ଚେହେରା ତୁ ଦେଖିଛୁ ? ତୋ’ ଆଖି କୋଟରଗତ, ସୁନା ପରି ଦେହ ତୋ’ର କଳାକାଠ ପଡ଼ିଗଲାଣି, ଭିତରେ ଭିତରେ ଦହନ ସୃଷ୍ଟି ହେଉଛି, ଖର୍ଚ୍ଚ କମାଇ ଦେ’, କମାଇ ଦେ’, ବୁଢ଼ାଟାର କଥା ରଖ–”

 

ମୋ’ର ମାମୁଁ ପୂଜନୀୟ, ପ୍ରାଜ୍ଞଲୋକ, ତାଙ୍କୁ ମିଥ୍ୟାବାଦୀ କହିବାର ସ୍ପର୍ଦ୍ଧା ମୋ’ର ନାହିଁ, ତେବେ ଗୋଟିଏ କଥା ନ କହି ରହି ପାରୁ ନାହିଁ । ମୋ’ ଦେହ ରଙ୍ଗ କୌଣସି ଦିନ ଗୌର ବର୍ଣ୍ଣ ନ ଥିଲା, ମୋତେ ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣ କହିଲେ ଚଳିବ ନାହିଁ । ସତରେ ମୋ’ ଦେହର ରଙ୍ଗ ଗାଢ କଳା କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେଲି, ମାମୁଁଙ୍କର ଧାରଣା ଅନ୍ୟ ପ୍ରକାର । ମାମୁଁଙ୍କର ଅନ୍ୟ ଗୋଟିଏ ଦିନର କଥା ମନେ ପଡୁଛି । ସେଦିନ କେତେ ଜଣ ଯୁବତୀ ମୋ’ ସହିତ ଦେଖା କରିବା ପାଇଁ ଆସିଥିଲେ-। ସେମାନେ ଚାଲିଯିବାରୁ ମାମୁଁ ପ୍ରଶ୍ନ କଲେ, “ସେମାନେ କିଏ ଜାଣୁ ?”

 

“ଜାଣେ, କ’ଣ ! ସୁଲୀନାର କେତେ ଜଣ ବାନ୍ଧବୀ, ଆଉ କେତେ ଜଣ ମୋ’ ଲେଖାର ଭକ୍ତ । ସେମାନେ ଆସିଥିଲେ–”

 

ମାମୁଁ ମୋତେ କୁହାଇ ନ ଦେଇ କହିଲେ, “ସେମାନଙ୍କର ତାହା ଅସଲ ପରିଚୟ ନୁହେଁ-। ସେମାନଙ୍କ ଅସଲ ପରିଚୟ କ’ଣ ତତେ ଜଣା ନାହିଁ ?

 

“ଅସଲ ପରିଚୟ ?”

 

“ହଁ, ଅସଲ ପରିଚୟ, ଭୁଲିଯାଇଛୁ ଦେଖୁଛି, ସେମାନେ ହେଲେ ପ୍ରତ୍ୟେକ ଘିଅଭାଣ୍ଡ । କେହି ଗୁଆ ଘିଅ, କେହି ମହିଷା ଘିଅ, ଭେଜିଟେବଲ ଘିଅ ଥାଇପାରନ୍ତି ଜଣେ ଅଧେ; କିନ୍ତୁ ସମସ୍ତେ ଘିଅ, ତୁ ନିଆଁ, ତୋ’ର ବୟସ ହେଇଛି, ଯୌବନ–ନିଆଁ ହୁଏତ ଟିକିଏ ନିସ୍ତେଜ ହୋଇଛି କେତେକାଂଶରେ । କିନ୍ତୁ ତା’ ପରିବର୍ତ୍ତେ ଆସିଛି ଅର୍ଥ–ନିଆଁ । ସେ ନିଆଁ ଅତି ଭୟଙ୍କର; ସୁତରାଂ ସେ ଘିଅ ପାଖରେ ରହି ସାବଧାନ ଥିବୁ ।”

 

ମାମୁଁଙ୍କର ପିଙ୍ଗଳ ଚକ୍ଷୁତାରକାରେ ଭର୍ତ୍ସନା ସହ ଚାପା ହସରେଖା ଚକ ଚକ ଦେଖାଯାଉଥାଏ । କୌଣସି ମାମୁଁ ପକ୍ଷରେ ଭଣଜାକୁ ଏପରି କହିବା ସମୀଚୀନ କି ନୁହେଁ, ଆପଣମାନେ ପ୍ରଣିଧାନ କରନ୍ତୁ । ମୁଁ କିନ୍ତୁ ଗୋଟିଏ କଥା ଜାଣେ, ମାମୁଁ ଯେ ମୋ’ର ହିତୈଷୀ ଏହା ସେ ସୁଯୋଗ ପାଇଲେ ନାନା ଉପାୟରେ ବ୍ୟକ୍ତ କରିବାର ପ୍ରୟାସ କରିଥାନ୍ତି; ତେଣୁ ତାଙ୍କର ଏପରି କଥାରେ ସେପରି କିଛି ମନରେ ଧରେ ନାହିଁ ।

 

ମୋ’ ନିଜ କଥା ଏତେ ସମୟ ଲିପିବଦ୍ଧ କରୁଥିଲି; କିନ୍ତୁ ସେଥିରେ ବାଧା ପଡ଼ିଲା । ସୁଲୀନା ଆସୁଛି । ଖାତାଟି ବନ୍ଦ କରିବାକୁ ପଡ଼ିଲା । ତା’ ସହିତ ଯାହା କଥାବାର୍ତ୍ତା ହେବ ପରେ ଲେଖିନେବି ।

 

ସୁଲୀନା ବିଚିତ୍ର ବେଶରେ ସଜ୍ଜିତ ହେବାକୁ ଭଲ ପାଏ । ଦେଶୀ, ବିଦେଶୀ, ବଙ୍ଗାଳୀ, ପଞ୍ଜାବୀ, ରାଜସ୍ଥାନୀ ସବୁ ଦେଶ ପୋଷାକର ବିଚିତ୍ର ସମନ୍ଵୟ ସମ୍ପାଦନ ତା’ ପ୍ରତିଭାର ଗୋଟିଏ ଲକ୍ଷଣ–ଅନ୍ତତଃ ତା’ର ଗୁଣମୁଗ୍‌ଧ ବ୍ୟକ୍ତିଗଣ ତାହା ହିଁ କହିଥାନ୍ତି । ସେ ଯାହା ପିନ୍ଧେ ତାକୁ ତାହା ମନାଏ; କାରଣ ସେ ଯୁବତୀ ଏବଂ ସୁନ୍ଦରୀ । ମୋତେ ମଝିରେ ମଝିରେ ବିସଦୃଶ ଦେଖାଯାଏ; କିନ୍ତୁ ତାକୁ ମୁଁ ସେକଥା କହେ ନାହିଁ, କହିବାକୁ ଭୟ ହୁଏ । ସେ ଆଜିକାଲି ମାସିକ ଗଡ଼ପଡ଼ତା ଚାରି ପାଞ୍ଚ ହଜାର ଟଙ୍କା ରୋଜଗାର କରେ । ନିଜ ହାତ ଖର୍ଚ୍ଚ ପାଇଁ ହଜାରେ ଖଣ୍ଡେ ରଖି ବାକି ସବୁ ମୋ’ ହାତରେ ଦିଏ । ତା’ର ଆୟ ତୁଳନାରେ ମୋ’ର ଆୟ ଅତି ସାମାନ୍ୟ । ମାସିକ ହଜାରେ ଟଙ୍କା ପ୍ରାୟ ସବୁବେଳେ ହୁଏ ନାହିଁ । ବସ୍ତୁତଃ ସୁଲୀନାର ଉପାର୍ଜନରେ ମୋର ଏହିସବୁ ଥାଟ ବାଟ ବଜାୟ ରହିଛି ଏବଂ ଏହି ଆଖିଝଲସା ଥାଟ ବାଟକୁ କୁଣ୍ଢାଇ ଧରି ମୁଁ ମଧ୍ୟ ଟେକିଯାଇଛି-। ଏଣୁ ପୋଷାକ–ପରିଚ୍ଛଦକୁ ସମାଲୋଚନା କରି ତା’ ମନରେ କଷ୍ଟ ଦେବାର ପ୍ରବୃତ୍ତି ମୋର ନାହିଁ-। ସୁଲୀନା ଯେତେବେଳେ ମୋ’ ପାଖକୁ ଆସିଲା, ସେ ସେତେବେଳେ ପିନ୍ଧିଥାଏ ଢିଲା ପ୍ୟାଣ୍ଡଲୁନ୍ ଓ କମକଟା ବ୍ଲାଉଜ । ବ୍ଲାଉଜ ଉପରେ ସୁଦୃଶ୍ୟ ଖଣ୍ଡିଏ ଦୋପଟ୍ଟା । ସୁଲୀନା ତା’ର ଗୋଟିଏ ହାତ ପଛକୁ ରଖିଥାଏ । ମନେ ହେଲା, ଯେପରି କିଛି ଲୁଚାଇ ଆଣିଛି ।

 

“ବଡ଼ବାପା ! ତୁମେ ଆଖି ବୁଜ, ମୁଁ ଆସୁଛି ।”

 

“ଆଖି ବୁଜିବି କାହିଁକି, ଆସୁ ନାହୁଁ !”

 

ସୁଲୀନା ଟିକିଏ ଗେହ୍ଲେଇ ହୋଇ ନାକରେ କହିଲା, “ନା, ତୁମେ ଆଖି ବୁଜ–”

 

ଆଖି ବୁଜିଲି । ସୁଲୀନା ଆସି ମୋ’ ଚେୟାର ହାତଟା ଉପରେ ବସିଲା ।

 

“ଏଥର ପାଟି ଆଁ କର ।”

 

ପାଟି ମେଲା କଲି । ସୁଲୀନା କ’ଣ ମୋ’ ପାଟିରେ ପୂରାଇଦେଲା ।

 

“ଏଥର ଚୋବାଅ । କହିଲ ଦେଖି କ’ଣ ?”

 

“ଠିକ ଜାଣି ପାରୁ ନାହିଁ; କିନ୍ତୁ ଚମତ୍କାର ଲାଗୁଛି । ଅଣ୍ଡା ପଡ଼ିଛି ବୋଧହୁଏ ? ଓମଲେଟ ?”

 

ଜିନିଷଟା କ’ଣ ଜାଣିପାରିଥିଲି; ମାତ୍ର ତା’ର କଳକଣ୍ଠରୁ ହସ ଶୁଣିବା ପାଇଁ ଇଚ୍ଛାକରି ଭୁଲ କହିଲି । ସଙ୍ଗେସଙ୍ଗେ ସୁଲୀନା ହସି ଉଠିଲା । ମନେ ହେଲା, ଯେପରି ଗୋଟିଏ କାଚ ବାସନ ତାଳଛନ୍ଦ ବଜାୟ ରଖି ଭାଙ୍ଗିଗଲା ।

 

“ବଡ଼ବାପା ! ତୁମେ ଯେ କ’ଣ କୁହ ! ଏଇ ତ ସେଦିନ ତୁମକୁ ଖୁଆଇଥିଲି । ସ୍ୟାଣ୍ଡଉଇଚ । ସ୍ୟାଣ୍ଡଉଇଚ । ଆଜି ନିଜେ ତିଆରି କରିଛି । ଏଥିରେ ଅବଶ୍ୟ ଅଣ୍ଡା ଅଛି, ଠିକ୍ ଧରିଛ ।”

 

“ହଠାତ୍ ସ୍ୟାଣ୍ଡଉଇଚ କଲୁ ପୁଣି ନିଜେ, କାହିଁକି ରେ ?”

 

“ଆଜି ରମେନର ଜନ୍ମଦିନ ପରା, ତାଙ୍କୁ ନିମନ୍ତ୍ରଣ କରିଛି । ଗାଡ଼ି ନେଇ ବର୍ତ୍ତମାନ ଯିବି-। କିଛି ଫାଉଲ କଟଲେଟ ଓ ଚିଙ୍ଗୁଡ଼ି କଟଲେଟ ନେଇ ଆସିବି । ରମେନ୍ ଖୁବ ଭଲ ପାଏ-। ପିଚ, ପୀୟର ଆଉ ମଙ୍ଗୋଷ୍ଟୀନ୍ ଆଣିବି ।”

 

“ତୋ’ର ଯିବା ଦରକାର କ’ଣ ? ଡ୍ରାଇଭର ଯାଇ ଆଣିପାରିବ ନାହିଁ କି ?”

 

“ନା, ସେ ପାରିବ ନାହିଁ, ମୋତେ ଯିବାକୁ ହେବ ।”

 

ବୁଝିଲି, ଏଇ ବାହାନାରେ ବାହାରକୁ ଯାଇ ସେ ରମେନ୍ ସହିତ ଯୋଗାଯୋଗ କରିବ-। ବୁଝିଲି, କିନ୍ତୁ ମନା କରିପାରିଲି ନାହିଁ । ତା’ର ନିଜର ଦାମୀ ଗାଡ଼ି ଅଛି, ନିଜେ ଚଳାଏ, କାହାକୁ ଆଦୃଜା ହୁଏ ନାହିଁ ।

 

“କୁକୁରଟିକୁ କେଉଁଠି ରଖିଆସିଲୁ ?”

 

“ଭିତର ବାରଣ୍ଡାରେ ଚେନରେ ବାନ୍ଧି ଦେଇ ଆସିଛି ।”

 

“ବାହାର ବାରଣ୍ଡାରେ ବାନ୍ଧିଦେ ।”

 

“କାହିଁକି ?”

 

“କିଛି ନାହିଁ । ବାରଣ୍ଡାରେ ବନ୍ଧା ହୋଇଥିଲେ ବେଶ୍ ଚମତ୍କାର ମନଏ ।”

 

“ତା’ହେଲେ ବାନ୍ଧିଦେଉଛି । ମୁଁ ତା’ହେଲେ ଉଠୁଛି । ଫୁଲ କିଣିବାକୁ ପଡ଼ିବ । ଯଦି ପାଏଁ ତେବେ ତୁମ ପାଇଁ କେତୋଟି ପଦ୍ମଫୁଲ କିଣି ଆଣିବି ।”

 

ସୁଲୀନା ମୋର ଦୁଇ ଗାଲରେ ହାତ ଦେଇ ଏପରି ଗେହ୍ଲା କଲା, ଯେପରି ମୁଁ ଗୋଟିଏ ଛୋଟ ଶିଶୁ । ତା’ପରେ ଭିତରକୁ ଚାଲିଗଲା । ମୁଁ ରମେନ୍ କଥା ଭାବିବାକୁ ଲାଗିଲି । ରମେନ୍ ଖୁବ ଭଲ ପିଲା । ଏପରି ଭଲ ପିଲା । ପ୍ରାୟ ଦେଖାଯାନ୍ତି ନାହିଁ । ନିଜ ଚେଷ୍ଟାରେ କୃତିତ୍ଵର ଶିଖରଆରୋହଣ କରିଅଛି । ଗରିବ ପିଲା, ନିଜର ଲୋକ କେହି ନାହିଁ । ପ୍ରାଇଭେଟ ଟିଉସନ କରି ପଡ଼ିଛି ଏବଂ ବରାବର ପରୀକ୍ଷାରେ ଉଚ୍ଚସ୍ଥାନ ଅଧିକାର କରିଛି । ବର୍ତ୍ତମାନ ଚାକିରି କରୁଛି । ଭବିଷ୍ୟତରେ ହୁଏତ ଉନ୍ନତି କରିବ । କିନ୍ତୁ ବର୍ତ୍ତମାନ ବେତନ ସାମାନ୍ୟ, ମାତ୍ର ଦୁଇ ଶହ ଟଙ୍କା । ଏଥିରେ ତା’ର ଗୁଜରାଣ କୌଣସି ପ୍ରକାରେ ମେଣ୍ଟି ଯାଏ । ସୁଲୀନା ସହିତ ଚିଠିଦ୍ଵାରା ଆଳାପ ହୋଇଥିଲା । ସୁଲୀନାର ପ୍ରତିଦିନ ବହୁତ ଚିଠି ଆସେ । ଅଧିକାଂଶ ଚିଠି ସ୍ତବ ସ୍ତୁତିରେ ପୂର୍ଣ୍ଣ । ସୁଲୀନା ଗର୍ବ ସହକାରେ ତା’ର ଚିଠିସବୁ ଦେଖାଏ । ଦିନେ ସୁଲୀନା ଆସି ମୋତେ କହିଲା, “ଦେଖ ତ ବଡ଼ବାପା, ଏହି ଅସଭ୍ୟ ଲୋକଟା କି କଦର୍ଯ୍ୟ ଚିଠି ଲେଖିଛି !” ସେଇଟି ରମେନ୍‌ର ପ୍ରଥମ ପତ୍ର । ରମେନ୍ ଲେଖିଥିଲା–

 

“ଶ୍ରୀମତୀ ସୁଲୀନା ଦେବୀ !

 

ମୋର ନମସ୍କାର ଗ୍ରହଣ କରିବେ । ଆପଣଙ୍କ ଚେହେରା ଭଲ । ଆପଣଙ୍କ ସେହି ଚେହେରାକୁ ଯଦି ସୁ–ଅଭିନୟରେ ନିୟୋଜିତ କରିପାରନ୍ତେ ତା’ହେଲେ ସିନେମା-ଜଗତରେ ଆପଣ ଗୋଟିଏ ସ୍ଥାୟୀ କୀର୍ତ୍ତି ଅର୍ଜ୍ଜନ କରିପାରନ୍ତେ । କିନ୍ତୁ ଦୁଃଖର ସହିତ ଜଣାଉଛି, ଆପଣଙ୍କର ସେ ଦିଗରେ ମନ ନାହିଁ । ଆପଣଙ୍କ ଅଭିନୟ ଜାଣି ନ ଜାଣିଲା ପରି ଏବଂ ନିତାନ୍ତ, ଅକାରଣରେ ଦୈହିକ ଯୌବନ ଶସ୍ତାରେ ପ୍ରଦର୍ଶନ କରିବାର ଅଶୋଭନ ପ୍ରବଣତା ଏତେ ବେଶି ଯେ ମଝିରେ ମଝିରେ ତାହା ଶ୍ଲୀଳତାର ସୀମା ଟପିଯାଏ । ଆପଣଙ୍କୁ ଭଲ ଭାବିଛି ବୋଲି ଏବଂ ଆପଣଙ୍କଠାରେ ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା ଅଛି ଭାବି ଏହି ରୂଢ କଥାଗୁଡ଼ାକ କର୍ତ୍ତବ୍ୟବୋଧରେ ଲେଖିଲି । ଯଦି ଅନ୍ୟାୟ କରିଥାଏ, ମୋତେ କ୍ଷମା କରିବେ ।”

 

ରମେନ୍‌ର ଏଇ ଛୋଟ ଚିଠିଟି ଏତେ ଭଲ ଲାଗିଥିଲା ଯେ ତାକୁ ବହୁଥର ପଢ଼ିଛି ଏବଂ ତାହା ମୋର ମୁଖସ୍ଥ ହୋଇଯାଇଛି । ସୁଲୀନା ବିଷୟରେ ଏପରି ସତ କଥା କେହି କେବେ ଲେଖି ନ ଥିଲେ । ସତ୍ୟ କଥା ସବୁ ସମୟରେ ଅପ୍ରିୟ ହୁଏ ନାହିଁ, କିନ୍ତୁ ଯେତେବେଳେ ହୁଏ ତାହା କୁଇନାଇନ୍‌କୁ ହରାଇଦିଏ । ମନେ ପଡ଼ୁଛି ସୁଲୀନାର ମୁହଁଟି ।

 

“କି କଦର୍ଯ୍ୟ ଚିଠି ଲେଖିଛି ଦେଖୁଛ ? ସତରେ ମୁଁ ଏହିପରି କେବେ ନା ବଡ଼ବାପା ?”

 

କହିଲି, “ଆରେ ନା ନା, ପାଗଳ କ’ଣ ନ କହେ–ଛାଗଳ କ’ଣ ନ ଖାଏ ! ସମସ୍ତଙ୍କର କଥା କ’ଣ ଶୁଣାଯାଇପାରିବ ? ମୋ ପାଖକୁ ମଝିରେ ମଝିରେ କିପରି ଖରାପ ଚିଠି ଆସେ ଦେଖିନୁ ? ସେସବୁକୁ ଅଗ୍ରାହ୍ୟ କରିବାକୁ ହୁଏ ।”

 

ସୁଲୀନା କିଛି ସମୟ ଛଳଛଳ ଆଖିରେ ଓଠ ଫୁଲାଇ ଠିଆ ହୋଇ ରହିଲା । ତା’ପରେ ଗୋଟିଏ ନାଟକୀୟ କାଣ୍ଡ ଘଟାଇଦେଲା । ହଠାତ୍ ଆଣ୍ଠୁ ମାଡ଼ି ମୋ କୋଳରେ ମୁହଁ ରଖି ଫୁଲି ଫୁଲି କାନ୍ଦି ଉଠିଲା ।” ସେ ଯାହାସବୁ ଲେଖିଛି ସତ, ମୁଁ ସେହିପରି କରେ । କିନ୍ତୁ ଡାଇରେକ୍ଟର ଯେ କାହିଁକି ସେପରି କରିବାକୁ କହେ—”

 

ମୁଁ ଆଉ କ’ଣ କହିବି ? ଆସ୍ତେ ଆସ୍ତେ ତା’ ମୁଣ୍ଡରେ ହାତ ସାଉଁଳିବାକୁ ଲାଗିଲି ।

 

ରମେନ୍ ସହିତ ଆଳାପର ଏହା ପ୍ରଥମ ସୋପାନ । ତାହାପରେ ବହୁ ସୋପାନ ସେମାନେ ଅତିକ୍ରମ କରିଛନ୍ତି । ବର୍ତ୍ତମାନ ଭାବଭଙ୍ଗୀରୁ ମନେହୁଏ, ରମେନ୍ ସୁଲୀନାର ପ୍ରଣୟୀ । ମୁହଁରେ ସେ ପ୍ରେମ ନିବେଦନ କରିଛି କି ନାହିଁ ମୁଁ ଜାଣେ ନାହିଁ । ତା’ର ବ୍ୟବହାରରେ ସଂଯମ ଓ ସୁରୁଚିର ଯେଉଁ ସୁଷ୍ଠୁ ପ୍ରକାଶ ଦେଖେ ସେଥିରୁ ମନେହୁଏ ନା ବର୍ତ୍ତମାନ ଯୁଗର ପ୍ରଗଳ୍‌ଭ ଯୁବକଙ୍କ ପରି ସେ ଅସାର ବାକ୍ୟର ଫୁଲଝରି ଝରାଇ ସୁଲୀନାର ସମ୍ଭ୍ରମକୁ ବିବ୍ରତ କରିଛି । ସନ୍ଦେହ ହୁଏ, ମୁହଁରେ ହୁଏତ ସେ କିଛି ପ୍ରକାଶ କରି ନାହିଁ । ସୁଲୀନାର ବହୁତ ପ୍ରଣୟୀ, ଅଧିକାଂଶ ଧନିକ ସନ୍ତାନ, ସେମାନେ ଯେତେବେଳେ ନାହିଁ ସେତେବେଳେ ଦାମୀ ଦାମୀ ଗାଡ଼ି ଚଢ଼ି ଆମ ଘରକୁ ଆସନ୍ତି ଏବଂ କିଛି ସମୟ ସୁଲୀନା ସହ ହାସ୍ୟ ପରିହାସ କରି ଚାଲିଯାନ୍ତି । ରମେନ୍ କିନ୍ତୁ ବିନା ନିମନ୍ତ୍ରଣରେ ଆସେ ନାହିଁ । ସୁଲୀନା ନିଜେ ଯାଇଁ ଅନେକ ସମୟରେ ତା’ ସହିତ ଦେଖା କରେ । ଛୁଟି ଦିନମାନଙ୍କରେ ଗାଡ଼ିରେ ଚଢ଼ାଇ ବୁଲାଇ ଆଣେ । ସେମାନେ ପରସ୍ପର କି ଆଳାପ କରନ୍ତି ଜଣା ନାହିଁ । ସୁଲୀନା ତା’ର ଅନ୍ୟାନ୍ୟ ବନ୍ଧୁମାନଙ୍କ ସମ୍ବନ୍ଧରେ ମୋ ସହିତ କଥାବାର୍ତ୍ତା କରେ; କିନ୍ତୁ ରମେନ୍ କଥା ବିଶେଷ କହେ ନାହିଁ । ଯେତିକି କହେ, ତାହା ସଶ୍ରଦ୍ଧ ଓ ସମ୍ଭ୍ରମପୂର୍ଣ୍ଣ । ତେଣୁ ମନେ ହୁଏ, ସୁଲୀନା ରମେନ୍‌କୁ ଭଲ ପାଇଛି । ପ୍ରକୃତ ପ୍ରେମ ପ୍ରଥମେ ଫଲ୍‌ଗୁ ସଦୃଶ ଅନ୍ତଃସଲିଳା ହୁଏ ଶୁଣିଛି । କ’ଣ ହେବ କେଜାଣି, ଡର ଡର ଲାଗୁଛି ।

 

ସୁଲୀନା ପ୍ରସ୍ତୁତ ହୋଇ ଆସିଲା । ଇରାନୀ ବେଶରେ ସଜ୍ଜିତା । ନାନା ବର୍ଣ୍ଣର ଅପରୂପ ସମନ୍ଵୟରେ ମହିମାମୟୀ ହୋଇଉଠିଛି ଯେପରି । ନିର୍ନିମେଷ ଚକ୍ଷୁରେ ଚାହିଁରହିଲି । ଆଜି ସାଜସଜ୍ଜାର ଆଡ଼ମ୍ବର କାହିଁକି ?

 

“ବଡ଼ବାପା ! ମୁଁ ଗଲି । ଜିମି ଏଠାରେ ବନ୍ଧା ହୋଇଛି ।”

 

ଦେଖିଲି, ବେହେରା ହାତରେ ଗୋଟିଏ ଟିଫିନ୍ କେରିଅର ଧରି ପଛେ ପଛେ ଆସୁଛି ।

 

“ତା’କୁ ମୋ ଗାଡ଼ରେ ରଖିଦେ ।”

 

ଜିଜ୍ଞାସା କଲି, “ସେଥିରେ କ’ଣ ନେଉଛୁ କି ?”

 

“ରମେନ୍ ଯେବେ ଆସିବାକୁ ରାଜି ନ ହୁଏ, ତାକୁ ସେଠାରେ ଖୁଆଇବି । ଯେମିତିକା ଲୋକ ନା, କହିବେ ସମୟ ନାହିଁ ।”

 

ସୁଲୀନା ଯେତେବେଳେ ବାହାରକୁ ଯାଏ, ସେତେବେଳେ ଗୋଟିଏ ପୁରୁଣା ଗାଡ଼ିରେ ପରଦା ଆବୃତ କରି ଯିବାକୁ ପସନ୍ଦ କରେ । ତାହା ନ କଲେ ରାସ୍ତାରେ ତାକୁ ଦେଖିବା ପାଇଁ ଲୋକଭିଡ଼ ଜମିଯାଏ ।

 

ସୁଲୀନା ଚାଲିଗଲା ।

 

ମୁଁ ଗେଟ ଆଡ଼କୁ ଚାହିଁ ଅପେକ୍ଷା କରିବାକୁ ଲାଗିଲି ଲୋମହୀନ କୁକୁରଟି କେତେବେଳେ ଆସିବ ?

Image

 

Unknown

ଦ୍ଵିତୀୟ ପକ୍ଷୀର କଥା

 

ଶ୍ରୀ ଯୋଗେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କ ଯେଉଁ ସତ୍ତାର କାହାଣୀ ଏତେ ବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ, ମୁଁ ସେଇ ସତ୍ତାର ଦ୍ଵିତୀୟ ଅଂଶ । ଯୋଗେନ୍ଦ୍ରନାଥଙ୍କ ସତ୍ତାର ଯେଉଁ ଅଂଶ ସୁଖ, ଦୁଃଖ ଭୋଗ କରିଅଛି ଅର୍ଥାତ୍ ସୁଖରେ ଉଲ୍ଲସିତ ଓ ଦୁଃଖରେ ପ୍ରିୟମାଣ ହୋଇଛି, ମୁଁ ସେ ଅଂଶ ନୁହେଁ । ମୁଁ ନିର୍ବିକାର ଦ୍ରଷ୍ଟା ମାତ୍ର । ଯଦି କଳ୍ପନା କରିପାରିବେ ଯେ ଜଣେ ଲୋକର ଗୋଟିଏ ଅଂଶ ରଙ୍ଗମଞ୍ଚରେ ଅଭିନୟ କରୁଛି, ଅନ୍ୟ ଅଂଶ ପ୍ରେକ୍ଷାଗୃହରେ ବସି ସେ ଅଭିନୟ ଦର୍ଶନ କରୁଛି, ତା’ହେଲେ ହୁଏତ ବୁଝିପାରିବେ । ଟିକିଏ ତଫାତ୍ ଅବଶ୍ୟ ଅଛି । ଆପଣ ରଙ୍ଗମଞ୍ଚରେ କିଛି ସମୟ ପାଇଁ ଅଭିନୟ ଦେଖନ୍ତି । କିନ୍ତୁ ମାନବଜୀବନର ଯେଉଁ ଅଭିନୟ କଥା କହିଲି, ତାହା ସବୁବେଳେ ଚାଲିଅଛି । ଜୀବନର ବିରାଟ ରଙ୍ଗମଞ୍ଚରେ ଗୋଟିଏ ସତ୍ତାର ଦୁଇଟି ଅଂଶ ଅଭିନେତା ଓ ଦର୍ଶକ ରୂପେ ସତତ ବିରାଜିତ; କିନ୍ତୁ ଏ କଳ୍ପନାରେ ମଧ୍ୟ ଟିକିଏ ଭୁଲ ଅଛି । ଆପଣଙ୍କ ରଙ୍ଗମଞ୍ଚର ପ୍ରେକ୍ଷାଗୃହରେ ଦର୍ଶକଗଣ ବିଚଳିତ ହୁଅନ୍ତି । କିନ୍ତୁ ଯେଉଁ ମହାନାଟକର କଥା ମୁଁ କହୁଛି ତା’ର ଦର୍ଶକ ନିର୍ବିକାର । ସେ ଉଚ୍ଛ୍ଵସିତ ହୁଏ ନାହିଁ । ସେ କେବଳ ନିରୀକ୍ଷଣ କରେ-। ଯୋଗେନ୍ଦ୍ରନାଥଙ୍କ ଜୀବନ–ନାଟ୍ୟରେ ମୁଁ ସେହି ପ୍ରକାର ନୀରବ ଦ୍ରଷ୍ଟା ମାତ୍ର । ଯୋଗେନ୍ଦ୍ରନାଥଙ୍କ ଜୀବନର କୌଣସି କାର୍ଯ୍ୟକୁ ମୁଁ ଭଲ ବା ମନ୍ଦ ଆଖ୍ୟାରେ ଚିହ୍ନିତ କରି ନାହିଁ । ଭଲ ମନ୍ଦ ଆପଣମାନଙ୍କର ସୃଷ୍ଟି । ସ୍ଥାନ–କାଳ–ପାତ୍ର ଭେଦରେ ତା’ର ରୂପର ପରିବର୍ତ୍ତନ ହୁଏ-। ଏ ଦେଶରେ ଯାହା ଭଲ ଅନ୍ୟ ଦେଶରେ ତାହା ଖରାପ, ଏ କାଳରେ ଯାହା ଭଲ ଅନ୍ୟ କାଳରେ ତାହା ମନ୍ଦ, ଜଣକ ପକ୍ଷରେ ଯାହା ଭଲ ତାହା ଅନ୍ୟମାନଙ୍କ ପକ୍ଷରେ ଖରାପ-। ସୁତରାଂ ଯୋଗେନ୍ଦ୍ରନାଥ ଜୀବନରେ ଯାହା ଯାହା କରିଛନ୍ତି ତାହା ଭଲ କି ମନ୍ଦ ସେଥିରେ ମୁଁ ମୁଣ୍ଡ ଖେଳାଇ ନାହିଁ । ବସ୍ତୁତଃ କୌଣସି ବିଷୟ ନେଇ ମୁଁ ମୁଣ୍ଡ ଖେଳାଇ ନାହିଁ । ମୁଁ ନିର୍ବିକାର ଦ୍ରଷ୍ଟା ମାତ୍ର, ବିଚାରକ ନୁହେଁ । କିନ୍ତୁ ଯେଉଁ ଲେଖକ ଯୋଗେନ୍ଦ୍ରନାଥଙ୍କ ମୁଖରେ ତାଙ୍କୁ ଆତ୍ମକଥା କୁହାଇଛନ୍ତି, ମୁଁ ତାଙ୍କ ବିଷୟରେ କିଛି କହେଁ । ଲେଖକମାନେ କବି । କବିମାନଙ୍କ ଆଦେଶରେ ଭଗବାନ ସ୍ୱର୍ଗରୁ ଓହ୍ଲାଇ ଆସନ୍ତି, ନିର୍ଗୁଣ ବ୍ରହ୍ମ ସଗୁଣ ହୋଇ ଦେଖାଦିଅନ୍ତି । ମୁଁ ତାଙ୍କର ସେ ଆଗ୍ରହକୁ ଉପେକ୍ଷା କରିପାରୁ ନାହିଁ । ନିରପେକ୍ଷ ଦର୍ଶକ ହିସାବରେ ମୁଁ ଯୋଗେନ୍ଦ୍ରନାଥଙ୍କର ଯାହା ଯାହା ଦେଖିଅଛି, ଯେତେ ବୁଝିଅଛି, କାହା ଅକପଟରେ ବ୍ୟକ୍ତ କରିବି । ପ୍ରଥମରୁ ଗୋଟିଏ କଥା କହିରଖେଁ । ଲେଖକ ଯୋଗେନ୍ଦ୍ରନାଥଙ୍କର ଯେଉଁ ଆତ୍ମଚରିତ ଲେଖିଛନ୍ତି, ସେଥିରେ ଅନେକ ବିଷୟ ବାଦ୍ ପଡ଼ିଅଛି । ସେ ତାଙ୍କ ବାଲ୍ୟକାଳ ବା କୈଶୋରର ସମ୍ବନ୍ଧରେ କିଛି କହି ନାହାନ୍ତି । ତାଙ୍କର ବାଲ୍ୟକାଳ ଓ କୈଶୋରର କେତେକ ଘଟଣା ତା’ର ପରବର୍ତ୍ତୀ ଜୀବନରେ ଆଭାସିତ ହୋଇଛି । ଶୈଶବରେ ସେ ଭାରି ଗେହ୍ଲା ଓ ଏକଜିଦିଆ ଥିଲେ । ଯାହା ନେବେ ବୋଲି ଜିଦ୍ ଧରିଥିବେ ତାହା ନ ପାଇଲା ପର୍ଯ୍ୟନ୍ତ ତାଙ୍କର ଶାନ୍ତି ନାହିଁ । ତାଙ୍କର ବାପା—ମା’ ଏଥିପାଇଁ ମଝିରେ ମଝିରେ ଭାରି ହଇରାଣରେ ପଡ଼ନ୍ତି । ଗୋଟିଏ ଘଟଣା ମନେ ପଡ଼ୁଛି । ଯୋଗେନ୍ଦ୍ରଙ୍କର ସେତେବେଳେ ବୟସ ତିନି କି ଚାରି ବର୍ଷ ହେବ । ସେଦିନ ପୂର୍ଣ୍ଣିମା, ଜ୍ୟୋତ୍ସ୍ନାର ଫୁଆରା ଫିଟିଛି । ମା’ ଯୋଗେନ୍ଦ୍ରଙ୍କୁ କାଖ କରି ଜହ୍ନକୁ ଚାହିଁ ଗୀତ ଗାଉଥିଲେ, “ଆଇରେ—ଆଇରେ ଚାନ୍ଦ ଆ’ରେ–ଯୋଗେନ୍ଦ୍ର ମୁଣ୍ଡରେ ଟିପା ଦେଇ ଯାରେ ।” ଆକାଶରେ ପୂର୍ଣ୍ଣଚନ୍ଦ୍ର ହସୁଥିଲା । ଯୋଗେନ୍ଦ୍ର ହଠାତ୍ ଜିଦ୍ ଧରିଲେ, —“ମା’, ମୁଁ ଚାନ୍ଦ ନେବି, ମତେ ଚାନ୍ଦ ଆଣି ଦେ ।” ତାଙ୍କ ମା’ ତାଙ୍କୁ କେତେ ବୁଝାଇଲେ—“ଚାନ୍ଦ କ’ଣ ଆଣି ହେବ ? କେତେ ଉଞ୍ଚାରେ ଅଛୁ ଦେଖୁ ନାହୁଁ ?” ଯୋଗେନ୍ଦ୍ର କିନ୍ତୁ ଏ ସ୍ତୋକ ବାକ୍ୟରେ ଭୁଲିବାର ପାତ୍ର ନୁହେଁ । ତାରସ୍ଵରରେ ଚିତ୍କାର ଆରମ୍ଭ କରିଦେଲେ-। ଚିତ୍କାର ଶୁଣି ଯୋଗେନ୍ଦ୍ରର ମାମୁଁ ଘରୁ ବାହାରି ଆସି ପଚାରିଲେ, “ଯୋଗେନ୍ଦ୍ର କାନ୍ଦୁଛି କାହିଁକି-? ସେ କ’ଣ ମାଗୁଛି ?”

 

ମା’ ଉତ୍ତର ଦେଲେ, “ତୁମ ଭଣଜା ଆକାଶର ଚାନ୍ଦ ମାଗୁଛି, କ’ଣ କରିବି କୁହ ?”

 

“ଆଚ୍ଛା, ମୁଁ ଦେଉଛି ।”

 

ଯୋଗେନ୍ଦ୍ରର ମାମୁଁ ଭିତରକୁ ଯାଇ ଗୋଟିଏ ଛୋଟ ଦର୍ପଣ ନେଇ ଆସିଲେ । ସେଥିରେ ଚନ୍ଦ୍ରକୁ ପ୍ରତିଫଳିତ କରାଇ ସେଇଟାକୁ ଯୋଗେନ୍ଦ୍ର ହାତରେ ଦେଇ କହିଲେ, “ଏଇ ତ ଚାନ୍ଦ, ବାଃ କେଡ଼େ ସୁନ୍ଦର !”

 

ଯୋଗେନ୍ଦ୍ରଙ୍କର କାନ୍ଦଣା ବନ୍ଦ ହୋଇଗଲା ।

 

ଯୋଗେନ୍ଦ୍ର ଯେତେବେଳେ ସ୍କୁଲରେ ପଢ଼ୁଥିଲେ ସେତେବେଳେ ଝୁଙ୍କ ଥିଲା ପ୍ରଜାପତି ଓ ରଙ୍ଗୀନ୍ କଙ୍କି ଧରିବା । ସେଥିପାଇଁ ବଣବୁଦା, କଣ୍ଟାବାଡ଼, ପାଣି କାଦୁଅକୁ ତୁଚ୍ଛ ଜ୍ଞାନ କରି ସେ ଯେ କେତେ ପ୍ରଜାପତିଙ୍କି ଧରିଛନ୍ତି ତା’ର ଇୟତ୍ତା ନାହିଁ । ବଡ଼ବଡ଼ କାଚଜାର କିଣି ତା’ ଭିତରେ କଙ୍କି–ପ୍ରଜାପତି ରଖନ୍ତି ଓ ତାକୁ ସ୍ଵପ୍ନରେ ଦେଖନ୍ତି । କେତେ କେଜାଣି ସ୍ଵପ୍ନ । ଛୁଆବେଳୁ ସ୍ଵପ୍ନ ଦେଖିବା ତାଙ୍କର ଅଭ୍ୟାସ । ଯେ କୌଣସି ତୁଚ୍ଛ ଜିନିଷକୁ କେନ୍ଦ୍ର କରି ତାଙ୍କ ମନରେ ରଙ୍ଗୀନ୍ ସ୍ଵପ୍ନ ଘନୀଭୂତ ହୁଏ । ଏହି ସ୍ୱପ୍ନପ୍ରବଣତା ତାଙ୍କୁ ଲେଖକରେ ପରିଣତ କରିଛି । ଆହା, ଏହି ସ୍ୱପ୍ନକୁ ଭଲା କିଛି ସମୟ ନିର୍ବିକାର ଭାବରେ ଦେଖି ପାରିଥାନ୍ତା ! ସ୍ଵପ୍ନ ଯେ ସ୍ୱପ୍ନ, କିଛି ସମୟ ପରେ ତାହା ମିଳାଇଯିବ । ତାକୁ ଧରି ରଖିହେବ ନାହିଁ, ତାହାକୁ କୌଣସି ବନ୍ଧନରେ ବନ୍ଦୀ କରିବା ଅସମ୍ଭବ—ଏ ଜ୍ଞାନ ତାଙ୍କ ଜୀବନରେ କେବେ ଉଦୟ ହୋଇନାହିଁ । ଅନିତ୍ୟ ଛାୟାକୁ ନିତ୍ୟ ବସ୍ତୁ ମନେକରି ସେ ବାରମ୍ବାର ତାହାକୁ ପଞ୍ଜୁରୀରେ ଭରିବାକୁ ଚେଷ୍ଟା କରିଅଛନ୍ତି । ସେ ପିଲାବେଳେ ସ୍କୁଲରେ ପଢ଼ୁଥାନ୍ତି । ସେତେବେଳେ ଗୁଡ଼ି ଉଡ଼ାଇବା ପାଇଁ ଭାରି ଆଗ୍ରହ ଥାଏ । ସାନ ବଡ଼ ହୋଇ ବହୁତ ଗୁଡ଼ି ଉଡ଼ାଇଛନ୍ତି ଯୋଗେନ୍ଦ୍ରନାଥ । ନାନା ପ୍ରକାରର ନଟେଇ ଥିଲା ଗୁଡ଼ିଉଡ଼ା ସୂତା ପାଇଁ । ଗୁଡ଼ିଉଡ଼ାର ସୂତାକୁ ମଜବୁତ କରିବା ପାଇଁ ନାନା ପ୍ରକାରର ଅଠା ସଂଗ୍ରହ କରିଛନ୍ତି । ଅଠା ସଂଗ୍ରହର ଉଦ୍ଦେଶ୍ୟ ଯେ କେବଳ ଗୁଡ଼ିର ସୂତା ମଜବୁତ କରିବା ତା’ ନୁହେଁ, ପରନ୍ତୁ ଅନ୍ୟମାନଙ୍କ ‘ଗୁଡ଼ି’ ସୂତାକୁ କାଟିଦେବା ଉଦ୍ଦେଶ୍ୟ ମଧ୍ୟ ଥାଏ । ଅନ୍ୟ ଗୁଡ଼ିର ସୂତାକୁ କାଟିଦେଇ ସେ ଅସୀମ ଆନନ୍ଦ ଉପଲବ୍‌ଧ କରନ୍ତି । ସମୟେ ସମୟେ ତାଙ୍କ ନିଜ ଗୁଡ଼ିର ସୂତା କଟିଯାଇ ତାଙ୍କ ଜୀବନରେ ବହୁ ବିଷାଦ ଦେଇଛି । ଗୁଡ଼ି ଉଡ଼ାଇବା ସମୟରେ ସେ ଚାହୁଁଥିଲେ ତାଙ୍କ ଗୁଡ଼ିଟି ସମସ୍ତଙ୍କର ଈର୍ଷା ଉତ୍ପାଦନ କରୁ । ଖାଲି ତାହା ନୁହେଁ, ସମସ୍ତଙ୍କର ସୂତାକୁ କାଟି ଦେଇ ଏକାକୀ ସଗୌରବେ ଚିର ଦିନ ଆକାଶରେ ଉଠୁଥାଉ । କିନ୍ତୁ ସେହି ଅସମ୍ଭବ ସମ୍ଭବ ହୋଇ ନାହିଁ । ଯୋଗେନ୍ଦ୍ରନାଥଙ୍କର ଗୁଡ଼ି ବାରମ୍ବାର କଟିଯାଇଛି । ଯୋଗେନ୍ଦ୍ରନାଥ ସେତେବେଳେ ସର୍ବାନ୍ତଃକରଣରେ ବିଶ୍ଵାସ କରୁଥିଲେ ଯେ ଗୁଡ଼ିଟି ତାଙ୍କ ନିଜର । ଯେଉଁ ନଟେଇ ଏବଂ ସୂତା ଗୁଡ଼ିଟିକୁ ଚଳାଉଛି ତାହା ମଧ୍ୟ ତାଙ୍କର ନିଜସ୍ଵ ସମ୍ପତ୍ତି; କିନ୍ତୁ କିଛି ତାଙ୍କର ନୁହେଁ, ସବୁ ଯେ ପ୍ରକୃତିର ମାୟା, ଏଇ ଗୁଡ଼ି ଉଡ଼ାଇବା ଯେ ପ୍ରକୃତି ପରିକଳ୍ପିତ କ୍ଷଣିକ ଲୀଳା ମାତ୍ର, ଏସବୁ ଚିନ୍ତା ଯୋଗେନ୍ଦ୍ରନାଥଙ୍କ ମନରେ ଥରକ ପାଇଁ ଉଦିତ ହୋଇ ନାହିଁ । ମୁଁ ଗୁଡ଼ିର ମାଲିକ, ମୁଁ ଗୁଡ଼ିର ଚାଳକ, ବୁଦ୍ଧି ଓ କୌଶଳ ସହକାରେ ଚଳାଇପାରିଲେ ମୋ’ର ଗୁଡ଼ି ବିଜୟୀ ହୋଇ ଚିରଦିନ ଆକାଶରେ ଉଡ଼ିବ— ଏଇ ଧରଣର ଚିନ୍ତାରେ ବିମୋହିତ ହୋଇ ଯୋଗେନ୍ଦ୍ରନାଥ ବାଲ୍ୟ ବୟସରେ ଗୁଡ଼ି ଉଡ଼ାଉଥିଲେ । ଏଇଥିପାଇଁ ତାଙ୍କୁ ବହୁତ ମନସ୍ତାପ ଭୋଗିବାକୁ ହୋଇଛି । ଉପମାର ସାହାଯ୍ୟ ନେବାକୁ ଯଦି ଆପଣଙ୍କର କିଛି ଆପତ୍ତି ନ ଥାଏ, ତା’ହେଲେ କହିବି, ଯୋଗେନ୍ଦ୍ରନାଥଙ୍କର ବାଲ୍ୟ–ପ୍ରକୃତି ବର୍ତ୍ତମାନ ମଧ୍ୟ ଲୁପ୍ତ ହୋଇ ନାହିଁ । ବର୍ତ୍ତମାନ ମଧ୍ୟ ସେ ସାମାନ୍ୟ ଦର୍ପଣରେ ପ୍ରତିଫଳିତ ଚନ୍ଦ୍ରକୁ କରାୟତ୍ତ କରି ଭାବିଛନ୍ତି ଯେପରି ଆକାଶର ଚନ୍ଦ୍ର ତାଙ୍କ ହାତକୁ ଆସିଯାଇଛି । ବର୍ତ୍ତମାନ ମଧ୍ୟ ସେ ବହୁପ୍ରକାର ପ୍ରଜାପତି–କଙ୍କି ଧରି ସେମାନଙ୍କୁ ନାନା ଭାବରେ ବନ୍ଦୀ କରି ଭାବିଛନ୍ତି ଯେ ସେମାନେ କାଳେ ସବୁଦିନେ ତାଙ୍କର ସମ୍ପତ୍ତି ହୋଇ ରହିବେ । ବର୍ତ୍ତମାନ ମଧ୍ୟ ତାଙ୍କର ଗୁଡ଼ି ଉଡ଼ାଇବା ନିଶା ଛାଡ଼ି ନାହିଁ । ଏ ଗୁଡ଼ି ଅବଶ୍ୟ କାଗଜର ଗୁଡ଼ି ନୁହେଁ, ଅନ୍ୟ ପ୍ରକାର ଗୁଡ଼ି । ଆଗେ କହିଛି ଯେ ଯୋଗେନ୍ଦ୍ରନାଥଙ୍କର ବାଲ୍ୟାବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇ ନାହିଁ । ବାଲ୍ୟ ସମୟର ଖେଳଗୁଡ଼ିକ କେବଳ ରୂପ ପରିବର୍ତ୍ତନ କରିଅଛି ମାତ୍ର । ଟିକିଏ ମାତ୍ର ତଫାତ୍ ରହିଛି । ଶିଶୁମାନଙ୍କର ଖେଳନା ପ୍ରତି ଆଗ୍ରହ ଥାଏ ସିନା, ପାଖାପାଖି ହୋଇ ବୈରାଗ୍ୟ ମଧ୍ୟ ଥାଏ । ଯେଉଁ ଖେଳନା ପାଇବା ପାଇଁ ଶିଶୁ ଆଜି ଉଦ୍‌ବାହୁ, ଦୁଇ ଦିନ ପରେ ଦେଖାଯାଏ ସେ ଖେଳନାକୁ ସେ ଧୂଳିରେ ଅବହେଳା ସହକାରେ ଫୋପାଡ଼ି ଦେଇଛି । ତା’ ପ୍ରତି ତାହାର ମୋହ ନ ଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୋହ ମଧ୍ୟ ବଢ଼େ । ସେତେବେଳେ ମଣିଷ ଯାହା ପାଏ ତାହା ସେ ଛାଡ଼େ ନାହିଁ । ତାକୁ ଏକାବେଳେ କୁଣ୍ଢାଇ ଧରେ । ଯେତେବେଳେ ସେସବୁ ଜିନିଷର ପ୍ରୟୋଜନୀୟତା ପୂର୍ଣ୍ଣ ହୁଏ, ସେତେବେଳେ ମଧ୍ୟ ଫୋପାଡ଼ି ପାରେ ନାହିଁ । ଅପ୍ରୟୋଜନୀୟ ଜିନିଷର ସ୍ତୂପ ଶ୍ଵାସରୋଧକର ହୋଇଉଠିଲେ ମଧ୍ୟ ପାରେ ନାହିଁ । ଅଧିକାଂଶ ଲୋକ ଅନର୍ଥକ ସଞ୍ଚୟୀ । ଯୋଗେନ୍ଦ୍ରନାଥ ମଧ୍ୟ ଏହାର ବ୍ୟତିକ୍ରମ ନୁହନ୍ତି । ଯୋଗେନ୍ଦ୍ରନାଥ ଆତ୍ମଜୀବନୀରେ ଗୋଟିଏ ଖିଙ୍କାରୀ କୁକୁର ପ୍ରାଧାନ୍ୟ ଲାଭ କରିଅଛି । କିନ୍ତୁ ବାସ୍ତବରେ ସେ କୁକୁରର ଅସ୍ତିତ୍ଵ ନାହିଁ । ତାହା ଯୋଗେନ୍ଦ୍ରନାଥଙ୍କର କଳ୍ପନାସୃଷ୍ଟ । ମୋର ମନେହୁଏ, କୁକୁରଟି ତାଙ୍କର ନିଷ୍ପିଷ୍ଟ ବିବେକ । ଯେଉଁସବୁ କଥା ମଣିଷ ଯୋଗେନ୍ଦ୍ରନାଥ ସାହସ କରି ସମାଜରେ ଉଚ୍ଚାରଣ କରିପାରୁ ନାହାନ୍ତି, ସେହିସବୁ କଥା କୁକୁରଦ୍ଵାରା କୁହାଇଛନ୍ତି । ଏହା ତାଙ୍କର ଆତ୍ମଗ୍ଳାନିର ଗୋଟିଏ ପ୍ରକାଶ । କୁକୁର ଯାହା କହିଅଛି ତା’ର ସତ୍ୟାସତ୍ୟ ଆପଣ ନିର୍ଦ୍ଧାରଣ କରନ୍ତୁ । ମୁଁ ଖାଲି ଜାଣେ, ଏହା ଯୋଗେନ୍ଦ୍ରନାଥଙ୍କର କ୍ଷୁବ୍‌ଧ ହୃଦୟର ପ୍ରତିଚ୍ଛବି ମାତ୍ର ।

 

ନାଦୁ ବା ନାଦୁର ସ୍ତ୍ରୀ ସମ୍ବନ୍ଧରେ ସବୁ କଥା ସ୍ପଷ୍ଟ କୁହାଯାଇ ନାହିଁ । ସେମାନଙ୍କର ଯେଉଁ ଶୋଚନୀୟ ପରିଣତ ହୋଇଛି, ତାହା ଅବଶ୍ୟ ସେମାନଙ୍କର କର୍ମଫଳ; କିନ୍ତୁ ସେ କର୍ମଫଳ କିପରି ତାଙ୍କୁ ଅଭିଭୂତ କଲା ତା’ର ସଂପୂର୍ଣ୍ଣ ବିବରଣୀ ଜାଣିଲେ ସେମାନଙ୍କ ପ୍ରତି ଘୃଣା ହେବ ନାହିଁ, ବରଂ ସେମାନଙ୍କ ଲାଗି ଅନ୍ତର ଅନୁକମ୍ପାରେ ପୂରିଯିବ । ଅସହାୟ ଶିଶୁକୁ ପ୍ରବଳ ବନ୍ୟାରେ ଭାସି ଭାସି ଅନିବାର୍ଯ୍ୟ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥିବାର ଦେଖିଲେ ଯେଉଁ ଦୁଃଖ ହୁଏ, ସେହି ପ୍ରକାର ଦୁଃଖରେ ହୃଦୟ ବିଚଳିତ ହେବ । ନାଦୁ ସମ୍ବନ୍ଧରେ ପ୍ରଥମେ ଗୋଟିଏ କଥା ଉଲ୍ଲେଖନୀୟ । ଶୈଶବରେ ତା’ ପ୍ରତି ଯେତିକି ମନୋଯୋଗ ଦେବା ଉଚିତ ଥିଲା, ସେତିକି ମନୋଯୋଗ ତା’ର ପିତା–ମାତା ତା’ ପ୍ରତି ଦେଇ ନାହାନ୍ତି । ବାଲ୍ୟାବସ୍ଥାରୁ ଯୋଗେନ୍ଦ୍ରନାଥଙ୍କର ପ୍ରତିଭାଦୀପ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ତାଙ୍କୁ ନେଇ ସମସ୍ତେ ମାତିଥିଲେ । ଏପରି କି ତାଙ୍କ ଗୃହଶିକ୍ଷକ ପର୍ଯ୍ୟନ୍ତ । ସ୍ଵଳ୍ପବୁଦ୍ଧି ନାଦୁ ପ୍ରତି ସେପରି ନଜର କେହି ଦେଇ ନାହାନ୍ତି । ଯୋଗେନ୍ଦ୍ରନାଥ କ୍ଲାସରେ ପ୍ରତିଥର ପ୍ରଥମ ସ୍ଥାନ ଅଧିକାର କରି ନାନାପ୍ରକାର ପ୍ରାଇଜ ଆଣି ଘରକୁ ଆସନ୍ତି । ଆଉ ନାଦୁ କୌଣସିମତେ ପାଶ କରି ପ୍ରମୋସନ ପାଏ ମାତ୍ର । ବର୍ଷେ ଦୁଇ ବର୍ଷ ସେତକ ମଧ୍ୟ ପାଇ ନାହିଁ । ନାଦୁ ସେ ହେୟ, ଗଧା, ବୋକା–ଏ ଧାରଣା ସମସ୍ତଙ୍କ ମନରେ ବଦ୍ଧମୂଳ ହୋଇଥିଲା । ସମସ୍ତେ କହୁଥିଲେ, “ଗଲା, ପିଲାଟା ନଷ୍ଟ ହୋଇଗଲା । ତା’ର ଅବସ୍ଥା ଆଉ ବଦଳିବ ନାହିଁ ।” ଇତ୍ୟାଦି । ସମସ୍ତଙ୍କ ମୁହଁରୁ ଏକଥା ଶୁଣି ତା’ ମନରେ ଏହି ବିଶ୍ଵାସ ହୋଇଥିଲା ଯେ ଲେଖାପଢ଼ା ରାସ୍ତାରେ ଅଧିକ ଅଗ୍ରସର ହୋଇ ବିଶେଷ ସୁବିଧା କରିପାରିବ ନାହିଁ, ସୁତରାଂ କିଛି ଦିନ ପରେ ସେହି ପଥର ପଥିକ ହେବାର ଚେଷ୍ଟା ସେ ତ୍ୟାଗ କଲା । ମଣିଷର ମନ କିନ୍ତୁ କୌଣସି ନା କୌଣସି କ୍ଷେତ୍ରରେ ନିଜର କୃତିତ୍ଵ ପ୍ରତିଷ୍ଠା କରିବା ପାଇଁ ସତତ ଉନ୍ମୁଖ । ସଦାସର୍ବଦା ସେ ସେହି ଜଗତ ଆବିଷ୍କାର କରିବା ନିମିତ୍ତ ବ୍ୟସ୍ତ । ଯେଉଁଠି ତା’ର ପାଟବ ଜୟମାଲ୍ୟବିଭୂଷିତ ହୋଇପାରିବ, ସେହିପରି ଗୋଟିଏ କ୍ଷେତ୍ର ତା’ର ବନ୍ଧୁମହଲରେ ନାଦୁ ଆବିଷ୍କାର କରିଥିଲା । ନାଦୁ ପଢ଼ାଶୁଣାରେ ଭଲ ନ ହେଲେ ମଧ୍ୟ ତା’ର ଅନ୍ୟ ଅନେକ ଗୁଣ ଥିଲା । ସେ ଭଲ କେରିକେଚର କରିପାରେ, ତାସ ଖେଳରେ ସୁଦକ୍ଷ, ଚମତ୍କାର ମ୍ୟାଜିକ୍ ଦେଖାଏ ଏବଂ ସର୍ବୋପରି ତା’ର ବାକ୍‌ଚାତୁରୀ ଏପରି ହୃଦୟଗ୍ରାହୀ ଥିଲା ଯେ, ଖୁବ ଅନାୟାସରେ ସତକୁ ମିଛ, ମିଛକୁ ସତରେ ପରିଣତ କରିପାରେ, ଯେଉଁଥିରେ ସମସ୍ତେ ମୁଗ୍‌ଧ ହୁଅନ୍ତି । ସେ ମେଟ୍ରିକୁଲେସନ ପାଶ କରିପାରି ନାହିଁ, ମାତ୍ର ତା’ର ଅନର୍ଗଳ ଇଂରେଜୀ କଥା ଶୁଣିଲେ ମନେ ହେବ ସେ ଏମ. ଏ. ପାଶ । ଚେହେରା ମଧ୍ୟ ଥିଲା ଚମତ୍କାର । ତା’ର ଏହିସବୁ ଗୁଣ ତା’ର ଦୁଇ ଜଣ ବନ୍ଧୁଙ୍କୁ ବିଶେଷ ଭାବରେ ମୁଗ୍‌ଧ କରିଥିଲା । ଦୁଇଜଣଯାକ ଭିନ୍ନ ଭାଷାଭାଷୀ, ଜଣେ ମାରୁଆଡ଼ି—ଶିଉରାମ, ଆର ଜଣକ ଆଗ୍ରାର ମୁସଲମାନ—ଅବଦୁଲ ଲତିଫ । ଦୁଇ ଜଣଯାକଙ୍କର ବିରାଟ ବ୍ୟବସାୟ ଥିଲା ! ଦୁଇଜଣଯାକ ଧନୀ । ନାଦୁର ବ୍ୟବସାୟ ବିଷୟକ ଜ୍ଞାନ ପାଇଁ ନୁହେଁ, ତାକୁ ସେ ଦୁଇ ଜଣ ଭଲ ପାଇଥିଲେ ବୋଲି ସେମାନଙ୍କ ବ୍ୟବସାୟରେ ଦଲାଲ ହିସାବରେ ନିଯୁକ୍ତ କରିଥିଲେ । ଦୁଇଜଣଯାକ ବ୍ୟବସାୟରେ ପରସ୍ପରବିରୋଧୀ ନ ଥିଲେ । ଶିଉରାମର ଘିଅ ବ୍ୟବସାୟ ଓ ଲତିଫାର କାର୍ପେଟା ଦଲାଲୀ ବ୍ୟବସାୟରେ ସେ କେତେ କମିଶନ ଭାବରେ ରୋଜଗାର କରୁଥିଲା, ମୁଁ ଠିକ୍ ରୂପେ ଜାଣି ନାହିଁ । ଯୋଗେନ୍ଦ୍ରନାଥର ସେ ବିଷୟରେ ବିଶେଷ ଧାରଣା ମଧ୍ୟ ନ ଥିଲା । ତା’ର ବନ୍ଧୁ ମୁନିବମାନେ ମଝିରେ ମଝିରେ ତାକୁ କିଛି କିଛି ବକସିସ୍ ଦେଉଥିଲେ । ତା’ର ତାହା ହିଁ ମୁଖ୍ୟ ରୋଜଗାର—ଏକଥା ଯୋଗେନ୍ଦ୍ରନାଥ ତାଙ୍କର ଆତ୍ମକଥାରେ ଲେଖିଛନ୍ତି; କିନ୍ତୁ ସବୁ କଥା ଖୋଲି କହି ନାହାନ୍ତି । ସମ୍ଭବତଃ ଚକ୍ଷୁଲଜ୍ଜାବଶତଃ ସେ ଘଟଣାଟା ଚାପି ଦେଇଛନ୍ତି । ନାଦୁ ଯୋଗେନ୍ଦ୍ରନାଥଙ୍କୁ ମନେ ମନେ ବିଶେଷ ଭକ୍ତି କରେ । ସେ ଏହା ମନେ ମନେ କୁଣ୍ଠାର ସହିତ ଅନୁଭବ କରେ ଯେ ସେ ନିଜେ ଗୋଟିଏ ଅପଦାର୍ଥ । ତା’ ନିଜ ସଂସାରର ଭାର ଭାଇ କାନ୍ଧରେ ଚାପି ଦେଇଛି । ଏହି ଭକ୍ତି ଓ କୁଣ୍ଠାର ବହିଃପ୍ରକାଶ କିନ୍ତୁ ଥିଲା ଅଦ୍ଭୁତ ଧରଣର । ସେ ସବୁବେଳେ ଯେପରି ଗୋଟିଏ ବେପରୁଆ ବିଦ୍ରୋହୀ ଭାବ ନେଇ ଚଳପ୍ରଚଳ ହୁଏ । ଯାହା ଉପାର୍ଜନ କରେ ତାହାର ଅଧିକାଂଶ ନିଜର ସୌଖୀନ ପୋଷାକ ପରିଚ୍ଛଦରେ ବ୍ୟୟ କରି ବାହାରେ ଏକ ଶସ୍ତା ଆଭିଜାତ୍ୟର ଘଟ୍ଟା ପ୍ରଦର୍ଶନ କରିବା ତା’ର ପ୍ରୟାସ । ମନେ ମନେ ସେ ଦରିଦ୍ର ଥିବା ହେତୁ ବାହାରେ ଗୋଟିଏ ଆବରଣର ପ୍ରୟୋଜନ ହେଲା । ଅଧିକାଂଶ ଲୋକଙ୍କର ହୋଇଥାଏ । ନିତାନ୍ତ ଭିକାରୀର ମଧ୍ୟ ସାଧୁତାର ମିଥ୍ୟାବରଣ ଥାଏ । ଯୋଗେନ୍ଦ୍ରନାଥ କବି । ସେ ନାଦୁର ଅଶୋଭନ ଆଚରଣର ପ୍ରକୃତ ଅର୍ଥ ବୁଝିଥିଲେ; କିନ୍ତୁ ବାହାରେ ନାଦୁ ସହ ସେ ସଦ୍‌ବ୍ୟବହାର କରି ନାହାନ୍ତି । କାରଣ କବି ବା ଦାର୍ଶନିକମାନେ ସବୁବେଳେ କାର୍ଯ୍ୟକ୍ଷେତ୍ରରେ ମହତ୍ ହୋଇପାରନ୍ତି ନାହିଁ । କବି ହେଲେ ଯେ ମହତ୍ ହେବ, ଏପରି କିଛି କଥା ନାହିଁ । ଯୋଗେନ୍ଦ୍ରନାଥ ପ୍ରଥମ ଜୀବନରେ ବହୁତ ଦୁଃଖ କଷ୍ଟ ଭୋଗ କରିଛନ୍ତି । ତେଣୁ ସେ ସ୍ଵାର୍ଥ । ବ୍ୟତିରେକେ ଅନ୍ୟ କିଛି ଦେଖିପାରି ନାହାନ୍ତି । ନାଦୁ ଥିଲା ତାଙ୍କର ଚକ୍ଷୁଶୂଳ । ତା’ର ଅନ୍ୟ କାରଣ ହେଉଛନ୍ତି ବାପା–ମା’ । ସେମାନେ ସବୁବେଳେ ସେହି ଅପଦାର୍ଥ ନାଦୁର ଉଚ୍ଛ୍ଵସିତ ପ୍ରଶଂସା କରନ୍ତି ବୋଲି ଯୋଗେନ୍ଦ୍ରନାଥଙ୍କର ବିତୃଷ୍ଣା ଅଧିକ ତୀବ୍ର ହୋଇଥିଲା । ନାଦୁର ବାପା ମା’ଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ । କାରଣ ବାପା–ମା ସାଧାରଣତଃ ଅସମର୍ଥ ସନ୍ତାନର ପକ୍ଷ ସମର୍ଥନ କରିଥାନ୍ତି । ସ୍ନେହର ଏହା ଧର୍ମ । ଆହୁରି ଗୋଟିଏ ଘଟଣା ଯୋଗେନ୍ଦ୍ରନାଥ ତାଙ୍କର ଆତ୍ମଚରିତରେ ପ୍ରକାଶ କରି ନାହାନ୍ତି । ନାଦୁର ମୁସଲମାନ ବନ୍ଧୁ ଅବଦୁଲ ଲତିଫ ଯେଉଁଦିନ ପ୍ରଥମେ ତା’ର ସ୍ତ୍ରୀକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲା, ସେଦିନ ନାଦୁ ଯୋଗେନ୍ଦ୍ରନାଥଙ୍କୁ କହିଥିଲା, “ଲତିଫ ସାନବୋହୂକୁ ତା’ ଘରକୁ ଆମନ୍ତ୍ରଣ କରିଛି, କହିଛି ଗାଡ଼ି ପଠାଇଦେବ, ବାପା–ମା’ଙ୍କୁ କହିଛି, ସେମାନଙ୍କର ଆପତ୍ତି ନାହିଁ । ସେମାନେ ବରଂ କହିଲେ ଯିବା ଭଲ, ସେ ତୋ’ର ମୁନିବ, ପୁଣି ହିତୈଷୀ ବନ୍ଧୁ । ନ ଗଲେ ଅନ୍ୟାୟ ହେବ କିନ୍ତୁ, ତାଙ୍କୁ ନେଇଯିବାର ଇଚ୍ଛା ମୋ’ର ନାହିଁ । କିନ୍ତୁ ମୁଁ ମୁହଁରେ କିଛି କହିପାରୁ ନାହିଁ । ସେମାନଙ୍କୁ ଯଦି କହେଁ ତୁମେ ଆପତ୍ତି କରୁଛ ବୋଲି ?” ଯୋଗେନ୍ଦ୍ରନାଥ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ମୁଁ ଆପତ୍ତି କରିବାକୁ ଯିବି କାହିଁକି ? ତୋତେ ଯାହା ଭଲ ଦେଖାଯାଉଛି ତାହା କର ।” ସେଦିନ ଯୋଗେନ୍ଦ୍ରନାଥ ଯଦି ଆପତ୍ତି କରିଥାନ୍ତେ, ତାହାହେଲେ ଏପରି ଭୟଙ୍କର ଯୋଗାଯୋଗ ହୁଏତ ହୋଇ ନ ଥାନ୍ତା । ନାଦୁର ମାନସିକ ଜୋର ନ ଥିଲା । ସେ ବାଧା ଦେଇପାରିଲା ନାହିଁ । ଘନଘନ ନିମନ୍ତ୍ରଣ ଆସିଲା । ଖାଲି ନିମନ୍ତ୍ରଣ ନୁହେଁ, ନିମନ୍ତ୍ରଣ ସାଙ୍ଗରେ ନାନାପ୍ରକାର ଭେଟି, ସାନବୋହୂ, ଅବଦୁଲ ଲତିଫ ଘରୁ ଶେଷରେ ‘ବାଗାନ୍‌ବାଡ଼ି’କୁ ଯିବାକୁ ଆରମ୍ଭ କଲା । ଏହାର କିଛି ଦିନ ପରେ ସେ ଅବଦୁଲ ଲତିଫ ସହ ପଳାଇଗଲା । ସ୍ତ୍ରୀକୁ ଖୋଜିବା ପାଇଁ ନାଦୁ ମଧ୍ୟ ବାହାରିଗଲା । ଆଉ ଫେରି ନାହିଁ । ତା’ର ଶୋଚନୀୟ ମୃତ୍ୟୁ କଥା ଯୋଗେନ୍ଦ୍ରନାଥ ତାଙ୍କର ଆତ୍ମଚରିତରେ କହିଛନ୍ତି; କିନ୍ତୁ ଆଉ ଗୋଟିଏ ଶୋଚନୀୟ ମୃତ୍ୟୁ କଥା କହି ନାହାନ୍ତି । ଟେଁପିର ଗୋଟିଏ ସାନଭାଇ ଥିଲା । ବୟସ ଛ’ ବର୍ଷ । ପିତାମାତାଙ୍କର ଆକସ୍ମିକ ଅନ୍ତର୍ଦ୍ଧାନରେ ତା’ର ଯେପରି କ’ଣ ହୋଇଗଲା । ଦିନରାତି ଆଖିରୁ ପାଣି ଝରିଲା । ଅନ୍ନ ଜଳ ତ୍ୟାଗ କରି ଦେଇଥିଲା । ପ୍ରାୟ ଦେଖାଯାଇଛି ଲଙ୍ଗଳା ହୋଇ ସେ ବାହାର ବାରଣ୍ଡାରେ ରାସ୍ତା ଆଡ଼କୁ ଚାହିଁ ବସିଥାଏ । ଆଖିରୁ ଝରଝର ଲୁହ ଝରୁଥାଏ-। ଏକମାତ୍ର ଟେଁପି ତାକୁ ଭୁଲାଇବା ପାଇଁ ଚେଷ୍ଟା କରେ । ଖୋଇବାକୁ ଚେଷ୍ଟା କରେ, କିନ୍ତୁ କୃତକାର୍ଯ୍ୟ ହୁଏ ନାହିଁ । ସେତେବେଳେ ସେ ତାକୁ ମାଡ଼ ଦିଏ । ନିଷ୍ଠୁର ସେ ପ୍ରହାର । ସାନଭାଇ ପ୍ରତି କରୁଣା ଏବଂ ପିତାମାତାଙ୍କର କଳଙ୍କ ହେତୁ ଲଜ୍ଜାର ନିଷ୍ଫଳ ଆକ୍ରୋଶରେ ସେହି ହତଭାଗ୍ୟ ଶିଶୁଟିକୁ ସେ ପୀଡ଼ନ କରେ । ପିଲାଟା କିଛିଦିନ ପରେ ଯକ୍ଷ୍ମାରେ ମରିଗଲା । ଯୋଗେନ୍ଦ୍ରନାଥ ଏ ସମ୍ବନ୍ଧରେ ତାଙ୍କର ଆମ କଥାରେ କିଛି କହି ନାହାନ୍ତି, କାରଣ ଏଥିପାଇଁ ମନକୁମନ ସେ ଦୋଷୀ ହୋଇଛନ୍ତି । ପିଲାଟାର ଉତ୍ତମ ଚିକିତ୍ସା ମଧ୍ୟ ହୋଇ ନାହିଁ । ଟେଁପି ବିଷୟରେ ଯୋଗେନ୍ଦ୍ରନାଥ କେତେକ କଥା କହିଛନ୍ତି ସତ୍ୟ, ମାତ୍ର ସମସ୍ତ କଥା କହି ନାହାନ୍ତି । ଟେଁପିକୁ ବାଲ୍ୟକାଳରୁ ଯେଉଁ ଅପରିସୀମ କଷ୍ଟ ସ୍ୱୀକାର ଓ ଲାଞ୍ଛନା ବହନ କରିବାକୁ ପଡ଼ିଛି, ତା’ର ଯଥାଯଥ ଚିତ୍ର ଅତି ଭୟଙ୍କର-। ଏହି ଟିକି ଝିଅଟିକୁ ଭୋର ଚାରିଟାରୁ ଉଠି ସମସ୍ତଙ୍କୁ ଚା’ କରି ଦେବାକୁ ହୁଏ । ଶୀତଦିନେ ଗରମ ଜାମା ଖଣ୍ଡିଏ ନ ଥାଏ ବିଚାରୀର । ଶୀତରେ ଥରି ଥରି ସବୁ କାମ କରିବାକୁ ହୋଇଥାଏ । ଯୋଗେନ୍ଦ୍ରନାଥ ଚାକରାଣୀକୁ ବାହାର କରି ଦେଇଥାଏ-। ଚାକରାଣୀର ସବୁ କାମ କରେ ଟେଁପି-। ଭୋରଠାରୁ ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ ସମସ୍ତଙ୍କ ଫରମାସ୍ ଅନୁସାରେ କାମ କରେ-। କାହାରି ପାନରୁ ଚୁନ ଖସିଲେ ଗାଳି ହୁଏ ଟେଁପି ଉପରେ । ସେ ସୁନ୍ଦରୀ । ସେଇଟା ଯେପରି ତା’ର ଗୋଟିଏ ଅପରାଧ । ଯୋଗେନ୍ଦ୍ରନାଥଙ୍କ କୁତ୍ସିତା କନ୍ୟାମାନେ ସେହି ବିଷୟ ନେଇ ଯେଉଁ ଗଞ୍ଜଣା ଦିଅନ୍ତି, ତାହା ଆଦୌ ଭଦ୍ରଭାଷା ନୁହେଁ । ଏହିପରି ଭାବରେ ତା’ର ଦୁଃଖର ଦିନଗୁଡ଼ିକ ଅତିବାହିତ ହେଉଥିଲା । ଏହି ସମୟରେ ପରେଶ ବିଶ୍ୱାସ ରଙ୍ଗମଞ୍ଚରେ ଅବତରଣ କଲେ । ପରେଶ ବିଶ୍ୱାସ ଜଣେ ଆଧୁନିକ କବି । ରହସ୍ୟମୟ ଦୀପ୍ତଭାଷାରେ ପ୍ରେମ କବିତା ଲେଖନ୍ତି । ସେ ଲେଖକ ଯୋଗେନ୍ଦ୍ରନାଥର ଭକ୍ତ ହିସାବରେ ଦିନେ ତାଙ୍କ ଘରକୁ ଦେଖା କରିବାକୁ ଆସିଲେ ଏବଂ ସେଠାରେ ମୂର୍ତ୍ତିମତୀ ଆଧୁନିକ କବିତା ଟେଁପିକୁ ଦେଖି ଏପରି ଅଭିଭୂତ ହୋଇପଡ଼ିଲେ ଯେ, ପ୍ରାୟ ପ୍ରତିଦିନ ଆସିବାକୁ ଲାଗିଲେ । ତାଙ୍କରି ପାଖରୁ ଟେଁପି ଉକ୍ତ ସିନେମା ଡିରେକ୍ଟରର ଖବର ପାଇଲା ଓ ତାଙ୍କରି ପ୍ରରୋଚନା ହେତୁ ସେ ତାଙ୍କୁ ଚିଠି ଲେଖିଥିଲା । ଯୋଗେନ୍ଦ୍ରନାଥ ଏକଥା ଜାଣିଛନ୍ତି, କିନ୍ତୁ ସେ ତାଙ୍କ ଆତ୍ମଚରିତରେ ଏପରି ଭାବ ଦେଖାଇଛନ୍ତି ଯେ ସେ କିଛି କଥା ଯେପରି ଜାଣି ନାହାନ୍ତି-। ଉକ୍ତ ଆଧୁନିକ କବି ମଧ୍ୟ ସିନେମାରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବା ନିମନ୍ତେ ଆଶାୟୀ ଥିଲେ । ସେହି ଆକାଙ୍‌କ୍ଷା ଏହା ଭାବି ଆହୁରି ସ୍ୱପ୍ନ ମଧୁର ହୋଇଥିଲା ଯେ ଟେଁପି ହୁଏତ ନାୟିକା ଯଦି ହୋଇପାରେ । ତେଣୁ ସେ ଟେଁପିର ଚିଠି ନେଇ ସିନେମା ଡିରେକ୍ଟର ପାଖକୁ ଯାଇଥିଲେ ଏବଂ ନିଜର ମନକଥା ସମ୍ଭବତଃ କହିଥିଲେ । କିନ୍ତୁ ବିଧାତାଙ୍କର ବିଧାନ ଅନ୍ୟପ୍ରକାର । ସିନେମା ଡିରେକ୍ଟର ତାଙ୍କୁ ନିର୍ବାଚନ କଲେ ନାହିଁ, ଟେଁପିକୁ ମନୋନୀତ କଲେ, ଟେଁପିର ଭାଗ୍ୟ ପରିବର୍ତ୍ତିତ ହେଲା । ତା’ ସହିତ ଯୋଗେନ୍ଦ୍ରନାଥଙ୍କର ମଧ୍ୟ । ଯୋଗେନ୍ଦ୍ରନାଥ ବଡ଼ ଜୋରରେ ଦ୍ଵିତୀୟ ଶ୍ରେଣୀର ଲେଖକ ଥିଲେ, ଆଜିକାଲିକାର ଉନ୍ନାସିକ ସମାଲୋଚକମାନେ ହୁଏତ କହିବେ ତୃତୀୟ ଶ୍ରେଣୀର ବୋଲି । ଉନ୍ନାସିକ ସମାଲୋଚକମାନଙ୍କୁ ମୁଁ ସେପରି ଗ୍ରାହ୍ୟ କରେ ନାହିଁ । ସେମାନଙ୍କର ସେ ଉନ୍ନାସିକତା ଟିକକ ଅଛି ମାତ୍ର, ଭିତରେ କିଛି ଗୁଣ ନାହିଁ । ସେମାନେ ଯାହା କହନ୍ତି ତାହା ଈର୍ଷାପ୍ରଣୋଦିତ, ପୂତି ଗନ୍ଧମୟ ଅସାର ବାଗାଡ଼ମ୍ବର ମାତ୍ର ! ଯୋଗେନ୍ଦ୍ରନାଥ ବିଶେଷ ଖରାପ ଲେଖକ ନୁହନ୍ତି । କିନ୍ତୁ ବର୍ତ୍ତମାନ ଟେଁପି ପ୍ରସାଦରୁ ଯେଉଁ ଖ୍ୟାତି ସେ ଲାଭ କରିଛନ୍ତି ତେତିକି ଖ୍ୟାତି ଭବିଷ୍ୟତରେ ତାଙ୍କର ରହିବ ନାହିଁ । କାଳ ନିକଷରେ ପରୀକ୍ଷିତ ହୋଇ ତା’ର ଔଜ୍ଜଲ୍ୟ ବିଶେଷ ମ୍ଳାନ ହୋଇଯିବ । ଏକଥା ଯେ ଯୋଗେନ୍ଦ୍ରନାଥ ନ ଜାଣନ୍ତି ଏପରି ନୁହେଁ, କିନ୍ତୁ ସବୁବେଳେ ଏକଥା ତାଙ୍କର ମନେ ରହେ ନାହିଁ । ଯେତେବେଳେ ରାଶି ରାଶି ଧନ ଆସେ, ତାଡ଼ାକୁତାଡ଼ା ଚିଠି ଆସେ, ଯେତେବେଳେ ଦଳ ଦଳ ହୋଇ ଭକ୍ତ ଓ ପ୍ରକାଶକ ତାଙ୍କ ଦ୍ଵାରରେ ଭିଡ଼ ଜମାନ୍ତି, ଯେତେବେଳେ କାଗଜମାନଙ୍କରେ ତୋଷାମଦକାରୀ ସମାଲୋଚକମାନେ ତାଙ୍କର ଜୟଧ୍ଵନି କରନ୍ତି—ସେତେବେଳେ ତାଙ୍କର ମନେ ନ ଥାଏ ସେ ଜଣେ ସାଧାରଣ ଲେଖକ ବୋଲି-। ସାହିତ୍ୟ ସରଣୀରେ ଜଣେ ପଦାତିକ ମାତ୍ର, ରଥୀ ମହାରଥୀ ନୁହନ୍ତି । ସତରେ ସେତେବେଳେ ତାଙ୍କର ମତିଭ୍ରମ ହୁଏ, ସେତେବେଳେ ସେ ପୃଥିବୀର ଶ୍ରେଷ୍ଠ ଲେଖକମାନଙ୍କର ପଂକ୍ତିରେ ନିଜକୁ ବସାଇ ଗୋଟିଏ ଅଦ୍ଭୁତ ଆତ୍ମପ୍ରସାଦ ଲାଭ କରନ୍ତି ।

 

ଲେଖକ ହିସାବରେ ସେ ଯାହା ହୁଅନ୍ତୁ ପଛେ, ଗୋଟିଏ କଥା ସତ୍ୟ ଯେ ଲେଖନୀ ବଳରେ ତାଙ୍କର ଆଧିଭୌତିକ ଦୁଃଖ ଘୁଞ୍ଚିଯାଏ । ଆହୁରି ଗୋଟିଏ ସତ୍ୟ କଥା, ଯାହା ସେ ଉପାର୍ଜନ କରୁଛନ୍ତି ସେ କେବଳ ତାହା ଭୋଗ କରୁ ନାହାନ୍ତି । ଖାଲି ଲେଖକ ରୂପେ ନୁହେଁ ଆତ୍ମୀୟ ପ୍ରତିପାଳକ ବୋଲି ମଧ୍ୟ ତାଙ୍କର ଖ୍ୟାତି ଅଛି ! କୌଣସି ପ୍ରାର୍ଥୀ ତାଙ୍କ ଦ୍ଵାରରୁ ଫେରି ଯାଇ ନାହାନ୍ତି । ସବୁବେଳେ ଯେ ସେ ପ୍ରସନ୍ନ ମନରେ ଦାନ କରନ୍ତି ତାହା ନୁହେଁ, ନାନାପ୍ରକାର ଆଧୁନିକ କୁସଂସ୍କାର ଅନେକ ସମୟରେ ତାଙ୍କ ଦାନର ମହାତ୍ମ୍ୟକୁ ମଳିନ କରିପକାଏ—ତଥାପି ସତରେ ସେ କୌଣସି ପ୍ରାର୍ଥୀକୁ ବିମୁଖ କରନ୍ତି ନାହିଁ । ଏ ବିଷୟରେ ଅବଶ୍ୟ ତାଙ୍କର ଟିକିଏ ଅହଂକାର ଅଛି । ତାଙ୍କର ଜଣେ କକା କାଳେ ଧନୀ ଥିଲେ । ଯୋଗେନ୍ଦ୍ରନାଥଙ୍କର ଯେତେବେଳେ ଅତ୍ୟନ୍ତ ଦୁରବସ୍ଥା, ପ୍ରଥମ ଜୀବନରେ ମାଷ୍ଟରି କରି କରି ଯେତେବେଳେ ଦାରିଦ୍ର୍ୟଭାରରେ ମୁହଁ ମାଡ଼ି ପଡ଼ିଥିଲେ, ସେତେବେଳେ ତାଙ୍କର ସେହି ଧନୀ କକାଙ୍କ କଥା ମନେ ପଡ଼ିଥିଲା । ତାଙ୍କୁ ଥରେ ଦୁଇ ଥର ଚିଠି ମଧ୍ୟ ଲେଖିଥିଲେ, କିନ୍ତୁ ଉତ୍ତର ଆସି ନ ଥିଲା । ସେତେବେଳେ ତାଙ୍କର ମଝିରେ ମଝିରେ ମନେ ହେଉଥିଲା—ହାୟରେ ବିଧାତା, ଯାହାକୁ ଧନ ଦେଇଛ, ଦାନ କରିବା ପାଇଁ ତାକୁ ଉପଯୁକ୍ତ ମନ ଆଦୌ ଦେଇ ନାହିଁ । ମୋ’ର ଯଦି କେବେ ଧନ ହୁଏ ମୁଁ ଦେଖାଇଦେବି ଯେ କିପରି ଧନର ସଦ୍‌ବ୍ୟବହାର କରାଯାଏ । ‘ମୁଁ ଦେଖାଇଦେବି’—ଏହି ଅହଂକାର ତାଙ୍କୁ ବଦାନ୍ୟ–ଆତ୍ମୀୟ–ପ୍ରତିପାଳକ କରିଛି । ଅହଂକାର ଏହା ଉଦ୍‌ଗତି । ଅହଂକାର ନିଜକୁ କୃତାର୍ଥ କରି ଆତ୍ମସମ୍ମାନ ପ୍ରତିଷ୍ଠା କରେ । ଏହି ଅହଂକାରକୁ ସମ୍ୟକ ଉପଲବ୍‌ଧି କଲେ ଈଶ୍ଵର ଦର୍ଶନ ମଧ୍ୟ ହୁଏ ବୋଲି ଶୁଣିଛି, ସୁତରାଂ ସୁଖର ସୀମା ନ ଥାଏ । ଯୋଗେନ୍ଦ୍ରନାଥ କିନ୍ତୁ ସୁଖୀ ନୁହନ୍ତି । ଏକଥା ସେ ଏକାଧିକବାର କହିଛନ୍ତି, କ୍ଷେପଣୀ–ବିହୀନ ନୌକା ଯେପରି ସ୍ରୋତରେ ଇତସ୍ତତଃ ବିକ୍ଷିପ୍ତ ହୋଇ ଶେଷରେ ବୁଡ଼ିଯାଏ, ସେପରି ଯୋଗେନ୍ଦ୍ରନାଥଙ୍କର ଆଦର୍ଶହୀନ ଜୀବନ ନାନା ଘୂର୍ଣ୍ଣିଚକ୍ରରେ ଆବର୍ତ୍ତିତ ହୋଇ ଅବଶେଷରେ ବିନଷ୍ଟ ହେବ, ଏହା ମୋ’ର ଆଶଙ୍କା । ଆପାତ ଦୃଷ୍ଟିରେ ମନେ ହେବ, ଯୋଗେନ୍ଦ୍ରନାଥ ଆଦର୍ଶବାନ୍, ଯେଉଁ ଆଦର୍ଶ ଜୀବନରେ ସମସ୍ତ କର୍ମକୁ ଏକମୁଖୀ କରି ମାଳା ପରି ଗୁନ୍ଥି ପାରେ, ସେ ଆଦର୍ଶ ଯୋଗେନ୍ଦ୍ରନାଥଙ୍କର ନାହିଁ । ସୁବିଧାବାଦୀ ଯୋଗେନ୍ଦ୍ରନାଥ ଯେତେବେଳେ କାର୍ଯ୍ୟସିଦ୍ଧିର ଉପାୟ ସ୍ଵରୂପ ଯାହା ମନେ କରିଛନ୍ତି, ସେତେବେଳେ ସେଇଟିକୁ ଆଦର୍ଶ ବୋଲି ମନେ କରିଛନ୍ତି ଏବଂ ତାକୁ କୁଣ୍ଢାଇ ଧରିଛନ୍ତି । ସେ ପାଠ ପଢ଼ିବା ବେଳେ ତାଙ୍କର ଆଦର୍ଶ ଥିଲା ଯେପରି ହେଉ ପରୀକ୍ଷାରେ ଭଲ ନମ୍ବର ପାଇବାକୁ ହେବ । ସେଥିପାଇଁ ସେ ରାତି ଉଜାଗର ରହି ନୋଟ ମୁଖସ୍ଥ କରିଛନ୍ତି । ଶିକ୍ଷକଙ୍କ ଘରକୁ ଯାଇ କିପରି ପ୍ରଶ୍ନ ପଡ଼ିପାରେ ତା’ର ସ୍ଵରୂପ ଜାଣିବାକୁ ଚେଷ୍ଟା କରିଛନ୍ତି । ଏପରି କି ପରୀକ୍ଷା ହଲରେ ବହିରୁ ନକଲ କରିଛନ୍ତି ମଧ୍ୟ । ପରୀକ୍ଷାରେ ଭଲ ନମ୍ବର ପାଇଛନ୍ତି, କିନ୍ତୁ ସୁଖୀ ହୋଇପାରି ନାହାନ୍ତି-। କାରଣ ସେ ଯେତେଥର ଅନୁଚିତ କର୍ମରତ ହୋଇଛନ୍ତି, ସେତେଥର ବିବେକ ଭ୍ରୂକୁଟିର ସମ୍ମୁଖୀନ ହୋଇଛନ୍ତି । ମଣିଷ ଯେତେ ନୀଚ, ଯେତେ ହୀନ ହେଉନା କାହିଁକି, ତା’ର ବିବେକ କେବେ ଲୁପ୍ତ ହୁଏ ନାହିଁ ! ସେହି ବିବେକ କେବେ ମୃଦୁ କଣ୍ଠରେ, କେବେ କର୍କଶ ସ୍ଵରରେ ସର୍ବଦା ମଣିଷକୁ ତା’ର ଦୁଷ୍କର୍ମ ନିମିତ୍ତ ଭର୍ତ୍ସନା କରେ । ଏହି ଭର୍ତ୍ସନା ହିଁ ତା’ର ସୁଖହୀନତାର କାରଣ । ସେ ମନେ ମନେ ଅନୁଭବ କରେ—ମୁଁ ଯାହା କରିଅଛି ତାହା ଅନ୍ୟାୟ, ତାହା ଅଶିବ, ତାହା ଅସୁନ୍ଦର, ତାହା ମିଥ୍ୟା-। ଏହି ଚିନ୍ତା ତା’ ସୁଖର ଛାତିରେ, ତା’ର ଶାନ୍ତି ମୂଳରେ ଅହରହ ବିଷକୀଟ ପରି ଦଂଶନ କରେ-। ସେ କାମ୍ୟ ବସ୍ତୁ ପାଏ ସିନା, କିନ୍ତୁ ସୁଖ ଶାନ୍ତି ଅନ୍ତର୍ହିତ ହୁଏ । ଯୋଗେନ୍ଦ୍ରନାଥଙ୍କର ତାହା ହିଁ ହୋଇଛି । ବାହାରେ ସେ ଧନୀ କିନ୍ତୁ ଅନ୍ତରରେ ନିଃସ୍ଵ । ଏହି ନିଃସ୍ଵତା ସେ ପ୍ରତି ମୁହୂର୍ତ୍ତରେ ତୀବ୍ର ଭାବେ ଅନୁଭବ କରୁଛନ୍ତି । ଶିକ୍ଷକ ଯୋଗେନ୍ଦ୍ରନାଥ ଯଦି ଚିରଦିନ ଆଦର୍ଶନିଷ୍ଠ ଶିକ୍ଷକ ଥା’ନ୍ତେ, ତା’ହେଲେ ସେ ଧନୀ ହୋଇ ନ ଥାନ୍ତେ, କିନ୍ତୁ ସୁଖୀ ହୋଇଥାନ୍ତେ । ଲେଖକ ଯୋଗେନ୍ଦ୍ରନାଥ ଯଦି ଶସ୍ତା ଖ୍ୟାତି ଏବଂ ପ୍ରଚୁର ଅର୍ଥ ମୋହରେ ଆତ୍ମହରା ନ ହୋଇ ନିଷ୍ଠାବାନ୍ ସାହିତ୍ୟିକ ରୂପରେ ରହିପାରିଥାନ୍ତେ, ତା’ହେଲେ ସେ ଏତେ ଅସୁଖୀ ହୋଇ ନ ଥାନ୍ତେ । ସେ କାହିଁକି ସୁବିଧାବାଦୀ ହେଲେ ତାହାରି ସପକ୍ଷରେ ସେ ବର୍ତ୍ତମାନ ନାନା ଯୁକ୍ତି ବାଢ଼ୁଛନ୍ତି, କିନ୍ତୁ ତାଙ୍କର ବିବେକ ସେଥିରେ ସନ୍ତୁଷ୍ଟ ନୁହେଁ । ସେ କ୍ରମାଗତ କହି ଚାଲିଛି, ତୁମେ ପାଜୀ, ତୁମେ ଲୋଭୀ, ତୁମେ ଚୋରା କାରବାରୀ, ଶିକ୍ଷା ଏବଂ ସାହିତ୍ୟର ପବିତ୍ର ମନ୍ଦିରରେ ତୁମେ ବାଜେ ଅପବିତ୍ର ମାଲ ଭରତି କରି କୌଶଳରେ ବେଶି ଦାମ ଆଦାୟ କରିଅଛ । ତୁମେ ଅସାଧୁ–ପ୍ରବଞ୍ଚକ ଛଡ଼ା ଆଉ କିଛି ନୁହଁ-। ବିବେକର ଏହି ତାଡ଼ନାରେ ଯୋଗେନ୍ଦ୍ରନାଥ ସର୍ବଦା ମ୍ରିୟମାଣ । ସେ ସାହିତ୍ୟିକ-। ବାହାରେ ସମସ୍ତେ ଜାଣନ୍ତି ସେ ସତ୍ୟ–ଶିବ–ସୁନ୍ଦରର ଉପାସକ, କିନ୍ତୁ ସେ ନିଜେ ଜାଣନ୍ତି ଯେ ସେ ତାହାର ବିପରୀତ । ଏହି ଜ୍ଞାନ, ଏହି ଅନ୍ତର୍ଦ୍ୱନ୍ଦ୍ଵ ତାଙ୍କର ଚିତ୍ତବୃତ୍ତିକୁ କ୍ଷତବିକ୍ଷତ କରୁଛି । ସେ ଜାଣନ୍ତି, ଆଧୁନିକ କଳକବ୍‌ଜା-ଯନ୍ତ୍ର ଯୁଗରେ ଏକମାତ୍ର ଚାହିଦା ‘‘ଆହୁରି–ଆହୁରି–ଏକମାତ୍ର ଆକାଙ୍‌କ୍ଷା ଟଙ୍କା—ଟଙ୍କା—ଟଙ୍କା ।” ସେ ଆହୁରି ମଧ୍ୟ ଜାଣନ୍ତି, ଏହି ସର୍ବନାଶୀ କାମନା ଋଦ୍ଧ କୃଶାନୁ ସଦୃଶ ସମଗ୍ର ମାନବସମାଜକୁ ଲେଲିହାନ ଶିଖା ବିସ୍ତାର କରି ଘେରିଅଛି-। ସେ ଅନୁଭବ କରୁଛନ୍ତି ଯେ ଆର୍ତ୍ତ ନର ନାରୀ ସକଳ, କେହି ସରବ ଭାବରେ, କେହି ନୀରବରେ, କେହି କାନ୍ଦି କାନ୍ଦି, କେହି ହସି ହସି କହୁଛନ୍ତି ‘‘ଶାନ୍ତି ନାହିଁ, ଶାନ୍ତି ନାହିଁ । କେଉଁ ଆଡ଼େ ଯିବା, କ’ଣ କରିବା, କାହିଁକି ଏପରି ହେଲା ସୁଖ କାହିଁ ?” ସେ ଏହା ମଧ୍ୟ ଜାଣିଛି ଯେ ଏହିସବୁ ପ୍ରଶ୍ନର ଉତ୍ତର କେବଳ କବିଗଣ ଦେଇପାରନ୍ତି-। ଯୋଗେନ୍ଦ୍ରନାଥ ନିଜେ ମଧ୍ୟ ଜାଣନ୍ତି ଯେ ନିଜେ ଲେଖକ ହିସାବରେ ସେ ପ୍ରାଚୀନ ଭାରତର ସେହି କବି-ଋଷିଙ୍କର ସମ ଗୋତ୍ର, ଯେଉଁମାନେ ଦିନେ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ, “ଶୃଣ୍ଵନ୍ତୁ ବିଶ୍ଵେ’’, ତା’ର କର୍ତ୍ତବ୍ୟ ଆର୍ତ୍ତ, ଭୀତ, ସନ୍ତ୍ରସ୍ତ ମାନବ ସମାଜକୁ ସାନ୍ତ୍ୱନା ଦେବା । କବିର କାମ ହେଉଛି ସତ୍‌ପଥର ନିର୍ଦ୍ଦେଶ ଦେବା, କିନ୍ତୁ ସେ ନିଜର ସାହିତ୍ୟରେ କୌଣସି ମାର୍ଗର ନିର୍ଦ୍ଦେଶ ଦେଇପାରି ନାହାନ୍ତି, କାରଣ ନିଜେ ସେ ପଥ ହୁଡ଼ିଛନ୍ତି-। ତାଙ୍କ ସୃଷ୍ଟ କାମ କ୍ଲିନ୍ନ ସାହିତ୍ୟ ପାଠ କରି ଅନେକ ପଥଭ୍ରଷ୍ଟ ହୋଇଛନ୍ତି । ପପୁଲାର ହେବେ ବୋଲି ପଶୁତ୍ଵକୁ ସେ ମନୋହର ରୂପରେ ଚିତ୍ରଣ କରିଛନ୍ତି । ପଇସା ଲୋଭରେ ନିଜର ସ୍ଵାର୍ଥସିଦ୍ଧି ଆଶାରେ ମନ୍ଦ ଜାଣି ମଧ୍ୟ ନିଜ ଝିଆରୀକୁ ସିନେମାରେ ଅବତରଣ କରାଇଛନ୍ତି । ନିଜର ସ୍ଵରୂପ ନିଜ ପାଖରେ ଅବିଦିତ ନୁହେଁ । ମନେ ମନେ ନିଜକୁ ସେ ଆସାମୀର କାଠଗଡ଼ାରେ ଠିଆ କରାଇ ବିବର୍ଣ୍ଣମୁଖରେ ସେହିଆଡ଼େ ଅନାଇଛନ୍ତି-। ତାଙ୍କର ସେ ଦୁଃସହ କଷ୍ଟ ବାହାର ଲୋକେ ଦେଖିବାକୁ ପାନ୍ତି ନାହିଁ, କିନ୍ତୁ ମୁଁ ପାଏ ମୁଁ ତାଙ୍କର ରକ୍ତାକ୍ତ ହୃଦୟ ଆଡ଼କୁ ନିର୍ନିମେଷ ଭାବେ ଚାହିଁଛି-। ଲୋକେ ଭାବନ୍ତି, ଯୋଗେନ୍ଦ୍ରନାଥ କେଡ଼େ ସୁଖୀ; କିନ୍ତୁ ମୁଁ ଜାଣେ, ସେ ମହାଦୁଃଖୀ । ସେ ଆଦର୍ଶଭ୍ରଷ୍ଟ ଏବଂ ସେ ନିଜେ ତାହା ଜାଣନ୍ତି-। ବାରମ୍ବାର ସେ କହନ୍ତି ସିନା, ମୁଁ ଯାହା କରିଛି ଠିକ୍ କରିଛି-। ପାରିପାର୍ଶ୍ୱିକ ଚାପରେ ତାହା ବାଧ୍ୟହୋଇ କରିଅଛି । କିନ୍ତୁ ଏ କଥାରେ କ’ଣ ରୁଷ୍ଟ ବିବେକ ତୁଷ୍ଟ ହୁଏ ? ଅନ୍ତରନିବାସୀ ସେହି ଦେବତାର ଅଭିଶାପ–ଅଗ୍ନିରେ ସେ ଅହରହ ଦଗ୍‌ଧ ହେଉଛନ୍ତି-। ଯୋଗେନ୍ଦ୍ରନାଥଙ୍କର ଆହୁରି ଗୋଟିଏ ଚିନ୍ତାର ବିଷୟ, ତାଙ୍କର ଅର୍ଥ ସମସ୍ୟା ! ସମସ୍ତେ ଜାଣନ୍ତି, ଯୋଗେନ୍ଦ୍ରନାଥ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ମୁଁ ଜାଣେ, ଟଙ୍କା ରୋଜଗାର କରେ ସୁଲୀନା-। ଯୋଗେନ୍ଦନାଥଙ୍କର ପୁସ୍ତକ ବାବଦରେ ଯେଉଁ ଆୟ, ତାହା ସୁଲୀନା ପାଇଁ ମଧ୍ୟ-

 

ସେ ଆୟ ପ୍ରଚୁର ନୁହେଁ । ବିଳାସତପ୍ତ କଟାହରେ ତାହା ନିମିଷକେ ଶେଷ ହୁଏ । ସୁଲୀନା ତାଙ୍କର ବର୍ତ୍ତମାନର ଏକମାତ୍ର ଭରସା । ସୁଲୀନାର ଟଙ୍କାକୁ ସେ ଦୁଇ ହାତରେ ମୁଠା ମୁଠା ଖର୍ଚ୍ଚ କରୁଛନ୍ତି । ଚଳଣି ଯେପରି ଚଳାଇଛନ୍ତି, ସେଥିରେ ଖର୍ଚ୍ଚ ନ କରି ଉପାୟ ନାହିଁ । ତେଣୁ ପଇସାଟିଏ ମଧ୍ୟ ସଞ୍ଚୟ ନାହିଁ । ଉପରନ୍ତୁ ବଜାରରେ ଧାର ବଢ଼ିଛି । ସୁଲୀନା ଯଦି ଜୀବନସାରା କାମ ପାଏ ଏବଂ ସମାନ ଭାବରେ ଖଟିପାରେ, ବର୍ତ୍ତମାନ ବଜାରରେ ତା’ର ଯେଉଁ ଚାହିଦା ଓ ସୁନାମ ଅଛି ତାହା ଯଦି ଅତୁଟ ରହେ, ତା’ହେଲେ ଯୋଗେନ୍ଦ୍ରନାଥର ସଂସାର–ତରଣୀ କୌଣସି ପ୍ରକାରେ ତୀରବର୍ତ୍ତୀ ହେବ, ନଚେତ ସର୍ବନାଶ । ଏହି ଚିନ୍ତା ମଧ୍ୟ ଯୋଗେନ୍ଦ୍ରନାଥଙ୍କ ସମଗ୍ର ଜୀବନକୁ ବିଷମୟ କରିଅଛି । ସେ କ୍ରମାଗତ ଚେଷ୍ଟା ଚଳାଇଛନ୍ତି କିପରି ସୁଲୀନା ଆହୁରି ଅଧିକ କଣ୍ଟ୍ରାକ୍ଟ ପାଇବ । ପବ୍ଲିସିଟି ନାମକ ଯନ୍ତ୍ରର ବିଭିନ୍ନ ଚକ୍ରରେ ତାଙ୍କୁ ବର୍ତ୍ତମାନ ନିପୁଣଭାବେ ତୈଳ ନିଷେଧ କରିବାକୁ ପଡ଼ୁଛି । ମାସକ ଭିତରେ ଏକାଧିକବାର ପ୍ରସିଦ୍ଧ ଚିତ୍ର ସମାଲୋଚକମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଆପ୍ୟାୟିତ କରିବାକୁ ହେଉଛି । ବଡ଼ ବଡ଼ ହୋଟେଲରେ ନାମଜାଦା ପ୍ରଯୋଜକ, ପରିଚାଳକମାନଙ୍କୁ ପାର୍ଟି ଦେବାକୁ ହୁଏ । ଏହାସବୁ ନ କଲେ ତାଙ୍କର କାହାଣୀ ଛବିରେ ଚଳେ ନାହିଁ । ସୁଲୀନାର ମଧ୍ୟ କଣ୍ଟ୍ରାକ୍ଟ ହୁଏ ନାହିଁ । ଯୌବନରେ ମାଷ୍ଟରୀ କରିବାଟା ତାଙ୍କୁ ଅତ୍ୟନ୍ତ କଷ୍ଟକର ବୋଧ ହେଉଥିଲା । ମନେ ହେଉଥିଲା, ଏତେ କଷ୍ଟ କରି ମଧ୍ୟ ପରିବାରର ଅଭାବ ଘୁଞ୍ଚେ ନାହିଁ । ବର୍ତ୍ତମାନ ମନେହୁଏ, ଏତେ ଐଶ୍ଵର୍ଯ୍ୟ, ଏପରି ଘର, ଦୁଇଟା ମୋଟରକାର, ଦଶ ଜଣ ଚାକର ଚାକରାଣୀ, ଶିକ୍ଷିତା ପ୍ରାଇଭେଟ ସେକ୍ରେଟେରୀ, ଘରେ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ–ଲେଖକ–ଲେଖିକାମାନଙ୍କର ପଦାର୍ପଣ, ସୁଲୀନାକୁ ଘେରି ଲକ୍ଷପତି, କୋଟିପତିମାନଙ୍କର ଗୁଞ୍ଜନ, କାଗଜମାନଙ୍କରେ ଉଚ୍ଛ୍ଵସିତ ପ୍ରଶଂସା—କାହିଁ ଅଭାବ ତ ମେଣ୍ଟିଲା ନାହିଁ । ବର୍ତ୍ତମାନ ମଧ୍ୟ ଅଭାବର ଗହ୍ଵର ମୁଖବ୍ୟାଦାନ କରି ରହିଛି । ଖାଲି ଟଙ୍କାର ଅଭାବ ନୁହେଁ, ସୁଖର ଅଭାବ ମଧ୍ୟ । ଯୋଗେନ୍ଦ୍ରନାଥ ଲୋକ ହିସାବରେ ଖରାପ ନୁହନ୍ତି, ସେ ଉଦାର । କିଛି କିଛି ସାହିତ୍ୟିକ ବୁଦ୍ଧି ମଧ୍ୟ ଅଛି । ଅନ୍ତରରେ ସେ ସତ୍ୟଶିବ–ସୁନ୍ଦରର ଆଭାସ ମଧ୍ୟ ପାଇଛନ୍ତି । ପରୋପକାରୀ, ଗରିବର ଦୁଃଖ କଷ୍ଟରେ ସାହାଯ୍ୟ ଦିଅନ୍ତି । କିନ୍ତୁ ଆଧୁନିକ ଯୁଗର ନୃଶଂସ ବସ୍ତୁତାନ୍ତ୍ରିକ ବିଳାସପ୍ରବଣ ସ୍ଵାର୍ଥପର ସଭ୍ୟତା ଦକ୍ଷ ଶିକାରୀ ପରି ସମସ୍ତଙ୍କୁ ବିରାଟ ଜାଲରେ ଆବଦ୍ଧ କରିଅଛି । ଯୋଗେନ୍ଦ୍ରନାଥ ମଧ୍ୟ ସେହି ଜାଲରେ କବଳିତ ହୋଇଛନ୍ତି । ଯେଉଁ ସଂଯମ, ଯେଉଁ ତିତିକ୍ଷା, ଯେଉଁ ବୈରାଗ୍ୟ, ଯେଉଁ ଆଧ୍ୟାତ୍ମିକ ଉପଲବ୍‌ଧି ମନୁଷ୍ୟକୁ ସୁଖୀ କରେ, ତାହା ବର୍ତ୍ତମାନ ଯୋଗେନ୍ଦ୍ରନାଥଙ୍କର ଆୟତ୍ତାତୀତ । ତାଙ୍କର ବସ୍ତୁତାନ୍ତ୍ରିକ ବିବେକ ବର୍ତ୍ତମାନ ଖିଙ୍କାରୀ–କୁକୁର ରୂପ ଧାରଣ କରି ବାଟର ଧୂଳିରେ, ନର୍ଦ୍ଦମା ନିକଟରେ, ଡଷ୍ଟବିନ୍ ପାଖରେ ଲୋଲୁପ କାମୁକ ପରି ବସିଅଛି । ତା’ର ମୁହଁରୁ ମଣିଷର ଭାଷା ଶୁଣିଛନ୍ତି । ତାଙ୍କ ନିଜର ଚିନ୍ତା କୁକୁର ମୁହଁରେ ବାଙ୍ମୟ ହୋଇଅଛି । ଯୋଗେନ୍ଦ୍ରନାଥ ପ୍ରକୃତରେ ବଡ଼ ଦୁଃଖୀ ।

 

ପ୍ରଥମ ପକ୍ଷୀର କଥା

 

ଗେଟ ଆଡ଼େ ଚାହିଁ ବସିଛି । ପ୍ରତି ମୁହୂର୍ତ୍ତରେ ଆଶା କରୁଛି । ବର୍ତ୍ତମାନ ରମେନ୍‌କୁ ସାଙ୍ଗରେ ଧରି ସୁଲୀନା ଆସି ଉପସ୍ଥିତ ହେବ । ଭାବିଛି ରମେନ୍‌ର ଜନ୍ମୋତ୍ସବ ଉପଲକ୍ଷରେ ଘରେ ଯେଉଁ ଭୋଜିର ଆୟୋଜନ ହେବ ସେଥିରେ ମୋ’ ପକ୍ଷରୁ କାହାକୁ କାହାକୁ ଆମନ୍ତ୍ରଣ କରିବା ଉଚିତ । ଜୁପିଟର ସିନେମାର ଶର୍ମାଙ୍କୁ ତ କହିବାକୁ ପଡ଼ିବ, କିନ୍ତୁ ତା ସହିତ ଯାହାନ୍ନାରା ଟଜର ମାଲିକକୁ ନିମନ୍ତ୍ରଣ କଲେ ଚଳିବ କି ? ସେ ଦୁଇଜଣଯାକ ମୋ’ର ହିତୈଷୀ । ଶର୍ମା ଜଣେ ନାମଜାଦା ପ୍ରଯୋଜକ । ସେ ମୋ’ର ‘ସ୍ୱର୍ଣ୍ଣ କମଳ’ ଗଳ୍ପର ନାମ ପରିବର୍ତ୍ତନ କରି, ‘ରୂପ ଯମୁନାର ତୀରେ’ ନାମରେ ଅନେକ ଟଙ୍କା ଖର୍ଚ୍ଚ କରି ଗୋଟିଏ ଛବି ପ୍ରସ୍ତୁତ କରିଛନ୍ତି । ସୁଲୀନା ସେଥିରେ ଗୋଟିଏ ପତିତା ଭୂମିକାରେ ଅଭିନୟ କରିଅଛି । ମୋତେ ସେ ଯେଉଁ ଟଙ୍କା ଦେବେ ବୋଲି କହିଥିଲେ ତାହା ସବୁ ଯଦିଓ ବର୍ତ୍ତମାନ ସୁଦ୍ଧା ଦେଇ ନାହାନ୍ତି, ତେବେ ଆଶା ଅଛି, ବହିଟା ଯଦି ‘ହିଟ’ କରେ ବାକି ଟଙ୍କା ପାଇଯିବି । ସୁତରାଂ ଏଇ ପାର୍ଟିକୁ ଯଦି ଶର୍ମାକୁ ନିମନ୍ତ୍ରଣ କରା ନ ଯିବ ତା’ହେଲେ ସେ ଦୁଃଖିତ ହେବ, ଶର୍ମା ଲୋକଟା ଚରିତ୍ରହୀନ ତାହା ଜାଣେ । ସୁଲୀନାକୁ ଟଙ୍କା ଲୋଭ ଦେଖାଇ ସେ ଯେ ତାକୁ ନାନା ଭାବରେ ପ୍ରଲୁବ୍‌ଧ କରିଛି ଓ କରୁଛି ଏହା ମଧ୍ୟ ମୋତେ ଅଜ୍ଞାତ ନାହିଁ । ତେବେ ମଧ୍ୟ ତାକୁ ନିମନ୍ତ୍ରଣ କରାହେବ, କାରଣ ଆଧୁନିକ ଭାଷାରେ ଯାହାକୁ ‘ମାଲଦାର’ କହନ୍ତି ସେ ସେଇଆ । ତା’କୁ ଉପେକ୍ଷା କରିବାର ସାହସ ନାହିଁ । ତାକୁ ନିମନ୍ତ୍ରଣ କରିବାକୁଇ ପଡ଼ିବ । କିନ୍ତୁ ଯାହାନ୍ନାରା ଟକିର ବଦରୁଦ୍ଦିନ ଖାନ୍ ଯଦି ଶୁଣେ ଯେ ସୁଲୀନାର ପାର୍ଟିରେ ତାକୁ ନିମନ୍ତ୍ରଣ କରା ହୋଇ ନାହିଁ, ତା’ହେଲେ କ’ଣ ହେବ ? ସୁଲୀନା ଯେ ପାର୍ଟି ଦେଇଥିଲା ଏହା ଲୋକମୁଖରୁ ନିଶ୍ଚୟ ପ୍ରକାଶ ପାଇଯିବ । ବଦରୁଦ୍ଦିନ ଖାନ୍ ତା’ର ଗୋଟିଏ ରକ୍ଷିତାର ଭାଇଦ୍ଵାରା ଗୋଟିଏ “ଲାଚ୍ଛେଦାର” କାହାଣୀ ଲେଖାଇଛନ୍ତି । ସେ ଗଳ୍ପର ଚିତ୍ରନାଟ୍ୟ ମୁଁ ଲେଖିଛି । ସେହି ଗଳ୍ପରେ ପ୍ରାୟ ଉଲଙ୍ଗିନୀ ନର୍ତ୍ତକୀ ରାସ୍ତାମାନଙ୍କରେ ନାଚି ସମସ୍ତଙ୍କର ମନୋହରଣ କରିଥାଏ ଏବଂ ଅବଶେଷରେ ଜଣେ ବଡ଼ଲୋକର କୃପା ଦୃଷ୍ଟିରେ ପଡ଼ି ତା’ରି ସାହାଯ୍ୟରେ ଗୋଟିଏ ଅନ୍ନଛତ୍ର ଖୋଲିଦେଲା —ସେ ନର୍ତ୍ତକୀ ଭୂମିକାରେ ସୁଲୀନା ଅଭିନୟ କରିବା ପାଇଁ ସ୍ଥିର ହୋଇଛି । ବେଶ ମୋଟା ଟଙ୍କା ମିଳିବ । ବଦରୁଦ୍ଦିନକୁ ଯେବେ ସୁଲୀନାର ପାର୍ଟିକୁ ସମାଦର କରି ନିମନ୍ତ୍ରଣ କରା ନ ଯାଏ, ତା’ହେଲେ ସବୁ ଭଣ୍ଡୁର ହୋଇଯିବ ନାହିଁ ତ ! ବଦରୁଦ୍ଦିନକୁ ଡାକିବାରେ କୌଣସି ଆପତ୍ତି ନାହିଁ, ବରଂ ମୋର ଆଗ୍ରହ ଅଛି । ଶର୍ମା କଥା ହିଁ ମୁସ୍କିଲ । ତା’ ସହିତ ବଦରୁଦ୍ଦିନର ଅହି–ନକୁଳ ସମ୍ପର୍କ । ଥରେ ଗୋଟିଏ ପାର୍ଟିରେ ତାଙ୍କର କାଳେ ମାଡ଼ଗୋଳ ପର୍ଯ୍ୟନ୍ତ ହୋଇଥିଲା । ଗୋଟିଏ ମୋଟରର ଶବ୍ଦ ଶୁଣି ଉତ୍‌କର୍ଣ୍ଣ ହୋଇଉଠିଲି । ମୋ’ ଘର ପାଖରେ ଆସି ମୋଟରଟି ଗତି ବେଗ କମାଇଲା । ସୁଲୀନା ଆସୁଛି ବୋଧହୁଏ । ନିଶ୍ଚିନ୍ତ ହେଲି । ସୁଲୀନା ଠିକ୍ କରୁ ତା’ ପାର୍ଟିକୁ ବଦରୁଦ୍ଦିନ ଓ ଶର୍ମାକୁ ଏକା ସାଙ୍ଗରେ ନିମନ୍ତ୍ରଣ କରିବା ଚଳିବ କି ନାହିଁ ? ସେ ଉଭୟଙ୍କୁ ମ୍ୟାନେଜ କରିପାରିବ କି ନାହିଁ ? ସୁଲୀନା ଅସାଧ୍ୟସାଧନପଟ୍ଟିୟସୀ, ସେ ଇଚ୍ଛାକଲେ ସବୁ ପାରିବ । କିନ୍ତୁ ଏ କ’ଣ, ଏଟା ତ ସୁଲୀନାର କାର ନୁହେଁ, ଘନ ନୀଳରଙ୍ଗର ଗୋଟିଏ ପ୍ରକାଣ୍ଡ ‘ମିନର୍ଭା’ ଆସି ମୋ’ ଗେଟ ଆଗରେ ଠିଆ ହୋଇଛି, ଗାଡ଼ିରୁ ଅବତରଣ କଲେ ଜଣେ ସୁକାନ୍ତ ସୁବେଶ ଦୀର୍ଘବପୁ ପୁରୁଷ । ଅପରିଚିତ, ପୂର୍ବରୁ କେବେ ଦେଖି ନାହିଁ । ସେ ଗେଟ ଖୋଲି ପ୍ରବିଷ୍ଟ ହେଲେ ।

 

“ଯୋଗେନ ବାବୁଙ୍କର ଘର କ’ଣ ଏହି ?”

 

“ଆସନ୍ତୁ ଆସନ୍ତୁ ।”

 

ଠିଆ ହୋଇପଡ଼ି ଅଭ୍ୟର୍ଥନା ଜଣାଇଲି । ପାଖକୁ ଆସିଲାରୁ ଅବାକ୍ ହେଲି ତାଙ୍କର ନିଶ ଦେଖି । ସରୁ ନିଶ । କିନ୍ତୁ ଅଦ୍ଭୁତ । ମନେ ହେଲା ଯେପରି ଦୁଇଟି ସରୁ ସାପ ଫଣା ଟେକି ଦୁଇ ପାଖରେ ଠିଆ ହୋଇଛନ୍ତି । ଆଖିର ଚାହାଣୀରେ ଚାପା ଚତୁରତା ଓ ସ୍ପର୍ଦ୍ଧା ଚକମକ କରୁଛି ।

 

“ସୁଲୀନା ଦେବୀ କ’ଣ ଆପଣଙ୍କର ଝିଆରୀ ? ଆପଣ କ’ଣ ଯୋଗେନବାବୁ ?”

 

“ହଁ, ଆପଣଙ୍କୁ ତ ଚିହ୍ନି ପାରିଲି ନାହିଁ ।”

 

“ମୋ’ର ନାମ ବି. ଏନ. ଗଜପତ୍ । ମୁଁ ବ୍ୟବସାୟ କରେ । ତମ୍ବା, ଟିଣ, ଲୁହାର କାରବାର ମୋର ।”

 

ବି. ଏନ ଗଜପତ୍‌ର ନାଁ ମୁଁ ଶୁଣିଥିଲି । ଶୁଣିଥିଲି ସେ କୋଟିପତି । ସେହି ଲୋକ ଆଜି ମୋ’ ଦ୍ଵାରରେ ପହଞ୍ଚିଛନ୍ତି । ମୁଁ ରୋମାଞ୍ଚିତ କଳେବର ହୋଇ ଦୁଇ ହାତ ଯୋଡ଼ି ତାଙ୍କୁ ନମସ୍କାର କରି ଭକ୍ତି ଗଦ୍‌ଗଦ୍‌ କଣ୍ଠରେ କହିଲି, “ମୁଁ ଆପଣଙ୍କର ନାମ ଶୁଣିଛି । ସୌଭାଗ୍ୟ ଯେ ଆଜି ଦେଖା ହେଲା । ଠିଆ ହୋଇ ରହିଲେ ଯେ, ବସନ୍ତୁ ।”

 

ଗଜପତ୍ ଗୋଟିଏ ଚେୟାର ଟାଣି ବସି ପଡ଼ିଲେ । ମୃଦୁ ହସି କହିଲେ, “ମୋ’ ନିଜର ଗରଜ ପଡ଼ିବାରୁ ଆସିଛି । କଥାଟା ଖୋଲାଖୋଲି କହୁଛି । ପ୍ରଥମେ ମୋ’ ପରିଚୟ ଦିଏଁ । ମୁଁ ଦିଲ୍ଲୀର ଲୋକ, ଜାତିରେ ବଣିଆ । ଯଦିଓ ଭିନ୍ନ ପ୍ରାନ୍ତର ଲୋକ, ତେବେ ମଧ୍ୟ ଆପଣଙ୍କର ଏ ରାଜ୍ୟକୁ ଭଲ ପାଏ । ବିଶେଷତଃ ଏହାର ସାହିତ୍ୟ ସଂସ୍କୃତି ନିମିତ୍ତ । ସେଥିପାଇଁ ଆପଣଙ୍କ ଭାଷା ମଧ୍ୟ ମୁଁ ଶିଖି ସାରିଛି, ସିନେମା ବ୍ୟବସାୟ ଆରମ୍ଭ କରିବା ପାଇଁ ମୋ’ର ଇଚ୍ଛା, ଆପଣଙ୍କ ପାଖକୁ ସେଥିପାଇଁ ଆସିଛି । ଏ ବିଷୟରେ ମୋ’ ମନରେ ଗୋଟିଏ ନୂତନ ପ୍ରେରଣା ମଧ୍ୟ ଜାଗ୍ରତ ହୋଇଛି । ତାହା ମୁଁ ଆପଣଙ୍କ ପାଖରେ ଖୋଲି କରି କହିବାକୁ ଚାହୁଁଛି । ସୁଲୀନା ଦେବୀ କାହାନ୍ତି-?”

 

“ସେ ଟିକିଏ ବାହାରକୁ ଯାଇଛି ! ଆପଣ କ’ଣ କରିବାକୁ ଚାହାନ୍ତି କହିପାରନ୍ତି ।”

 

ମୁଁ ଗୋଟିଏ ଭଲ ଛବି ପ୍ରସ୍ତୁତ କରିବାକୁ ଚାହେଁ । ନାୟିକାପ୍ରଧାନ ଛବି । ସୁଲୀନା ଦେବୀ ହେବେ ତା’ର ନାୟିକା । ତାଙ୍କୁ ମୁଁ ଛବିରେ ଦେଖିଛି । ସେ ଖୁବ୍ ଭଲ ଲାଗିଲେ ମୋତେ । ଦୂରରୁ ଥରେ ଦେଖିଛି ମଧ୍ୟ । ମୋ’ର ଆହୁରି ଗୋଟିଏ ପ୍ଲାନ ଅଛି । ସେଇଟା ହେଉଛି ମୋ’ର ଅରିଜିନାଲିଟି—ଯଦି ଅନୁମତି ଦିଅନ୍ତି ତାହା ମୁଁ କହିବି— ।”

 

“କୁହନ୍ତୁ— ।”

 

“ଛବିବାଲା ସାଧାରଣତଃ ବାହାରୁ ଗଳ୍ପ ଆଣି ଭୁଲ କରିଥାନ୍ତି । ସେ ଗଳ୍ପ ହୁଏତ ସାହିତ୍ୟ ବଜାରରେ ନାମୀ ଗଳ୍ପ ହୋଇପାରେ । ଧରନ୍ତୁ ରବୀନ୍ଦ୍ରବାବୁଙ୍କ ଗଳ୍ପ ବା ଶରତବାବୁଙ୍କ ଗଳ୍ପ-। କିନ୍ତୁ ଅନେକ ସମୟରେ ଦେଖାଯାଏ, ସେ ଗଳ୍ପ ଛବିରେ ଠିକ୍ ଉତୁରି ନ ଥାଏ । ଏହାର କାରଣ କ’ଣ ଜାଣନ୍ତି ? କାରଣ ସେ ଗଳ୍ପ ନାୟକ ବା ନାୟିକାଙ୍କର ପ୍ରାଣରେ ଗଳ୍ପ ନୁହେଁ । ସେ ଗଳ୍ପକୁ ଯେପରି ଜବରଦସ୍ତି ସେମାନଙ୍କ ମୁଣ୍ଡରେ ଚାପି ଦିଆଯାଇଛି । ଯଦି ଛବି ନାୟକସର୍ବସ୍ଵ ହୁଏ ତା’ହେଲେ ସେ ଗଳ୍ପ ନାୟକ ପ୍ରାଣର ସ୍ୱତୋତ୍ସାରିତ ଗଳ୍ପ ହେବା ଉଚିତ, ତେବେ ଯାଇଁ ଜମକ ହେବ । ଛବିଟି ଯେବେ ନାୟିକାପ୍ରଧାନ ହୁଏ ତା’ହେଲେ ସେ ଗଳ୍ପ ନାୟିକାଙ୍କୁ ହିଁ ଲେଖିବାକୁ ପଡ଼ିବ-। ଅନ୍ୟ ଲୋକ ସାହାଯ୍ୟରେ ତାହା ସେ ଲେଖାଇପାରନ୍ତି । କିନ୍ତୁ ସେ ଗଳ୍ପର ଉତ୍ସ ତାଙ୍କର ପ୍ରାଣ ଓ ବ୍ୟକ୍ତିତ୍ଵ ହେବା ଚାହି । ମୁଁ ଛବିଟିକୁ ନାୟିକାପ୍ରଧାନ କରିବାକୁ ଚାହେଁ । ତେଣୁ ମୋ’ର ଇଚ୍ଛା, ସୁଲୀନା ଦେବୀଙ୍କଦ୍ଵାରା ସେ ବହିଟି ଲେଖାଇବି ।”

 

ଏପରି ଉଦ୍‌ଭଟ ପ୍ରସ୍ତାବ ଇତିପୂର୍ବରୁ କେବେ ଶୁଣି ନାହିଁ । ସୁଲୀନା ରୂପସୀ ଏବଂ ଯୁବତୀ ସିନା, ଅଭିନୟ ମନ୍ଦ କରେ ନାହିଁ, କିନ୍ତୁ ସେ ଯେ ମୁର୍ଖ, ‘କ’ ଅକ୍ଷର ବରୁଣେଇ ପାହାଡ଼, ସେ ବହି ଲେଖିବ କିପରି ? ଲୋକଟା ପାଗଳ ନା କ’ଣ ? ମୋ’ ମନର ଅସଲ କଥା ଅବଶ୍ୟ ଖୋଲି କହିପାରିଲି ନାହିଁ । ଟିକିଏ ଦ୍ଵିଧାଭରେ କହିଲି, “ସୁଲୀନା କ’ଣ ବହି ଲେଖିପାରିବ ?”

 

“ଏହି କଲିକତା ସହରରେ ରହିଲେ ପାରିବେ ନାହିଁ । ତାଙ୍କୁ ଯଦି କାଶ୍ମୀରର ସ୍ଵପ୍ନମୟ ପରିବେଶର ରଙ୍ଗୀନ୍ ଆବହାୱାକୁ ନେଇ ଆରାମରେ ଆନନ୍ଦରେ ରଖାଯାଏ, ତା’ହେଲେ ନିଶ୍ଚୟ ପାରିବେ । ଦେଖିବେ ଖଣ୍ଡିଏ ମାଷ୍ଟର ପିସ ବାହାରି ପଡ଼ିବ ତାଙ୍କ ମନରୁ । ଆଉ ସେଇଟି ହେବ ତାଙ୍କର ହିଟ ପିକ୍‌ଚର ।”

 

କ’ଣ ଆଉ କହିବି । ନିର୍ବାକ୍ ହୋଇ ରହିଲି ।

 

ଗଜପତ୍ କହି ଚାଲିଥାନ୍ତି, “କାଶ୍ମୀରରେ ମୋ’ର ଗୋଟିଏ ଭଲ ଘର ଅଛି । ସେହି ଘରେ ସୂଲୀନା ଦେବୀ ରହିବେ, ଆଉ ମୁଁ ମଧ୍ୟ ରହିବି । ସେ ଗଳ୍ପ ଡିକ୍‌ଟେଟ କରିବେ, ମୁଁ ଲେଖିବି-। ଏହା ଗୋଟିଏ ନୂତନ ଏକ୍‌ସପେରିମେଣ୍ଟ । ଆଶା କରେ, ଆପଣ ଏଥିରେ ବାଧା ଦେବେ ନାହିଁ-।”

 

ଶୁଣି ଅବାକ୍ ହୋଇଗଲି । ଲୋକଟା କ’ଣ କହୁଛି ! ଇଚ୍ଛାହେଲା ଲୋକଟାକୁ ବାହାର କରିଦେବି । କିନ୍ତୁ ଗଜପତ୍ ଅତି ଧନୀ ଲୋକ । ତାଙ୍କୁ ସହଜ ଭାବରେ ଗେଟ ଦେଖାଇ ଦେବାର ସାହସ ହେଲା ନାହିଁ । ଟିକିଏ ମୃଦୁ ହସି କହିଲି, “ଆପଣ ଯାହା କହିଲେ ତାହା କିପରି ହୋଇପାରିବ ? ସୁଲୀନା କୁମାରୀ କନ୍ୟା, ଆପଣ ଯାହା କହୁଛନ୍ତି ତାହା କଲେ—”

 

“ଆପଣ ଠିକ୍ କଥା କହିଛନ୍ତି । ତେଣୁ ଅଲଟରନେଟିଭ ପ୍ରସ୍ତାବ ମୁଁ ମଧ୍ୟ ଭାବି ଆସିଛି । ଆପଣଙ୍କର ଯଦି ଆପତ୍ତି ନ ଥାଏ ତା’ହେଲେ ମୁଁ ସୁଲୀନା ଦେବୀଙ୍କୁ ବିବାହ କରିବା ପାଇଁ ରାଜି ଅଛି—”

 

ଏଥିପାଇଁ ମୁଁ ପ୍ରସ୍ତୁତ ନ ଥିଲି । ଚୁପ ରହିଲି । ପରେ କହିଲି “ଏ ପ୍ରସ୍ତାବରେ ନା କହିବାର ମୁହଁ ମୋ’ର ନାହିଁ । କାରଣ ମୋ’ର ପୁଅ ଅସବର୍ଣ୍ଣ ବିବାହ କରିଛି । କିନ୍ତୁ ଏ ବିଷୟରେ ସୁଲୀନାର ମତାମତ ଅଛି । ସେତକ ନ ଜାଣିଲେ ମୁଁ କିଛି କହିପାରିବି ନାହିଁ । ତା’ ଛଡ଼ା ଏହାର ଗୋଟିଏ ଆର୍ଥିକ ଦିଗ ମଧ୍ୟ ଅଛି—”

 

“ହଁ, ଅଛି ନା କ’ଣ—” ଗଜପତ୍ ମୋଠାରୁ କଥା ଛଡ଼ାଇ ନେଲେ—“ତାହା ମଧ୍ୟ ମୁଁ ଭାବିଛି, ସୁଲୀନା ଯଦି ମୋତେ ବିବାହ କରନ୍ତି ତାଙ୍କୁ ମୋ’ ସମ୍ପତ୍ତିର ଅଧେ ଲେଖିଦେବି । ଆଉ ବିବାହ ସମୟରେ ଯୌତୁକ ଦେବି ନଗଦ ଲକ୍ଷେ ଟଙ୍କା । ମୋ’ର ସମ୍ପତ୍ତିର ବର୍ତ୍ତମାନ ଭାଲୁଏସନ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ଵ । ଆଉ ସେ ଯଦି ମୋତେ ବିବାହ କରିବାକୁ ନ ଚାହାନ୍ତି ତେବେ ସେ ଯେତେ ଦିନ ମୋ’ ପାଖରେ ରହିବେ ସେତେ ଦିନ ମାସିକ ପଚାଶ ହଜାର କରି ଟଙ୍କା ପାଇବେ ।”

 

“ସେଥିରେ ମୋ’ର ଲାଭ କ’ଣ—”

 

ଶୁଷ୍କ ହସି ଶେଷରେ କଥାଟା କହି ପକାଇଲି ।

 

“ଆପଣ ମୋ’ ସିନେମା କମ୍ପାନୀରେ ସ୍ଥାୟୀ ସ୍କ୍ରିଷ୍ଟରାଇଟର ହୋଇ ରହିପାରନ୍ତି । ଆପଣଙ୍କୁ ଏଥିପାଇଁ ମାସିକ ହଜାରେ ଲେଖାଏଁ ଟଙ୍କା ଦେବି ।”

 

“ହଜାରେ ଟଙ୍କାରେ ମୋ’ ସଂସାର ଚଳିବ ନାହିଁ ।”

 

“କେତେ ହେଲେ ଚଳିବ ?”

 

“ମାସିକ ତିନି ହଜାର ଟଙ୍କା—”

 

“ବେଶ, ତାହା ହିଁ ଦେବି । ଆପଣ ସୁଲୀନାଙ୍କୁ ରାଜି କରାନ୍ତୁ ।”

 

ମୋ’ ଛାତି ଭିତରଟା ଦୁରୁ ଦୁରୁ ହୋଇଉଠିଲା । ଦୁଇ କାନ ପ୍ରାନ୍ତରେ ଓ ଆଖିର ଚାରି ପାଖରେ ନିଆଁର ଉଷ୍ଣ ସ୍ପର୍ଶ ଅନୁଭବ କରିବାକୁ ଲାଗିଲି । ଆନନ୍ଦରେ, ଭୟରେ ବା ଘୃଣାରେ ତା’ ଠିକ୍ କରି କହିପାରିବି ନାହିଁ । କିଛି ସମୟ ବିହ୍ଵଳ ହୋଇ ବସିରହିଲି | ତା’ପରେ କହିଲି, “ଅଚ୍ଛା ସୁଲୀନା ଆସ । ତା’ ସହିତ ଏ ବିଷୟରେ କଥାବାର୍ତ୍ତା କରି ଦେଖେ— ।”

 

“ଆଚ୍ଛା, କାଲି ଠିକ୍ ଏହି ସମୟରେ ଆସିବି । ସେତେବେଳେ ଯଦି ସୁଲୀନା ଦେବୀ ଥାନ୍ତି, ତା’ହେଲେ ଅତି ଭଲ । ଆଚ୍ଛା, ମୁଁ ଉଠୁଛି ତା’ହେଲେ—”

 

ଭଦ୍ରଲୋକ ନମସ୍କାର କରି ଚାଲିଗଲେ । ତା’ର ନୀଳ ରଙ୍ଗର କାର୍‌ଟା ଚାଲିଗଲାରୁ ଦେଖିବାକୁ ପାଇଲି, ସେହି ଖିଙ୍କାରୀ କୁକୁରଟା ବସିଛି । ସର୍ବାଙ୍ଗରେ କାଦୁଅ ଲାଗିଛି । ପ୍ରାୟ ସାଙ୍ଗେ ସାଙ୍ଗେ କଥା କହିଲା ।

 

“କିଛି ସମୟ ଦାର୍ଜିଲିଂରେ ବାସ କରି ଆସିଲି । ଆମର ଦାର୍ଜିଲିଂ ହେଉଛି ନର୍ଦ୍ଦମା । ଗରମ ଅସହ୍ୟ ହେଲେ ନର୍ଦ୍ଦମାରେ ଦେହ ବୁଡ଼ାଇ ବସିରହୁ କିଛି ସମୟ । ମାମୁଲି ଗରମ ତ ଅଛି-। ତା’ ଛଡ଼ା ମୋ’ର ପ୍ରେମ-ଗରମ ସମଗ୍ର ଦେହ-ମନକୁ ସରଗରମ କରି ପକାଇଛି । ତେଣୁ ବାଧ୍ୟ ହୋଇ ନର୍ଦ୍ଦମା ଆଡ଼କୁ ଛୁଟିଥିଲି । ମୁଁ ବହୁତ ବେଳୁ ଆସିଲିଣି, ଏହି ନୀଳ କାରଟା ଠିଆ ହୋଇଥିବାରୁ ମୋତେ ଦେଖିପାରି ନ ଥିଲ । ବାଃ ଜିମି କି ସୁନ୍ଦର ଦିଶୁଛି ! ତାକୁ ବୋଧହୁଏ ସାବୁନ ଦେଇ ଗାଧୋଇ ଦେଇଛ ? ଆହା, ମୋତେ ଯେବେ ପ୍ରତିଦିନ କେହି ସାବୁନ ମାରି ଗାଧୋଇ ଦିଅନ୍ତା, ତା’ହେଲେ ମୋ’ ରୂପଟା କି ଚହଟି ଉଠନ୍ତା । ମୁଁ କୁତ୍ସିତ ନୁହେଁ-। ଦୁର୍ଦ୍ଦଶା-କାଳିମାରେ ମୋ’ର ରୂପ ଚାପି ହୋଇଯାଇଛି । ସତରେ ମୁଁ ରୂପବାନ୍ । ଖାଲି ମୁଁ କାହିଁକି, ସବୁ କୁକୁର ରୂପବାନ୍ । ଯେଉଁ କୁକୁର ବଂଶରେ କକାର୍ସ ସ୍ପାନିଏଲ, ଆଲସେସିଆନ, ସେଣ୍ଟବାର୍ଣାଡ଼, ଗୋଲଡ଼େନ ରେଟ୍ରିଭାର୍ସ ଅଛନ୍ତି, ସେହି ବଂଶର ଗୌରବ ଏହି ଜିମି । ସେ ବଂଶରେ କେହି କୁତ୍ସିତ, କୁରୂପ ନୁହନ୍ତି । ସମସ୍ତେ ସୁନ୍ଦର । କେବଳ ତୁମ୍ଭମାନଙ୍କ ସଂସ୍ପର୍ଶରେ ଆସି କାହାରି କାହାରି ଦେହରେ ଅସୁନ୍ଦର ତ ପ୍ରବେଶ କରିଛି । ତୁମ୍ଭେମାନେ ‘ସାମ୍ୟ ‘ସାମ୍ୟ’ ବୋଲି ଚିତ୍କାର କର-। କିନ୍ତୁ ତୁମ୍ଭେମାନେ ‘ସାମ୍ୟ’ର ‘ସ’ ମଧ୍ୟ ଜାଣ ନାହିଁ । ଯାହା କର ନିଜର ଭୋଗ ନିମିତ୍ତ କରିଥାଅ, ଆଉ ଆମ୍ଭମାନଙ୍କୁ ତୁମ୍ଭେମାନେ କି ଯାଦୁ ମନ୍ତ୍ରରେ ମୁଗ୍‌ଧ କରିଛ ମୁଁ ଜାଣେ ନାହିଁ । ତୁମ୍ଭମାନଙ୍କର ଶହ ଶହ ଦୋଷ ଜାଣି ଶୁଣି ମଧ୍ୟ ତୁମ୍ଭମାନଙ୍କର ସଙ୍ଗ ତ୍ୟାଗ କରିପାରି ନାହୁଁ । ତୁମ୍ଭେମାନେ ଆମ୍ଭମାନଙ୍କୁ ଦୁଇ ଗୋଡ଼ରେ ଗୋଇଠା ମାରୁଛ, ତେବେ ମଧ୍ୟ ଆମେ ଛାଡ଼ି ପାରୁ ନାହୁଁ-। ପୃଥିବୀରେ ଯେତେପ୍ରକାର ଦାସତ୍ଵ ପ୍ରଥା ଥିଲା ବା ଅଛି ତାହା ମଧ୍ୟରେ ଜଘନ୍ୟତମ ହେଉଛି ଆମ୍ଭମାନଙ୍କର ଦାସତ୍ଵ । ତୁମ୍ଭେମାନେ ଚିରକାଳ ପ୍ରଭୁ, ଆମେ ତୁମର ଚିରଦିନ ଦାସ-। ଆମ୍ଭେମାନେ ବିଚାରବୁଦ୍ଧିହୀନ ହତଭାଗ୍ୟ ଜୀବ । ଆମ୍ଭେମାନେ ଜାଣିବାକୁ ଚାହୁଁନା ଆମର ପ୍ରଭୁ ପ୍ରତିଭାବାନ୍ କି ସାମାନ୍ୟ ଲୋକ, ବିଦ୍ଵାନ୍ କି ମୂର୍ଖ, ଚୋର ନା ସାଧୁ—ଆମେ ଯେଉଁଠି ହେଉନା କାହିଁକି ଖଣ୍ଡିଏ ରୁଟି ଏବଂ ଟିକିଏ ଆଦର ପାଇଲେ କୃତାର୍ଥ ହୋଇ ଲାଞ୍ଜ ହଲାଇଥାଉଁ-। ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ସଂପ୍ରଦାୟ ଅବଶ୍ୟ ଅଛନ୍ତି । ସେମାନେ ତୁମ୍ଭମାନଙ୍କ ସଂସ୍ପର୍ଶରେ ଆସନ୍ତି ନାହିଁ । ଆସିବାକୁ ଚାହାନ୍ତି ନାହିଁ ମଧ୍ୟ । ସେମାନେ ବଣରେ ଥାନ୍ତି । ତୁମ୍ଭେମାନେ ସେମାନଙ୍କୁ ବଣ୍ୟ କୁକୁର କୁହ । ସେମାନେ ଦଳବଦ୍ଧ ହୋଇଥାନ୍ତି । ତେଣୁ ସେମାନଙ୍କ ଭୟରେ ତୁମ୍ଭେମାନେ ଅସ୍ଥିର । ସୁଯୋଗ ପାଇଲେ ଗୁଳିକରି ମାରି ପକାଅ । ତୁମ୍ଭେମାନେ କିନ୍ତୁ ଆଜିପର୍ଯ୍ୟନ୍ତ ପୋଷା ମନାଇ ପାରି ନାହଁ ସେମାନଙ୍କୁ, ସେମାନେ ବର୍ତ୍ତମାନ ସୁଦ୍ଧା ବିଦ୍ରୋହୀ । ସେମାନେ ବର୍ତ୍ତମାନ ତୁମ୍ଭମାନଙ୍କର ପଚା ସମାଜର ଟଣାଓଟରା ଭିତରକୁ ପଶି ନାହାନ୍ତି । ଦେଖ–ଦେଖ–ଦେଖ । ତୁମର ଜିମି ମୋତେ ଦେଖିବାକୁ ପାଇଛି । ମୋ’ ଆଡ଼କୁ ଚାହିଁ ଲାଞ୍ଜ ହଲାଉଛି । ଏହି ଲାଞ୍ଜ ହଲାର ଅର୍ଥ ମୁଁ ଜାଣେ । ସାର୍ଥକ ହୋଇଛି ମୋ’ର ସାଧନା । ମୋ’ର ପ୍ରଣୟ ନିବେଦନ । ତା’ର ମର୍ମସ୍ଥଳ ସ୍ପର୍ଶ କରିଛି । ତୁମର ସେହି ଜଞ୍ଜିର ଲୁହାରେ ହୋଇ ନ ଥିଲେ ତାକୁ ଛିଡ଼ାଇ ଦେଇ କେତେବେଳୁ ଛୁଟି ଆସି ସାରନ୍ତାଣି ସେ ମୋ’ ପାଖକୁ । ଆହା ଖୋଲିଦିଅ ବିଚାରୀକୁ–ଖୋଲିଦିଅ, ଖୋଲିଦିଅ—ଖୋଲିଦିଅ—”

 

ପୁଣି ଗୋଟିଏ ମୋଟର କାର ଶବ୍ଦ ଶୁଭିଲା । ଶବ୍ଦ ଶୁଣି ମନେ ହେଲା ସୁଲୀନାର ସେହି ଭଙ୍ଗା ଗାଡ଼ିଟା ଆସୁଛି । ହଁ, ସୁଲୀନାର ଗାଡ଼ିଟି ଆସି ଗେଟ ଆଗରେ ଠିଆ ହେଲା । କାହିଁ, ସୁଲୀନା ଓହ୍ଲାଇ ଧାଇଁ ଆସୁ ନାହିଁ ତ । ରମେନ ମଧ୍ୟ ନାହିଁ । ଜଣେ ଚାକର ଖଣ୍ଡିଏ ଚିଠି ଆଣି ଦେଲା । ସୁଲୀନାର ଚିଠି—

 

ଶ୍ରୀ ଚରଣେଷୁ,

 

ବଡ଼ବାପା, ମୁଁ ଆଉ ଫେରିଲି ନାହିଁ । ବୋଧହୁଏ ଫେରିବି ନାହିଁ । ମୁଁ ରମେନଙ୍କୁ ବିଭା ହୋଇଛି । ଏହାଙ୍କୁ ନେଇ ବାକି ସମୟତକ କାଟିବି । ବିବାହ ଆଜି ହେଲା । ଭାବିଥିଲି ଆଜି ରମେନଙ୍କୁ ସେଠାକୁ ନେଇ ତୁମକୁ ପ୍ରସ୍ତାବ ଦେବି । ତୁମ୍ଭଙ୍କୁ ପ୍ରଣାମ କରି ଆରମ୍ଭ କରିବୁ ଆମର ନୂତନ ଜୀବନ । କିନ୍ତୁ ତାହା ହୋଇପାରିଲା ନାହିଁ । ଏଠାକୁ ଆସି ଦେଖିଲି ରମେନ ଜିନିଷପତ୍ର ବନ୍ଧାବନ୍ଧି କରୁଛନ୍ତି । ମଧୁପୂରକୁ ଏବେ ବଦଳି ହୋଇଛି । ମୁଁ ମଧ୍ୟ ମଧୁପୂରକୁ ତାଙ୍କ ସହିତ ଯାଉଛି-। ସେଠାରେ କୌଣସି ପଳାଶ ବଣରେ ତାଙ୍କ ଜନ୍ମୋତ୍ସବ ପାଳନ କରିବୁ । ମୋ’ର ମଧ୍ୟ ଆଜି ନବ ଜନ୍ମଦିନ । ମୃତ୍ୟୁ ଦିନ ମଧ୍ୟ କହିପାର । ଅଭିନେତ୍ରୀ ସୁଲୀନାର ମୃତ୍ୟୁ ହେଲା । ଜନ୍ମନେଲା ଗୋଟିଏ ନୂଆ ମଣିଷ । ସେଠାକାର ପୂର୍ବ ଟେଁପି ବା ଶଙ୍କରୀ ନୁହେଁ । ସେ ଏକାଥରେ ନୂଆଲୋକ-। ସେ ହେଉଛି ରମେନ୍‌ଙ୍କ ଗୃହିଣୀ । ବଡ଼ବାପା, ଏତେ ଦିନ ପରେ ମୁଁ ମୋ’ ଜୀବନର ସତ୍ୟତୀର୍ଥରେ ପହଞ୍ଚି ଯାଇଛି । ଦେଖିବାକୁ ପାଉଛି ଦେବତାଙ୍କୁ, ଆବିଷ୍କାର କରିଛି ନିଜର ରାଜ୍ୟ, ଯେଉଁଠି ମୁଁ ପ୍ରକୃତରେ ରାଜରାଣୀ, ଯେଉଁଠି ମୁଁ ପ୍ରକୃତରେ ସ୍ଵାଧୀନ । ଏତେଦିନ ପର୍ଯ୍ୟନ୍ତ ସ୍ଵାଧୀନତାର ସ୍ଵାଦ ପାଇ ନ ଥିଲି, ଏତେ ଦିନ କେବଳ ଦାସୀ ବୃତ୍ତି କରିବାକୁ ହୋଇଛି-। ସିନେମାରେ ପ୍ରବେଶ କରିବା ପୂର୍ବରୁ ମୋ’ର ଜୀବନ ଯେ କିପରି ଥିଲା, ତାହା ଅନ୍ୟ କେହି ନ ଜାଣୁ, ତୁମେ ଜାଣିଛ । ସେହି ଭୋର ପାଞ୍ଚଟାରୁ ଉଠି ରାତ୍ରି ବାରଟା ପର୍ଯ୍ୟନ୍ତ ମୋ’ ହାତ ଗୋଡ଼ର ବିରାମ ଥାଏ ନାହିଁ । ସବୁ କାମ କରିବାକୁ ହୁଏ ଏବଂ ତା’ର ଗୋଟିଏ ମାତ୍ର ଲକ୍ଷ୍ୟଥାଏ ସମସ୍ତଙ୍କର ମନ ରଖିବା । ଏତେ କଲେ ମଧ୍ୟ କାମ କାହାରି ମନକୁ ଯାଏ ନାହିଁ, କେବଳ ତୁମରି ମନ ଛଡ଼ା-। ତୁମେ ମୋ’ର କଷ୍ଟ ବୁଝ । ବଡ଼ବାପା, ମୁଁ ମଧ୍ୟ ତୁମର କଷ୍ଟ ବୁଝିଥାଏ । ଘରେ ଆଉ କେହି ବୁଝନ୍ତି ନାହିଁ । ସମସ୍ତଙ୍କର କେବଳ ଲକ୍ଷ୍ୟ ଥିଲା ତୁମର ବ୍ୟାଙ୍କ ବାଲାନ୍‌ସ ଆଡ଼େ । ତା’ ପରେ ମୋ ଜୀବନରେ ଅପ୍ରତ୍ୟାଶିତ ଭାବରେ ଆସିଲା ସିନେମା ଯୁଗ । ଭାବିଲି ମୁକ୍ତି ପାଇଲି ବୋଲି ସିନା, କିନ୍ତୁ ସିନେମାରେ ପଶି ଦେଖିଲି ସେ ଆହୁରି ଗୋଟିଏ ଦାସୀ ବୃତ୍ତି । ପ୍ରଡ଼୍ୟୁସର, ଡିରେକ୍ଟର, ପବ୍ଲିକ, ବକ୍‌ସ ଅଫିସ ତା’ର ମାଲିକ, ସେମାନଙ୍କର ମନ ରଖି ଚଳି ନ ପାରିଲେ ସିନେମାର ଅଭିନେତ୍ରୀ ହିସାବରେ ଖ୍ୟାତିଲାଭ କରାଯାଏ ନାହିଁ । ନିଜ ଇଚ୍ଛା ଅନୁସାରେ ଅଭିନୟ କରିବାର ସ୍ଵାଧୀନତା ନାହିଁ । ଏପରି ଠିଆହୁଅ–ଏପରି ଚାହଁ, ହାତଟା ଟିକେ ଟେକ, ଗୋଡ଼ ବଢ଼ାଇ ଦିଅ–ହଁ, ଏଥର ମୁରୁକି ହସ—ଏହିପରି ବହୁ ପ୍ରକାର ହୁକୁମ ମାନି ଅଭିନୟ କରିବାକୁ ହୁଏ । ମୋ’ର ନିଜସ୍ୱ ମତାମତ ନାହିଁ । ନିଜସ୍ଵ ଖାଲି ଦେହଟା । ସେଇଟିକୁ ନାନାପ୍ରକାର ଭାବ ନେଇ ପ୍ରଦର୍ଶନ କରିବା ସେମାନଙ୍କର ଉଦ୍ଦେଶ୍ୟ । ଆହୁରି ଯେଉଁସବୁ କୌଶଳରେ ସେହି ଷଡ଼ଯନ୍ତ୍ରରୁ ଖସିବାକୁ ହୁଏ, ସେକଥା ସମସ୍ତେ ଜାଣନ୍ତି କିମ୍ୱା ଅନୁମାନ କରିଥାନ୍ତି । ଏହି ସତ୍ୟ ବା ମିଥ୍ୟା କଳଙ୍କ–କାହାଣୀ ପ୍ରତ୍ୟେକ ଅଭିନେତ୍ରୀକୁ ନାଗପାଶରେ ଜଡ଼ିତ କରିଛି । ଏଥିରୁ ସେମାନଙ୍କର ମୁକ୍ତି ନାହିଁ-। ଏହା ଏକ ପ୍ରକାର ବନ୍ଦୀତ୍ଵ । ଟଙ୍କା ବହୁତ ପାଇଛି ସତ୍ୟ, ମୁଠା ମୁଠା ପାଇଛି, କିନ୍ତୁ ମୁଠା ମୁଠା ଖର୍ଚ୍ଚ କରିଛି । ପ୍ରବଳ ବନ୍ୟା ବେଗରେ ଆସିଛି, ପୁଣି ଯାଇଛି । ଘରେ ଯେଉଁ ଯତ୍‌ସସାମାନ୍ୟ ଜିନିଷ ଥିଲା ତାହା ସାଙ୍ଗରେ ଭାସିଯାଇଛି । ତେବେ ମୁଁ ସିନେମା–ଜୀବନ ନିକଟରେ କୃତଜ୍ଞ ଗୋଟିଏ ଜିନିଷ ପାଇଁ । ସିନେମାରେ ପ୍ରବେଶ କରିଥିଲି ବୋଲି ରମେନଙ୍କ ସାହିତ୍ୟ ଲାଭକଲି-। ଦୁର୍ଗମ ପାହାଡ଼ର ଉଠାଣି ଗଡ଼ାଣି ସହିଥିଲି ବୋଲି ଅମର ନାଥଙ୍କ ଦର୍ଶନ ପାଇଲି । ଏତେ ଦିନ ପରେ ପ୍ରକୃତ ସ୍ଵାଧୀନତାର ସନ୍ଧାନ ପାଇଲି । ଏଣିକି ଆମେ ଦୁଇ ଜଣ ମିଳି ଯେଉଁ ଜଗତ ସୃଷ୍ଟି କରିବୁଁ, ସେଥିରେ ଆମେ ଅଧୀଶ୍ଵର ଓ ଅଧୀଶ୍ଵରୀ । ମୁଁ ଆଉ ସେ ଘରକୁ ଫେରିଯିବି ନାହିଁ-। ସେଠାରୁ ଯେଉଁ ଲୁଗା ଗହଣା ପିନ୍ଧି ଆସିଥିଲି ସେ ସମସ୍ତ ଡ୍ରାଇଭର ହାତରେ ଫେରସ୍ତ ପଠାଉଛି-। ରମେନ୍ ମୋତେ ସରୁଲାଲ ପାଢ଼ି ଶାଢ଼ି ଆଉ କାଚର ଚୁଡ଼ି କିଣି ଦେଇଛନ୍ତି । ମୋ’ର ସେଠାରେ ଯାହାସବୁ ଅଛି, ମୁଁ ତୁମକୁ ତାହା ଦେଇଦେଲି ବଡ଼ବାବା ! ତାକୁ ତୁମେ ନେଇ ଯାହା କରିବାର କର-। ମୋ’ର ବ୍ୟାଙ୍କରେ କିଛି ଟଙ୍କା ଏବଂ ଭଲ୍‌ଟରେ କିଛି ଅଳଙ୍କାର ଅଛି । ସେଗୁଡ଼ିକୁ ମଧ୍ୟ ତୁମକୁ ଦେବି । ମୋ’ର ଅତୀତ ଜୀବନର ହିସାବ ନିକାଶ କରି ମୁଁ ନୂତନ ଜୀବନ ଆରମ୍ଭ କରିବାକୁ ଚାହେଁ ନାହିଁ । ମୋ’ର ନୂତନ ଜୀବନ ହେବ ସମ୍ପୂର୍ଣ୍ଣ ନୂତନ । ସେ ଘର ଛାଡ଼ି ଆସିବାରେ ମୋ’ର ଟିକିଏ ଦୁଃଖ ମଧ୍ୟ ନାହିଁ । କେବଳ ଗୋଟିଏ ଦୁଃଖ ଯେ ତୁମକୁ ଛାଡ଼ି ଆସିବାକୁ ହୋଇଛି । ତୁମର ଦୁଃଖ ସେ ଘରେ କେହି ବୁଝିବେ ନାହିଁ । ଆଉ ମଧ୍ୟ ମୁଁ ବୁଝିପାରିଛି ଯେ ଏ ବୟସରେ ତୁମେ ସବୁ ଫୋପାଡ଼ି ଦେଇ ଘରଛାଡ଼ି ଆସିପାରିବ ନାହିଁ । ସେ ଘରେ ତୁମର ଅନେକ ବନ୍ଧନ । ଟ୍ରେନ୍ ଆଉ ବେଶି ଡେରି ନାହିଁ । ତେଣୁ ଏଇଠି ବନ୍ଦ କରୁଛି । ଇଚ୍ଛା ଥିଲା ତୁମକୁ ପ୍ରଣାମ କରି ଯାଇଥାନ୍ତୁ; କିନ୍ତୁ ଏକାଦିନକେ ବାହାଘର ଓ ମଧୁପୁର ଯାତ୍ରା ବ୍ୟବସ୍ଥା ହେଉଥିବା ହେତୁ ସମୟ ପାଇଲୁ ନାହିଁ-। ପରେ ଆଉଦିନେ ଆସି ତୁମକୁ ପ୍ରମାଣ କରିଯିବୁଁ । ତୁମେ ଏଥର ଆର୍ଶୀର୍ବାଦ କର ଯେପରି ଆମେ ସୁଖୀ ହେବୁଁ । ଆମର ପ୍ରଣାମନେବ ।

 

। ଇତି ।

ପ୍ରଣାମ ଟେଁପି ।

 

ଚିଠି ଖଣ୍ଡକ ପଢ଼ିଲା ପରେ ମନେ ହେଲା, ମୋ’ର ଦେହର ଭାର ଯେପରି ବହୁତ ଲଘୁ ହୋଇଯାଇଚି । ମନେ ହେଲା, ଏତେ ସମୟ ଯାହା ମୋତେ ମୁଗ୍‌ଧ କରିଥିଲା, ଯାହାକୁ କେନ୍ଦ୍ର କରି ମୋ’ର ଆଶା ଆକାଙ୍‌କ୍ଷା ଉତ୍‌ଥଳ ହେଉଥିଲା, ତାହା ମରୀଚିକା ମାତ୍ର । ଯାହାକୁ ସୁଦୃଢ଼ ପର୍ବତ ବୋଲି ମନେ କରାଯାଇଥିଲା, ଅନୁଭବ କଲି ତାହା ମେଘ, ପର୍ବତ ନୁହେଁ । ଦେଖୁ ଦେଖୁ ଶୂନ୍ୟରେ ମିଳାଇଗଲା, ଆହୁରି ଆଶ୍ଚର୍ଯ୍ୟ, ମୋ’ ଦେହର ଭାର ମଧ୍ୟ ଅନେକ ଲାଘବ ହେଲା । ତା’ହେଲେ ସୁଲୀନା କ’ଣ ମୋ’ର ଭାର ଥିଲା ? କିନ୍ତୁ ସେ ତ—କଥାଟା ଭଲ କରି ଭାବିବା ପାଇଁ ଅବସର ପାଇଲି ନାହିଁ । ଡ୍ରାଇଭର କହିଲା, “ହଜୁର, ଏ ଜିନିଷତକ କ’ଣ ଘରକୁ ପଠାଇଦେବି ?”

 

ଦେଖିଲି, ସେ ହାତରେ ଗୋଟିଏ ବଡ଼ ପ୍ୟାକେଟ ଧରି ଠିଆ ହୋଇଛି ।

 

“ହଁ, ସେଗୁଡ଼ିକ ଭିଖନକୁ ଦେଇଦେ—”

 

ଡ୍ରାଇଭର ଭିଖନକୁ ଖୋଜି ଖୋଜି ଭିତରକୁ ଚାଲିଗଲା । ମୋ’ର ନଜର ପଡ଼ିଲା ଗେଟ ଆଡ଼େ । ଚମକି ପଡ଼ିଲି, ଦେଖିଲି, ଲୋମହୀନ ଖିଙ୍କାରୀ କୁକୁରର ବହୁ ପରିବର୍ତ୍ତନ ହୋଇଛି । ସେ ଆଉ ଖିଙ୍କାରୀ ନାହିଁ । ସେ ସୁସ୍ଥ ସବଳ ଯୁବକ କୁକୁର, ତା’ ଦେହରେ ଭ୍ରମର କୃଷ୍ଣ ଥୋପି ଥୋପି ଲୋମ । କାନ ଝୁଲି ପଡ଼ିଛି । ତାହା ଯେପରି କଳା ପଶମରେ ଅପରୂପ କାରୁ କାର୍ଯ୍ୟ ବିମଣ୍ଡିତ ହୋଇଛି । ଲାଞ୍ଜଟି ଭୂମି ସ୍ପର୍ଶ କରୁଛି । ତାହା ଯେପରି ଥାକ ଥାକ ମଖମଲ । ଆଖି ଦୁଇଟିରେ ଯେପରି ପଦ୍ମରାଗ ମଣି ଜକଜକ କରୁଛି । ସେହି କାଦୁଅବୋଳା ଖିଙ୍କାରୀ କୁକୁରର ଏପରି ପରିବର୍ତ୍ତନ ହେଲା କିପରି ?

 

କୁକୁର ହିଁ ଉତ୍ତର ଦେଲା—

 

“ପରଶମଣିର ସ୍ପର୍ଶ ପାଇଲେ ଲୁହା ଯେପରି ସୁନା ହୋଇଯାଏ, ପ୍ରେମ ଗୁଣ ହେତୁ ଯେପରି ଶୁଷ୍କତରୁ ମଞ୍ଜରିତ ହୁଏ—ଏସବୁ କଥା ତୁମେମାନେ କହିଥାଅ ବର୍ତ୍ତମାନ ତୁମେ ଏପରି ଆଶ୍ଚର୍ଯ୍ୟ ହେଉଛ କାହିଁକି ? ଜିମି ପ୍ରେମର ସ୍ପର୍ଶ ଲାଗିଛି ମୋ’ର ସର୍ବାଙ୍ଗରେ । ତେଣୁ ମୁଁ ଜରାବ୍ୟାଧିମୁକ୍ତ ହୋଇଛି । ଜିମି ମୋତେ ତା’ର ସମଗ୍ର ଅନ୍ତର ଦେଇ ଯେଉଁ ଭାବରେ ଚାହିଁଛି । ସେହି ଭାବରେ ମୁଁ ଆବିର୍ଭୂତ ହୋଇଛି ବର୍ତ୍ତମାନ । ମୁଁ ବର୍ତ୍ତମାନ ପ୍ରଥମ ଶ୍ରେଣୀର କକାର୍ସ ସ୍ପେନିଏଲ । ଜିମି ପାଇଁ ଏତେ ଦିନ ଧରି ମୁଁ ଯେଉଁ ତପସ୍ୟା କରିଥିଲି, ସେଥିରେ ସିଦ୍ଧି ଲାଭ କରିଛି-। ଜିମିକୁ ଆଉ ଅଟକାଇ ରଖ ନାହିଁ, ଫିଟାଇ ଦିଅ ।”

 

ମୁଁ ମନ୍ତ୍ରମୁଗ୍‌ଧ ପରି ଉଠି ଠିଆ ହେଲି ଏବଂ ବାରଣ୍ଡାକୁ ଯାଇଁ ଜିମିକୁ ଖୋଲିଦେଲି । ଜିମି ଛୁଟି ଚାଲିଗଲା ଗେଟ ବାହାରକୁ । ମୋତେ ଟିକିଏ ହେଲେ ଫେରି ଚାହିଁଲା ନାହିଁ ।

 

ଦ୍ଵିତୀୟ ପକ୍ଷୀର କଥା

 

ଯୋଗେନ୍ଦ୍ରନାଥ କାଶୀକୁ ଆସିଛନ୍ତି । ତାଙ୍କ ବାପା ଯେଉଁ ଘରଟିରେ ରହୁଥିଲେ, ଭାଗ୍ୟକ୍ରମେ ତାହା ସେ ପାଇ ଯାଇଛନ୍ତି । ଘରଟାର ନିତାନ୍ତ ଦୁରବସ୍ଥା; କିନ୍ତୁ ତେବେ ବି ସେ ଘରଟା ସେ ପସନ୍ଦ କରିଛନ୍ତି । ଘରର ଦ୍ଵାର, ଝରକା ଭଙ୍ଗା, ଅନାୟାସରେ ଚୋର ପଶିପାରେ । କିନ୍ତୁ ଚୋର ପଶନ୍ତି ନାହିଁ; କାରଣ ଚୋରି କଲା ଭଳି ଜିନିଷ କିଛି ନାହିଁ । ତାଙ୍କ ଗୃହିଣୀ ଯଦି ତାଙ୍କ ସହିତ ଆସିଥାନ୍ତେ, ତେବେ ହୁଏତ ଭଲ ଘରଭଡ଼ା ନିଆଯାଇଥାନ୍ତା; କିନ୍ତୁ ଗୃହିଣୀ ଆସି ନାହାନ୍ତି । ଯୋଗେନ୍ଦ୍ରନାଥ ଯେତେବେଳେ ତାଙ୍କୁ କହିଲେ, “ମୋତେ ଆଉ ସଂସାର ଭଲଲାଗୁ ନାହିଁ, ମୁଁ କାଶୀ ବାସ କରିବାକୁ ଚାହେଁ । ତୁମେ ମଧ୍ୟ ଚାଲ ।”

 

“ମୁଁ ଚାଲିଗଲେ ସଂସାର କିଏ ଚଳାଇବ ?

 

“ସଂସାର ଆମେ ଚଳାଉ ନାହିଁ, ତାହା ଆପେ ଆପେ ଚଳେ । ଛୁଆପିଲାମାନଙ୍କ ଉପରେ ଦାୟିତ୍ଵ ଦେଇ ଚାଲ ଆମର ଚାଲିଯିବା ।”

 

“ଟଙ୍କା କେଉଁଠ ଆସିବ ?”

 

“ମୋ’ ବହିରୁ ଯାହା ଆୟ ହୁଏ, ତାହା ସେମାନେ ନିଅନ୍ତୁ । ଆମ ଘରଟା ଭାରି ବଡ଼, ଚାରିଟା ଫ୍ଲାଟ ହୋଇପାରିବ । ଗୋଟିଏ ବା ଦୁଇଟି ନେଇ ସେମାନେ ରହନ୍ତୁ । ବାକିତକ ଭଡ଼ା ଦିଅନ୍ତୁ । ସେଥିରୁ କିଛି ଆୟ ହେବ । ତା’ ଛଡ଼ା ଆମେ ଚାଲିଗଲେ ବିଶୁ ଓ ତା’ର ବୋହୂ ଏଠାକୁ ଆସିବାକୁ ଆପତ୍ତି କରି ନ ପାରନ୍ତି । ସେମାନେ ଭଲ ରୋଜଗାର କରୁଛନ୍ତି ବୋଲି ଶୁଣିଛି । ସେମାନେ ଏହିପରି ଚଳିଯିବେ । ଚାଲ, ଆମେ କାଶୀ ଯିବା ।”

 

“ଆଉ ଝିଅମାନେ ? ତୁମ ଭଣଜା ଭାଣିଜୀମାନେ ? ତୁମର ମାମୁଁ ?”

 

“ସେମାନେ ସେମାନଙ୍କ ଘରକୁ ଚାଲିଯାନ୍ତୁ । ମୁଁ ଆଉ କେତେ ଦିନ ସେମାନଙ୍କୁ ପୋଷିବି ? ଯେତେ ଦିନ ସାମର୍ଥ୍ୟ ଥିଲା ପୋଷୁଥିଲି । ଏଥର ଆଉ ପାରୁ ନାହିଁ, ଚାଲ । ଯେଉଁ କେତେ ଦିନ ବଞ୍ଚିବା, ସେତକ ଶାନ୍ତିରେ କଟାଇବା ।”

 

ଗୃହିଣୀ ଦୃଢ଼ କଣ୍ଠରେ କହିଲେ—

 

“ତୁମେ କାଶୀ ଯାଇ ଶାନ୍ତି ପାଇପାର, ମୁଁ ପାଇପାରିବି ନାହିଁ, ନ ମଲେ ମୋ’ର ଶାନ୍ତି କାହିଁ ? ତା’ ବି ଅଛି କି ନାହିଁ ଜାଣେ ନାହିଁ । ତୁମେ ପୁରୁଷମାନେ ଖିଆଲ ଅନୁସାରେ ଯେବେ ଯାହା ଖୁସି କରିପାର, କିନ୍ତୁ ଆମେ ମାଇପି ଜାତି ପାରୁ ନାହିଁ । ଆସନ୍ତା ମାସ ରତ୍ନାର ପିଲା ହେବ, ବୋହୂ ମଧ୍ୟ ପୋଖତୀ ବୋଲି ଶୁଣିଛି । ତୁମ ମାମୁଁଙ୍କୁ ପ୍ରତିଦିନ ଗୁମୁସିଆ ଜ୍ଵର ହେଉଛି । ଜଣେ ଭଲ ଡାକ୍ତର ଡାକି ଦେଖାଇବା ଦରକାର । କହିଲେ କ’ଣ ନା ସଂସାର ଛାଡ଼ି ହୁ’ କରି ଚାଲିଯିବେ । ତୁମେ ପୁଣି କାଶୀକୁ ଯାଇଁ କଷ୍ଟରେ ରହିବାର ଦରକାର କ’ଣ-? ମହାଦେବଙ୍କ ମୂର୍ତ୍ତି ଆଗରେ ରଖି ଦୋତାଲାରେ ତୁମ ଘରେ କିଳିଣୀ କିଳି ବେଶ ବସିଯାଅ, ଆମେ କେହି ତୁମକୁ ବିରକ୍ତ କରିବୁ ନାହିଁ, ମନ ଯଦି ଶୁଦ୍ଧ ଥାଏ ତୁମେ ଏଇଠାରେ ଇ ବାବା ବିଶ୍ଵେଶ୍ଵରଙ୍କୁ ପାଇପାରିବ ।”

 

ଯୋଗେନ୍ଦ୍ରନାଥ ଅନୁଭବ କଲେ, ତାଙ୍କର ସହଧର୍ମିଣୀ ତାଙ୍କର ସହଧର୍ମିଣୀ ନୁହନ୍ତି । ସେ ତାଙ୍କର ମର୍ମ ଭାଷା ବୁଝିବା ପାଇଁ ବରାବର ଅପାରଗ । କହିଲେ, “ତୁମର ଏସବୁ ବକ୍ତୃତା ଶୁଣିବାକୁ ମୁଁ ଚାହେଁ ନାହିଁ ।”

 

“ତୁମେ ମୋ’ ସାଙ୍ଗରେ ଯିବ କି ?”

 

“ନା, ମୁଁ ଯାଇପାରିବି ନାହିଁ ।”

 

“ତା’ହେଲେ ମୁଁ ମୋ’ର ବିଷୟ ସମ୍ପତ୍ତି ଟଙ୍କା ପଇସା ଯାହା ଅଛି ତୁମ ନାଁରେ ଲେଖି ଦେଇ ଯାଉଛି । ସୁଲୀନା ଏକାଉଣ୍ଟରେ ଦଶ ହଜାର ଟଙ୍କା ଅଛି, ତା’ର ଗହଣା ପ୍ରାୟ ପଚିଶ ତିରିଶ ହଜାର ଟଙ୍କା ହେବ । ସେ ସେଗୁଡ଼ିକ ମୋତେ ଦେଇଯାଇଛି । ସେଗୁଡ଼ିକ ତୁମେ ନିଅ, ମୁଁ ତାହା ତୁମକୁ ହେଉଛି—”

 

“ନା, ମୁଁ ତା’ ଧନସମ୍ପତ୍ତି ବାଁ ଗୋଡ଼ କାଣି ଆଙ୍ଗୁଳିରେ ମଧ୍ୟ ଛୁଇଁବି ନାହିଁ ।”

 

ଯୋଗେନ୍ଦ୍ରନାଥ କିଛି ସମୟ ନୀରବ ରହିଲେ । ତା’ପରେ କହିଲେ, “ତୁମେ ଥାଅ, ମୁଁ ଚାଲିଲି । ବିଶୁ ଉପରେ ସବୁ ଭାର ଦେଇଯାଉଛି ।”

 

ଯତ୍‌ସସାମାନ୍ୟ ଅର୍ଥ ନେଇ ଯୋଗେନ୍ଦ୍ରନାଥ ଆସି କାଶୀରେ ରହିଲେ । ନିତାନ୍ତ ପ୍ରୟୋଜନାତିରିକ୍ତ କୌଣସି ଜିନିଷ ସେ ସାଙ୍ଗରେ ଆଣିଲେ ନାହିଁ । ତାଙ୍କ ବାପାଙ୍କର ସେହି ଭଙ୍ଗା ଟ୍ରଙ୍କଟି ତାଙ୍କ ପାଖରେ ଥିଲା । ସେହି ଟ୍ରଙ୍କରେ ଭରି କିଛି ଲୁଗାପଟା ଆଣିଲେ । ଚାରି ଖଣ୍ଡି ଲୁଗା, ଦୁଇଟି ପଞ୍ଜାବୀ, ଦୁଇଟି ଗଞ୍ଜି, ଦୁଇ ଖଣ୍ଡ ଗାମୁଛା ଏବଂ ଦୁଇଟି ରୁମାଲରୁ ଅଧିକ କିଛି ଆଣିଲେ ନାହିଁ । କାଶୀରେ ଆସି ବାପାଙ୍କର ସେହି ଘରଟି ପାଇ ଯେପରି ଆକାଶର ଚାନ୍ଦ ପାଇଲେ । ସେହି ଘରେ ନିଜକୁ ପ୍ରତିଷ୍ଠା କଲେ । ପାଖରେ ଗୋଟିଏ ଛୋଟ ହୋଟେଲ ଥିଲା । ହୋଟେଲର ମାଲିକ ମୋହିତ ଚକ୍ରବର୍ତ୍ତୀ, ଭାରି ଭଦ୍ରଲୋକ । ତାଙ୍କୁ ଯାଇଁ ସେ କହିଲେ, “ମୁଁ ଦିନରେ ଥରେ ତୁମ ହୋଟେଲରେ ନିରାମିଷ ଖାଦ୍ୟ ଖାଇବି । ପ୍ରତିଦିନ ସେରେ ଖଣ୍ଡେ ଦୁଧ ବନ୍ଦୋବସ୍ତ କରିଦେବାକୁ ପଡ଼ିବ । ଆଉ କିଛି ମୋ’ର ଦରକାର ହେବ ନାହିଁ ।

 

“ଚା ଖାଇବେ ନାହିଁ ? ଆମେ ଚା କରି ଦେଇପାରିବୁ ।”

 

“ଚା ଆଉ ଖାଉ ନାହିଁ । ଆଗରୁ ଖାଉଥିଲି । ସେରେ ଖଣ୍ଡେ ଦୁଧ ଦେଲେ ଚଳିଯିବ ।”

 

“ଦୁଧତକ ତୁମ ବସାରେ ପହଞ୍ଚାଇ ଦେବୁ ନା ?”

 

“ଯଦି ଆପଣଙ୍କ ହୋଟେଲରେ ରଖନ୍ତି କ୍ଷତି କ’ଣ ? ମୁଁ ଆସି ଖାଇ ଦେଇ ଯିବି । ଏଥିରେ ଆପଣଙ୍କର କିଛି ଅସୁବିଧା ଅଛି କି ?”

 

“ନା ନା, କିଛି ଅସୁବିଧା ନାହିଁ । ହୋଟେଲ ଚାର୍ଯ କୋଡ଼ିଏ ଟଙ୍କା, ଦୁଧ ଚାର୍ଯ ତିରିଶ ଟଙ୍କା, ମୋଟ ମାସକୁ ପଚାଶ ଟଙ୍କା ପଡ଼ିବ, ମୁଁ ହରି ଗୋପାଳକୁ କହିଦେବି, ସେ ଆଗରେ ଦୁଧ ଦୁହିଁ ଦେବ, ତା’ ଗାଈର ଦୁଧ ମିଠା ।”

 

“ଏ ମାସର ଟଙ୍କା ମୁଁ ଅଗ୍ରିମ ଦେଇ ଦେଉଛି—”

 

“ଟଙ୍କା ପାଇଁ କ’ଣ ଅଛି, ପରେ ଦେଇପାରନ୍ତି ।”

 

“ପାଖରେ ଯେତେବେଳେ ଅଛି ନେଇ ନିଅନ୍ତୁ ନା—”

 

ଯୋଗେନ୍ଦ୍ରନାଥ ସଙ୍ଗେ ସଙ୍ଗେ ଟଙ୍କାଟା ଦେଇଦେଲେ । ଘରଟା ଶସ୍ତାରେ ପାଇଥିଲେ । ଏହି ଭଙ୍ଗା ଘରକୁ ଭଡ଼ାଟିଆ ଜୁଟୁ ନ ଥିଲେ । ଘର ମାଲିକ ଘରଟା ଭଡ଼ା ଦେବାକୁ ଚାହୁଁ ନ ଥିଲେ, କିନ୍ତୁ ଯୋଗେନ୍ଦ୍ରନାଥଙ୍କ ଆଗ୍ରହାତିଶଯ୍ୟରୁ ଶେଷରେ ରାଜି ହୋଇଥିଲେ । କହିଥିଲେ, “ତା’ହେଲେ ମାସରେ ଭଡ଼ା ବାବଦ ପଚିଶ ଟଙ୍କା ଦେବେ । ମ୍ୟୁନିସିପାଲିଟି ଟ୍ୟାକ୍‌ସ ମୋତେ ଘରୁ ଦେବାକୁ ପଡ଼ିବ ନାହିଁ । ଘରଭଡ଼ା ସେ ମାସର ଆରମ୍ଭରୁ ଦେଇଦିଅନ୍ତି । ପ୍ରଥମେ ପ୍ରଥମେ ଖରାପ ଲାଗିଲା, ଏତେ ସମୟ ଅକାରଣରେ କିପରି କାଟିବେ ? ରାତିରେ ଚାରି ପାଞ୍ଚ ଘଣ୍ଟାରୁ ଅଧିକ ନିଦ ହୁଏ ନାହିଁ । ଦିନରେ ଆଦୌ ହୁଏ ନାହିଁ । ପ୍ରଥମେ ପ୍ରଥମେ ସେ ଭାରି ବୁଲିବାକୁ ଲାଗିଲେ । କାରରେ ଚଢ଼ିବା ଅଭ୍ୟାସ ହୋଇଯାଇଥିଲା, ଚାଲି ଚାଲି ବୁଲିବାକୁ କଷ୍ଟ ହୁଏ । ତେବେ ବି କଷ୍ଟ କରି ବୁଲିଲେ । ପରିଶ୍ରାନ୍ତ ହେଲେ ବସି ପଡ଼ନ୍ତି । ବସିବସି ରାସ୍ତାର ଜନସ୍ରୋତ ଦେଖନ୍ତି । ଏ ଦୃଶ୍ୟ ତାଙ୍କୁ ଭଲ ଲାଗେ । ଏହିପରି କିଛିଦିନ କଟିଲା । ଚାଲି ଚାଲି କାଶୀର ସମସ୍ତ ଦ୍ରଷ୍ଟବ୍ୟ ସ୍ଥାନ ଦେଖି ପକାଇଲେ । କିନ୍ତୁ କିଛି ଦିନ ପରେ ଉପଲବ୍‌ଧି କଲେ ଯେ ଏଥିରେ ତାଙ୍କର ମାନସିକ କ୍ଷୁଧା ଦୂରୀଭୂତ ହେଉ ନାହିଁ । ଜନସ୍ରୋତ ବା ମନ୍ଦିର, ପ୍ରାସାଦ ବା ବିଶ୍ଵବିଦ୍ୟାଳୟ, ଗଙ୍ଗାଘାଟ ଯେତେ ବିଚିତ୍ର ଯେତେ ପବିତ୍ର ଯେତେ ମହତ ହେଉନା କାହିଁକି, ତାହା ଉପରେ ଥରେ ଆଖି ବୁଲାଇ ଆଣିଲେ ତୃପ୍ତି ଆସେ ନାହିଁ । ଯଦି ସେଗୁଡ଼ିକର ଅନ୍ତରରେ ପ୍ରବେଶ କରିବାକୁ ହୁଏ, ତାକୁ ନେଇ ମାତି ଉଠିବାକୁ ହୁଏ, ତା’ର ସତ୍ତାରେ ମିଶିବାକୁ ହୁଏ, ତେବେ ଯାଇଁ ଆନନ୍ଦ ମିଳିପାରେ । ତେବେ ଯାଇଁ ମନର କ୍ଷୁଧା ମେଣ୍ଟିଯାଏ । କିନ୍ତୁ ଯୋଗେନ୍ଦ୍ରନାଥ ତାହା ପାରିଲେ ନାହିଁ । ଅବଶେଷରେ ଦିନେ ତାଙ୍କ ମନେ ହେଲା ସେ ବୁଲି ବୁଲି ବୃଥା ସମୟ ନଷ୍ଟ କରୁଛନ୍ତି । ଜୀବନ ସାରା ସେ ଶିକ୍ଷକତା ଏବଂ ସାହିତ୍ୟ ଚର୍ଚ୍ଚା କରି ସମୟ କାଟିଛନ୍ତି, ଏଠାକୁ ଆସି ତାହା କରିବାକୁ ତାଙ୍କର ପ୍ରବୃତ୍ତି ହେଲା ନାହିଁ । ସେ ଜାଣନ୍ତି ଶିକ୍ଷକତା କରିବାକୁ ଚାହିଁଲେ ତାଙ୍କୁ କେଉଁଠି ଚାକିରି କରିବାକୁ ହେବ । ଚାକିରିର ଯେଉଁ ମର୍ମ ଏହା ତାଙ୍କୁ ଅଜ୍ଞାତ ନୁହେଁ । ସେ ହୁଏତ ଚେଷ୍ଟା କଲେ କୌଣସି ଗୋଟିଏ ଚାକିରି ଜୁଟି ପାରିଥାନ୍ତା । କିନ୍ତୁ ତାଙ୍କର ମନେହେଲା ଯେତିକି ମାନବିକତା ଅବଶିଷ୍ଟ ଅଛି ଚାକିରି କଲେ ତାହା ଆଉ ରହିବ ନାହିଁ । ସାହିତ୍ୟଚର୍ଚ୍ଚା ବ୍ୟାପାରରେ ସେ ବିଶେଷ ଉତ୍ସାହ ପାଇଲେ ନାହିଁ । ସେ ହୃଦୟଙ୍ଗମ କରିଥିଲେ ପ୍ରକୃତ ସାହିତ୍ୟ ସୃଷ୍ଟି କରିବାର କ୍ଷମତା ଯାହା ଥିଲା ତାହା ଯୌବନରେ ନିଃଶେଷ ହୋଇଅଛି । ଏତେଦିନ ଧରି ତ୍ରିଭୁଜୋପମ ପ୍ରେମଗଳ୍ପ ଲେଖି ସେ ଯାହା କରୁଛନ୍ତି ତାହା ହାସ୍ୟକର ଧୃଷ୍ଟତା ମାତ୍ର । ତାଙ୍କର ବହୁ ରସିକବନ୍ଧୁ ତାଙ୍କୁ ଏକଥା ଲେଖିଥିଲେ । କିନ୍ତୁ ସେ ସେଥିରେ ଦୃଷ୍ଟିପାତ ବା କର୍ଣ୍ଣପାତ କରି ନାହାନ୍ତି । ସେ ନିଜେ ଜାଣନ୍ତି, ନିଜ ଅନ୍ତରର କାମନା କଳୁଷକୁ ଦୁଇ ଚାରିଟି ଧର୍ମ କଥାର ଫୁଲ ବିଲ୍ଵ ପତ୍ର ଢଙ୍କାଇ ମହତ୍ ସାହିତ୍ୟ ପାଇଁ ମହତ୍ କଳ୍ପନା ଲୋଡ଼ା, ମହାନ ଚରିତ୍ର ଲୋଡ଼ା । ସର୍ବୋପରି ଲୋଡ଼ା ଅଲେକସାମାନ୍ୟ ପ୍ରତିଭା । ସେ ଜାଣନ୍ତି ସେସବୁ ତାଙ୍କର ନାହିଁ । ଲେଖନ୍ତି ଟଙ୍କା ପାଇଁ, ବର୍ତ୍ତମାନ ଆଉ ଟଙ୍କାର ଆବଶ୍ୟକତା ନାହିଁ । ଆଉ ସେସବୁ କାହିଁକି ? ଯଦି ଲେଖନ୍ତି ତା’ହେଲେ ହୁଏତ ପ୍ରକାଶକ ଜୁଟିବେ-। ଛତୁ ପରି ଯେଉଁ ପତ୍ରିକା ଏଣେ ତେଣେ ନିତି ଗଜାଉଛି ସେଗୁଡ଼ିକ ସେ ଲେଖା ଛପାଇ ତାଙ୍କୁ କିଛି ଅର୍ଥ ଦେବେ । କିନ୍ତୁ ତାଙ୍କର ଆଉ ଅର୍ଥର ଆବଶ୍ୟକତା ନ ଥିଲା । ଲୋଭର ଅବସାନ ହୋଇଥିଲା, ତେଣୁ ସେ ସାହିତ୍ୟଚର୍ଚ୍ଚାର କୌଣସି ପ୍ରେରଣା ପାଇଲେ ନାହିଁ । ସେ ଆସି ତାଙ୍କର ଗୃହିଣୀକୁ ଖଣ୍ଡିଏ ଚିଠି ଲେଖିଥିଲେ—” ମୁଁ ଏଠାରେ ଖୁବ୍ ସୁଖରେ ଅଛି । ତୁମେ ମୋ’ ପାଇଁ କିଛି ଚିନ୍ତା କରିବ ନାହିଁ । ମଝିରେ ମଝିରେ ତୁମ୍ଭମାନଙ୍କର ଖବର ଦେଇପାର, ତା’ଠାରୁ ଅଧିକ କିଛି କରିବ ନାହିଁ । ମୁଁ ଆଉ ଫେରିଯିବି ନାହିଁ । ମୋତେ ଫେରାଇ ନେବାକୁ ତୁମ୍ଭେମାନେ ଯଦି ଚେଷ୍ଟାକର, ତା’ ହେଲେ ନିଶ୍ଚିତ ଭାବରେ ଜାଣ ଯେ ତାହା ବୃଥା ହେବ । ତୁମ୍ଭମାନଙ୍କ ପାଇଁ ଯଦି ମୋ’ ମନ କ’ଣ ହୁଏ, ତେବେ ମୁଁ ଯିବି । ତୁମ୍ଭେମାନେ ଏଠାକୁ ଆସିବ ନାହିଁ ।” ଇଚ୍ଛାକରି ସେ ଚିଠିରେ ଠିକଣା ଦେଲେ ନାହିଁ । ତଥାପି କିଛି ଦିନ ପରେ ସଭୟେ ସେ ଦେଖିଲେ ଯେ ତାଙ୍କର ବଡ଼ପୁଅ ଏବଂ ସ୍ତ୍ରୀ ଖୋଜି ଖୋଜି ଆସି ତାଙ୍କ ବସାରେ ହାଜର ହୋଇଛନ୍ତି । ସ୍ତ୍ରୀଲୋକମାନେ ସାଧାରଣତଃ ଯାହାକୁ ନିଜର ଟାଣୁଆ ଅସ୍ତ୍ର ବୋଲି ମନେ କରନ୍ତି, ଯୋଗେନ୍ଦ୍ର—ଗୃହିଣୀ ମଧ୍ୟ ତାହା ପ୍ରୟୋଗ କଲେ, ଅର୍ଥାତ୍ ଧକେଇ ହୋଇ କାନ୍ଦିଲେ । ପୁଅ ଗୁମ ହୋଇ ବସିଗଲା । ଯୋଗେନ୍ଦ୍ରନାଥ କିନ୍ତୁ ବିଚଳିତ ହେଲେ ନାହିଁ । ସେମାନଙ୍କୁ ବୁଝାଇ କହିଲେ, “ମୁଁ ଏଠାରେ ଶାନ୍ତିରେ ରହିଛି । କିଛି କଷ୍ଟ ନାହିଁ । ତୁମ୍ଭମାନଙ୍କର ସେହି ହଟ୍ଟଗୋଳ ଭିତରକୁ ମୋତେ ଟାଣି ନେଇଗଲେ ମୁଁ ପାଗଳ ହୋଇଯିବି, ନଚେତ୍ ଅକାଳ ମୃତ୍ୟୁମୁଖରେ ପଡ଼ିବି । ତୁମ୍ଭେମାନେ ସେ ଚେଷ୍ଟା କର ନାହିଁ ।” ତାପରେ ସେ ନିଜ ସ୍ତ୍ରୀଙ୍କୁ ଲକ୍ଷ୍ୟ କରି କହିଲେ, “ତୁମେ ଯଦି ଇଚ୍ଛା କରୁଥାଅ, ତା’ହେଲେ ମୋ’ ପାଖରେ ରହିପାର । ସେଥିପାଇଁ ଆପତ୍ତି କରିବାର ଅଧିକାର ମୋ’ର ନାହିଁ ।” କିନ୍ତୁ ଦେଖାଗଲା, ତାଙ୍କର ସ୍ତ୍ରୀ ଏଥିରେ ସମ୍ମତା ନୁହନ୍ତି । ସେ ତାଙ୍କର ପୁଅ–ଝିଅ, ନାତି–ନାତୁଣୀମାନଙ୍କ ସହିତ ବାସ କରିବା ପାଇଁ ଇଚ୍ଛୁକା । ସ୍ୱାମୀଙ୍କର ପ୍ରୟୋଜନ ତାଙ୍କର ନାହିଁ । ସ୍ଵାମୀ ଚାଲି ଆସିବାରୁ ତାଙ୍କର ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇଥିଲା ବୋଲି ଆସିଥିଲେ । ଯଦିଓ ସେ ଏକଥା ମୁହଁ ଖୋଲି ନ କହିଛନ୍ତି ବା ଜ୍ଞାତସାରରେ ସମ୍ଭବତଃ ଏକଥା ଚିନ୍ତା ନ କରିଛନ୍ତି, କଥାଟି ତାଙ୍କର ମଗ୍ନ ଚୈତନ୍ୟ ଲୋକର ଏବଂ ମୋ’ର ଅନୁମାନ ମାତ୍ର । ଯାହା ହେଉ, ଯେତେବେଳେ ଯୋଗେନ୍ଦ୍ରନାଥ କୌଣସି ଉପାୟରେ ନ ଗଲେ, ସେତେବେଳେ ସେମାନଙ୍କୁ ଫେରିଯିବାକୁ ପଡ଼ିଲା । ଯିବା ପୂର୍ବରୁ ହୋଟେଲବାଲା ମୋହିତ ଚକ୍ରବର୍ତ୍ତୀଙ୍କୁ ଦେଖା କରି କହିଲେ, “ଦେଖିବେ ତାଙ୍କର ଖାଇବା ପିଇବାରେ ଯେପରି କୌଣସି ଅସୁବିଧା ନ ହୁଏ । ସେ କିଏ ଜାଣନ୍ତି ସେ ଜଣେ ବିଖ୍ୟାତ ଲେଖକ-। ତାଙ୍କର ଦଶ ଖଣ୍ଡ ବହି ସିନେମା ହୋଇଛି । ସେ ବର୍ତ୍ତମାନ ବାବା ବିଶ୍ଵେଶ୍ଵରଙ୍କ ଆଦେଶ ପାଇ ଏଠାକୁ ଆସିଛନ୍ତି ଗରିବ ପରି ରହିବେ ବୋଲି । ଏକଥା ପଚାରିଲେ ସେ କାହାରିକୁ କହିବେ ନାହିଁ-। ଆମେ କାହିଁକି ଆସିଥିଲୁ ଜାଣିଛନ୍ତି ? ଯାହାହେଉ, ବାପା, ଆପଣ ଟିକିଏ ଦେଖିବେ, ତାଙ୍କର ଖାଇବା ପିଇବାରେ ଯେପରି କିଛି ଅସୁବିଧା ନ ହୁଏ । ଏହି ଆମର ଠିକଣା ନିଅ । ଯଦି ବେଶୀ ଟଙ୍କା ଦରକାର ହୁଏ ଆମକୁ ଲେଖିଲେ ଆମେ ପଠାଇଦେବୁ। ଆପଣ ତାଙ୍କୁ ଏସବୁ କଥା କହିବେ ନାହିଁ ।” ସଂବାଦ ଶୁଣି ମୋହିତ ଚକ୍ରବର୍ତ୍ତୀ ଏପରି ଛଳନା କଲେ ଯେପରି ଆକାଶରୁ ଖସିପଡ଼ିଲେ-। ସାହିତ୍ୟ–ଜଗତର କୌଣସି ଖବର ସେ ରଖନ୍ତି ନାହିଁ, ଯୋଗେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ବୋଲି ଜଣେ ଲେଖକ ଯେ ଅଛନ୍ତି ସେ ଖବର ତାଙ୍କୁ ଅବିଦିତ ଥିଲା । କିନ୍ତୁ ସେ ପକ୍‌କା ବ୍ୟବସାୟୀ ଲୋକ, ଏପରି ଭାବ ପ୍ରକାଶ କଲେ, ଯେପରି ଯୋଗେନ୍ଦ୍ରନାଥ ନାମକ ସର୍ବଜନବିଦିତ ଲେଖକ ତା’ର ହୋଟେଲର ଅନ୍ନ ଗ୍ରହଣ କରି ତାକୁ ସର୍ବତୋଭାବରେ ଚରିତାର୍ଥ କରିଛନ୍ତି । ସ୍ମିତ ମୁଖରେ ବାରମ୍ବାର ମୁଣ୍ଡ ହଲାଇ ସେ କଥାଦେଲେ ଯେ ଯୋଗେନ୍ଦ୍ରନାଥଙ୍କର ଖାଇବାରେ କୌଣସି କଷ୍ଟ ହେବାକୁ ସେ ଦେବେ ନାହିଁ । ତାଙ୍କର ଜୀବନ ଥାଉଁ ଥାଉଁ ନୁହେଁ । ସନ୍ତୁଷ୍ଟ ହୋଇ ଯୋଗନ୍ଦ୍ରଗୃହିଣୀ ସପୁତ୍ର ପ୍ରତ୍ୟାବର୍ତ୍ତନ କଲେ । ଯୋଗେନ୍ଦ୍ରନାଥଙ୍କର ଖାଇବା, ପିଇବା, ରହିବାରେ କୌଣସି ସମସ୍ୟା ଉପୁଜିଲା ସମୟ ନେଇ । ଦିନେ ତାଙ୍କର ମନେ ହେଲା—ଯେତେବେଳେ କାଶୀକୁ ଆସିଛି ଦେଖାଯାଉ ବିଶ୍ଵେଶ୍ଵରଙ୍କ ଚରଣରେ ମନ ଲଗାଇ ପାରୁଛି କି ନାହିଁ-? ଏବଂବିଧ ପ୍ରେରଣା ଜାଗ୍ରତ ହେବାର କାରଣ ମଧ୍ୟ ଥିଲା । ଗୃହିଣୀ ଚାଲିଯିବା ପରେ ହୋଟେଲବାଲା ଚକ୍ରବର୍ତ୍ତୀ ଆସି ତାଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ଗୃହିଣୀ ତାଙ୍କୁ ଯାହା ଯାହା କହିଥିଲେ, ତାହାସବୁ ଅତିରଞ୍ଜିତ କରି ଯୋଗେନ୍ଦ୍ରନାଥଙ୍କୁ କହିଥିଲେ । ଯୋଗେନ୍ଦ୍ରନାଥ ଶୁଣି ସ୍ତମ୍ଭିତ ହୋଇଗଲେ । ଲୋକଟା ତାଙ୍କୁ ମହାକବି–ତପସ୍ଵୀ କହି ବିନାଦ୍ଵିଧାରେ ପ୍ରଣାମ କରି ପକାଇଲା-। ପ୍ରଥମେ ଯୋଗେନ୍ଦ୍ରନାଥଙ୍କର ବାକ୍‌ସ୍ଫୁତ୍ତି ହେଲା ନାହିଁ । କିଛି ସମୟ ପରେ କହିଲେ, “ଆପଣ ଯାହା କହିଲେ ତାହା ସତ୍ୟ ନୁହେଁ-। ଏକଥା ଦୟାକରି କାହାକୁ କହିବେ ନାହିଁ । କହିଲେ ଅକାରଣ ଲୋକଭିଡ଼ ହେବ-। ତାହା ମୁଁ ଚାହେଁ କାହିଁ । ମୁଁ ଏଠାକୁ ନିର୍ଜନ ଶାନ୍ତିରେ ରହିବାକୁ ଆସିଅଛି-। ଦୟାକରି ମୋ’ ଶାନ୍ତିରେ ବିଘ୍ନ ଘଟାଇବେ ନାହିଁ ।”

 

ମୋହିତ ବାବୁଙ୍କର ଭକ୍ତି ଆହୁରି ବଢ଼ିଗଲା । ସେ କହିଲେ, “ବେଶ୍ ତାହା ହିଁ ହେବ । କିନ୍ତୁ ମୋ’ର ଆସିଷ୍ଟାଣ୍ଟ ଛକୁ କଥାଟା ଶୁଣିପକାଇଛି । ତାକୁ ମନାକରିଦେବାକୁ ହେବ, ଯେପରି କଥାଟା ପାଞ୍ଚକାନ ନ ହୁଏ ।”

 

ମୋହିତ ବାବୁ ଚାଲିଗଲା ପରେ ତାଙ୍କର ମନେହେଲା, ଦେଖାଯାଉ ବିଶ୍ଵେଶ୍ୱରଙ୍କ ଚରଣରେ ମନ ନିବିଷ୍ଟ ହେଉଛି କି ନାହିଁ ! ମୁଁ ତ ତପସ୍ଵୀ ନୁହେଁ, ସାଧାରଣ ସଂଧ୍ୟାହ୍ନିକ ମଧ୍ୟ କରେ ନାହିଁ, କିନ୍ତୁ ଚେଷ୍ଟାକରି ଦେଖିବାରେ କ୍ଷତି କ’ଣ ଅଛି ? ଆଉ କିଛି ନ ହେଉ, ସମୟଟା ତ କଟିବ । ତା’ ପରଦିନ ସେ ବିଶ୍ଵେଶ୍ଵରଙ୍କ ମନ୍ଦିରକୁ ଗଲେ ଏବଂ ସେଠାରେ ଜଣେ ପଣ୍ଡାଙ୍କ ସହିତ ଯୋଗାଯୋଗ କରି କିଛି ସମୟ ପୂଜାକଲେ । କିଛି ସମୟ ପରେ ସେ ହୃଦୟଙ୍ଗମ କଲେ ଯେ ଆଉ ଯେଉଁଠି ବିଶ୍ଵେଶ୍ଵରଙ୍କ ଚରଣରେ ମନ ନିବିଷ୍ଟ କରିବା ସମ୍ଭବ ହେଉ, ମନ୍ଦିର ଭିତରେ ତାହା କରିବାର ଉପାୟ ନାହିଁ । ଚତୁର୍ଦ୍ଦିଗରେ ଶ୍ଵାସରୋଧକାରୀ ଭିଡ଼, ନାନା ଜାତି ଲୋକର, ଭଣ୍ଡଙ୍କର, ଭିଖାରୀଙ୍କର, ପୂଜକଙ୍କର ଭିଡ଼—ନାନା ଭାଷା, ନାନା ଭଙ୍ଗୀ—କେବଳ ଦିଅ—ଦିଅ ରବ । ଗୋଟିଏ ମୁହୂର୍ତ୍ତ ସେଠାରେ ନୀରବ ନୁହେଁ । ଘଣ୍ଟା ଶବ୍ଦ, ଶଙ୍ଖ ଶବ୍ଦ, ଝାଞ୍ଜ ଶବ୍ଦ ମନ୍ତ୍ରର ଶବ୍ଦ । ଯେଉଁ ଶକ୍ତି ଥିଲେ ଏସବୁ ସତ୍ତ୍ୱେ ଓ ମହାଦେବଙ୍କ ଚିନ୍ତାରେ ନିମଗ୍ନ ହୋଇ ହୁଏ, ସେ ଶକ୍ତି ଯୋଗେନ୍ଦ୍ରନାଥଙ୍କର ଅଭାବ । ଦୁଇଟି ଦିନ ବୃଥା ଚେଷ୍ଟା କରି ସେ ମନ୍ଦିରକୁ ଯିବା ବନ୍ଦ କରିଦେଲେ-। ତାଙ୍କର ସେତେବେଳେ ଧାରଣା ହେଲା, ସେ କୌଣସି ନିର୍ଜନ ସ୍ଥାନକୁ ଗଲେ ସଫଳକାମ ହେବେ । ମନୋମତ ନିର୍ଜନ ସ୍ଥାନ ପାଇବା ମଧ୍ୟ ସହଜ ହେଲା ନାହିଁ । ନିର୍ଜନସ୍ଥାନ ସନ୍ଧାନରେ କେତେ ଦିନ ଅତିବାହିତ ହେଲା । କେତେ ଦିନ ପରେ ଗୋଟିଏ ମନୋମତ ସ୍ଥାନ ମିଳିଲା–ଲଳିତା ଘାଟ । ଘାଟଟି ଛୋଟ, କିନ୍ତୁ ନିର୍ଜନ । ଦି’ ପହର ସମୟରେ ସେଠାରେ କେହି ନ ଥାନ୍ତି-। ଯୋଗେନ୍ଦ୍ରନାଥ ଲଳିତା ଘାଟର ଗୋଟିଏ ପାଖରେ ଦିନେ ଆଖିବୁଜି ଧ୍ୟାନରେ ବସିଲେ-। କିନ୍ତୁ ତାଙ୍କର ମୁଦ୍ରିତ ଆଖି ଆଗରେ, ତାଙ୍କ ମାନସପଟରେ ଯେଉଁ ଛବିସବୁ ଫୁଟି ଉଠିଲା, ସେଥିରୁ ଗୋଟିଏ ହେଲେ ମହାଦେବଙ୍କର ନୁହେଁ । ସେ କେବଳ ତାଙ୍କ ସ୍ତ୍ରୀଙ୍କୁ, କେତେବେଳେ ଛୁଆପିଲାମାନଙ୍କୁ ବା କେତେବେଳେ ସୁଲୀନାକୁ ଦେଖିବାକୁ ପାଇଲେ । ଜିମିର ଛବି କେତେଥର ଉଙ୍କି ମାରୁଥିଲା । ସେହି ଖିଙ୍କାରୀ କୁକୁରଟାର ମଧ୍ୟ । ମହାଦେବଙ୍କ ମୂର୍ତ୍ତି ଥରେ ମାତ୍ର ଦେଖାଦେଇ ନାହାନ୍ତି । କିଛି ସମୟ ପରେ ତାଙ୍କୁ ଉପଲବ୍‌ଧି କରିବାକୁ ହେଲା, ସେ ଯାହାକୁ ଧରି ତାଙ୍କ ଜୀବନର କ୍ଳେଶ–କ୍ଳାନ୍ତି, ଅବସାଦ–ଆଳସ୍ୟ ଦୂର କରିପାରନ୍ତେ, ସେ ଆଉ ଯାହା ହୁଅନ୍ତୁ, ଏ ପ୍ରସ୍ତର ମୂର୍ତ୍ତି ବିଶ୍ଵେଶ୍ଵର ନୁହନ୍ତି । ହୁଏତ ଶେଷରେ ବିଶ୍ଵେଶ୍ଵରଙ୍କୁ ପାଇହେବ, ହୁଏତ ସେ ଅନ୍ୟ ରୂପରେ ଅଛନ୍ତି । କେଉଁଠି ? କେଉଁ ରୂପରେ ? ଯୋଗେନ୍ଦ୍ରନାଥ ମନେ ମନେ କ୍ରମାଗତ ଅନୁସନ୍ଧାନ କରିବାକୁ ଲାଗିଲେ । ତାଙ୍କର ବିଶ୍ଵେଶ୍ଵର କେଉଁଠି ଲୁଚିଛନ୍ତି ତାଙ୍କୁ ଖୋଜି ବାହାର କରିବାକୁ ହେବ-। ଏହି ଜିଦ୍ ତାଙ୍କୁ ଘାରିଲା । ସେ ପ୍ରତିଦିନ ରାସ୍ତାରେ ଘୂରି ବୁଲିଲେ । ମନରେ ସେହି ଗୋଟିଏ ଚିନ୍ତା–କାହାନ୍ତି ସେ ? ଦିନେ ଘରକୁ ଫେରି ଦେଖିଲେ, ସୁଲୀନା ଗୋଟିଏ ଚିଠି ଦେଇଛି-। ସୁଲୀନା ଲେଖିଛି—

 

ଶ୍ରୀଚରଣେଷୁ,

 

ବଡ଼ବାପା, ବଡ଼ମା’ଙ୍କଠାରୁ ଠିକଣା ପାଇ ଏ ଚିଠି ଲେଖୁଛି । ଆପଣ ଯେ କାଶୀ ଚାଲି ଯାଉଛନ୍ତି, ସେ ଖବର ମୁଁ ଶୁଣିଥିଲି । କିନ୍ତୁ ଠିକଣା ଜାଣି ନ ଥିଲି ବୋଲି ଏତେ ଦିନ ଆପଣଙ୍କୁ ଚିଠି ଲେଖିପାରିଲି ନାହିଁ । ଭାଇଙ୍କଠାରୁ ଶୁଣିଲି, ଆପଣ କାଳେ ସେଠାରେ ଗୋଟିଏ ହୋଟେଲରୁ ଖାଇ ଖୁବ ଗରିବ ପରି ଚଳୁଛନ୍ତି । ଆପଣଙ୍କର ଘଣ୍ଟାକୁ ଘଣ୍ଟା କଫି ଦରକାର ହେଉଥିଲା, କେତେପ୍ରକାର ଖାଇବାର ଫରମାସ କରୁଥିଲେ—ବର୍ତ୍ତମାନ କାଳେ ସବୁ ଛାଡ଼ି ଦେଇଛନ୍ତି । ଶୁଣି ଭାରି ମନ କଷ୍ଟ ହେଲା । ସେ ଛୁଟି ପାଉ ନାହାନ୍ତି । ନ ହେଲେ ଆପଣଙ୍କ ପାଖକୁ ମୁଁ ଚାଲିଯାନ୍ତି । ଆଉ ଗୋଟିଏ କଥା । ଆପଣ ଯଦି ଅନୁମତି ଦିଅନ୍ତେ ମୁଁ ମାସକୁ ତିରିଶ ଟଙ୍କା ଲେଖାଏଁ ପଠାନ୍ତି । ଆପଣ ଯଦି ସୁଖରେ ଥାନ୍ତି କାଶୀରେ ରହନ୍ତୁ, କିନ୍ତୁ ଏତେ କଷ୍ଟ କରି ରହିବା ଦରକାର କ’ଣ ? ଅନ୍ତତଃ ଆମେ ଥାଉଁ ଥାଉଁ । ଭାଇ ମଧ୍ୟ ମାସକୁ ମାସ କିଛି ପଠାଇ ପାରନ୍ତେ । ଭାଇ ନୂଆବୋଉ ଦୁଇ ଜଣ ମିଳି ମାସକୁ ପ୍ରାୟ ହଜାରେ ଟଙ୍କା ରୋଜଗାର କରୁଛନ୍ତି । ଘରେ ଦୁଇଟି ଫ୍ଲାଟ ଭଡ଼ା ଦିଆ ଯାଇଛି । ସେଥିରୁ କାଳେ ସାତଶ ଟଙ୍କା ଭଡ଼ା ଆଦାୟ ହେଉଛି । ଆପଣଙ୍କ ପ୍ରକାଶକମାନେ ଭାଇଙ୍କ ପାଖକୁ ମାସରେ ଦୁଇ ଶହ ଅଢ଼େଇ ଶହ କରି ଟଙ୍କା କାଳେ ପଠାନ୍ତି । ଆପଣ ଭାଇଙ୍କୁ କାଳେ କହିଛନ୍ତି ସେହି ଟଙ୍କାରେ ଘର ଖର୍ଚ୍ଚ ଚଳିବ । ବଡ଼ବାପା, ଆପଣ କାହିଁକି ଏତେ କଷ୍ଟ କରି ରହିବେ ? ଆପଣଙ୍କ ଚିଠି ପାଇଲା ମାତ୍ରେ ମୁଁ ତିରିଶ ଟଙ୍କା ପଠାଇଦେବି । ଆହୁରି ବେଶୀ ପଠାଇ ପାରନ୍ତି, କିନ୍ତୁ ମୋ’ର ଗୋଟିଏ ପିଲା ହୋଇଛି । ତା’ ପାଇଁ କିଛି ଖର୍ଚ୍ଚ ବଢ଼ିଛି । ମୁହଁଟି ଠିକ୍ ଆପଣଙ୍କ ପରି-। ସେ ଛୁଟି ପାଇଲେ ତାକୁ ନେଇ ଆମେ ଆପଣଙ୍କ ପାଖକୁ ଯିବୁ । ଆହୁରି ଗୋଟିଏ କଥା, ଆପଣଙ୍କ ସମୟ କିପରି କଟୁଛି ? ସବୁଦିନେ ତ ଲେଖାଲେଖି କରି କଟାଇଥିଲେ-। ବର୍ତ୍ତମାନ କ’ଣ କରୁଛନ୍ତି ? ଲେଖାଲେଖି କ’ଣ ଏକାଥରେ ଛାଡ଼ି ଦେଇଛନ୍ତି ? ଦିନସାରା କ’ଣ କରନ୍ତି-? ବାବା ବିଶ୍ଵେଶ୍ଵରଙ୍କ ମନ୍ଦିରକୁ ଯା’ନ୍ତି ନା ! ବହି ପଢ଼ନ୍ତି ? ସେଠାରେ ପାଖରେ ଲାଇବ୍ରେରୀ ଅଛି ନା-? ସବୁ ଖବର ଲେଖିବେ । ଆପଣଙ୍କ ଲାଗି ଭାରି ଚିନ୍ତାରେ ପଡ଼ିଛି । ଆପଣ ଆମର ଭକ୍ତିପୂର୍ଣ୍ଣ ପ୍ରଣାମ ଗ୍ରହଣ କରିବେ ।

 

। ଇତି ।

ପ୍ରଣତା ଶଙ୍କରୀ

 

ଯୋଗେନ୍ଦ୍ରନାଥ ସଙ୍ଗେ ସଙ୍ଗେ ଉତ୍ତର ଲେଖିଥିଲେ—

 

କଲ୍ୟାଣୀୟାଷୁ,

 

ତୁମର ପତ୍ର ପାଇଲି । ମୋ’ର କିଛି କଷ୍ଟ ନାହିଁ । ବେଶ ସୁଖରେ ଅଛି । ମୋ’ ପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ । ତୁମ୍ଭେମାନେ ବ୍ୟସ୍ତ ହେଲେ ତାହା ହିଁ ମୋ’ର ଦୁଃଖର କାରଣ ହେବ । ମୋ’ ପାଖକୁ ଟଙ୍କା ପଠାଇବାର ଦରକାର ନାହିଁ । ମୁଁ ଶହେ ପଞ୍ଚସ୍ତରି ଟଙ୍କା ପେନ୍‌ସନ ପାଉଛି । ପଞ୍ଚସ୍ତରି ଟଙ୍କାରେ ମୋ’ର ରହିବା ଖାଇବା ସବୁ ଭଲ ଭାବରେ ହୋଇଯାଉଛି । ମାସରେ ଶହେ ଲେଖାଏଁ ଟଙ୍କା ପୋଷ୍ଟ ଅଫିସରେ ସଞ୍ଚୟ କରେ । ତୁମର ଯଦି ଆପତ୍ତି ନ ଥାଏ ମାସକୁ ମାସ କିଛି ତୁମ ପିଲାଟି ପାଇଁ ପଠାଇପାରେ । ତୁମେ କେହି ଏଠାକୁ ଆସ ନାହିଁ । କୋଳାହଳପୂର୍ଣ୍ଣ ଆଡ଼ମ୍ବରମୟ ଜୀବନରେ ସୁଖଶାନ୍ତି କିଛି ପାଇ ନାହିଁ । ସ୍ଵାର୍ଥର ଆଳାପନା ଅନୁସରଣ କରି ନାନା ଭାବରେ କେବଳ ବିପନ୍ନ ହୋଇଛି । ଯାହା ଆଦର୍ଶ ବୋଲି ମୁହଁରେ ଆସ୍ଫାଳନ କରିଛି, ତାହା ଜୀବନରେ ରୂପାୟିତ କରିପାରେ ନାହିଁ । ତେଣୁ ଏଥର ଠିକ କରିଛି, ଅନାଡ଼ମ୍ବର ଏକ ଜୀବନ ଯାପନ କରିବି । ଦେଖାଯାଉ, ମାନବ ଜୀବନର ଯାହା ପରମ କାମ୍ୟ ତାହା ପାଉଛି କି ନାହିଁ । ତୁମେ ଯେବେ ଏଠାରେ ଆସି ପହଞ୍ଚିଯାଅ ତା’ହେଲେ ମୋର ସେ ଚେଷ୍ଟା ନିଷ୍ଫଳ ହେବ । ତେଣୁ ଅନୁରୋଧ, ତୁମେ କେହି ଆସିବ ନାହିଁ । ମୁଁ ଏଠାରେ ଦିନ ସାରା ଚାଲି ବୁଲେଁ । ଲେଖିବାକୁ ଆଉ ଇଚ୍ଛା କରୁ ନାହିଁ । କାରଣ ବୁଝିଛି, ମୋ’ର ଲେଖିବାର କ୍ଷମତା ନାହିଁ । ବିଶ୍ଵେଶ୍ୱରଙ୍କ ମନ୍ଦିରକୁ ଯାଇ ଭଗବତ୍ ଚିନ୍ତାରେ ନିମଗ୍ନ ହେବାର ଚେଷ୍ଟା କରିଥିଲି । କିନ୍ତୁ ସେ ଚେଷ୍ଟା ସଫଳ ହେଲା ନାହିଁ । ଏଠାରୁ ଦୁଇ ମାଇଲ ଦୂରରେ ଶୁଣିଛି, ଗୋଟିଏ ଭଲ ଲାଇବ୍ରେରୀ ଅଛି । ତୁମ ଚିଠି ପାଇ ସ୍ଥିର କରିଛି ସେହି ଲାଇବ୍ରେରୀରେ ଜଣେ ମେମ୍ବର ହେବି । ବହି ପଢ଼ି ସମୟ କଟାଇବି । ମୋର ଦେହ ବେଶ୍ ସୁସ୍ଥ ଅଛି । ତୁମ୍ଭେମାନେ ମୋର ଆର୍ଶୀର୍ବାଦ ନେବ ।

 

। ଇତି ।

ଆର୍ଶୀର୍ବାଦକ

ବଡ଼ବାପା

 

ତହିଁ ପର ଦିନ ଯୋଗେନ୍ଦ୍ରନାଥ ଲାଇବ୍ରେରୀକୁ ଯାଇ ସଭ୍ୟ ହେଲେ । ଭାବିଲେ—ଯାହା ହେଉ ଅକୂଳରେ କୂଳ ମିଳିଲା । କିନ୍ତୁ କୂଳକୁ ଉଠି ଆଶ୍ୱାସଜନକ ସେ କିଛି ଦେଖିଲେ ନାହିଁ । ଲାଇବ୍ରେରୀର ପୁସ୍ତକ ତାଲିକା ଦେଖି ତାଙ୍କର ଚକ୍ଷୁ ସ୍ଥିର ହୋଇଗଲା । ସବୁଗୁଡ଼ିକ ବାଜେ ଡିଟେକ୍‌ଟିଭ ଗଳ୍ପ, ନଚେତ୍ ତୃତୀୟ ଶ୍ରେଣୀର ବାଜେ ଉପନ୍ୟାସ । ତାଙ୍କର ଉପନ୍ୟାସ ମଧ୍ୟ କେତେଗୋଟି ଥିବାର ଦେଖିଲେ । ଏହା ପାଠକରି କ’ଣ ତାଙ୍କ ମନ ପୂରିବ ? ଟିକିଏ ହତାଶ ହୋଇଗଲେ । ପୁସ୍ତକ ତାଲିକାର ପୃଷ୍ଠା ଓଲଟାଉ ଓଲଟାଉ ଗୋଟିଏ ଜିନିଷ ତାଙ୍କ ନଜରରେ ପଡ଼ିଲା । ଲାଇବ୍ରେରୀରେ ବାଲ୍ମୀକି ରାମାୟଣର ଅନୁବାଦ ଅଛି । ଯଦିଓ କଥାଟା ଅବିଶ୍ଵାସ ବୋଲି ମନେ ହେବ, କିନ୍ତୁ ଏହା ସତ୍ୟ ଯେ ଯୋଗେନ୍ଦ୍ରନାଥ ରାମାୟଣ ଭଲ ଭାବରେ ପଢ଼ି ନାହାନ୍ତି । ଲୋକଙ୍କ ମୁହଁରେ ଉଡ଼ାକାଣ୍ଡିଆ ଭାବରେ ଯାହା ଗଳ୍ପଟା ଶୁଣିଛନ୍ତି ମାତ୍ର । ପୂରାପୂରି ରାମାୟଣ କେବେ ପାଠ କରି ନାହାନ୍ତି । ହଠାତ୍ ସ୍ଥିର କଲେ ଏଥର ରାମାୟଣ ଭଲଭାବରେ ପଢ଼ିବେ । ତାହା ପରେ ମହାଭାରତ । ରାମାୟଣ ବହି ଧରି ବସାକୁ ଫେରିଲେ । ପରଦିନ ରାମାୟଣ ପଢ଼ିବାକୁ ବସିଲାରୁ ମନରେ ଗୋଟିଏ ନୂତନ ପ୍ରେରଣା ଜାଗ୍ରତ ହେଲା । ତାଙ୍କ ମନେ ହେଲା, ଖାଲି ବହିଟାକୁ ପଢ଼ିଲେ କିଛି ଲାଭ ନାହିଁ । ତାକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ହେବ । ଛାତ୍ରଜୀବନରେ କିଛି ଆୟତ୍ତ କରିବାକୁ ହେଲେ ତାକୁ ନକଲ କରୁଥିଲେ । ଯେତେବେଳେ ଶିକ୍ଷକତା କଲେ ଛାତ୍ରମାନଙ୍କୁ ସେହି ଉପଦେଶ ଦେଉଥିଲେ । ଠିକ କଲେ ସମୁଦାୟ ରାମାୟଣକୁ ଲେଖି ପକାଇବେ ରାମାୟଣ ଶେଷ ହେଲେ ମହାଭାରତ । ତାହାପରେ ପୁରାଣ ତାପରେ ଉପନିଷଦ୍ ସେ ସହସା ଯେପରି ଜୀବନବ୍ୟାପୀ ଗୋଟିଏ ମହତ୍ କାର୍ଯ୍ୟ ପାଇଗଲେ । ତାଙ୍କର ମନେହେଲା ଯେ ମହାକବିଗଣ ତୃଷିତ ମାନବ–ମନବୀମାନଙ୍କ ପାଇଁ ଚିରନ୍ତନ ସୁଧା ବିତରଣ କରି ଯାଇଛନ୍ତି । ସେମାନଙ୍କ ଅମର ବାଣୀ ଧାରାରେ ଅବଗାହନ କରି ସେ ମଧ୍ୟ ପବିତ୍ର ହେବେ, ଧନ୍ୟ ହେବେ । ବାଲ୍ମୀକି ରାମାୟଣର ପ୍ରଥମେ ଅଛି, ନାରଦ ବାଲ୍ମୀକିଙ୍କୁ ରାମଚରିତ ବର୍ଣ୍ଣନା କରି ଶୁଣାଇଛନ୍ତି । ବିଶ୍ୱବିଶ୍ରୁତ ଇକ୍ଷାକୁ ବଂଶରେ ରାମ ନାମରେ ଜଣେ ପ୍ରସିଦ୍ଧ ନୃପତି ଅଛନ୍ତି । ସେ ମହାବଳବାନ୍ । ସୁଦର୍ଶନ, ଧୈର୍ଯ୍ୟଶୀଳ, ଜିତେନ୍ଦ୍ରିୟ ଓ ନିର୍ବିକାର । ସେ ଯେପରି ବୁଦ୍ଧିମାନ୍, ନୀତିଜ୍ଞ, ବାଗ୍ମୀ, ଶ୍ରୀମାନ ଓ ଶତ୍ରୁ ସଂହାରକ, ଦେଖିବାକୁ ସେହିପରି ମହାବାହୁ, ଉନ୍ନତସ୍କନ୍ଧ, ଓ ଗ୍ରୀବାଦେଶ ଶଙ୍ଖ ସଦୃଶ ରେଖାକ୍ରୟ ଭୂଷିତ । ତାଙ୍କର ବାହୁ ଆଜାନୁଲମ୍ବିତ, ଲଲାଟ ସୁନ୍ଦର, ମାଂସଳତାପ୍ରଯୁକ୍ତ ତାଙ୍କର ବକ୍ଷ ଓ ସ୍କନ୍ଧ ମଧ୍ୟଗତ ଅସ୍ଥି ଦେଖା ଯାଏ ନାହିଁ ଏବଂ ସେ ପରମଶକ୍ତିମାନ । ତାଙ୍କର ବକ୍ଷସ୍ଥଳ ବିଶାଳ, ଲୋଚନ ଆକର୍ଣ୍ଣବିସ୍ତୁତ । ସେ ଶୁଭ ଲକ୍ଷଣ ସମ୍ପନ୍ନ, ପ୍ରତାପୀ, ଶ୍ୟାମବର୍ଣ୍ଣ, ନାତିଦୀର୍ଘ ଓ ନାତିହ୍ରସ୍ଵ । ସେ ପ୍ରଜାହିତରତ, ସତ୍ୟବାଦୀ, ଧାର୍ମିକ, ଯଶସ୍ଵୀ ଓ ଶୁଚି ।”

 

ଯୋଗେନ୍ଦ୍ରନାଥ ତନ୍ମୟ ହୋଇ ରୋମାଞ୍ଚିତ କଳେବରରେ ଆଦର୍ଶପୁରୁଷ, ଆଦର୍ଶ ନୃପତି ରାମଙ୍କ ଚରିତ ଲେଖିବାକୁ ଲାଗିଲେ ।

 

ଏହିପରି ଭାବରେ ପାଞ୍ଚ ବର୍ଷ କଟିଗଲା । ଯୋଗେନ୍ଦ୍ରନାଥ ସେତେବେଳକୁ ମହାଭାରତ ଶେଷ କରି ହରିବଂଶ ଆରମ୍ଭ କରିଛନ୍ତି । ସମୟ ନେଇ ସେ କ’ଣ କରିବେ ତାଙ୍କର ଏଇ ସମସ୍ୟାର ସମାଧାନ ହୋଇଥିଲା ସିନା, କିନ୍ତୁ ମନେ ମନେ ଯେପରି ସେ ଆଉ ଗୋଟିଏ କ୍ଷୁଧା, ଆଉ ଗୋଟିଏ ଅତୃପ୍ତି ଅନୁଭବ କରୁଥିଲେ । ତାଙ୍କର ମଝିରେ ମଝିରେ ମନେ ହେଉଥିଲା ମୁଁ ଯାହା କରୁଛି ସେଥିରେ ମୋ’ର କୃତିତ୍ଵ ନାହିଁ । ମହାକବିଗଣ ଯାହା ଲେଖି ଯାଇଛନ୍ତି ମୁଁ ତାହା ପୁଣିଥରେ ଲେଖିଯାଉଛି । ଏହା କୌଣସି ଗଠନମୂଳକ କାମ ନୁହେଁ । ଏହା ପୁନରାବୃତ୍ତି ମାତ୍ର । କିଛି ଗଠନ ବା ସୃଷ୍ଟି କରି ନ ପାରିଲେ ତୃପ୍ତି ଆସେ ନାହିଁ । ମନେହୁଏ ମାନବଜୀବନ ବୃଥା ହୋଇଗଲା । ଏହି ଅତୃପ୍ତି ନେଇ ତାଙ୍କ ଦିନ କଟି ଯାଉଥିଲା । ତାଙ୍କ ଗୃହିଣୀ ଆଉ ଆସି ବିରକ୍ତ କରି ନାହାନ୍ତି; କାରଣ କାଶୀକୁ ଆସିବାର କିଛି ଦିନ ପରେ ହୃଦ୍‌ରୋଗରେ ପଞ୍ଚତ୍ଵ ପ୍ରାପ୍ତ ହେଲେ । ତାଙ୍କ ପୁତ୍ର କନ୍ୟାମାନେ ମଝିରେ ମଝିରେ ଚିଠି ଲେଖି ତାଙ୍କ ଖବର ନେଉଥିଲେ । ସେମାନେ ଆଉ ଆସନ୍ତି ନାହିଁ, କାରଣ ସେମାନେ ବୁଝିଥିଲେ, ସେମାନେ ଆସିଲେ ସେ ଅସନ୍ତୁଷ୍ଟ ହେବେ । ଦିନେ ହଠାତ୍ ତାଙ୍କ ଦୁଆରେ ଗୋଟିଏ ଦାମିକା ବଡ଼ ମୋଟର ଗାଡ଼ି ଠିଆ ହେଲା । ଗାଡ଼ିରୁ ଓହ୍ଲାଇ ଯେଉଁ ରୂପସୀ ନାରୀ ତାଙ୍କୁ ପ୍ରଣାମ କଲେ, ତାଙ୍କୁ ସେ ପ୍ରଥମେ ଚିହ୍ନି ପାରିଲେ ନାହିଁ ।

 

“ଆପଣ କିଏ ?”

 

ନାରୀ ଜଣକ କଳକଣ୍ଠରେ ହସି ଉଠିଲେ । ଯୋଗେନ୍ଦ୍ର ନାଥଙ୍କ ମନେ ହେଲା ଏ ହସ ଯେପରି ସେ ଆଗରୁ କେବେ ଶୁଣିଛନ୍ତି । କାଚ ଭାଙ୍ଗିଯିବାର ଶବ୍ଦ ପରି ।

 

“ଏ କ’ଣ ବଡ଼ବାପା ! ମୋତେ ଚିହ୍ନି ପାରିଲି ନାହିଁ ! ମୁଁ ଟେଁପି ।”

 

ଯୋଗେନ୍ଦ୍ରନାଥ ଅବାକ୍ ହୋଇ ତାଙ୍କୁ ଅନାଇ ରହିଲେ । ସୁଲୀନାର ରୂପ ଯେପରି ଢେଉ ଭାଙ୍ଗୁଛି, ସ୍ଵୟଂ ଜଗଦ୍ଧାତ୍ରୀ ଯେପରି ।

 

“ତାଙ୍କୁ ଓ ପିଲାଟିକି ନେଇ ଆସିଛି । କି ହୋ, ତୁମେ ଓହ୍ଲାଇ ଆସ ।” ରମେନ ଗୋଟିଏ ପାଞ୍ଚ ବର୍ଷ ବୟସ୍କ ଶିଶୁକୁ ନେଇ ପ୍ରବିଷ୍ଟ ହେଲେ । ରମେନ୍ ଯୋଗେନ୍ଦ୍ରନାଥଙ୍କୁ ପ୍ରଣାମ କଲେ କିନ୍ତୁ ଶିଶୁଟି କଲା ନାହିଁ ।

 

“ଏ କ’ଣ ରେ ଖୋକନ୍ ! ଅଜାଙ୍କୁ ଜୁହାର ହୋ”—ଖୋକନ ମହାର୍ଘ ପ୍ରରିଚ୍ଛଦ ପିନ୍ଧି, ଗ୍ରୀବା ବକ୍ର କରି, ମୁହଁରେ ବାମହସ୍ତର ଅଙ୍ଗୁଳି ପୂରାଇ ମୁହଁ ଗୋଜାଇ ଠିଆ ହୋଇ ରହିଲା । ପ୍ରଣାମ କଲା ନାହିଁ ।

 

“ପ୍ରଣାମ କର—ପ୍ରଣାମ କର—”

 

କୌଣସି ପ୍ରକାରେ ପ୍ରଣାମ କଲା ନାହିଁ । ଶେଷରେ ଦୌଡ଼ି ପଳାଇ ଯାଇ ଡ୍ରାଇଭର ପାଖରେ ବସିଲା ।

 

ଅନୁନାସିକ ସ୍ଵରରେ ଟେଁପି କହିଲା, “ଏମିତି ଦୁଷ୍ଟ ହୋଇଛି ଯେ ବଡ଼ବାପା ! ମୋ’ର ଗୋଟିଏ ହେଲେ କଥା ସେ ଶୁଣେ ନାହିଁ ।”

 

ରମେନ୍ ଉଠି ବାହାରକୁ ଚାଲିଗଲା ।

 

ଟେଁପି କହିବାକୁ ଲାଗିଲା, “ତୁମ ପାଖରେ ରହିଲେ ଆଶ୍ଵସ୍ତହେବି ।”

 

ଯୋଗେନ୍ଦ୍ରନାଥ କହିଲେ, “ପିଲା ବେଳେ ସବୁ ପିଲା ବାପା–ମାଙ୍କ ପାଖରେ ରହିବା ଉଚିତ । ବିଶେଷ କରି ମା’ ପାଖରେ— ।”

 

“କିନ୍ତୁ ମୁଁ ଯେ ସିନେମାରେ ପୁଣି ପ୍ରବେଶ କରୁଛି । ତାଙ୍କର ସେହି ଇଚ୍ଛା । ତାଙ୍କର ଧାରଣା, ମୁଁ ସ୍ଵାଧୀନ ଭାବରେ ସିନେମାରେ ପ୍ରବେଶ କଲେ ସିନେମାଶିଳ୍ପର ଗୋଟିଏ ନୂଆ ଦିଗ ଖୋଲି ଦେଇପାରିବି । ସିନେମାରେ ପ୍ରବେଶ କଲେ ଘରକୁ ଯେଉଁ ପ୍ରକାରର ଲୋକ କ୍ରମାଗତ ଆସିବେ, ମୁଁ ଚାହେଁନା ଖୋକନ ସେମାନଙ୍କ ସାଙ୍ଗରେ ମିଶୁ ବୋଲି । ତେଣୁ ଠିକ କରିଛି ତାକୁ ତୁମ ପାଖରେ ଛାଡ଼ି ଦେଇ ଯିବି । ତୁମେ ତା’କୁ ମଣିଷ କର ।”

 

ଯୋଗେନ୍ଦ୍ରନାଥ କ୍ଷଣେ ମାତ୍ର ନୀରବ ରହିଲେ, ତା’ପରେ କହିଲେ, “ବେଶ, ମୁଁ ରାଜି ଅଛି । କିନ୍ତୁ ତାକୁ ମୋ’ ପାଖରେ, ମୋର ଏହି ବସାରେ, ମୋ’ର ପରି କରି ମଣିଷ କରିବି । ସେ ମୋ’ରି ଖାଦ୍ୟ ଖାଇବ, ମୋ’ର ଏହି ଘରେ ଦଉଡ଼ି ଖଟରେ ଶୋଇବ । ମୁଁ ଯାହା ଜାମାଲୁଗା ଦେବି ପିନ୍ଧି ରହିବ ।”

 

“ଏହିଠାରେ ଏହିପରି ସେ ରହିପାରିବ ? ମୁଁ ଭଲ ଘର ଭଡ଼ା କରି ଦେଉଛି । ଚାକର ପୂଝାରୀ ରଖି ଦେଉଛି—ତା’ର ଯାହା ଖର୍ଚ୍ଚ ଲାଗିବ ମୁଁ ଦେବି ।”

 

“ନା—କାହାରି ପାଖରେ ମୁଁ ହାତ ପଢ଼ାଇବି ନାହିଁ ।”

 

ଯୋଗେନ୍ଦ୍ରନାଥଙ୍କର ଦୃଢ଼ କଣ୍ଠସ୍ଵର ଶୁଣି ଟେଁପି ଆଉ କିଛି କହିବା ପାଇଁ ସାହସ କଲା ନାହିଁ । କିଛି ସମୟ ଚୁପ କରି ରହିଲା । ତା’ପରେ କହିଲା, “ଖୋକନ କ’ଣ ଏପରି ରହିପାରିବ ? ଏପରି ରହିବାରେ ତ ସେ ଅଭ୍ୟସ୍ତ ନୁହେଁ । ତା’ ଅପେକ୍ଷା ଗୋଟିଏ ଭଲ ବୋର୍ଡିଂ ହାଉସରେ ରଖାଏଁ । କ’ଣ କହୁଛ ?”

 

“ସେଇଆ କର ।”

 

କିଛି ସମୟ ରହି ଟେଁପି ମୋଟର ଦଉଡ଼ାଇ ପଳାଇଗଲା । ଯୋଗେନ୍ଦ୍ରନାଥଙ୍କର ମନେହେଲା, ଟେଁପି ଯଦି ଛୁଆଟାକୁ ରଖାଇ ଯାଇଥାନ୍ତା, ତାକୁ ମନ ମାନିଲା ଭଳି ମଣିଷ କରିଥାନ୍ତି-। ସେ ଗୋଟିଏ ଦୀର୍ଘ ନିଶ୍ଵାସ ଛାଡ଼ିଲେ । କିଛି ଗଠନ ବା ସୃଷ୍ଟି କରି ପାରୁ ନାହାନ୍ତି ବୋଲି ଯେଉଁ ଅତୃପ୍ତି ତାଙ୍କ ମନରେ ଜାଗ୍ରତ ହୁଏ, ତାହା କିଛି ସମୟ ପାଇଁ ତାଙ୍କର ମନକୁ ଆଚ୍ଛନ୍ନ କରି ରହିଲା; କିନ୍ତୁ ବେଶି ସମୟ ପାଇଁ ନୁହେଁ ସେ ପୁନର୍ବାର ହରିବଂଶ ନକଲ କରିବାରେ ଲାଗିଗଲେ ! “ହେ ସୁରେଶ୍ଵର ! ଆପଣ ମୋତେ ପାରିଜାତ ନାମକ ବରତରୁ ପ୍ରଦାନ କରନ୍ତୁ—”

 

ଛ’ମାସ ପରେ ଗୋଟିଏ ଅପ୍ରତ୍ୟାଶିତ ଯୋଗାଯୋଗ ଘଟିଲା । ଦିନେ ସକାଳେ ଉଠି ଯୋଗେନ୍ଦ୍ରନାଥ କବାଟ ଖୋଲି ଦେଖିଲେ, ଗୋଟିଏ ସମ୍ପୂର୍ଣ୍ଣ ଲଙ୍ଗଳା ପିଲା ତାଙ୍କ ଦ୍ୱାର ନିକଟରେ ମଳିନ ମୁହଁରେ ବସିଛି । ବୟସ ପାଞ୍ଚ ଛ’ବର୍ଷରୁ ଅଧିକ ହେବ ନାହିଁ ।

 

“କିଏ ରେ ତୁ ?”

 

ଶିଶୁଟି କିଛି ଉତ୍ତର ଦେଲା ନାହିଁ । ସଜଳ ନୟନରେ ଯୋଗେନ୍ଦ୍ରନାଥଙ୍କୁ ଅନାଇ ରହିଲା-

 

“ତୋ’ର ଘର କେଉଁଠି ?”

 

“ଏଥର ପିଲାଟି କଥା କହିଲା, “ମୋ’ ବାପା-ମା ଦୁଇଜଣଯାକ ମରି ଯାଇଛନ୍ତି ।”

 

“ଆଉ କେହି ଆତ୍ମୀୟସ୍ଵଜନ ଅଛନ୍ତି ?”

 

ବାଳକ ମୁଣ୍ଡ ହଲାଇ ଜଣାଇଲା କେହି ନାହାନ୍ତି ।

 

ତାଙ୍କ ପ୍ରତିବେଶୀ ବାହାରି ଆସି କହିଲେ, “ତା’ ବାପା–ମା’ ଏଠାରେ କଲେରାରେ ମରିଛନ୍ତି । ଆତ୍ମୀୟସ୍ଵଜନ କାହାରି ଦେଖା ନାହିଁ । ପିଲାଟା କେଉଁ ଦିନରୁ ରାସ୍ତାରେ ଢଙ୍ଗର ଢଙ୍ଗର ହୋଇ ବୁଲିବାର ଦେଖାଯାଉଛି । ଗଭର୍ଣ୍ଣମେଣ୍ଟ ଏ ଦିଗରେ ଦୃଷ୍ଟି ଦେବା କ’ଣ ଉଚିତ ନୁହେଁ ? ଅନ୍ତତଃ ପିଲାଟାକୁ ଗୋଟିଏ ଅନାଥାଶ୍ରମରେ ଦେଇଆସିବା ଉଚିତ । କିନ୍ତୁ କିଏ ଦେବ କହନ୍ତୁ ନା-? ଦିନ କେଇଟା ପରେ ଦେଖିବେ ପିଲାଟା ରାସ୍ତାରେ ଶୁଖି ଶୁଖି ମରି ପଡ଼ିଛି ।”

 

ଯୋଗେନ୍ଦ୍ରନାଥ କିଛି ସମୟ ନୀରବ ରହିଲେ । ବାଳକଟି ସଜଳ ଦୃଷ୍ଟି ମେଲାଇ ତାଙ୍କୁ ଚାହିଁ ରହିଥାଏ ।

 

“ଭିତରକୁ ଆ’—ତୋ’ ନାଁ କ’ଣ କିରେ ?”

 

“ଭାରୁ”

 

ଯୋଗେନ୍ଦ୍ରନାଥ ଭାରୁକୁ କିଛି ମୁଢ଼ି ଖାଇବାକୁ ଦେଲେ । ତାଙ୍କ ଘରେ ଆଉ କିଛି ନ ଥିଲା ! ତା’ପରେ ତାକୁ ଧରି ବଜାରକୁ ବାହାରିଗଲେ, ତାକୁ ଜାମା ଲୁଗା କିଣିଦେଲେ । ଗୋଟିଏ ସ୍ଳେଟ, ଖଡ଼ି ଏବଂ ଖଣ୍ଡିଏ ବହି କିଣିଲେ । ତା’ପରେ ତାକୁ ନେଇଗଲେ ମୋହିତ ଚକ୍ରବର୍ତ୍ତୀ ହୋଟେଲକୁ । କହିଲେ, “ଆଜିଠାରୁ ଏହି ପିଲାଟି ମୋ’ ସହିତ ଖାଇବ । କେତେ କରି ପଡ଼ିବ ?”

 

“ହାଫ ଚାର୍ଯ ଦେବେ ।”

 

“ତା’ ପାଇଁ ଦୁଧ ଅଧସେର ଲେଖାଏଁ ନେବି ।”

 

“ବେଶ, ପିଲାଟି କିଏ ?”

 

“ମୋ’ର ଆତ୍ମୀୟ ।”

 

ହୋଟେଲରୁ ନେଇଗଲେ ତାକୁ ଦଶାଶ୍ଵମେଧ ଘାଟକୁ । ସେଠାରେ ତାକୁ ନିଜେ ଗାଧୋଇଦେଲେ । ସେତେବେଳେ ତାଙ୍କ ମନେ ହେଲା ଗୋଟିଏ ଭୁଲ ହୋଇଗଲା ବୋଲି । ତା’ ପାଇଁ ଖଣ୍ଡିଏ ଗାମୁଛା କିଣିବା ଉଚିତ ଥିଲା । ନିଜର ପିନ୍ଧା କୁଞ୍ଚରେ ତା’ ଦେହକୁ ପୋଛିଦେଲେ । ଏକ ପ୍ରକାର ଅଦ୍ଭୁତ ଆନନ୍ଦରେ ତାଙ୍କ ହୃଦୟ ପରିପୂର୍ଣ୍ଣ ହୋଇଉଠିଲା । କିନ୍ତୁ ମୁହଁରେ ସେ କିଛି କହି ପାରୁ ନ ଥିଲେ । ଅନେକ କଷ୍ଟରେ ମୃଦୁ ସ୍ଵରରେ ସେ କହିଲେ, “ଭାରୁ, ଏଥର ଚାଲ ହୋଟେଲକୁ, ଖାଇବା—”

 

ଦୁଇଜଣ ସାଙ୍ଗରେ ବସି ଖାଇଲେ । ଭାରୁ ଭାତରେ ଭଲ ଭାବରେ ଡାଲି ଗୋଳାଇ ପାରୁ ନ ଥିଲା । ସେ ନିଜେ ଗୋଳାଇଦେଲେ । ତା’ପରେ ବସାକୁ ଫେରିଆସି କହିଲେ, “ତୁ ମୋ’ ଖଟ ଉପରେ ଟିକିଏ ଶୋଇପଡ଼ । ମୁଁ ବାହାରୁ ଆସୁଛି—”

 

ଯୋଗେନ୍ଦ୍ରନାଥ ପ୍ରଥମେ ପୋଷ୍ଟ ଅଫିସକୁ ଗଲେ । ସେଠାରୁ କିଛି ଟଙ୍କା ଉଠାଇଲେ । ତା’ପରେ ବଜାରରୁ ଗୋଟିଏ ଛୋଟ ଖଟିଆ, ଗୋଟିଏ କମ୍ବଳ, ଖଣ୍ଡିଏ ସାଧାରଣ ବିଛଣା କିଣିଲେ-। ବଜାର କରି ଏପରି ସୁଖ ସେ କେବେ ଜୀବନରେ ଅନୁଭବ କରି ନ ଥିଲେ-। ସେଗୁଡ଼ିକ କୁଲିଦ୍ଵାରା ଉଠାଇ ଚାଲିଲେ ପୁଣି ଦଶାଶ୍ଵମେଧ ଘାଟକୁ । ସେଠାରେ ଜଣେ ଜ୍ୟୋତିଷୀଙ୍କ ସହିତ ତାଙ୍କର ଆଳାପ ହୋଇଥିଲା, ତାଙ୍କ ପାଖକୁ ସେ ଯାଇ ପ୍ରଶ୍ନ କଲେ “ପଣ୍ଡିତଜୀ, କୁହନ୍ତୁ ତ ବିଦ୍ୟାରମ୍ଭ ପାଇଁ ଆଜି ଦିନଟା ପ୍ରଶସ୍ତ କି ନୁହେଁ ?”

 

ପଣ୍ଡିତଜୀ ପାଞ୍ଜି ପୋଥି ଦରାଣ୍ଡି କହିଲେ, “ଆଜି ଗୁରୁବାର, ବିଦ୍ୟାରମ୍ଭ ପକ୍ଷରେ ଶୁଭ । ଦିନ ତିନିଟା ପରେ ଆହୁରି ଶୁଭ ।”

 

ଯୋଗେନ୍ଦ୍ରନାଥ କୌଣସି ଦିନ ପଞ୍ଜିକା ଜ୍ୟୋତିଷୀର ବିଶ୍ଵାସୀ ନ ଥିଲେ । ସେ ଦିନ କାହିଁକି ଯେ ସେ ପଣ୍ଡିତଜୀଙ୍କ ପାଖକୁ ଗଲେ, ତାହା ସେ ନିଜେ ବୋଧହୁଏ କହିପାରିବେ ନାହିଁ ।

 

ଖବର ନେଇ ସେ ଦ୍ରୁତ ପାଦରେ ବସାକୁ ଫେରିବାକୁ ଲାଗିଲେ । ଗୋଟିଏ ଘଡ଼ିରେ ଦେଖିଲେ ଅଢ଼େଇଟା ବାଜି ଯାଇଛି ।

 

ବସାରେ ଦେଖିଲେ ଭାରୁ ନିଘୋଡ଼ ନିଦରେ ଶୋଇଛି ।

 

“ଭାରୁ—ଭାରୁ—ଉଠ—ଉଠ—”

 

ଭାରୁ ଧଡ଼ ପଡ଼ କରି ଉଠି ବସିଲା ।

 

“ତୋ’ର ଭଲ ନାଁ କ’ଣ ?”

 

“ଭଲ ନାଁ ନାହିଁ ।”

 

“ତା’ହେଲେ ତୋ’ର ଭଲ ନାମ ହେଉ ଭାରତ କୁମର । ଏଠାକୁ ଆ’ । ମୋ କୋଳରେ ବସ । ପ୍ରଥମରୁ ଆରମ୍ଭ କରାଯାଉ ।”

 

ଭାରୁକୁ ଟାଣି ନେଇ ସେ କୋଳରେ ବସାଇଲେ । ବହି ଖୋଲି କହିଲେ, “ଏଇଟା କ’ଣ-?”

 

ଭାରୁ ବଲ ବଲ କରି ଚାହିଁଥାଏ ।

 

“କହ— ‘ଅ’ ।”

 

“ଅ ।”

 

“ବାଃ ଏହି ତ ଆରମ୍ଭ ହୋଇଗଲା ।”

 

ସ୍ନେହରେ ସେ ଭାରକୁ ଚୁମ୍ବନ କଲେ । ଯେଉଁ ଅତୃପ୍ତି ତାଙ୍କୁ ଏତେ ଦିନ ପୀଡ଼ା ଦେଉଥିଲା, ତାହା ସହସା ଯେପରି ସମ୍ପୂର୍ଣ୍ଣ ରୂପେ ଅପସାରିତ ହୋଇଗଲା ।

 

ଯୋଗେନ୍ଦ୍ରନାଥ ପ୍ରକୃତରେ ବର୍ତ୍ତମାନ ସୁଖୀ ।

Image